Odisha News

ବୌଦ୍ଧ: ୧୦ କିଲୋ ଗଂଜେଇ ଜବତ ଜଣେ ଗିରଫ

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ,୧୭/୩: ବୌଦ୍ଧ ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ବୌଦ୍ଧ ସହରର ବୁଟୁପାଲି ନିକଟରୁ ୧୦ କିଲୋ ଗଂଜେଇ ଜବତ କରାଯିବା ସହିତ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଜଣାଯାଇଛି । ସୂଚନା ମୁତାବକ ଜଗତସିଂହପୁର ଜିଲ୍ଲା ବାଲିକୁଦା ଥାନା ଅନ୍ତର୍ଗତ କଲଡା ଗ୍ରାମର ସତ୍ୟବ୍ରତ ମଲ୍ଲିକ ଏକ ବସ୍ତାରେ ୧୦ କିଲୋ ଗଂଜେଇ ଧରି ବୁଟୁପାଲି ଛକଠାରେ ବସକୁ ଅପେକ୍ଷା କରିଥିବାବେଳେ ବିଶ୍ୱସ୍ତ ସୁତ୍ରରୁ ସୂଚନା ପାଇ ଅବକାରୀ କର୍ମଚାରୀମାନେ ସେଠାରେ ପହଞ୍ଚି ଥିଲେ ।
ସତ୍ୟବ୍ରତକୁ ଯାଞ୍ଚ କରାଯିବା ପରେ ତାଙ୍କ ନିକଟରୁ ୧୦ କିଲୋ ଗଂଜେଇ ଜବତ କରାଯାଇଥିଲା । ଏକ ମାମଲା ରୁଜୁ କରି ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଥିବା ନେଇ ଅବକାରୀ ଇନସପେକ୍ଟର ସାଗରୀକା ପ୍ରଧାନ ସୂଚନା ପ୍ରଦାନ କରିଛନ୍ତି ।
ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ
ବୌଦ୍ଧ,୧୭/୩: ବୌଦ୍ଧ ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ବୁଧବାର ଦିନ ପଦ୍ମନପୁର ଗ୍ରାମପଞ୍ଚାୟତର ଦାମଦୋରପୁର ଗ୍ରାମରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ଏହି ସଚେତନତା କାର୍ଯ୍ୟକ୍ରମରେ (ଏସଟି ଏସଇ ପ୍ରିଭେନସନ ଆକ୍ଟ ) ରେ ଥିବା ଆଇନରେ ଥିବା ସୁରକ୍ଷା ଦିଗ ଓ ସେମାନଙ୍କ ଉନ୍ନତି ଏବଂ ବିକାଶ ପାଇଁ ସରକାରଙ୍କ ଦ୍ୱାରା ବିଭିନ୍ନ ଯୋଜନା ଉପରେ ସଚେତନତା କରାଯାଇଥିଲା ।
ଏହି କାର୍ଯ୍ୟକ୍ରମଟି ଜିଲ୍ଲା ଆଇନସେବା ପ୍ରାଧିକରଣର ସଚିବ ସାସ୍ୱତି ମିଶ୍ରଙ୍କ ତତ୍ୱାବଧାନରେ ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟକ୍ରମରେ ପଦ୍ମନପୁର ଗ୍ରାମ ପଞ୍ଚାୟତର ସରପଞ୍ଚ ସୌଦାମିନି ବାରିକ , ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ମିନା ପ୍ରଧାନ ଉପସ୍ଥିତ ଥିଲେ । ପଦ୍ମନପୁର ଗ୍ରାମ ପଞ୍ଚାୟତର ବିଭିନ୍ନ ଗ୍ରାମରୁ ବହୁ ସଂଖ୍ୟରେ ଗ୍ରାମବାସୀ ମାନେ ଯୋଗ ଦେଇଥିଲେ ।
