Odisha News

ବୌଦ୍ଧ : ମେଟ୍ରିକ ଟପରଙ୍କୁ ପ୍ରଶାସନ ପକ୍ଷରୁ ସମ୍ବର୍ଦ୍ଧନା

କମ୍ଭୁକ୍ଷେତିଙ୍କ ରିପୋର୍ଟ
ବୌଦ୍ଧ,୨୫/୫ : ଆଜି ପୂର୍ବାହ୍ନରେ ଜିଲାପାଳଙ୍କ କାର୍ଯ୍ୟାଳୟ ସଦଭାବନା ଗୃହଠାରେ ମେଟ୍ରିକ ପରୀକ୍ଷାରେ ବୌଦ୍ଧ ଜିଲାର ଏ-୧ ଗ୍ରେଡ ହାସଲ କରିଥିବା ୮ ଜଣ ଛାତ୍ରଛାତ୍ରୀଙ୍କୁ ଜିଲା ପ୍ରଶାସନ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି ।
ମୁଖ୍ୟଅତିଥି ଭାବରେ ପଞ୍ଚାୟତିରାଜ ଓ ପାନୀୟଜଳ,ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ଏବଂ ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ପ୍ରଦିପ କୁମାର ଅମାତ ଯୋଗଦେଇ ସମସ୍ତ କୃତୀ ଛାତ୍ରଛାତ୍ରୀ, ସେମାନଙ୍କ ଅଭିଭାବକ ଓ ବିଦ୍ୟାଳୟ ପ୍ରଧାନଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ପୁଷ୍ପଗୁଛ,ଉପଢୌକନ ଓ ଉପାଦେୟ ପୁସ୍ତକ ଦେଇ ସମ୍ବର୍ଦ୍ଧିତ କରିଥିଲେ ।
ଏହି କାର୍ଯ୍ୟକ୍ରମକୁ ଜିଲା ଶିକ୍ଷାଧିକାରୀ ଡଃ. ଉଦୟନାଥ ମାଝୀ ପରିଚାଳନା କରିଥିବାବେଳେ ସମ୍ମାନିତ ଅତିଥି ଭାବରେ ଜିଲାପାଳ ସତ୍ୟରଂଜନ ସାହୁ, ସାଂସଦ ପ୍ରତିନିଧି ତାରେଣି ମହାପାତ୍ର,ଅତିରିକ୍ତ ଜିଲାପାଳ ଦାରିଦ୍ର‌୍ୟଭଞ୍ଜନ ମଦନ ମୋହନ ପାତ୍ର, ଜିଲାପରିଷଦର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଶ୍ୱିନୀ କୁମାର ମେହେର,ଉପଜିଲାପାଳ ରବିନ୍ଦ୍ରନାଥ କହଁର ପ୍ରମୁଖ ଉପସ୍ଥିତ ଥିଲେ ।
ଏ-୧ ଗ୍ରେଡରେ କୃତକାର୍ଯ୍ୟ ହୋଇଥିବା ଛାତ୍ରଛାତ୍ରୀମାନେ ହେଲେ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ଅର୍ପିତା ପ୍ରିୟଦର୍ଶିନୀ ଏବଂ ଅପର୍ଣ୍ଣା ମହାପାତ୍ର, ରାଜେନ୍ଦ୍ର ନାରାୟଣ ବିଦ୍ୟାଳୟ ଧଳପୁର ର ଦୁଇ ଯମଜ ଭାଇ ଓମପ୍ରକାଶ ହୋତା ଏବଂ ସତ୍ୟପ୍ରକାଶ ହୋତା, ଇନ୍ଦିରା