Odisha News

ବୌଦ୍ଧ ରାମଲୀଳା ଯାତ୍ରାର ଅଷ୍ଟମ ଦିବସରେ ମଞ୍ଚସ୍ଥ ହେଲା ନାଟକ ସେତୁବନ୍ଧ ପ୍ରତିଷ୍ଠା

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ,୧୯/୪: ବୌଦ୍ଧର ଗଣପର୍ବ ପ୍ରସିଦ୍ଧ ରାମଲୀଳା ଯାତ୍ରାର ଅଷ୍ଟମ ଦିବସରେ ମଞ୍ଚସ୍ଥ ହୋଇଛି ନାଟକ ସେତୁବନ୍ଧ ପ୍ରତିଷ୍ଠା । ମାତା ସୀତାଙ୍କ ସନ୍ଧାନରେ ସାତ ସମୁଦ୍ର ପାରି ହୋଇ ହନୁମାନ ଲଙ୍କାଗଡରେ ପହଞ୍ଚିବାପରେ ସେଠାରେ ଅଶୋକ ବାଟିକାରେ ସୀତାମାତାଙ୍କ ଦର୍ଶନ କରିଥିଲେ ।
ସୀତାଙ୍କ ଠାରୁ ସନ୍ତକ ଗ୍ରହଣ କରିବାପରେ ଲଙ୍କା ଦହନ କରି ପୁଣିଥରେ ସାତ ସମୁଦ୍ର ପାରିହୋଇ ଶ୍ରୀରାମଙ୍କ ନିକଟରେ ସୀତାଙ୍କ ସନ୍ଦେଶ ପହଞ୍ଚାଇଥିଲେ । ଲଙ୍କାଗଡ ଜଳିପୋଡି ଧ୍ୱଂଶ ହୋଇଯିବା ପରେ ବିଭୀଷଣ ବଡଭାଇ ରାବଣକୁ ବୁଝାଇବାକୁ ଉଦ୍ୟମ କରିଥିଲେ ।
ଶ୍ରୀରାମ ବିଷ୍ଣୁଙ୍କ ଅବତାର ତେଣୁ ସୀତାଙ୍କୁ ସସମ୍ମାନେ ଫେରାଇ ଦେବାକୁ ନିବେଦନ କରିଥିଲେ । କିନ୍ତୁ ରାବଣ ଉତକ୍ଷିପ୍ତ ହୋଇ ବିଭୀଷଣଙ୍କୁ ଲଙ୍କାଗଡ ଛାଡି ଚାଲିଯିବାକୁ ନିର୍ଦ୍ଦେଶ ଦେଇଥିଲେ ।
ବିଭୀଷଣ ଆସି ଶ୍ରୀରାମଙ୍କ ଶରଣ ନେବା ସହିତ ଲଙ୍କା ବିଜୟ ଓ ସୀତାଙ୍କୁ ଉଦ୍ଧାର ପାଇଁ ଯୋଜନା କରାଯାଇ ସେତୁବନ୍ଧ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା । ଏହି ପୌରାଣିକ କଥାବସ୍ତୁକୁ ଅନୁଷ୍ଠାନର କଳାକାରମାନେ ନିଖୁଣ ଭାବରେ ପ୍ରଦର୍ଶିତ କରିଥିଲେ । ନାଟକକୁ ହୃଦାନନ୍ଦ ମେହେର ରଚନା କରିଥିବାବେଳେ ଭବାନିଶଙ୍କର ମହାପାତ୍ର ନିର୍ଦ୍ଦେଶନା ଓ ତୁଷାରକାନ୍ତ ପଟ୍ଟନାୟକ ସଙ୍ଗିତ ନିର୍ଦ୍ଦେଶନା ଦେଇଛନ୍ତି ।
ବୌଦ୍ଧ ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ଆଇନ ସଚେତନତା ଶିବିର
ବୌଦ୍ଧ,୧୯/୪: ବୌଦ୍ଧଜିଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ଏକ ଆଇନସେବା ସଚେତନତା ଶିବିର ବୌଦ୍ଧ ବଘିଆପଡାସ୍ଥିତ ଶିଳ୍ପ ତାଲିମ କେନ୍ଦ୍ରଠାରେ ଅନୁଷ୍ଠିତ ହୋଇଯାଇଛି ।
