Odisha News

ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ବାଲିଗୁଡା ଉପଖଣ୍ଡ ଚିକିତ୍ସାଳୟରେ ଡାଏଲିସିସ ସେଣ୍ଟର ଉଦଘାଟିତ

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
ବାଲିଗୁଡ଼ା, ୨/୨: କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଚିକିତ୍ସାଳୟ ରେ ଭିଡ଼ିଓ କନଫରେନ୍ସ ଜରିଆରେ ଡାଇଲିସିସ ସେଣ୍ଟର ର ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ଏହି ଲୋକାର୍ପଣ କାର‌୍ୟ୍ୟକ୍ରମରେ ବାଲିଗୁଡା ବିଧାୟକ ଚକ୍ରମଣୀ କହଁର,ଜିଲ୍ଲା ପରିଷଦ ଅଧ୍ୟକ୍ଷା ନନ୍ଦିନୀ ମଳିକ,ବାଲିଗୁଡା ଏନ.ଏ.ସି ଅଧ୍ୟକ୍ଷ ଗୋବିନ୍ଦ ଚନ୍ଦ୍ର ପ୍ରଧାନ, ବାଲିଗୁଡା ଉପଖଣ୍ଡ ଚିକିତ୍ସାଳୟର ଅଧ୍ୟକ୍ଷ ଶ୍ରବଣ ସାହୁକାର ଙ୍କ ସମେତ ବାଲିଗୁଡା ମେଡିକାଲର ସ୍ୱାସ୍ଥ୍ୟକର୍ମୀ ଉପସ୍ଥିତ ଥିଲେ ।
କନ୍ଧମାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ କେବଳ ଏହି ଡାଇଲିସିସ ସେବା ର ସୁବିଧା ସୁଯୋଗ ରହିଥିବା ବେଳେ ବର୍ତମାନ ବାଲିଗୁଡା ଉପଖଣ୍ଡ ଚିକିତ୍ସାଳୟ ରେ ସମ୍ପୂର୍ଣ୍ଣ ମାଗଣାରେ ମଧ୍ୟ ଡାଇଲିସିସ ସେଣ୍ଟର କାର‌୍ୟ୍ୟକାରୀ ହୋଇଅଛି । ବାଲିଗୁଡା ଉପଖଣ୍ଡ ର ୯ ଗୋଟି ବ୍ଲକ ର ରୋଗୀ ମାଗଣା ରେ ଏହି ସେବା ପାଇ ପାରିବେ ।
ଏହି ସେଣ୍ଟରରେ ୪ଟି ବେଡରେ ପ୍ରତିଦିନ ୧୨ ଜଣ ଡାଏଲିସିସ ରୋଗୀଙ୍କୁ ସେବା ଯୋଗାଇ ଦିଆଯାଇପାରିବ । ଉପଖଣ୍ଡ ଚିକିତ୍ସାଳୟ ଉପରେ ନିର୍ଭର କରି ଆସୁଥିବା ସମସ୍ତ ଜନସାଧାରଣ ଏଥିରେ ଉପକୃତ ହୋଇପାରିବେ ।

