Odisha News

‘ମଦ ନୀତିରେ କୌଣସି ଦୁର୍ନୀତି ହୋଇନି’: ନେତାଙ୍କ ଗିରଫକୁ ବିରୋଧ କରି ମାର୍ଚ୍ଚ ୫ରୁ ଘର ଘର ବୁଲି ପ୍ରଚାର କରିବ ଆପ୍

ନୂଆଦିଲ୍ଲୀ,୧/୩: ଦିଲ୍ଲୀର କ୍ଷମତାସୀନ ଆମ ଆଦମୀ ପାର୍ଟି(ଆପ୍) ଆରମ୍ଭ କରିବ ବିଶାଳ ବିକ୍ଷୋଭ ଅଭିଯାନ। ମାର୍ଚ୍ଚ ୫ରୁ ଆରମ୍ଭ ହେବାକୁ ଥିବା ଏହି ଅଭିଯାନ ସମୟରେ ଆପ୍ ବିଧାୟକ, ଏମସିଡି କାଉନସିଲର ଓ ନେତାମାନେ ଦିଲ୍ଲୀରେ ରହୁଥିବା ଲୋକଙ୍କ ଦ୍ୱାର ଦ୍ୱାର ବୁଲିବେ। ଏହି ସମୟରେ ସେମାନେ ମନୀଷ ସିସୋଦିଆ ଓ ସତ୍ୟେନ୍ଦ୍ର ଜୈନଙ୍କ ଗିରଫଦାରୀ ପଛରେ ଥିବା ଷଡ଼ଯନ୍ତ୍ର ସମ୍ପର୍କରେ ଲୋକମାନଙ୍କୁ ବୁଝାଇବେ
ଦିଲ୍ଲୀର ଆମ ଆଦମୀ ପାର୍ଟି ସରକାରର ଦୁଇ ମନ୍ତ୍ରୀ ମନୀଷ ସିସୋଡିଆ ଏବଂ ସତ୍ୟେନ୍ଦ୍ର ଜୈନଙ୍କ ଇସ୍ତଫା ପରେ ରାଜନୈତିକ ଉଷ୍ମତା ବୃଦ୍ଧି ପାଇଛି। ବୁଧବାର ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ବିଧାୟକଙ୍କ ସହ ଏକ ବୈଠକ କରିଥିଲେ। ବିଧାୟକଙ୍କ ସହ ବୈଠକ ପରେ ଅରବିନ୍ଦ କେଜ୍ରିୱାଲ ତାଙ୍କ ବାସଭବନରୁ ବିଧାନସଭାକୁ ଯାଇଥିଲେ। ସେ ସେଠାରେ ସମସ୍ତ କାଉନସିଲରଙ୍କ ସହ ଏକ ବୈଠକ କରିଥିଲେ।
ବୈଠକ ପରେ କେଜ୍ରିୱାଲ କହିଛନ୍ତି, ଅବକାରୀ ନୀତିରେ କୌଣସି ଦୁର୍ନୀତି ହୋଇନାହିଁ। ଆମେ କରୁଥିବା କାମ ପ୍ରଧାନମନ୍ତ୍ରୀ କରିପାରିବ ନାହିଁ। ଆମକୁ କାମ କରିବାରୁ ଅଟକା ଯାଉଛି। କିନ୍ତୁ ଦିଲ୍ଲୀରେ କାମ ବନ୍ଦ ହେବ ନାହିଁ। ଆମେ ଉଭୟ ମନ୍ତ୍ରୀଙ୍କୁ ପରିବର୍ତ୍ତନ କରିଛୁ। ସୌରଭ ଏବଂ ଆତିଶି ଶିକ୍ଷିତ ଲୋକ। ଡବଲ ସ୍ପିଡରେ ଭଲ କାମ କରିବେ। ପୂର୍ବରୁ ୮୦ ବେଗରେ କାମ ହେଉଥିଲା, ଏବେ ୧୫୦ ବେଗରେ କାମ ହେବ। ଯଦି ମନୀଷ ସିସୋଡିଆ ଶିକ୍ଷା କ୍ଷେତ୍ରରେ ଭଲ କାମ କରି ନ ଥାନ୍ତେ, ତେବେ ମୋଦିଜି ସିସୋଡିଆଜିଙ୍କୁ ଗିରଫ କରିଥାନ୍ତେ କି? ସତ୍ୟେନ୍ଦ୍ର ଜୈନଙ୍କ ସହ ମଧ୍ୟ ସମାନ ଘଟଣା ଘଟିଛି। ଯଦି ମନୀଷ ଏବଂ ସତ୍ୟେନ୍ଦ୍ର ଭାଜପାରେ ଯୋଗ ଦିଅନ୍ତି, ତେବେ ସବୁକିଛି ଠିକ୍ ହୋଇଯିବ। ପଞ୍ଜାବ ଜିତିବା ପରଠାରୁ ଏହି ଲୋକମାନେ ସହି ପାରୁନାହାନ୍ତି। ତେଣୁ ଆମକୁ ଅଟକାଇବାକୁ ଚେଷ୍ଟା କରୁଛନ୍ତି।
ସୂଚନାଯୋଗ୍ୟ, ଦୁର୍ନୀତି ଅଭିଯୋଗରେ ଜେଲ୍ ଯାଇଥିବା ମନୀଷ ସିସୋଡିଆ ଏବଂ ସତ୍ୟେନ୍ଦ୍ର ଜୈନ ମଙ୍ଗଳବାର ନିଜ ନିଜ ପଦରୁ ଇସ୍ତଫା ଦେଇଛନ୍ତି। ଦୁଇ ମନ୍ତ୍ରୀଙ୍କ ଇସ୍ତଫା ପରେ କେଜ୍ରିୱାଲ ବିଧାୟକ ଆତିଶୀ ଏବଂ ସୌରଭ ଭରଦ୍ୱାଜଙ୍କୁ ନୂଆ ମନ୍ତ୍ରୀ ପାଇଁ ଉପରାଜ୍ୟପାଳଙ୍କୁ ସୁପାରିଶ କରିଛନ୍ତି।

Related Posts

Seo wordpress plugin by www.seowizard.org.