Odisha News

ମୋବାଇଲ ଗେମ୍ ନେଲା ଜୀବନ, ସାଙ୍ଗକୁ ହତ୍ୟା କଲେ ଦୁଇ ସାଙ୍ଗ

କୋରାପୁଟ,୧୫/୪ : କୋରାପୁଟ ଟାଉନ ଥାନା ଅଞ୍ଚଳରେ ଦୁଇ ସାବାଳକ ଜଘନ୍ୟ କାଣ୍ଡ ଘଟାଇଥିବାର ଖବର ମିଳିଛି। ଏଠାରେ ମୋବାଇଲ ଗେମ୍ ପାଇଁ ଜଣେ ସପ୍ତମ ଶ୍ରେଣୀ ଛାତ୍ରଙ୍କୁ ହତ୍ୟା କରାଯାଇଛି। ଦୁଇ ସାବାଳକ ଛାତ୍ରଙ୍କୁ ହତ୍ୟା କରି ଫିଙ୍ଗି ଦେଇଛନ୍ତି।
ମୋବାଇଲ ଗେମ୍ ଖେଳିବା ବେଳେ ଜଣେ ସାଙ୍ଗ ଅନ୍ୟ ୨ଜଣଙ୍କୁ ମୋବାଇଲ ଦେଇ ନଥିଲେ। ଏହାକୁ ନେଇ ଅନ୍ୟ ଦୁଇ ସାଙ୍ଗ ରାଗି ସମ୍ପୃକ୍ତ ଛାତ୍ରଙ୍କୁ ମାଡ଼ ମାରିବା ସହ ପଥରରେ ମୁଣ୍ଡକୁ ଛେଚି ହତ୍ୟା କରିଥିବା ଜଣାଯାଇଛି।
ଫ୍ରି ଫାୟାର ଖେଳକୁ ନେଇ ଜଣେ ନାବାଳକଙ୍କୁ ହତ୍ୟା କରିଛନ୍ତି ଦୁଇ ସାବାଳକ। ଏ ନେଇ ମସ୍ତିପୁଟ ଗ୍ରାମରେ ଚଞ୍ଚଲ୍ୟ ଖେଳିଯାଇଛି। ଘଟଣାସ୍ଥଳରେ କୋରାପୁଟ ଟାଉନ ପୁଲିସ ଓ ସାଇଣ୍ଟିଫିକ ଟିମ ପହଞ୍ଚି ଶବକୁ ଜବତ କରିବା ସହିତ ଅଧିକ ତଦନ୍ତ ଜାରି ରଖିଛି।
କୋରାପୁଟ ଅତିରିକ୍ତ ଏସପି ଉତ୍କଳ କେଶରୀ ଦାସଙ୍କ କହିବା ଅନୁଯାୟୀ ୩ ଜଣ ମିଶି ବିଦ୍ୟାଳୟ ନିକଟରେ ଫ୍ରିଫାୟାର ଖେଳୁଥିଲେ। ଲୁଲୁ ଭୋଇ(୧୨) ଖେଳରେ ହାରିଯାଇଥିଲେ।
ଅନ୍ୟପଟେ ସେଇ ପାଖରେ ଉପସ୍ଥିତ ଥିବା ଲୁଲୁ ମାଳି (୧୯) ଓ ତାଙ୍କ ସାଙ୍ଗ ଫ୍ରିଫାୟାର ଖେଳିବା ପାଇଁ ମୋବାଇଲ ମାଗିଥିଲେ। ମୋବାଇଲକୁ ନେଇ ୩ ଜଣଙ୍କ ମଧ୍ୟରେ ବଚସା ହୋଇଥିଲା।
ବଚସା ଉଗ୍ରରୂପ ନେବାରୁ ଲୁଲୁ ମାଳି ଓ ତାଙ୍କ ସାଙ୍ଗ ଏକ ପଥରରେ ଲୁଲୁ ଭୋଇଙ୍କୁ ଆକ୍ରମଣ କରିଥିଲେ। ଆକ୍ରମଣରେ ଲୁଲୁ ଭୋଇ ଅଚେତ ହୋଇଯାଇଥିଲେ।
କାଳେ ସେ ମରିଯାଇଥିବ ଭାବି ଘୋଷାଡ଼ି ଘୋଷାଡ଼ି ନିକଟସ୍ଥ ନଦୀରେ ଫିଙ୍ଗି ଦେଇଥିଲେ। ଆଜି ବହୁ ଖୋଜାଖୋଜି ପରେ ତାଙ୍କ ଶବ ନିକଟସ୍ଥ ନଦୀ କୂଳରେ ଭାସୁଥିବା ଦେଖି ଲୁଲୁଙ୍କ ମା’ କୋରାପୁଟ ଟାଉନ ପୁଲିସକୁ ଖବର ଦେଇଥିଲେ।
ଘଟଣାସ୍ଥଳରେ କୋରାପୁଟ ଟାଉନ ପୁଲିସ ପହଞ୍ଚି ୨ଜଣଙ୍କୁ ଅଟକ ରଖିବା ସହିତ ଅଧିକ ତଦନ୍ତ କରୁଛି ବୋଲି ଅତିରିକ୍ତ ଏସପି ସୂଚନା ଦେଇଛନ୍ତି।

Related Posts

Seo wordpress plugin by www.seowizard.org.