ବାଳିକା ଉଚ୍ଚ ବିଦ୍ୟାଳୟ ମନମୁ୍ଣ୍ଡାର ସାନିଆଁ ଦେହୁରୀ,ବାଉଁଶୁଣୀ ବାଳିକା ଉଚ୍ଚ ବିଦ୍ୟାଳୟର ଅଲିଭା ମହାକୁଳ,ମା ସମଲେଶ୍ୱରୀ ଉଚ୍ଚ ବିଦ୍ୟାଳୟ ଘଣ୍ଟାପଡା ର ସାଗର ମଲ୍ଲିକ୍ ଓ ଜନତା ଉଚ୍ଚବିଦ୍ୟାଳୟ ଆମ୍ବ ଗାଁ ର ପପୁ ପ୍ରଧାନ ।
ଜୀବନରେ ଜଣେ ସଫଳ ମଣିଷ ହେବା ସହିତ ଜିଲାର ନାମକୁ ଗୌରବାନ୍ୱିତ କରିବାକୁ ମନ୍ତ୍ରୀ ଶ୍ରୀଅମାତ ଓ ଜିଲାପାଳ ଶ୍ରୀ ସାହୁ କୃତୀ ଛାତ୍ରଛାତ୍ରୀମାନଙ୍କୁ ପରାମର୍ଶ ଦେଇଥିଲେ ।
ଏହି କାର୍ଯ୍ୟକ୍ରମ ପରିଚାଳନାରେ ଶାରିରୀକ ଶିକ୍ଷା ନିରୀକ୍ଷକ ଆନନ୍ଦ କୁମାର ବେହେର. ଇିଜ୍ଞାନ ନିରୀକ୍ଷକ ଜୟନ୍ତ କୁମାର ପ୍ରଧାନ,ସିଆରସିସି ସନ୍ତୋଷ କର୍ଣ୍ଣ ଓ ଲାଇବ୍ରେରିଆନ ଅକ୍ଷୟ ମହାକୁଡ ପ୍ରମୁଖ ସକ୍ରିୟ ସହଯୋଗ କରିଥିଲେ । ସମ୍ବର୍ଦ୍ଧନା ଉତ୍ସବରେ ସମସ୍ତ ଜିଲାସ୍ତରୀୟ ଅଧିକାରୀ ଉପସ୍ଥିତ ଥିଲେ ।
ବୌଦ୍ଧ: ମେସିନ କରୁଛି ମନରେଗା କାମ ଶ୍ରମିକ ସାଜିଛି ଦାଦନ
ବୌଦ୍ଧ,୨୫/୫: ଶିଳ୍ପ ବିହୀନ ଓ କୃଷିଭିତିକ ବୌଦ୍ଧ ଜିଲ୍ଲାରେ ୮୦ ପ୍ରତିଶତ ଲୋକ ଚାଷ ସହିତ ଜୀବନ ଜିବିକା ପାଇଁ ଛୋଟ ଛୋଟ ବ୍ୟବସାୟ ଏବଂ ଦିନ ମଜୁରୀ ଉପରେ ନିର୍ଭରଶୀଳ । କେନ୍ଦ୍ର ଓ ରାଜ୍ୟ ସରକାର ଅନେକ ଜନକଲ୍ୟାଣକାରୀ ଯୋଜନା କାର୍ଯ୍ୟକାରୀ କରାଉଥିଲେ ମଧ୍ୟ ତାର ସୁଫଳ ତୃଣମୂଳସ୍ତରକୁ ପହଞ୍ôଚ ପାରୁନଥିବା ଦେଖାଯାଇଛି ।
ବୌଦ୍ଧଜିଲ୍ଲାରେ ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ଦୁର୍ନୀତି ବ୍ୟାପକ ଅନିୟମିତତା ହେଉଥିବାର ଅଭିଯୋଗ ହେଉଛି । ଗାଁ ଗାଁ ରେ ଶ୍ରମିକ ମାନଙ୍କୁ କାମ ଯୋଗାଇଦେବା ପାଇଁ କେନ୍ଦ୍ର ସରକାର ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା କାର୍ଯ୍ୟକାରୀ କରିଥିଲେ ମଧ୍ୟ ଏହି ଯୋଜନାର ସୁଫଳ ଶ୍ରମିକ ପାଇପାରୁନାହାନ୍ତି । ଜିଲ୍ଲାରେ ବର୍ତ୍ତମାନ ଶ୍ରମିକ ବଦଳରେ ମେସିନ ଦ୍ୱାରା ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା କାର୍ଯ୍ୟ ହେଉଥିବା ଦେଖାଯାଉଛି । ଜିଲ୍ଲାରେ ଏପଟେ କାମଧନ୍ଦା ଅଭାବରୁ ଶ୍ରମିକ ରାଜ୍ୟ ବାହାରକୁ ଦାଦନ କଟିବାକୁ ଯାଉଛି ।
