Odisha News

ମୋହନ ସରକାରଙ୍କ ବଡ଼ ନିଷ୍ପତ୍ତି: ଧାନ କିଣାବେଳେ ସିଲ୍ ହେବ ପଡ଼ୋଶୀ ରାଜ୍ୟ ସୀମା

ଭୁବନେଶ୍ୱର, ୧୫/୧୦ : ଧାନ କିଣିବା ପାଇଁ ସରକାରଙ୍କ ବଡ଼ ନିଷ୍ପତ୍ତି ନେଇଛନ୍ତି । ଏଣିକି ମଣ୍ଡି ଦାୟିତ୍ୱରେ ରହିବେ ମନ୍ତ୍ରୀ । ପ୍ରତି ମଣ୍ଡିରେ ରହିବେ ଜଣେ ଲେଖାଏଁ ପ୍ରାଧିକୃତ ଅଧିକାରୀ । ଏ ନେଇ ଆଜି ସୂଚନା ଦେଇଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ।
ମଙ୍ଗଳବାର ଧାନ କିଣା ପାଇଁ ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକ ପରେ ମନ୍ତ୍ରୀ କହିଛନ୍ତି ଯେ ୩୦ ଜିଲ୍ଲାରେ ଜିଲ୍ଲାପାଳଙ୍କ ସହ ଧାନ ସଂଗ୍ରହରେ ନିୟୋଜିତ ହେବାକୁ ଥିବା ଅଧିକାରୀ ମାନେ ମଧ୍ୟ ଉପସ୍ଥିତ ଥିଲେ ।
ପଡୋଶୀ ରାଜ୍ୟର ଚାଷୀ ଓଡ଼ିଶାକୁ ଆସି କେମିତି ଧାନ ବିକ୍ରି ନ କରିବେ ସେ ନେଇ ଗୁରୁତ୍ୱ ଦେଇଛନ୍ତି ରାଜ୍ୟ ସରକାର । ସୀମା ସିଲ୍ କରାଯାଇ ଅନ୍ୟ ରାଜ୍ୟର ଚାଷୀ କେମିତି ଓଡ଼ିଶାକୁ ନ ଆସିବେ ସେଥିପାଇଁ ସରକାର ଯୋଜନା କରୁଛନ୍ତି ।
ଧାନ ମଣ୍ଡି ଆଧୁନିକୀକରଣ କରିବା ପାଇଁ ସମବାୟ, କୃଷି ଓ ଯୋଜନା ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି । ବର୍ଷାରେ ଓଦା ହୋଇ ଧାନ ନଷ୍ଟ ନହେବା ପାଇଁ ମଣ୍ଡିରେ ବ୍ୟବସ୍ଥା କରାଯିବ । ମଣ୍ଡିରେ ଚାଷୀଙ୍କୁ ଆନୁସଙ୍ଗିକ ସୁବିଧା ଯୋଗାଇ ଦିଆଯିବ । ଧାନ ଓଜନ ପାଇଁ ଆଧୁନିକ ମେସିନ ବ୍ୟବସ୍ଥା କରାଯାଇଛି ।
କଟନୀ ଛଟନୀ ରୋକିବା ପାଇଁ ରାଜ୍ୟ ସରକାରଙ୍କ ବଡ଼ ପଦକ୍ଷେପ ନେଇଛନ୍ତି । ଧାନ ମାନ ନିର୍ଦ୍ଧାରଣ ଏବଂ ଧାନରୁ ଅଗାଡି ଅଲଗା କରିବା ପାଇଁ ଆନାଲାଇଜର ମେସିନ ମଣ୍ଡିରେ ଲଗାଯାଇଛି ।
ଆଗରୁ ଦୁଇ ଥର ଧାନର କ୍ୱାଲିଟି ଟେଷ୍ଟ । ଏଥର ଥରେ ହିଁ ଧାନର ମାନ ଯାଞ୍ଚ କରାଯିବ । ଯାହା ଦ୍ୱାରା କଟନୀ ଛଟନୀ ହେବ ନାହିଁ । ଗତ ବର୍ଷ ସରକାର ୫୮ ଲକ୍ଷ କ୍ଵିଣ୍ଟାଲ୍ ଧାନ କିଣିଥିବାବେଳେ ଚଳିତ ଥର ୮୦ ଲକ୍ଷ କ୍ଵିଣ୍ଟାଲ୍ ଧାନ କିଣିବା ପାଇଁ ଟାର୍ଗେଟ ରଖାଯାଇଛି ।
ସେହିପରେ ଏଣିକି ମଣ୍ଡି ଦାୟିତ୍ୱରେ ରହିବେ ମନ୍ତ୍ରୀ । ପ୍ରତି ମନ୍ତ୍ରୀ ଦୁଇରୁ ତିନୋଟି ଜିଲ୍ଲାର ଦାୟିତ୍ୱରେ ରହିବେ । ପ୍ରତି ମଣ୍ଡିରେ ରହିବେ ଜଣେ ଲେଖାଏଁ ପ୍ରାଧିକୃତ ଅଧିକାରୀ । ଏକାଧିକ ଧାନ ମଣ୍ଡିକୁ ନେଇ ଜୋନ ତିଆରି ହେବ । ଆଉ ପ୍ରତି ଜୋନରେ ଜଣେ ଲେଖାଏଁ ସୁପରଭାଇଜର ଅଧିକାରୀ ରହିବେ ।
ଯୋଗାଣ, ସମବାୟ, ପୁଲିସ ପ୍ରଶାସନ ଓ ଜିଲ୍ଲା ପ୍ରଶାସନର ଅଧିକାରୀ ମାନେ ଏହି ଦାୟିତ୍ୱରେ ରହିବେ । ଆବଶ୍ୟକ ପଡିଲେ ପଞ୍ଚାୟତିରାଜ ବିଭାଗର ଅଧିକାରୀମାନଙ୍କୁ ମଧ୍ୟ ନିୟୋଜିତ କରାଯିବ ବୋଲି ସୂଚନା ଦେଇଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ । ମଣ୍ଡି ଗୁଡ଼ିକରେ ଟୋକନ ବିଷୟରେ ସମସ୍ତ ନିଷ୍ପତ୍ତି ଜିଲ୍ଲାପାଳ ନେଇ ପାରିବେ ।

Related Posts

Seo wordpress plugin by www.seowizard.org.