ବିଶ୍ୱ ଖାଉଟି ଅଧିକାର ଦିବସ ପାଳିତ, ଖାଉଟି ସଚେତନ ହେଲେ ଦିବସ ପାଳନର ମହତ୍ୱ ରହିବ
ବୌଦ୍ଧ,୧୭/୩: ବୌଦ୍ଧ ଜିଲ୍ଲାପାଳଙ୍କ ସଦଭାବନା ସଭାଗୃହଠାରେ ବିଶ୍ୱ ଖାଉଟି ଅଧିକାର ଦିବସ ବୁଧବାର ଦିନ ପାଳିତ ହୋଇଛି । ଏହି ଅବସରରେ ଆୟୋଜିତ ସଭାରେ ମୁଖ୍ୟଅତିଥି ଭାବରେ ଜିଲ୍ଲାପାଳ ସତ୍ୟରଂଜନ ସାହୁ ଯୋଗଦେଇ ଖାଉଟି ଅଧିକାର ଓ ସବୁଜ ଶକ୍ତି ବିପ୍ଳବ ମଧ୍ୟରେ ପ୍ରକୃତ ସଂପର୍କ ସ୍ଥାପନ ଉପରେ ଗୁରୁତ୍ୱାରୋପ କରିଥିଲେ । ଖାଉଟିମାନେ ସଚେତନ ହେଲେ ଏହି ଦିବସ ପାଳନର ମହତ୍ୱ ଅନୁଭବ କରାଯାଇପାରିବ ବୋଲି ଜିଲ୍ଲାପାଳ ଶ୍ରୀ ସାହୁ ପ୍ରକାଶ କରିଥିଲେ ।
ଅନ୍ୟତମ ଅତିଥି ଭାବରେ ଅତିରିକ୍ତ ଜିଲ୍ଲାପାଳ ବବିତାରାଣୀ ଦଳବେହେରା ଯୋଗଦେଇ ଖାଉଟିମାନେ ସଚେତନ ରହିବା ସହିତ ସେମାନଙ୍କ ଅଧିକାର ହାସଲ ସଂପର୍କରେ ଆଲୋଚନା କରିଥିଲେ । ଜିଲ୍ଲା ଖାଉଟି ବିବାଦ ସମାଧାନ ମଞ୍ଚର ସଦସ୍ୟ ପ୍ରଦୀପ କୁମାର ନାୟକ ପରିବେଶ ସଂପର୍କିତ ବିବାଦ ଓ ତାହାର ସମାଧାନ ସଂପର୍କରେ ଆଲୋକପାତ କରିଥିଲେ ।
ବରିଷ୍ଠ ଆଇନଜିବୀ ତାରେଣି ମହାପାତ୍ର ଖାଉଟି ମାନଙ୍କ ଅଧିକାର ପାଇଁ ରହିଥିବା ବିଭିନ୍ନ ଆଇନ ସଂପର୍କରେ ଆଲୋଚନା କରିଥିଲେ । ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟର ଉଦ୍ଭିଦ ବିଜ୍ଞାନ ଅଧ୍ୟାପକ ପ୍ରବୀର ଦାସ ସବୁଜ ଶକ୍ତି ଓ ଉପଭୋକ୍ତା ଆଇନ ସଂପର୍କରେ ସବିଶେଷ ଆଲୋଚନା କରିଥିଲେ, ତତସହିତ ଉପଭୋକ୍ତାମାନଙ୍କ ମଧ୍ୟରେ ସଚେତନତା ଫଳରେ ଏହି ଦିବସ ପାଳନର ତାତ୍ପର୍ଯ୍ୟ ରହିପାରିବ ବୋଲି ପ୍ରକାଶ କରିଥିଲେ ।
ଏନଏସିର ନିର୍ବାହୀ ଅଧିକାରୀ ଇଂ. ମନୋରଂଜନ ପଣ୍ଡା ଖାଉଟି ଦବିସର ତାତ୍ପର୍ଯ୍ୟ ସଂପର୍କରେ ବକ୍ତବ୍ୟ ରଖିଥିଲେ । ବୈଠକରେ ଖାଦ୍ୟ ସୁରକ୍ଷା ଅଧିକାରୀ ଧରଣୀଧର ନାଏକ , ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ରିତାକାନ୍ତି ବଳିୟାରସିଂହ, ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ,ସମନ୍ୱିତ ଶିଶୁ ବିକାଶ ଅଧିକାରୀଙ୍କ ସମେତ ଜିଲ୍ଲାସ୍ତରୀୟ ଅଧିକାରୀ ଉପସ୍ଥିତ ଥିଲେ ।