ଶ୍ରମିକ ମାନଙ୍କୁ କାର୍ଯ୍ୟ ଯୋଗାଇ ଦେବାର ଲକ୍ଷ୍ୟରେ ସରକାର ମନରେଗା ଯୋଜନା ମାଧ୍ୟମରେ ଶ୍ରମିକମାନଙ୍କୁ ନିଜ ଅଞ୍ଚଳରେ କାମ ଯୋଗାଇ ଦେବାର ପ୍ରାଧ୍ୟାନ୍ୟ ଦେଇଥିବା ବେଳେ ବୌଦ୍ଧ ଜିଲ୍ଲାରେ ଏହି ଯୋଜନା ସରକାରୀ କର୍ମଚାରୀ ଓ ଜନ ପ୍ରତିନିଧିଙ୍କ ଇସାରାରେ ଭାଗବଂଟା ଚାଲିଥିବା ଦେଖିବାକୁ ମିଳିଛି । ଜିଲ୍ଲାର ବିଭିନ୍ନ ବ୍ଲକରେ ଗରିବ ଓ ଶ୍ରମିକ ଶ୍ରେଣୀର ଲୋକଙ୍କୁ ଅର୍ଥର ପ୍ରାଲୋଭନ ଦେଖାଇ ସେମାନଙ୍କର ହଜାର ହଜାର ସଂଖ୍ୟାରେ ଜବକାର୍ଡ ଠିକାଦାର ଓ ନେତାମାନେ ବନ୍ଧା ରଖିଥିବା ଜଣାଯାଇଛି । ମନରେଗା ଯୋଜନା କାର୍ଯ୍ୟ ମିଥ୍ୟା ମଷ୍ଟରରୋଲ ପ୍ରସ୍ତୁତ କରି ଏହି ଅର୍ଥକୁ ଆତ୍ମସାତ କରୁଥିବା ଜଣାଯାଇଛି ।
ଗୋଟିଏ ପଟେ ଜୁନ ୧୫ ତାରିଖ ସୁଧା ମାଟି କାମ ଗୁଡିକ ବନ୍ଦ ହୋଇଯାଉଥିବା ବେଳେ ବତ୍ତର୍ମାନ ଜୋରଦାରରେ ଜିଲ୍ଲାରେ ମେସିନ ଦ୍ୱାରା ବିଭିନ୍ନ କାର୍ଯ୍ୟ ଗୁଡିକର କାର୍ଯ୍ୟ କରାଯାଊଛି । ଜିଲ୍ଲାରେ ହେଉଥିବା ମନରେଗା କାର୍ଯ୍ୟ ଗୁଡିକର ଉପଯୁକ୍ତ ତଦନ୍ତ କରାଯାଏ ତେବେ ଜିଲ୍ଲାରେ ହେଉଥିବା ମନେରେଗା କାର୍ଯ୍ୟ ଗୁଡିକ କିପରି ହେଉଛି ତାହା ଜଣାପଡିବ ।
ଅନ୍ୟ ପାଖରେ ଏହି କାର୍ଯ୍ୟର କ୍ଷେତ୍ର ପରିଦର୍ଶକ ନିଜେ ଏହି ସଲାସୁତରାରେ ଅଂଶିଦାର ସାଜିଥିବାରୁ ଅଭିଯୋଗର ସତ୍ୟତା ପ୍ରମାଣିତ ହୋଇପାରୁନାହିଁ । ଗରିବ ଶ୍ରମିକ ମଧ୍ୟ ବିନା ପରିଶ୍ରମରେ କିଛି ଅର୍ଥ ପାଇଯାଉଥିବାରୁ ତାର ଜବକାର୍ଡ ବନ୍ଧା ଦେବାପାଇଁ ଆଗଭର ହେଉଥିବା ଜଣାପଡିଛି । ନିୟମ ପାଳନ କର୍ତ୍ତା ଯଦି ବେନିୟମ କାର୍ଯ୍ୟକୁ ପ୍ରୋତ୍ସାହନ ଦିଏ ତେବେ ସରକାରଙ୍କର ଏହି କାର୍ଯ୍ୟ ପାଇଁ ପ୍ରଚଳନ ନିୟମ କେବଳ ଧର୍ମକୁ ଆଖିଠାର ମାରିବା ସଦୃଶ୍ୟ ବୋଲି ସାଧାରଣରେ ଅଭିଯୋଗ ହେଉଛି ।