ଏହି ଶିବିରରେ ଆଇନର ସିଆରପିସି ରେ ଥିବା ବ୍ୟବସ୍ଥାମାନ ଯେପରିକି, ଏତାଲା,ଜାମିନ,ସମନ,ୱାରେଣ୍ଟ୍‌,ଅପିଲ,ଲିଗାଲ ରିପ୍ରେଜେନଟେସନ ଇତ୍ୟାଦି ସଂପର୍କରେ ଆଲୋଚନା କରାଯାଇ ତାଲିମ କେନ୍ଦ୍ରର ଛାତ୍ରତ୍ରୀମାନଙ୍କୁ ସଚେତନ କରାଯାଇଥିଲା । ଜିଲା ଆଇନସେବା ପ୍ରାଧିକରଣ ର ସଚିବ ଚରଣଜିତ ଓରାମଙ୍କ ଅଧ୍ୟକ୍ଷତାରେ ପଳିଚାଳିତ ଏହି ତାଲିମ ଶିବିରରେ ଶିଳ୍ପ ତାଲିମ କେନ୍ଦ୍ରର ଛାତ୍ରଛାତ୍ରୀ,ଶିକ୍ଷକ ଓ ଶକ୍ଷୟିତ୍ରୀମାନେ ବହୁ ସଂଖ୍ୟାରେ ଯୋଗଦେଇଥିଲେ ।
ଏଥିରେ ଜିଲା ଆଇନସେବା ପ୍ରାଧିକରଣ ର ପ୍ୟାନେଲ ଓକିଲ ବିକାଶ ଚନ୍ଦ୍ର ବେହେରା,ଶିଳ୍ପ ତାଲିମ କେନ୍ଦ୍ରର ଅଧିକାରୀ ସୁବୋଧ କୁମାର ପାଣିଗ୍ରାହୀ,ଶିକ୍ଷକ ମକରଧ୍ୱଜ ପାଢି ଏବଂ ଅନ୍ୟାନ୍ୟ ଶିକ୍ଷକ ଶିକ୍ଷୟିତ୍ରୀମାନେ ଆଲୋଚନାରେ ସଂକ୍ରିୟ ଅଂଶଗ୍ରହଣ କରିଥିଲେ ।
ଏହି ସଚେତନତା କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀମାନଙ୍କୁ ଆଇନ ର ମୌଳିକ ବିଷୟମାନ ଏବଂ ଏହାର ବିଭିନ୍ନ ଦିଗ ଉପରେ ସଚେତନ କରାଯାଇଥିଲା । ଏହାସହିତ ଆଇନସେବା ପ୍ରାଧିକରଣ ଦ୍ୱାରା ଉପଲବ୍ଧ ହେଉଥିବା ମୁକ୍ତ ଆଇନବୋ ଗୁଡିକ ବିଷୟରେ ମଧ୍ୟ ବିସ୍ତୃତ ଭାବରେ ଆଲୋଚନା କରାଯାଇଥିଲା । ଏହି ଆଇନ ସେଚତନତା ଶିବିର ଶିଳ୍ପ ତାଲିମ କେନ୍ଦ୍ରର ଅଧକ୍ଷ ଅଭିନାଶ ମିଶ୍ରଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ହୋଇଥିଲା ।
ଗଂଜେଇ ଚାଲାଣ ମାମଲାରେ ପ୍ରମାଣ ଅଭାବରୁ ୩ ଅଭିଯୁକ୍ତ ନିର୍ଦ୍ଦୋଷରେ ଖଲାସ
ବୌଦ୍ଧ,୧୯ା୪: ବୌଦ୍ଧ ଅତିରିକ୍ତ ଜିଲା ଦୌରାଜଜ ଏକ ଗଂଜେଇ ଚାଲାଣ ମାମଲାର ବିଚାର କରି ପ୍ରମାଣ ଅଭାବରୁ ୩ ଜଣ ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି । ସୂଚନା ମୁତାବକ ଗତ ତା ୧୧.୦୯.୨୦୧୪ ରିଖ ଦିନ ବୌଦ୍ଧ ବସଷ୍ଟାଣ୍ଡରୁ ୧୮ କିଲୋ ୪୩୦ ଗ୍ରାମ ଗଂଜେଇ ସହିତ ପୋଲିସ ବିରିଗଡ ଗ୍ରାମର ପ୍ରକାଶ ଚନ୍ଦ୍ର ବେହେରାଙ୍କୁ ଗିରଫ କରିଥିଲା ।
