Odisha News

ମାଟି ତଳେ ୧୨୮ ଘଣ୍ଟା, ଜୀବନ୍ତ ଉଦ୍ଧାର ହେଲା ନବଜାତ

ଇସ୍ତାନବୁଲ,୧୨/୨: ତୁର୍କୀ ଓ ସିରିଆରେ ଫେବୃୟାରୀ ୬ରେ ହୋଇଥିବା ଭୟଙ୍କର ଭୂକମ୍ପ ଯୋଗୁଁ ଭୟଙ୍କର ବିନାଶ ଘଟିଛି। କ୍ରମାଗତ ଭାବେ ମୃତକଙ୍କ ସଂଖ୍ୟା ବୃଦ୍ଧି ପାଉଛି ।
ଏହି ସମୟରେ ନିରନ୍ତର ରିଲିଫ ଏବଂ ଉଦ୍ଧାର କାର୍ଯ୍ୟ ଚାଲିଛି। ଧ୍ବଂସସ୍ତୂପ ତଳେ ପୋତି ହୋଇଥିବା ଲୋକଙ୍କୁ ଉଦ୍ଧାର କରିବା ପାଇଁ ଉଦ୍ଧାରକାରୀଦଳମାନେ ଦିନରାତି କାର୍ଯ୍ୟ କରୁଛନ୍ତି। ବିନାଶ ଏବଂ ନିରାଶା ମଧ୍ୟରେ, ଧ୍ବଂସସ୍ତୂପ ତଳୁ ବଞ୍ଚିବାର ଚମତ୍କାର ଦୃଶ୍ୟ ମଧ୍ୟ ସାମ୍ନାକୁ ଆସୁଛି। ତୁର୍କୀ ଭୂକମ୍ପର ପ୍ରାୟ ୧୨୮ ଘଣ୍ଟା ପରେ ଆଜି ଦୁଇ ମାସର ଶିଶୁକୁ ଉଦ୍ଧାର କରାଯାଇଛି ।
ତୁର୍କୀରେ ଉଦ୍ଧାର କାର‌୍ୟ୍ୟ ସମୟରେ, ‘ରଖିଲେ ଶିବ ମାରିବ କିଏ’ ପ୍ରବାଦ ସତ୍ୟ ବୋଲି ପ୍ରମାଣିତ ହେଉଛି ଜ୍ଝ ତୁର୍କୀର ହାଟେରେ ଶନିବାର ଦିନ ଦୁଇ ମାସର ଶିଶୁକୁ ଧ୍ବଂସସ୍ତୂପ ତଳୁ ଉଦ୍ଧାର କରାଯାଇଥିଲା।
ଭୂକମ୍ପର ପ୍ରାୟ ୧୨୮ ଘଣ୍ଟା ପରେ ମଧ୍ୟ ଶିଶୁଟି ଜୀବନ୍ତ ଥିବା ଜଣାପଡିଥିଲା। ଉଲ୍ଲେଖ ଥାଉ କି ଗତକାଲି ମଧ୍ୟ ଉଦ୍ଧାରକାରୀ ଦଳ ୯୦ ଘଣ୍ଟା ପରେ ଏକ ୧୦ ଦିନର ଶିଶୁ ଓ ତା’ ମାଆକୁ ଧ୍ବଂସସ୍ତୂପ ତଳୁ ଜୀବନ୍ତ ଉଦ୍ଧାର କରିଛନ୍ତି। ତୁର୍କୀର ଦକ୍ଷିଣାଞ୍ଚଳସ୍ଥ ହାତୟ ପ୍ରଦେଶର ଏକ ଭୁଶୁଡ଼ିପଡ଼ିଥିବା କୋଠା ତଳେ ଫସି ରହିଥିବା ୧୦ ଦିନର ଶିଶୁ ୟାଗିଜ ଉଲାସକୁ ଉଦ୍ଧାର କରାଯାଇଛି।
ଇଟା ଓ ପଥରର ଗୁଣ୍ଡ ଭିତରେ ପିଲାଟି ସହ ତା’ର ମାଆ ଚାପିହୋଇ ରହିଥିବା ବେଳେ ‘ଇନସାଲ୍ଲାହ’ (ଆଲ୍ଲାହଙ୍କର ଯାହା ଇଚ୍ଛା) କହି ଉଦ୍ଧାରକାରୀ ଦଳ ସେମାନଙ୍କୁ ଉଦ୍ଧାର କରିଥିଲେ। ତୁର୍କୀ ଏବଂ ସିରିଆରେ ହୋଇଥିବା ଭୟଙ୍କର ଭୂକମ୍ପରେ ମୃତ୍ୟୁ ସଂଖ୍ୟା ୨୯ ହଜାର ଅତିକ୍ରମ କରିଛି। ଏଥିସହ ୮୫ ହଜାରରୁ ଅଧିକ ଲୋକ ଆହତ ହୋଇଛନ୍ତି।

Related Posts

Seo wordpress plugin by www.seowizard.org.