ବ୍ରାହ୍ମଣୀରେ ବୁଡ଼ିଗଲେ ଏନ୍ଆଇଟିର ଦୁଇ ଛାତ୍ର

ରାଉରକେଲା,୮/୬: ବ୍ରାହ୍ମଣୀ ନଦୀରେ ପୁଣି ଅଘଟଣ ଘଟିଛି। ଗାଧୋଇବାକୁ ଯାଇଥିବା ଛାତ୍ରଛାତ୍ରୀମାନଙ୍କ ମଧ୍ୟରୁ ଦୁଇ ଜଣ ବୁଡ଼ି ଯାଇଛନ୍ତି। ମୃତ ଛାତ୍ର ଦ୍ବୟ ହେଲେ ରଜତ ସାହୁ (୨୧) ଓ ସମୀରନ ସୁକୁମାର ନାୟକ (୨୩)।
ସୂଚନା ଅନୁସାରେ ରାଉରକେଲା ଏନ୍ଆଇଟିକୁ ଇଣ୍ଟରନସିପ୍ ପାଇଁ ଆସିଥିବା ସମ୍ବଲପୁର ବିଶ୍ବବିଦ୍ୟାଳୟ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି ବିଭାଗର ଦ୍ବିତୀୟ ବର୍ଷର ଛାତ୍ର ରଜତ ସାହୁ, ସମୀରନ୍ ସୁକୁମାର ସାହୁ, ଭିସୁଟ୍ର ଛାତ୍ରୀ ଅଭିଲିପ୍ସା ପ୍ରଧାନ, ବୈଷ୍ଣୁଦେବୀ, ସମ୍ବଲପୁର ବିଶ୍ବବିଦ୍ୟାଳୟର ସମ୍ବିଧାନ ସାହୁ ଓ ସୋଆ ବିଶ୍ବବିଦ୍ୟାଳୟର ଛାତ୍ର ତପନ କୁମାର ପାତ୍ର ଆଜି ବେଦବ୍ୟାସ ମନ୍ଦିରକୁ ବୁଲିବାକୁ ଯାଇଥିଲେ।
ସେମାନେ ମନ୍ଦିର ବୁଲାବୁଲି ସାରି ନିକଟରେ ପ୍ରବାହିତ ହେଉଥିବା ବ୍ରାହ୍ମଣୀ ନଦୀକୁ ଗାଧୋଇବାକୁ ଯାଇଥିଲେ। ତେବେ ଜଳର ସ୍ରୋତ ପ୍ରଖର ଥିବାରୁ ସମସ୍ତ ଛାତ୍ରଛାତ୍ରୀ ଜଣ ଭାସି ଯାଇଥିଲେ। ବହୁ କଷ୍ଟରେ ୪ ଛାତ୍ରଛାତ୍ରୀଙ୍କୁ ଉଦ୍ଧାର କରାଯାଇଥିଲା। କିନ୍ତୁ ରଜତ ଓ ସମୀରଙ୍କୁ ମୃତ ଭାବରେ ଉଦ୍ଧାର କରାଯାଇଥିଲା। ତେବେ ଉଦ୍ଧାର ଛାତ୍ର ଓ ଛାତ୍ରୀଙ୍କୁ ରାଉରକେଲା ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ସୂଚନାଯୋଗ୍ୟ, ବ୍ରାହ୍ମଣୀ ନଦୀରେ ଆଜି ଭଳି ପୂର୍ବରୁ ମଧ୍ୟ ଅଘଟଣ ଘଟିଛି। ଏଠାକାର ଜଳସ୍ରୋତ ସଂପର୍କରେ ଜ୍ଞାନ ନଥାଇ ଛାତ୍ରଛାତ୍ରୀ ପାଣି ଭିତରେ ପ୍ରବେଶ କରୁଥିବାରୁ ଅଘଟଣର ଶିକାର ହେଉଛନ୍ତି।