ମହିଳା ଆରଆଇଙ୍କୁ ତହସିଲଦାରଙ୍କ ଅସଦାଚରଣ ଅଭିଯୋଗ, ରୁଜୁ ହେଲା ମାମଲା

ପୁରୀ, ୨୬/୫ : ଓଡ଼ିଶା ରାଜସ୍ୱ ସେବା ଅଧିକାରୀ ତଥା ପିପିଲିର ଅତିରିକ୍ତ ତହସିଲଦାର ପ୍ରବୋଧ କୁମାର ମହାନ୍ତିଙ୍କ ବିରୁଦ୍ଧରେ ଯୌନ ନିର୍ଯ୍ୟାତନା ଅଭିଯୋଗରେ ପୁଲିସ ସୋମବାର ମାମଲା ରୁଜୁ କରିଛି । ତେଇସିପୁରର ମହିଳା ରାଜସ୍ୱ ନିରୀକ୍ଷକ(ଆରଆଇ)ଙ୍କ ଅଭିଯୋଗ ଆଧାରରେ ପିପିଲି ଥାନାରେ ବିଏନଏସ୍ ଧାରା-୭୫ ଅନୁସାରେ ମାମଲା ରୁଜୁ ହୋଇଥିବା ଜଣାପଡ଼ିଛି । ତେବେ ଏହି ଅଭିଯୋଗରେ ସତ୍ୟତା ନାହିଁ ବୋଲି ଶ୍ରୀ ମହାନ୍ତି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଗତ ଅକ୍ଟୋବର ମାସରେ ସେ ପିପିଲି ଅତିରିକ୍ତ ତହସିଲଦାର ଭାବେ ଯୋଗ ଦେଇଥିଲେ ।
ସୂଚନା ଅନୁସାରେ, ତେଇସିପୁର ମହିଳା ଆରଆଇ ଲିଖିତ ଅଭିଯୋଗ କରିଛନ୍ତି ଯେ, ଗତ ୨୪ ମଇ ତାରିଖରେ ଏକ ସରକାରୀ ବୈଠକରେ ଯୋଗ ଦେବା ପାଇଁ ସେ ପିପିଲି ତହସିଲ କାର୍ଯ୍ୟାଳୟକୁ ଯାଇଥିଲେ । ବୈଠକ ଶେଷ ହେବା ପରେ ବାହାରେ ପ୍ରବଳ ବର୍ଷା ହେଉଥିବାରୁ ସେ ତହସିଲଦାରଙ୍କ ଚାମ୍ବର ସାମ୍ନାରେ ଥିବା ଏକ ରୁମରେ ଅପେକ୍ଷା କରିଥିଲେ । ଏହି ସମୟରେ ଅତିରିକ୍ତ ତହସିଲଦାର ସେହି ରୁମକୁ ଆସି ମହିଳା ଆରଆଇଙ୍କ ସହ କିଛି କଥାବାର୍ତ୍ତା କରିଥିଲେ । ପରେ ସେ ମହିଳାଙ୍କ ନିକଟକୁ ଆସି ତାଙ୍କର ବିନା ଅନୁମତିରେ ଅନୁଚିତ ଭାବେ ତାଙ୍କର ଅଣ୍ଟା, ବେକ ଓ ପିଠିକୁ ଛୁଇଁଥିଲେ ।
ଅତିରିକ୍ତ ତହସିଲଦାରଙ୍କ ଏଭଳି କାର୍ଯ୍ୟକୁ ବିରୋଧ କରି ସେ ରୁମରୁ ବାହାରିକୁ ଚେଷ୍ଟା କରୁଥିଲାବେଳେ ତାଙ୍କ ହାତକୁ ଟାଣି ଅଟକାଇବାକୁ ମଧ୍ୟ ଚେଷ୍ଟା କରିଥିଲେ । ଯେଉଁଥିପାଇଁ ସେ ତାଙ୍କୁ ଧକ୍କା ଦେଇ ରୁମରୁ ବାହାରକୁ ପଳାଇ ଆସିଥିଲେ ବୋଲି ସମ୍ପୃକ୍ତା ମହିଳା ଆରଆଇ ତାଙ୍କ ଅଭିଯୋଗରେ ଉଲ୍ଲେଖ କରିଛନ୍ତି । ସେ ଏନେଇ ଥାନାରେ ଅଭିଯୋଗ କରିବା ସହ ଉପଯୁକ୍ତ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବାକୁ ମଧ୍ୟ ଅନୁରୋଧ କରିଛନ୍ତି ।
ଏହି ଘଟଣା ସମ୍ପର୍କରେ ସେ ତାଙ୍କର ଉପରିସ୍ତ ଅଧିକାରୀଙ୍କୁ ଅବଗତ କରାଇ ସାରିଛନ୍ତି ଓ ଆବଶ୍ୟକ ପଡ଼ିଲେ ଗଣମାଧ୍ୟମକୁ ଯିବେ ବୋଲି ମଧ୍ୟ ସୂଚନା ଦେଇଛନ୍ତି । ଅନ୍ୟପକ୍ଷରେ ଅତିରିକ୍ତ ତହସିଲଦାର ଶ୍ରୀ ମହାନ୍ତି ଏହି ଅଭିଯୋଗକୁ ଖଣ୍ଡନ କରିବା ସହ ଏଥିରେ ସତ୍ୟତା ନଥିବା କହିଛନ୍ତି । ସେ ଏଥିପାଇଁ ଯେକୌଣସି ତଦନ୍ତର ସମ୍ମୁଖୀନ ହେବାକୁ ପ୍ରସ୍ତୁତ ବୋଲି ଗଣମାଧ୍ୟମକୁ ପ୍ରତିକ୍ରିୟାରେ କହିଛନ୍ତି ।