Odisha News

ମାଟ୍ରିକ ପରୀକ୍ଷାର୍ଥୀଙ୍କୁ ଉତ୍ତର ଡାକିବା ପଡ଼ିଲା ମହଙ୍ଗା; ଶିକ୍ଷକ ନିଲମ୍ବିତ

ବରଗଡ଼/ଗାଈସିଲାଟ, ୧୫/୩: ସାଧାରଣତଃ ପରୀକ୍ଷାରେ ଛାତ୍ରଛାତ୍ରୀମାନେ ମାଲପ୍ରାକ୍ସିସ (କପି କରିବା) ସମୟରେ ଧରାପଡ଼ନ୍ତି। ବରଗଡ଼ ଜିଲ୍ଲାରେ କିନ୍ତୁ ଭିନ୍ନ ଏକ ଚିତ୍ର ସାମ୍ନାକୁ ଆସିଛି। ଏଥର ମାଲପ୍ରାକ୍ସିସରେ ପଡ଼ିଛନ୍ତି ଶିକ୍ଷକ। ଏପରିକି ତାଙ୍କ ଉପରେ କାର‌୍ୟ୍ୟାନୁଷ୍ଠାନ ହୋଇଛି। ବରଗଡ଼ ଜିଲ୍ଲା ଗାଈସିଲାଟ ବ୍ଲକ୍ ଫିରିଙ୍ଗିମାଲ ପଂଚାୟତ ହାଇସ୍କୁଲର ସହକାରୀ ଶିକ୍ଷକ ଛେଲିଆ ପୋଢ଼ଙ୍କୁ ଜିଲ୍ଲା ଶିକ୍ଷା ଅଧିକାରୀ ନିଲମ୍ବନ କରିଛନ୍ତି।
ସରକାରୀ ଚିଠି ନଂ ୨୭୧୯/ତା. ୧୨.୩.୨୦୨୪ରୁ ଜଣାଯାଇଛି ଯେ, ଗତ ଫେବ୍ରୁଆରି ୨୬ ତାରିଖ ସେଣ୍ଟର ସୁପରଭାଇଜର ଭାବେ ତହସିଲଦାର ଗାଈସିଲାଟ ସରକାରୀ ନୋଡାଲ ହାଇସ୍କୁଲକୁ ଗସ୍ତ କରିଥିଲେ। ସେ ସମୟରେ ରୁମ୍ ନଂ ୧ରେ ପରୀକ୍ଷା ଦେଉଥିବା ପରୀକ୍ଷାର୍ଥୀଙ୍କୁ ଶିକ୍ଷକ ଶ୍ରୀ ପୋଢ଼ କେନ୍ଦ୍ର ଭିତରକୁ ନିୟମ ଉଲ୍ଲଂଘନ କରି ପଶିବା ସହ କବାଟ ନିକଟରେ ଥାଇ ଧୀର ସ୍ବରରେ କେଉଁ ନଂ ‘ଏ’ ହେବ ଓ କେଉଁ ନଂ ‘ବି’ ହେବ ସେହିଭଳି ଉତ୍ତର ଡାକୁଥିଲେ। ସୁପରଭାଇଜର ଭାବେ ତହସିଲଦାର ଯାଇଥିବା ସମୟରେ ସେ ଧରାପଡ଼ିଯାଇଥିଲେ। ଯାହାକୁ ନେଇ ତହସିଲଦାର ସବିଶେଷ ରିପୋର୍ଟ ଜିଲ୍ଲାପାଳଙ୍କୁ ଦେଇଥିଲେ।
ଆଉ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ମୁତାବକ ଗତ ୧୨ ତାରିଖ ତାଙ୍କୁ କାର‌୍ୟ୍ୟରୁ ନିଲମ୍ବନ କରାଯାଇଛି। ଏଠି ପ୍ରଶ୍ନ ଉଠୁଛି, ସହକାରୀ ଶିକ୍ଷକ କିଭଳି ପରୀକ୍ଷା କେନ୍ଦ୍ର ଭିତରକୁ ଗଲେ? କିଏ ଅନୁମତି ଦେଇଥିଲା? ଏପରିକି ସେ ପ୍ରଶ୍ନପତ୍ର କେମିତି ପାଇଥିଲେ? ଏସବୁର ମଧ୍ୟ ତଦନ୍ତ କରାଯାଉ ବୋଲି ଦାବି ହେଉଛି। କାରଣ କେନ୍ଦ୍ର ଭିତରକୁ ଯଦି ସେ ଗଲେ କେନ୍ଦ୍ର ପରିଚାଳକଙ୍କ ମଧ୍ୟ ଦାୟିତ୍ୱହୀନତା ରହୁଥିବା ଚର୍ଚ୍ଚା ହେଉଛି।
ଏସବୁ ଭିତରେ ମାଲପ୍ରାକ୍ଟିସରେ ଶିକ୍ଷକ ପଡ଼ିବା ଘଟଣା ଜିଲ୍ଲା ଶିକ୍ଷକ ମହଲରେ ଆଲୋଚନାର ବିଷୟ ହୋଇଛି। ଏ ନେଇ ଜିଲ୍ଲା ଶିକ୍ଷା ଅଧିକାରୀ ଦାୟିତ୍ୱରେ ଥିବା ଏଡିଇଓଙ୍କୁ ପଚାରିବାରୁ କହିଥିଲେ, ସହକାରୀ ଶିକ୍ଷକ ବାହାରୁ ଛିଡ଼ା ହୋଇ ପ୍ରଶ୍ନଉତ୍ତର ଡାକୁଥିଲେ। ଏଣୁ ତାଙ୍କୁ ନିଲମ୍ବନ କରାଯାଇଛି। ସେ କେଉଁଠୁ ପ୍ରଶ୍ନପତ୍ର ପାଇଲେ ତାଙ୍କୁ ଜଣାଥିବ ବୋଲି ସେ କହିଥିଲେ।

Related Posts

Seo wordpress plugin by www.seowizard.org.