Odisha News

ମାରଡୋଲ ଗ୍ରାମରେ ପ୍ରଶାସନର ସହଯୋଗରେ ପହଞ୍ଚିଲା ନାଗପୁରରେ ମୃତ ଶ୍ରମିକଙ୍କ ଶବ

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ, ୩୦/୩ : (ଶନିବାର )ସନ୍ଧ୍ୟା ୭ ଘଟିକା ସମୟରେ ନାଗପୁର ଠାରେ ମୃତ କଣ୍ଟାମାଳ ବ୍ଲକ୍ ଲମ୍ବସରୀ ପଞ୍ଚାୟତ ମାରଡୋଲ ଗ୍ରାମର ଦାଦନ ଶ୍ରମିକଙ୍କ ମୃତଦେହ ପ୍ରଶାସନର ସହଯୋଗରେ ଘରେ ପହଞ୍ଚିଛି ।
ମିଳିଥିବା ସୂଚନା ଅନୁଯାୟୀ ମାରଡୋଲ ଗ୍ରାମର ପ୍ରଶାନ୍ତ କୁମ୍ଭାର ୫ ମାସ ତଳେ ସୋନପୁର ଜିଲ୍ଲା ବାଗଦୋଲି ଗ୍ରାମର ମିଟୁ ସୁନାଙ୍କ ସହ ଦଲାଲଙ୍କ ଜରିଆରେ ନିଜର ୪ ବର୍ଷର ଝିଅକୁ ଧରି ଇଟାଭାଟିରେ କାମ କରିବାକୁ ସୁଦୂର ତେଲେଙ୍ଗାନାକୁ ରାଜ୍ୟକୁ ଯାଇଥିଲେ । ସେଠାରେ ଭାଟି ମାଲିକ ଦିନ ରାତି କାମ କରିବାକୁ କହି ନିର‌୍ୟ୍ୟାତନା ଦେଉଥିବା ଘର ଲୋକଙ୍କୁ ଫୋନରେ କହିଥିଲେ ।
ଗୁରୁବାର ଅପରାନ୍ହ ୩ ଘଣ୍ଟା ସମୟରେ ମାଲିକଙ୍କ ଠାରୁ ମରଣାଂତକ ମାଡ ଖାଈ ଘରକୁ ଫେରୁଥିବା ସମୟରେ ନାଗପୁର ଷ୍ଟେସନ ଠାରେ ପ୍ରଶାନ୍ତଙ୍କ ମୃତ୍ୟୁ ହୋଇ ଯାଇଥିଲା । ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଶ୍ରମ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ୨୬ ହଜାର ଟଂକା ଖର୍ଚ୍ଚ କରି ଏକ ଆମ୍ବୁଲାନ୍ସ ମୃତଦେହକୁ ଆଣିବା ବ୍ୟବସ୍ଥା କରା ଯାଇଥିଲା । ଆଜି ସନ୍ଧ୍ୟାରେ ମୃତଦେହ ମାରଡୋଲ ଗ୍ରାମରେ ପହଞ୍ଚିବା ପରେ ଭାରପ୍ରାପ୍ତ ଜିଲ୍ଲା ଶ୍ରମ ଅଧିକାରୀ ସୁଶ୍ରୀ କନ୍ୟା କୁମାରୀ ସାହୁ, ଭାରପ୍ରାପ୍ତ ଡିଭିଜନାଲ ଲେବର କମିଶନର ଦିଲେଶ୍ବର୍ ଖାକା, ତହସିଲଦାର କଣ୍ଟାମାଳ ପହଂଚି ଶୋକ ସଂତପ୍ତ ପରିବାରକୁ ସାଂତ୍ୱନା ଦେଇଥିଲେ ।
ଲମ୍ବସରୀ ସରପଞ୍ଚ ହରିଶ୍ଚନ୍ଦ୍ର ଯୋଜନାର ସହାୟତା ୩ ହଜାର ଟଙ୍କା ପ୍ରଦାନ କରିଥିଲେ । ସେହିପରି ରାଷ୍ଟ୍ରୀୟ ସମାନତା ଅଧିକାର ପରିଷଦର କର୍ମକର୍ତା ମାନେ ପହଂଚି ଶୋକ ପ୍ରକାଶ କରିଥିଲେ ।

Related Posts