ରାଜଗାଙ୍ଗପୁର ଡାଲମିଆ ସିମେଣ୍ଟ କାରଖାନା ଦୁର୍ଘଟଣା: ୩୭ ଘଣ୍ଟା ପରେ ମିଳିଲା ୨ ଶ୍ରମିକଙ୍କ ମୃତଦେହ
ସୁନ୍ଦରଗଡ଼, ୧୮/୧ : ରାଜଗାଙ୍ଗପୁରସ୍ଥିତ ଡାଲମିଆ ସିମେଣ୍ଟ ପ୍ଲାଣ୍ଟ ଦୁର୍ଘଟଣାର ୩୬ ଘଣ୍ଟା ପରେ ଶ୍ରମିକଙ୍କୁ ମୃତ ଅବସ୍ଥାରେ ଉଦ୍ଧାର କରାଯାଇଛି ।
ଦୁଇଟି ମୃତ ଦେହ ମିଳିଥିବାବେଳେ ଅନ୍ୟ ଜଣକ ମୃତ ଦେହ ମିଳି ନାହିଁ । ତେବେ ମୃତ ଦେହକୁ ଚିହ୍ନଟ କରାଯାଇ ନାହିଁ । ନିଖୋଜ ଶ୍ରମିକମାନେ ହେଲେ ଦଶରଥ ପାତ୍ର, ରଞ୍ଜିତ ଭୋଳ ଓ ସୁଶାନ୍ତ ରାଉତ । ଶ୍ରମିକଙ୍କ ପରିବାରମାନେ କମ୍ପାନୀ ସମ୍ମୁଖରେ ଧାରଣାରେ ବସିଛନ୍ତି ।
ଗତ ୧୬ ତାରିଖ ଗୁରୁବାର ଅପରାହ୍ନ ସାଢେ ୫ଟାର ଡାଲମିଆ ସିମେଣ୍ଟ ପ୍ଲାଣ୍ଟ୍ ର ୟୁନିଟ-୨ ପାୱାର ପ୍ଲାଣ୍ଟର ୨ଟି କୋଲ୍ ହପର ଭୁଶୁଡ଼ି ପଡ଼ିଥିଲା ।
ଯେଉଁଥିରେ ଗଚ୍ଛିତ ଥିବା ୮୦୦ ଟନ୍ କୋଇଲା ଗୁଣ୍ଡ ଅଜାଡ଼ି ହୋଇ ପଡ଼ିଥିଲା । ଫଳରେ ସେଠାରେ କାମ କରୁଥିବା ଶ୍ରମିକଙ୍କ ମଧ୍ୟରୁ ଦଶରଥ ପାତ୍ର, ରଞ୍ଜିତ ଭୋଳ ଓ ସୁଶାନ୍ତ ରାଉତ ଛାପି ହୋଇ ରହିଯାଇଥିଲେ ।
ତୁରନ୍ତ ୭ଟି ଅଗ୍ନିଶମ ବାହିନୀ, ଓଡ୍ରାଫ ଦଳ ଓ ପୋଲିସ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଥିଲେ । ପଶ୍ଚିମାଞ୍ଚଳ ଡିଆଇଜି ବ୍ରିଜେଶ ରାୟ, ଜିଲ୍ଲାପାଳ ମନୋଜ ମହାଜନ, ଏସପି ପ୍ରତ୍ୟୁଷ ଦିବାକର, ଅତିରିକ୍ତ ଜିଲ୍ଲାପାଳ ଅଭିମନ୍ୟୁ ମାଝୀ ପ୍ରମୁଖ କାରଖାନାରେ ପହଁଚି ଉଦ୍ଧାର କାର୍ଯ୍ୟ ତଦାରଖ କରିଥିଲେ ।
ସେମାନଙ୍କୁ ଶୁକ୍ରବାର ବିଳମ୍ବିତ ରାତିରେ ଦୁଇଟି ମୃତ ଦେହ ଉଦ୍ଧାର କରାଯାଇଛି । ପୋଲିସ ମୃତ ଦେହ ଗୁଡ଼ିକୁ ଜବତ କରିଛିି କିନ୍ତୁ ବ୍ୟବଚ୍ଛେଦ ପାଇଁ ପଠାଇ ପାରି ନାହିଁ । ଶ୍ରମିକଙ୍କ ପରିବାର ମୁଖ୍ୟ ଫାଟକ ସମ୍ମୁଖରେ ଧାରଣାରେ ବସିଥିବାରୁ ମୃତ ଦେହ ବାହରକୁ ଆସି ନାହିଁ ।
ଅନ୍ୟପକ୍ଷରେ ମୃତ ଦେହ ମିଳିବା ପରେ ପରିବାର ଲୋକ ଦୁଃଖରେ ଭାଙ୍ଗି ପଡ଼ିଛନ୍ତି । କିଏ ନିଜର ରୋଜଗାରିଆ ପୁଅକୁ ହରାଇ ମୁଣ୍ଡ ପିଟି ପିଟି କାନ୍ଦୁଛି ତ ଆଉ କିଏ ସ୍ୱାମୀ ହରାଇ ଚେତା ଶୂନ୍ୟ ହୋଇ ଯାଉଛି ।
ସମ୍ପୂର୍ଣ୍ଣ ଅଞ୍ଚଳରେ ଶୋକରେ ଛାୟା ଖେଳି ଯାଇଛି । ତେବେ ଏହି ମାମଲାରେ ପୋଲିସ ତଦନ୍ତ ମଧ୍ୟ ଆରମ୍ଭ ହୋଇଛି । ପ୍ଲାଣ୍ଟରେ ସେତେବେଳେ କେତେଜଣ ମହଜୁତ ଥିଲେ, କେମିତି ଅଘଟଣ ଘଟିଲା ସେ ନେଇ ଯାଞ୍ଚ କରୁଛି ।