ଫ୍ଲୋରାଇଡ୍ ମୁକ୍ତ ବିଶୁଦ୍ଧ ପାନୀୟ ଜଳ ପ୍ରକଳ୍ପ ପାଇଁ ଭୂମି ପୂଜନ
ବୌଦ୍ଧ,୧୭/୩: ଶ୍ରୀ ସତ୍ୟସାଇ ସେବା ସଂଗଠନ ବୌଦ୍ଧ ତରଫରୁ ଲୋକ ମାନଙ୍କୁ ଫ୍ଲୋରାଇଡ୍ ମୁକ୍ତ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବା ଲକ୍ଷ୍ୟ ନେଇ ଜିଲ୍ଲା ରେ ଥିବା ବିଭିନ୍ନ ଫ୍ଲୋରାଇଡ ଆଧିକ୍ୟ ଅଞ୍ଚଳ ମଧ୍ୟରୁ ସଂପୋଚ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବରଝୁଲି ଗ୍ରାମ ରେ ଏକ ଫ୍ଲୋରାଇଡ ମୁକ୍ତ ବିଶୁଦ୍ଧ ପାନୀୟ ଜଳ ପ୍ରକଳ୍ପ ସ୍ଥାପନ ପାଇଁ ନିଷ୍ପତ୍ତି ନିଆ ଯାଇଛି ।
ଏଥିପାଇଁ ବରଝୁଲି ଗ୍ରାମ ରେ ଏହି ପ୍ରକଳ୍ପ ର ଭୂମି ପୂଜନ ଅନୁଷ୍ଠିତ ହୋଇ ଯାଇଛି ।ଏକ ଆଧ୍ୟାତ୍ମିକ ପରିବେଶ ମଧ୍ୟ ରେ ସଂଗଠନ ର ଜିଲ୍ଲା ସଭାପତି ଡ଼ା ପ୍ରିୟବ୍ରତ ବେହେରା ଭୂମି ପୂଜନ କରି ନିର୍ମାଣ କାର‌୍ୟ୍ୟ ର ଶୁଭାରମ୍ଭ କରିଥିଲେ ।
ଆଗାମୀ ଗ୍ରୀଷ୍ମ ପ୍ରବାହ କୁ ଆଖି ଆଗରେ ରଖି ଯଥାଶୀଘ୍ର ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ କରି ଗ୍ରାମବାସୀ ଙ୍କୁ ଫ୍ଲୋରାଇଡ ମୁକ୍ତ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବାକୁ ଲକ୍ଷ୍ୟ ରଖାଯାଇଛି ବୋଲି ଜିଲ୍ଲା ସଭାପତି ଡ଼ା ବେହେରା ପ୍ରକାଶ କରିଛନ୍ତି ।
ଏହି ପ୍ରକଳ୍ପ କାର୍ଯ୍ୟକ୍ଷମ ହେଲେ ବରଝୁଲି ସମେତ ଘୋରଡ଼ା, ସାନ ସୁବଳୟା ଆଦି ଗ୍ରାମ ର ଲୋକ ଉପକୃତ ହେବେ,ଏହି କାର‌୍ୟ୍ୟକ୍ରମ ରେ ସତ୍ୟସାଇ ସେବା ସଂଗଠନ ର ବହୁ ସ୍ବେଛାସେବୀ ଙ୍କ ସମେତ ବରଝୁଲି ଗ୍ରାମର ଜନ ସାଧାରଣ ସହଯୋଗ କରିଥିଲେ ।
ବୌଦ୍ଧ ଜିଲ୍ଲା ପ୍ରଶାସନ ପକ୍ଷରୁ ଅଂଶୁଘାତ ମୁକାବିଲା ପ୍ରସ୍ତୁତି ବୈଠକ

ବୌଦ୍ଧ,୧୭/୩: ବୌଦ୍ଧଜିଲ୍ଲା ସ୍ତରୀୟ ଅଂଶୁଘାତ ମୁକାବିଲା ସଂପର୍କିତ ପ୍ରସ୍ତୁତି ବୈଠକ ଜିଲ୍ଲାପାଳ ସତ୍ୟ ରଂଜନ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ।
ବୈଠକରେ ଆଗାମୀ ଗ୍ରୀଷ୍ମଋତୁରେ ପିଇବା ପାଣି ଓ ଅଂଶୁଘାତର ସଫଳ ମୁକାବିଲା ନିମନ୍ତେ ଆଲୋଚନା ହୋଇଥିଲା । ପ୍ରତ୍ୟେକ ଅଙ୍ଗନୱାଡି କେନ୍ଦ୍ର ଓ ବିଦ୍ୟାଳୟରେ ପର୍ଯ୍ୟାପ୍ତ ପରିମାଣର ଓଆରଏସ ପ୍ୟାକେଟ ମହଜୁଦ ରଖିବା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଏବଂ ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ ।
