Odisha News

‘ମୋ ବସ୍’ ସ୍ପିଡ୍‌ରେ ଲାଗିବ ଲଗାମ୍, ଗାଡ଼ିର ବେଗ ରହିବ ୪୦ କିମି

ଭୁବନେଶ୍ୱର, ୬/୧୧: ମୋ ବସରେ ଲଗାମ ଲଗାଇଛନ୍ତି ସରକାର । ଡ୍ରାଇଭରମାନଙ୍କ ବେପରୁଆ ଗାଡ଼ି ଚଲାଇବା ଉପରେ କଟକଣା ଲଗାଇଛନ୍ତି ରାଜ୍ୟ ସରକାର । ଏଣିକି ୪୦ କିଲୋମିଟରରୁ ଅଧିକ ବେଗରେ ଗଡ଼ିବନି ମୋ ବସ୍ । କାରଣ ମୋ ବସରେ ଲାଗିବ ସ୍ପିଡ୍ ଗଭର୍ଣ୍ଣର । ଏ ନେଇ ସୂଚନା ଦେଇଛନ୍ତି ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ।
ରାଜ୍ୟର ବିଭିନ୍ନ ସ୍ଥାନରେ ମୋ ବସ୍ ଦୁର୍ଘଟଣା ଘଟାଇବା ନେଇ ଅଭିଯୋଗ ଆସୁଛି । ସେଥିପାଇଁ ସରକାର କଟକଣା ଲାଗୁ କରିଛନ୍ତି । ‘ମୋ ବସ୍‌’ରେ ଲାଗିବ ସ୍ପିଡ୍ ଗଭର୍ଣ୍ଣର ।
ଏହା ଦ୍ୱାରା ଆଉ ଦ୍ରୁତ ଗତିରେ ବସ ଚାଲି ପାରିବ ନାହିଁ । ଘଣ୍ଟାପ୍ରତି ୪୦ କିଲୋମିଟରରୁ ଅଧିକ ବେଗରେ ଗଲେ ବସରେ ସାଇରନ ବାଜିବ । ଏ ନେଇ ଅପରେଟରଙ୍କ ନିକଟକୁ ସୂଚନା ଯିବ । ଡ୍ରାଇଭର ବେପରୁଆ ଗାଡ଼ି ଚାଳନା କଲେ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମନ୍ତ୍ରୀ କହିଛନ୍ତି।
ସେହିପରି ମଦୁଆ ଡ୍ରାଇଭର ମଧ୍ୟ ସାବାଡ୍ ହେବେ । ଡ୍ରାଇଭର ଗାଡ଼ିକୁ ଯିବା ପୂର୍ବରୁ ମଦ୍ୟପାନ କରିଛନ୍ତି କି ନାହିଁ ତାହା ପରୀକ୍ଷା କରାଯିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି ।
ଏଠାରେ ଉଲ୍ଲେଖ ଯୋଗ୍ୟ, ଗତ ୨ ତାରିଖ ଦିନ ଭୁବନେଶ୍ୱର ଚନ୍ଦ୍ରଶେଖରପୁର ମୋ ବସ୍ ଜଣେ ଯୁବତୀଙ୍କୁ ଧକ୍କା ଦେଇଥିଲା । ଫଳରେ ସମ୍ପୃକ୍ତ ଯୁବତୀଙ୍କର ଗୋଟିଏ ହାତ କଟି ଯାଇଥିଲା ।
ଯୁବତୀ ଜଣକ ହେଲେ ସମ୍ବଲପୁରର ଝିଲ୍ଲୀ ସୋହଲା । ସେ ଚନ୍ଦ୍ରଶେଖରପୁର ହାଉସିଂବୋର୍ଡ କଲୋନିସ୍ଥିତ ଏକ ପାର୍ଲର୍‌ରେ ବିଉଟିସିଆନ୍‌ଭାବେ ତାଲିମ ନେଉଥିଲେ ।

Related Posts