ରଘୁବରଙ୍କୁ କାହିଁକି ତଣ୍ଟିଆ ମାରିଲା ବିଜେପି : ଅରୁଣ
ବିଶ୍ୱ ଭୂଷଣ ମହାପାତ୍ରଙ୍କ ରିପୋର୍ଟ
ନୟାଗଡ଼,୧୨ା୧: ରାଜ୍ୟର ପୂର୍ବତନ ରାଜ୍ୟପାଳ ରଘୁବର ଦାସ ଝାରଖଣ୍ଡ ଫେରି ଯାଇଛନ୍ତି । ଏହା ପରେ ସେ ପୁଣି ଥରେ ବିଜେପିରେ ଯୋଗ ଦେଇଛନ୍ତି । କାର୍ଯ୍ୟକାଳ ପୂର୍ବରୁ ସେ ରାଜ୍ୟପାଳ ପଦରୁ ହଟିଥିଲେ ମଧ୍ୟ ରାଜ୍ୟରେ ତାଙ୍କ ଚର୍ଚ୍ଚା ଏବେ କମିନି ।
ସେ କହିଛନ୍ତି ରାଜ୍ୟପାଳ ଲାଟ ସାହେବ ନୁହଁନ୍ତି । ଏହାକୁ ନେଇ ରାଜନୈତିକ ସ୍ତରରେ ବିଭିନ୍ନ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ବିଜେପି ରଘୁବର ଜଣେ ଲୋକପ୍ରିୟ ରାଜ୍ୟପାଳ ବୋଲି ପ୍ରକାଶ କରିଛି ।
ଏହାର ଜବାବରେ ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ ବିରୋଧୀଙ୍କୁ ଅନେକ ପ୍ରଶ୍ନ ପଚାରିଛନ୍ତି । ଆଜି ନୟାଗଡ଼ ବିଜୁ ଜନତା ଦଳ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଡ. ସାହୁ, ରଘୁବର ରାଜ୍ୟପାଳ ବିଜେପିର ଏଜେଣ୍ଟ ଥିଲେ ବୋଲି କହିଛନ୍ତି । ରାଜଭବନକୁ ସେ ବିଜେପି କାର୍ଯ୍ୟାଳୟ ଭାବେ ବ୍ୟବହାର କରୁଥିଲେ ।
ତାଙ୍କ ପୁଅ ନିଜ କାର୍ଯ୍ୟାଳୟର ଜଣେ ଅଧିକାରୀଙ୍କୁ ମାଡ଼ ମାରିବା ସହ ତଣ୍ଟିଆ ମାରିବା ଘଟଣାରେ ଆଜି ପର୍ଯ୍ୟନ୍ତ ବନ୍ଧା ହେଲେ ନାହିଁ କାହିଁକି । ଅପରାଧ କରି କିଭଳି ତାଙ୍କ ପୁଅ ଖସିଲେ ବୋଲି ଡ. ସାହୁ ପ୍ରଶ୍ନ କରିଛନ୍ତି ।
ସେ ଲୋକଙ୍କ ରାଜ୍ୟପାଳଙ୍କ ପୁଅ ନାଁ ଲାଟସାହେବଙ୍କ ପୁଅ ବୋଲି ପ୍ରଶ୍ନ କରିଛନ୍ତି । ପଣ୍ଡିତ ପୁଅ ମାଙ୍କଡ ମାରିଲେ ମାଫ୍ ଭଳି ସେ ଖସିଲେ କି ।
ରଘୁବର ୩୦ ଜିଲ୍ଲା ବୁଲି ଲୋକଙ୍କ ସହିତ ସୁସମ୍ପର୍କ ରଖିବା ସହ ଲୋକମାନଙ୍କର ଅଭିଯୋଗ ଶୁଣୁଥିଲେ ବୋଲି ବିଜେପି ପ୍ରକାଶ କରିଛି । ଏହାର ଜବାବରେ ବିଜେଡି କହିଛି ୩୦ ଜିଲ୍ଲାରୁ ରଘୁବର ଆଣିଥିବା ଅଭିଯୋଗର ସମାଧାନ କେତେ ହୋଇଛି ।
ଏହା ରାଜ୍ୟ ସରକାର ପ୍ରକାଶ କରନ୍ତୁ । ସେ ଯେଉଁ ୩୦ ଜିଲ୍ଲା ବୁଲୁଥିଲେ ବିଜେପିର ଏଜେଣ୍ଟ ହୋଇ ସ୍ଥିତି ବୁଝୁଥିଲେ । ବିଜେଡିକୁ ବଦନାମ କରୁଥିଲେ ।
କୌଣସି ସ୍ଥାନରେ ମାଟି ଗାଣ୍ଡୁଏ ପକାଇବା କ୍ଷମତା ରାଜ୍ୟପାଳଙ୍କ ନଥାଏ, ଯାହା କରନ୍ତି ରାଜ୍ୟ ସରକାର। ରଘୁବର ଯେତେସବୁ ଅଭିଯୋଗ ଆଣିଥିଲେ ତାହା କାହାକୁ ଦେଇଛନ୍ତି ବୋଲି ଅରୁଣ ପ୍ରଶ୍ନ କରିଛନ୍ତି ।
ବିଜେପି ସରକାର ଏହାକୁ ଲୋକଲୋଚନକୁ ଆଣନ୍ତୁ ନଚେତ କେତେ ଅଭିଯୋଗ କେତେ ସମାଧାନ କରିଛନ୍ତି ତାହା ପ୍ରକାଶ କରନ୍ତୁ ବୋଲି ଅରୁଣ କହିଛନ୍ତି । ରଘୁବର ଅଭିଯୋଗ ଶୁଣିବାକୁ ନୁହେଁ ବିଜେପିର ପ୍ରଚାର କରିବାକୁ ଯାଉଥିଲେ ବୋଲି ଅରୁଣ ଅଭିଯୋଗ କରିଛନ୍ତି ।
ଯଦି ରଘୁବର ଭଲ ରାଜ୍ୟପାଳ ଥିଲେ ତେବେ ଦଳ ତାଙ୍କୁ କାହିଁକି ତଣ୍ଟିଆ ମାରି ତଡିଲା ବୋଲି ଅରୁଣ ପ୍ରଶ୍ନ କରିଛନ୍ତି । ବିଜେପି ଏହାର ଉତ୍ତର ଦେଉ ବୋଲି ଅରୁଣ କହିଛନ୍ତି ।
ଏହା ସହିତ ଅରୁଣ ପୂର୍ବତନ ରାଜ୍ୟପାଳ ଗଣେଶୀ ଲାଲଙ୍କ ଉଦାହରଣ ଦେଇଛନ୍ତି । ଗଣେଶୀ ଲାଲଙ୍କୁ ଲୋକ ଶହେ ପ୍ରତିଶତ ମାର୍କ ଦେବେ ରଘୁବର ୧୦ ପ୍ରତିଶତ ମାର୍କ ପାଇବେ କି ନାହିଁ ବୋଲି କହିଛନ୍ତି ।