ତଦନ୍ତ ପରେ ଅଭିଯୁକ୍ତ ପ୍ରକାଶର ବୟାନକୁ ଭିତ୍ତିକରି ପୋଲିସ ପକ୍ଷରୁ ଏହି ମାମଲାରେ ବାମଣ୍ଡା ଗ୍ରାମର ଅନନ୍ତ ମହାକୁଡ ଓ ଅଜିତ ମହାକୁଡଙ୍କ ନାମରେ ମଧ୍ୟ ଥାନା କେସ ନମ୍ବର ୧୭୫/୧୪ ରେ ମାମଲା ରୁଜୁ କରିଥିଲା । ପରେ ଏହି ମାମଲାଟି ସ୍ପେଶାଲ କେସ ନମ୍ବର ୩୧ /୧୪ ହୋଇ ଅତିରିକ୍ତ ଜିଲା ଦୌରାଜଜ୍‌ଙ୍କ ଅଦାଲତରେ ବିଚାର କରାଯାଇଥିଲା ।
ସର୍ବମୋଟ ୧୫ଜଣ ସାକ୍ଷୀଙ୍କୁ ଜେରା କରାଯିବା ପରେ ପ୍ରମାଣ ଅଭାବରୁ ମାନ୍ୟବର ଅଦାଲତ ୩ ଜଣ ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷରେ ଖଲାସ କରିଥିବା ଜଣାପଡିଛି । ବରିଷ୍ଠ ଆଇନଜିବୀ ଅଶୋକ କୁମାର ସାହୁ ଅଭିଯୁକ୍ତମାନଙ୍କ ପକ୍ଷରୁ ମୋକଦ୍ଦମା ପରିଚାଳନା କରିଥିଲେ ।
ଚୋରା କାଠ ଚାଲାଣବେଳେ ଜବତ, ୬ ଅଭିଯୁକ୍ତ ଗିରଫ
ବୌଦ୍ଧ,୧୯ା୪: ଜିଲାରେ ତାପାମାତ୍ରା ଅହେତୁକ ଭାବରେ ବୃଦ୍ଧି ପାଇଚାଲିଥିବାବେଳେ ଜଙ୍ଗଲରେ ନିଆଁ ଲଗାଇବା ସହିତ ବ୍ୟାପକମାତ୍ରାରେ ଜଙ୍ଗଲ ଧ୍ୱଂଶ ଏହାର ମୁଖ୍ୟ କାରଣ ବୋଲି କୁହାଯାଉଅଛି ।
ତେଣୁ ବନ ବିଭାଗ ପକ୍ଷରୁ ଜଙ୍ଗଲର ସୁରକ୍ଷା ପାଇଁ ପେଟ୍ରୋଲିଂ ବ୍ୟବସ୍ଥାକୁ କଡାକଡି କରାଯାଇଛି । ଫଳରେ ଆଜି ବୌଦ୍ଧ ରେଞ୍ଜ ପକ୍ଷରୁ ଚୋରା କାଠ ଚାଲାଣବେଳେ ୬ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ସୂଚନା ମୁତାବକ ବୌଦ୍ଧ ରେଞ୍ଜ ଅଧିନସ୍ଥ ଖକ୍ସୁରୀପଡା ସେକ୍ସନର ବ୍ରାହ୍ମଣିପାଳି ବିଟ୍ ଅଞ୍ଚଳରୁ ସାଇକେଲ ଯୋଗେ କାଠ ଚାଲାଣ ହେଉଥିବାବେଳେ ବନ ବିଭାଗର ପେଟ୍ରୋଲିଂ ଟିମ ୬ ଗୋଟି ସାଇକେଲ ସହ ୩୬ ଟି ଶାଳ ସେଣି ଜବତ କରି ୩ ଟି ମାମଲା ରୁଜୁ କରିବା ସହିତ ୬ ଜଣକୁ ଗିରଫ କରିଛନ୍ତି ।