ଦାରିଙ୍ଗବାଡି ବ୍ଲକରେ ବିଭିନ୍ନ ପ୍ରକଳ୍ପ ବୁଲି ଦେଖିଲେ ନବନିଯୁକ୍ତ ଉପଜିଲାପାଳ
ବାଲିଗୁଡା, ୨/୨: କନ୍ଧମାଳ ଜିଲା ବାଲିଗୁଡ଼ା ଉପଖଣ୍ଡ କାର୍ଯ୍ୟାଳୟରେ ନବନିଯୁକ୍ତି ହୋଇଥିବା ଉପଜିଲାପାଳ ଡ. ରୀନା ପ୍ରଧାନ ଶୁକ୍ରବାର ଦାରିଙ୍ଗବାଡ଼ି ଗସ୍ତ କରି ଅଚାନକ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପରିଦର୍ଶନ କରିଛନ୍ତି। ସ୍ବାସ୍ଥ୍ୟକେନ୍ଦ୍ରରେ ଗୁଣାତ୍ମକ ସ୍ବାସ୍ଥ୍ୟସେବା ସମ୍ପର୍କରେ ରୋଗୀ ଓ ତାଙ୍କ ସମ୍ପର୍କୀୟଙ୍କ ସହ ଆଲୋଚନା କରି ସ୍ବାସ୍ଥ୍ୟକେନ୍ଦ୍ରର ରୂପାନ୍ତର କାର୍ଯ୍ୟକୁ ବୁଲିଦେଖିଛନ୍ତି
।ଏଥିସହ କାର୍ଯ୍ୟ ଶୀଘ୍ର ଶେଷ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ଡ. ଆମ୍ବେଦକର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଚାଲିଥିବା ରୂପାନ୍ତର କାର୍ଯ୍ୟ ପରିଦର୍ଶନ କରିଛନ୍ତି।
ସେହିପରି ଆସନ୍ତା ସାଧାରଣ ନିର୍ବାଚନ ପାଇଁ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଥିବା ବେଳେ ଯେଉଁ ସବୁ ବିଦ୍ୟାଳୟରେ ବୁଥ୍ କରାଯିବାକୁ ଯୋଜନା କରାଯାଇଛି ସେଗୁଡ଼ିକ ମଧ୍ୟରୁ ଡବେରୀ ସେବାଶ୍ରାମ, ବୁର୍ଜୁବାଡି ବିଦ୍ୟାଳୟକୁ ଯାଇ ବୁଲି ସେଠାକାର ପରିସ୍ଥିତି ଓ ମତଦାତାଙ୍କ ସୁବିଧା ଆଦି ଦେଖିଥିଲେ।
ପରେ ଦାରିଙ୍ଗବାଡ଼ି ଅଞ୍ଚଳରେ ହୋଇଥିବା ଷ୍ଟ୍ରବେରୀ ଚାଷଜମିକୁ ବୁଲି ଦେଖିବା ସହ ଏହି ଚାଷ କରୁଥିବା ମହିଳା ସ୍ବୟଂ ସହାୟକ ଗୋଷ୍ଠୀଙ୍କ ସହ ଆଲୋଚନା କରିଥିଲେ। ଉପଜିଲାପାଳ କାର‌୍ୟ୍ୟରେ ଯୋଗଦେବା ପରେ ଏହା ଦାରିଙ୍ଗବାଡ଼ି ପ୍ରଥମ ଗସ୍ତ ବୋଲି ଜଣାପଡ଼ିଛି। ତାଙ୍କ ସହ ସ୍ଥାନୀୟ ବିଡିଓ ଗଦାଧର ପାତ୍ର, ସହକାରୀ ନିର୍ବାହୀ ଯନ୍ତ୍ରୀ ଶିଶିର ପାତ୍ର ଓ ଅନ୍ୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।
ଦାରିଙ୍ଗବାଡ଼ି ପଞ୍ଚାୟତ ସମିତିର ସପ୍ତମ ବୈଠକ: ପଞ୍ଚାୟତ ପାଇଁ ଆସୁଥିବା ବିକାଶ ସୂଚନା ନେଇ ହଟ୍ଟଗୋଳ
ବାଲିଗୁଡା, ୨/୨: କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ପଞ୍ଚାୟତ ସମିତିର ସପ୍ତମ ବୈଠକ ଶୁକ୍ରବାର ବ୍ଲକ ଅଧ୍ୟକ୍ଷ ସୁଶାନ୍ତ କୁମାର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି।
କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କନ୍ଧମାଳ ସାଂସଦ ଡ . ଅଚ୍ୟୁତ ସାମନ୍ତ ଯୋଗଦେଇଥିବା ବେଳେ ଅନ୍ୟ ଅତିଥିଙ୍କ ମଧ୍ୟରେ ଜିଲାପରିଷଦ ସଦସ୍ୟ ୧୧ ନମ୍ବର ଜୋନର ଦୀପିକା ମୁଠାମାଝି, ୧୦ ନମ୍ବର ଜୋନର ରଞ୍ଜନ ପ୍ରଧାନ, ବିଧାୟକଙ୍କ ପ୍ରତିନିଧି ଦୀପକ କୁମାର ସାହୁ, ବ୍ଲକ ଉପାଧ୍ୟକ୍ଷା ପ୍ରମୁଖ ମଞ୍ଚାସୀନ ଥିଲେ।
କାର୍ଯ୍ୟକ୍ରମକୁ ବିଡ଼ିଓ ଗଦାଧର ପାତ୍ର ସଞ୍ଚାଳନ କରିଥିଲେ। ହେଲେ ବୈଠକ ଆରମ୍ଭ ପୂର୍ବରୁ ଉତ୍ତେଜନା ପରିସ୍ଥିତି ଦେଖାଯାଇଥିଲା। ପ୍ରତି ପଞ୍ଚାୟତକୁ ୫୦ ଲକ୍ଷ ଟଙ୍କା ଅନୁଦାନ ଆସିଥିବା କୁହାଯାଉଥିବା ବେଳେ ସେ ସମ୍ପର୍କରେ କୌଣସି ସୂଚନା ଦିଆଯାଉ ନାହିଁ କି ପଞ୍ଚାୟତ ଓ ଗ୍ରାମସ୍ତରରେ କୌଣସି ବୈଠକ କରି କାର୍ଯ୍ୟଖସଡ଼ା ପ୍ରସ୍ତୁତି କରାଯାଉ ନ ଥିବାନେଇ ଜନ ପ୍ରତିନିଧିଙ୍କ ମହଲରେ ଅସନ୍ତୋଷ ଦେଖାଯାଇଥିଲା।
ବିଡ଼ିଓ ଗଦାଧର ପାତ୍ର ଉପସ୍ଥିତ ଜନପ୍ରତିନିଧିଙ୍କୁ କହିଥିଲେ, ରାଜ୍ୟସରକାରଙ୍କ ଗାଇଡ୍ଲାଇନ ଓ ଜିଲାପରିଷଦ ଓ ଜିଲାପାଳଙ୍କ ନିକଟରେ ହୋଇଥିବା ବିଭିନ୍ନ ସମସ୍ୟାର ଅଭିଯୋଗର ସମାଧାନ ପାଇଁ ପ୍ରତି ପଞ୍ଚାୟତରେ ବିକାଶ କାର୍ଯ୍ୟପାଇଁ ଉକ୍ତ ଅନୁଦାନ ରହିଛି, ଯାହାକି ଜିଲା ପ୍ରଶାସନର ତଦାରଖରେ ବିକାଶ କାର୍ଯ୍ୟ କରାଯାଉଥିବା କହିଥିଲେ। ପରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା ।
ସେହିପରି ବିଭିନ୍ନ ପଞ୍ଚାୟତ ଅଞ୍ଚଳରେ ବିଶେଷ କରି ବାଡାବାଙ୍ଗା, ଭ୍ରମରବାଡ଼ି ଆଦି ପଞ୍ଚାୟତରେ ବିଇଓଙ୍କ ପରିଦର୍ଶନ ଠିକ୍ ଭାବେ କରାଯାଉ ନ ଥିବା ଅଭିଯୋଗ ହୋଇଥିଲା।
ସେହିପରି ଶିକ୍ଷୟିତ୍ରୀ, ଶିକ୍ଷକ ମାନେ ୟୁନିଫର୍ମ ପରିଧାନ କରୁ ନ ଥିବା ଅଭିଯୋଗ ହୋଇଥିଲା। ଅନେକ ବିଦ୍ୟାଳୟରେ ପାଳି କରି ଶିକ୍ଷୟିତ୍ରୀ, ଶିକ୍ଷକମାନେ ବିଦ୍ୟାଳୟରେ ପହଞ୍ଚୁ ଥିବା ଅଭିଯୋଗ ହୋଇଥିଲା।
ବିଇଓ ରସାନନ୍ଦ କର ଉତ୍ତରରେ କହିଥିଲେ, ସେଭଳି ତାଙ୍କ ନିକଟରେ କୌଣସି ଲିଖିତ ଅଭିଯୋଗ ଆସିନାହିଁ। ଲିଖିତ ଅଭିଯୋଗ ଆସିଲେ ଦୃଢ଼ କାର‌୍ୟ୍ୟାନୁଷ୍ଠାନ ନିଆଯିବ ବୋଲି ସେ କହିଥିଲେ।
ସେହିପରି ବିଭିନ୍ନ ବିଦ୍ୟାଳୟ, ଛାତ୍ରାବାସ ରେ ଜାଳେଣି କାଠକୁ ବନ୍ଦ କରିବାକୁ ପରାମର୍ଶ ଦେଇଥିଲେ। ଏପରିକି ସରକାର ରନ୍ଧନ ଗ୍ୟାସ ପାଇଁ ଅନୁଦାନ ଦେଉଥିବା ସେ ପ୍ରକାଶ କରିଥିଲେ।
ସେହିପରି ବୁଡ଼ାଗୁଡା ସମେତ ଦାରିଙ୍ଗବାଡି, ଭ୍ରମରବାଡ଼ି, ସିର୍କାବର୍ଗ ଭଳି ପଞ୍ଚାୟତରେ ପିଇବା ପାଣିର ଉତ୍କଟ ସମସ୍ୟା ସମ୍ପର୍କରେ ଜନପ୍ରତିନିଧି ଅଭିଯୋଗ କରିଥିଲେ।

Related Posts

Seo wordpress plugin by www.seowizard.org.