ଜିଲ୍ଲା ଶ୍ରମ ବିଭାଗ ତରଫରୁ ଶ୍ରମିକମାନେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ସମୟରେ ଅଂଶୁଘାତ ଆଶଙ୍କା ରହିଥିବାରୁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଅନୁଯାଇ ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ଶ୍ରମିକମାନଙ୍କୁ କାର‌୍ୟ୍ୟରେ ନିୟୋଜିତ ନ କରିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ ।
ଜିଲ୍ଲାରେ ଅଚଳ ଥିବା ନଳକୂପ ଗୁଡିକୁ ଯୁଦ୍ଧକାଳୀନ ଭିତିରେ ମରାମତି କରିବା ପାଇଁ ଆବଶ୍ୟକସ୍ଥଳେ ଭ୍ରମ୍ୟମାଣ ଟ୍ୟାଙ୍କର ଦ୍ୱାରା ପିଇବା ପାଣିର ସୁବ୍ୟବସ୍ଥା କରିବା ପାଇଁ ସଂପୃକ୍ତି ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା ।
ଆବଶ୍ୟକ ସ୍ଥଳେ ଜିଲ୍ଲାର ଗ୍ରାମ୍ୟ ହାଟ ଓ ଜନଗହଳି ସ୍ଥାନ ଗୁଡିକରେ ଜଳଛତ୍ର ବ୍ୟବସ୍ଥା କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ପ୍ରତ୍ୟେକ ବ୍ଲକରେ ଗୋଟିଏ ଲେଖାଏଁ ଆଦର୍ଶ ଜଳଛତ୍ର ସହିତ ବିଭିନ୍ନ ସ୍ଥାନରେ ସମୁଦାୟ ୧୦ ଗୋଟି ଜଳଛତ୍ର ଏବଂ ଏନଏସି ର ବସଷ୍ଟାଣ୍ଡ ଓ ବିଜୁ ପଟ୍ଟନାୟକ ଛକରେ ମୁକ୍ତା ଯୋଜନାରେ ଦୁଇଟି ଜଳଛତ୍ର ଖୋଲାଯିବାକୁ ନିଷ୍ପତି ଗ୍ରହଣ କରାଯାଇଥିଲା ।
ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଓ ବ୍ଳକ କାର୍ଯ୍ୟାଳୟ ଗୁଡିକରେ ନିୟନ୍ତ୍ରଣ କକ୍ଷ ଖୋଲାଯାଇ ସେଠାରେ ଅଭିଯୋଗ ପୁସ୍ତିକା ରଖାଯିବାକୁ ନିଷ୍ପତି ଗ୍ରହଣ କରାଯାଇଥିଲା । ଜିଲ୍ଲା ନିୟନ୍ତ୍ରଣ କକ୍ଷରେ ସ୍ୱାସ୍ଥ୍ୟ ବିଭାଗ,ପାନୀୟଜଳ ଯୋଗାଣ ବିଭାଗ,ଜନସ୍ୱାସ୍ଥ୍ୟ ବିଭାଗ,ଟାଟା ପାୱାର ର ଜଣେ ଲେଖାଏଁ କର୍ମଚାରୀ ନିୟନ୍ତ୍ରଣ କକ୍ଷ ଦାୟିତ୍ୱରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଥିଲା ।
