Odisha News

ଭରତପୁର ସୁରେଖା ପଲେଇ ହତ୍ୟା ମାମଲା : ପୁରୁଷ ବନ୍ଧୁ ବିଶ୍ବଜିତ ଜେନା ଗିରଫ

ଭୁବନେଶ୍ବର, ୧୩/୧ : ଭରତପୁର ଥାନା ତାରିଣୀ ବସ୍ତିରେ ଘଟିଥିବା ସୁରେଖା ପଲେଇ ହତ୍ୟା ମାମଲାରେ ଯୁବତୀଙ୍କ ବୟଫ୍ରେଣ୍ଡ ଓ ତାଙ୍କର ଦୁଇ ସହଯୋଗୀଙ୍କୁ ଗିରଫ କରାଯାଇଛି। ଏହି ୩ ଜଣଙ୍କୁ ନୟାଗଡ଼ରୁ ଭରତପୁର ଥାନା ପୁଲିସ ଗିରଫ କରିଥିବା ଜଣାଯାଇଛି।
ସୂଚନାଯୋଗ୍ୟ, ଶ୍ବାସରୁଦ୍ଧ ହେବାରୁ ସୁରେଖାଙ୍କ ମୃତ୍ୟୁ ଘଟିଥିବା ବ୍ୟବଚ୍ଛେଦ ରିପୋର୍ଟରୁ ଆପାତତଃ ସ୍ପଷ୍ଟ ହୋଇଛି। ମାତ୍ର ଶ୍ବାସରୁଦ୍ଧର କାରଣ ବାବଦରେ କିଛି ସ୍ପଷ୍ଟ ହୋଇନାହିଁ। ତେଣୁ ବୁଧବାର ଶବ ବ୍ୟବଚ୍ଛେଦ କରିଥିବା ଭୁବନେଶ୍ବର ଏମ୍ସର ଏଫ୍ଏମ୍ଟି ବିଭାଗର ଏକ ଟିମ୍ ସୁରେଖାଙ୍କ ଭଡ଼ା ଘରକୁ ଆସି ତଦନ୍ତ କରି ଫେରିଛି। ଏହି ଟିମ୍ ସହିତ ପୁଲିସର ଫରେନ୍ସିକ୍ ଟିମ୍ ମଧ୍ୟ ସେଠାରେ ଉପସ୍ଥିତ ରହି ପୁଣି ଛାନ୍ଭିନ୍ କରିଛି।
ସୁରେଖାଙ୍କୁ ହତ୍ୟା କରାଯାଇଛି ବୋଲି ତାଙ୍କ ମା’ ଅଭିଯୋଗ କରିଛନ୍ତି। ସେହିଭଳି ସକାଳୁ ମୃତଦେହ ଜବତ ହେବା, ଭୋଜି କରୁଥିବା ପୁରୁଷବନ୍ଧୁ ଛୋଟୁ ଓ ତା’ ସାଙ୍ଗମାନେ ରାତାରାତି ଅନ୍ତର୍ଦ୍ଧାନ ହୋଇଯିବା ଘଟଣାଗୁଡ଼ିକ ସନ୍ଦେହ ବଢ଼ାଇଥିଲା। ପାରିପାର୍ଶ୍ବିକ ପରିସ୍ଥିତି ସବୁ ସିଧାସଳଖ ଛୋଟୁ ଆଡ଼କୁ ଅଙ୍ଗୁଳି ନିର୍ଦ୍ଦେଶ କରିଥିଲା।
ମାତ୍ର ଅଢ଼େଇ ଦିନ ବିତିବା ପରେ ବି ପୁଲିସ ଏହା ହତ୍ୟା କି ଆତ୍ମହତ୍ୟା ସ୍ପଷ୍ଟ କରୁନାହିଁ। ପୁଲିସର ଏହି ଅପରିପକ୍ବତା ଓ ଅପାରଗତା ତଦନ୍ତକୁ ନେଇ ମାଳମାଳ ପ୍ରଶ୍ନ ଉଠିଥିଲା। ବିଳମ୍ବିତ ରାତି ପର୍ଯ୍ୟନ୍ତ ଭୋଜି ଚାଲିଥିବାରୁ ଓ ଛୋଟୁ ତା ସହଯୋଗୀମାନଙ୍କ ସହ ଭଡ଼ାଘର ଛାଡ଼ି ପଳାଇଥିବାରୁ ସେମାନଙ୍କୁ ସନ୍ଦେହ କରାଯାଉଥିଲା।
ଅନ୍ୟପକ୍ଷରେ କାଳେ ସୁରେଖା କୌଣସି କଥାକୁ ଜିଦ୍ କରି ନିଜ ବେକରେ ନିଜେ ଓଢ଼ଣି ବାନ୍ଧିବାରୁ ଶ୍ବାସରୁଦ୍ଧ ହୋଇଛି, ତା’କୁ ନେଇ ସନ୍ଦେହ ରହିଛି। ତେବେ ଗୋଟିଏ କଥା ସ୍ପଷ୍ଟ ଯେ ସୁରେଖାଙ୍କ ମୃତ୍ୟୁ ବାବଦରେ ଛୋଟୁ ସମେତ ୩ ପୁରୁଷବନ୍ଧୁ ଅବଗତ ଥିଲେ। ଏମିତିକି ସେମାନେ ସୁରେଖାଙ୍କ ମୃତଦେହକୁ ତାଙ୍କୁ ଘରେ ଛାଡ଼ି ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ।
ସୂତ୍ର ମୁତାବକ ମଙ୍ଗଳବାର ସମସ୍ତ ୩ ଅଭିଯୁକ୍ତଙ୍କୁ ପୁଲିସ ଉଠାଇଛି। ସେମାନଙ୍କୁ ଘନଘନ ଜେରା କରାଯାଇଛି। ହୁଏତ ସେମାନଙ୍କ କଥାରେ ତାଳମେଳ ନଥିବାରୁ ବା ସନ୍ଦେହ ହେବାରୁ ଆଜି ପୁଣି ପୁଲିସ ଡାକ୍ତରୀ ଦଳକୁ ନେଇ ସୁରେଖାଙ୍କ ଭଡ଼ା ଘରେ ଛାନଭିନ୍ କରିଛି। ପୁଲିସ ତଦନ୍ତ ଭିନ୍ନ ଦିଗକୁ ମଧ୍ୟ ସୂଚାଉଛି ବୋଲି ଅନୁମାନ କରାଯାଉଥିଲା।

Related Posts

Seo wordpress plugin by www.seowizard.org.