ଗିରଫ ହୋଇଥିବା ବ୍ୟକ୍ତିମାନେ ହେଲେ କମିରା ଗ୍ରାମର ରତ୍ନାକର ବାଘ(୪୫)ଉପେନ୍ଦ୍ର ପାତ୍ର(୪୧),ସତ୍ୟାନନ୍ଦ ଭୁକ୍ତା(୫୫),ଧୃବ ସାହୁ(୬୦) ଏବଂ ଖଣ୍ଡପଡା ଗ୍ରାମର ନିତେନ ପ୍ରଧାନ(୩୦) ଓ ଶମ୍ଭୁ ଦେହୁରୀ (୪୨) ବୋଲି ବୌଦ୍ଧ ରେଞ୍ଜ ଅଧିକାରୀ ପ୍ରଦିପ କୁମାର ବେହେରା ସୂଚନା ଦେଇଛନ୍ତି । ରେଞ୍ଜ ଅଧିକାରୀ ଶ୍ରୀସେଠୀଙ୍କ ନେତୃତ୍ୱରେ ବନ କର୍ମଚାରୀ ପ୍ରଶାନ୍ତ ସେଠୀ,ଶରତ ନାୟକ,ଅଭିମନ୍ୟୁ ମହାନ୍ତି ଓ ରମାକାନ୍ତ ପାଣିଗ୍ରାହୀ ପ୍ରମୁଖ ଏହି ଚଙ୍ଘାଉରେ ସାମିଲ ଥିଲେ ।
ବୌଦ୍ଧ ପଂଚାୟତ ମହାବିଦ୍ୟାଳୟର ନୂତନ ଅତିରିକ୍ତ ଶ୍ରେଣୀ କୋଠା ଉଦଘାଟିତ
ବୌଦ୍ଧ ,୧୯/୪: ବୌଦ୍ଧ ପଂଚାୟତ ମହାବିଦ୍ୟାଳୟର ନୂତନ ଅତିରିକ୍ତ ଶ୍ରେଣୀ କୋଠା ବୌଦ୍ଧ ବିଧାୟକ ପ୍ରଦିପ ଅମାତଙ୍କ ଦ୍ୱାରା ସୋମବାର ଉଦଘାଟିତ ହୋଇଯାଇଛି । ଉଦଘାଟନ ଉତ୍ସବରେ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର, ଅତିରିକ୍ତ ଜିଲ୍ଲାପାଳ ତଥା ପରିଚାଳନା କମିଟିର ଅଧ୍ୟକ୍ଷ ବବିତାରାଣୀ ଦଳବେହେରା, ଏନଏସି ଅଧ୍ୟକ୍ଷ ମୃତ୍ୟୁଜଂୟ ମିଶ୍ର ଉପସ୍ଥିତଥିଲେ ।
ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରକାଶ ଚନ୍ଦ୍ର ବେହେରାଙ୍କ ତତ୍ୱାବଧାନରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ ଅଧ୍ୟାପିକା ଓ କର୍ମଚରୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।
ସୂଚନା ଯୋଗ୍ୟ ଯେ, ଏହି ଅତିରିକ୍ତ ଶ୍ରେଣୀ କୋଠା ଓଡିଶା ସରକାରଙ୍କ ଉଚ୍ଚ ଶିକ୍ଷା ବିଭାଗ ଭିତିଭୂମି ଅନୁଧାନ ଦ୍ୱାରା ନିର୍ମିତ । ବୌଦ୍ଧ ପଂଚାୟତ ମହାବିଦ୍ୟାଳୟ ଜିଲ୍ଲାର ସର୍ବପୁରାତନ ତଥା ଅଗ୍ରଣୀ ଅନୁଷ୍ଠାନ ଭାବରେ ଉଚ୍ଚ ଶିକ୍ଷା କ୍ଷେତ୍ରରେ ଦୀର୍ଘ ଚାରି ଦଶଦ୍ଧି ଧରି ଗୁଣାତ୍ମକ ଶିକ୍ଷା ପ୍ରଦାନ କରି ଆସୁଛି । ଛାତ୍ରଛାତ୍ରୀଙ୍କ ପାଇଁ ଶିକ୍ଷାଦାନର ଆବଶ୍ୟକତାକୁ ଆଖି ଆଗରେ ରଖି ନୂତନ ଶ୍ରେଣୀ କକ୍ଷ ନିର୍ମାଣ ହୋଇଆସୁଅଛି ।