ମନରେଗା ଯୋଜନା ରେ କାର୍ଯ୍ୟସ୍ଥଳ ଗୁଡିକରେ ଶ୍ରମିକମାନଙ୍କ ପାଇଁ ପର୍ଯ୍ୟାପ୍ତ ମାତ୍ରାରେ ପାନୀୟଜଳ ରଖାଯିବାକୁ ନିର୍ଦ୍ଦେଶ ଦିଆଯାଇଥିଲା, ଜିଲା ପ୍ରାଣୀ ଚିକିତ୍ସା ଅଧିକାରୀଙ୍କୁ ପଶୁମାନଙ୍କ ପାଇଁ ପାନୀୟଜଳ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦିଆଯିବା ସହିତ ବୌଦ୍ଧ ସହରର ୧୭ ଗୋଟି ୱାର୍ଡରେ ପଶୁ ମାନଙ୍କ ପାଇଁ ପାନୀୟଜଳ ବ୍ୟବସ୍ଥା କରାଯିବାକୁ ନିର୍ଦ୍ଦେଶ ଦିଆଯାଇଥିଲା ।
ସମସ୍ତ ଚିକିତ୍ସାଳୟରେ ସ୍ୱତନ୍ତ୍ର ଅଂଶୁଘାତ କକ୍ଷ ରଖାଯିବା ସହିତ ଅଙ୍ଗନବାଡି କେନ୍ଦ୍ର, ଚିକିତ୍ସାଳୟ ଗୁଡିକରେ ପର୍ଯ୍ୟାପ୍ତ ପରିମାଣରେ ଓଆରଏସ ମହଜୁଦ ରଖାଯିବାକୁ ନିର୍ଦ୍ଦେଶ ଦିଆଯାଇଥିଲା ।
ଗ୍ରୀଷ୍ମରେ ଅଗ୍ନିଶମ ବିଭାଗ ସତର୍କ ଓ ସବୁ ସମୟରେ ସଜାଗ ରହିବାକୁ ନିର୍ଦ୍ଦେଶ ଦିଆଯିବା ସହିତ ବିଦ୍ୟୁତ କାଟ୍ ନକରିବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା । ଅଂଶୁଘାତରୁ ରକ୍ଷା ପାଇବା ପାଇଁ ଲୋକଙ୍କୁ ସଚେତନ କରିବାକୁ ପ୍ରଚାରପତ୍ର ବଣ୍ଟନ କରାଯିବ. ଜିଲାପାଳଙ୍କ କାର୍ଯ୍ୟାଳୟ ସମେତ ପ୍ରତ୍ୟେକ ବ୍ଲକ ଓ ଏନଏସି ଏବଂ ବୁଣାକାର ହାଟରେ ବଡବଡ ଫ୍ଲେକ୍ସ ଲଗାଯିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ଜିଲାରେ ବିଭିନ୍ନ ସ୍ଥାନରେ ବସୁଥିôବା ୩୫ ଗୋଟି ହାଟରେ ଜଳଛତ୍ର ଖୋଲାଯିବା ନେଇ ନିଶ୍ଚିତ କରିବାକୁ ଜିଲା ପଞ୍ଚାୟତ ଅଧିକାରୀଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଥିଲା । ବିଭିନ୍ନ ବିଭାଗର ନିର୍ମାଣ କାର୍ଯ୍ୟରେ ଗ୍ରୀଷ୍ମରେ ଶ୍ରମିକମାନଙ୍କୁ ନିୟୋଜିତ ନକରିବା,ପର୍ଯ୍ୟାପ୍ତ ପରିମାଣରେ ପାନୀୟଜଳ,ଓଆରଏସ ବ୍ୟବସ୍ଥା କରିବା ସହିତ ସମସ୍ତ ସତର୍କତା ଅବଲମ୍ବନ କରାଯିବାକୁ ନିର୍ଦ୍ଦେଶ ଦିଆଯାଇଥିଲା,ସହକାରୀ ଜିଲ୍ଲାପାଳ ଚନ୍ଦ୍ରକାନ୍ତ ବେହେରା ବୈଠକ ପରିଚାଳନା କରିଥିବାବେଳେ ଅଂଶୁଘାତର ସଫଳ ମୁକାବିଲା ପାଇଁ ସମସ୍ତଙ୍କର ସହଯୋଗ କାମନା କରିଥିଲେ, ବୈଠକରେ ଅତିରିକ୍ତ ଜିଲ୍ଲାପାଳ ବବିତାରାଣୀ ଦଳ ବେହେରା, ଜିଲ୍ଲା ପରିଷଦ ମୁଖ୍ୟ କାର‌୍ୟ୍ୟନିର୍ବାହୀ ଅଧିକାରୀ ଅଶ୍ୱିନୀ କୁମାର ମେହେର, ଉପଜିଲ୍ଲାପାଳ ରବିନ୍ଦ୍ରନାଥ କହଁରଙ୍କ ସମେତ ସମସ୍ତ ବିଭାଗୀୟ ଅଧିକାରୀ ଯୋଗଦେଇଥିଲେ ।

Related Posts

Seo wordpress plugin by www.seowizard.org.