ଦୁଇବର୍ଷ ପରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ
ବୌଦ୍ଧ,୧୯/୪ : କୋଭିଡ କଟକଣା ଯୋଗୁଁ ଦୀର୍ଘ ଦୁଇବର୍ଷରୁ ଅଧିକ ସମୟ ହେଲା ସ୍ଥଗିତ ରହିଥିବା ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଜିଲ୍ଲାସ୍ତରୀୟ ଅଭିଯୋଗ ଶୁଣାଣୀ ପୁନର୍ବାର ଆରମ୍ଭ ହୋଇଛି ।
ଏହି ଅବସରରେ ବୌଦ୍ଧଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସଭାଗୃହଠାରେ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର,ଆରକ୍ଷୀ ଅଧିକ୍ଷକ ଜ୍ଞାନ ରଞ୍ଜନ ମହାନ୍ତିଙ୍କ ଉପସ୍ଥିତିରେ ଯୁଗ୍ମ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ହୋଇଥିଲା ।
ଏହି ଶିବିରରେ ଜନସାଧାରଣଙ୍କ ପକ୍ଷରୁ ଆସିଥିବା ୨୯ ଗୋଟି ଆପତ୍ତି ଅଭିଯୋଗ ଆସିଥିବାବେଳେ ସେଥିମଧ୍ୟରୁ ୨୪ ଗୋଟି ବ୍ୟକ୍ତିଗତ ମାମଲା ହୋଇଥିବାବେଳେ ୫ ଗୋଟି ବିଭିନ୍ନ ଗ୍ରାମର ସାମୁହିକ ମାମଲା ରହିଥିଲା ।
ଅଭିଯୋଗ ଗୁଡିକ ସଂପର୍କରେ ଅନୁଧ୍ୟାନ କରାଯାଇ ୨ ଗୋଟି ବ୍ୟକ୍ତିଗତ ମାମଲାର ସମାଧାନ କରାଯାଇ ତୁରନ୍ତ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ସହାୟତା ଯୋଗାଇଦିଆଯାଇଥିବାବେଳେ ୨୭ ଗୋଟି ମାମଲାକୁ ବିଭିନ୍ନ ବିଭାଗକୁ ପଠାଯାଇ ୭ ଦିନ ମଧ୍ୟରେ କାର୍ଯ୍ୟାନୁଷ୍ଠାନ ରିପୋର୍ଟ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା ।
ଏହି ଶିବିରରେ ଅତିରିକ୍ତ ଜିଲ୍ଲାପାଳ ବବିତାରାଣୀ ଦଳବେହେରା, ଉପଜିଲ୍ଲାପାଳ ସନତ କୁମାର ନାଏକ,ଜିଲା ଜରୂରିକାଳୀନ ଅଧିକାରୀ ଅବନୀକାନ୍ତ ସାହୁ ଏବଂ ଜିଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରିତାକାନ୍ତି ବଳିୟାରସିଂହଙ୍କ ସମେତ ସମସ୍ତ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ ।

Related Posts

Seo wordpress plugin by www.seowizard.org.