ଅଟୋକୁ ଧକ୍କା ଦେଇ ଟ୍ରକ ଫେରାର, ୩ ଗୁରୁତର
ବୌଦ୍ଧ,୨୫/୫: ବୌଦ୍ଧ ଜିଲ୍ଲା ଦେଇ ଯାଇଥିବା ୫୭ ନଂ ଜାତୀୟ ରାଜପଥ ହରଭଙ୍ଗା ବ୍ଲକର ବାମଣ୍ଡା ନିକଟରେ ଥିବା ମଡେଲ ଡିଗ୍ରୀ କଲେଜ ନିକଟରେ ସରସରା ପଟରୁ ବୌଦ୍ଧ ସହରକୁ ଆସୁଥିବା ଅଟୋକୁ ଏକ ଟ୍ରକ ପଛପଟୁ ଧକ୍କା ଦେଇ ଫେରାର ହୋଇଯାଇଛି।
ଟ୍ରକର ଧାକ୍କାରେ ଅଟୋଟି ରାସ୍ତାର ବାମ ପାର୍ଶ୍ବରୁ ପ୍ରାୟ ୨୦ ମିଟର ଘୋଷାଡ଼ି ହୋଇ ରାସ୍ତାର ଡାହାଣ ପାର୍ଶ୍ବ ୧୦ଫୁଟ ଖାଲୁଆ ଜମିରେ ପଡ଼ିଥିଲା। ସୂଚନା ଅନୁସାରେ କେଳାକଟା ଗ୍ରାମର ପ୍ରବୀର ପ୍ରଧାନ ନିଜ ଅଟୋ (ଓଡି-୨୭-ସି-୭୬୯୫)ରେ ଯାତ୍ରୀ ନେଇ ବୌଦ୍ଧ ଆସୁଥିବା ବେଳେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ।
ଯାତ୍ରୀଙ୍କ ମଧ୍ୟରେ ରତନପୁର ଗ୍ରାମର ଦିବ୍ୟ ଶଙ୍କର ପ୍ରଧାନ, ନାଏକବପଡ଼ା ଗୁମ୍ପା ମଠର ହିମାଂଶୁ ଦାସ ଓ କେଳାକଟା ଗ୍ରାମର ଆରତି ମହାନନ୍ଦିଆ ଗୁରୁତର ଆହତ ହୋଇଛନ୍ତି। ଅଟୋରେ ଥିବା ଅନ୍ୟ ଦୁଇ ଜଣ ଶିଶୁ ମଧ୍ୟ ଆହତ ହୋଇଛନ୍ତି। ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ଉଦ୍ଧାର କରି ବୌଦ୍ଧ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ପଠାଇଥିଲେ। ଦିବ୍ୟ ଶଙ୍କରଙ୍କ ମୁଣ୍ଡରେ ଗଭୀର କ୍ଷତ ହୋଇଥିବାରୁ ଅବସ୍ଥା ସଂକଟାପନ୍ନ ଥିବା ଜଣାଯାଇଛି।
ସରିଲା ଦେବଦମ୍ପତିଙ୍କ ବିବାହ, ଆଜି ବିରାଟ ଶୋଭାଯାତ୍ରାରେ ସ୍ୱମନ୍ଦିର ପ୍ରତ୍ୟାବର୍ତ୍ତନ କଲେ
ବୌଦ୍ଧ; ୨୫/୫: ଜିଲ୍ଲାର ବିଭିନ୍ନ ଅଂଚଳରେ ଶିତଳଷଷ୍ଠି ଯାତ୍ରା ମହାସମାରୋହରେ ପାଳିତ ହୋଇଯାଇଛି । ବୁଧବାର ମାତା ପାର୍ବତୀ ଓ ଶିବ ମହାପ୍ରଭୁଙ୍କର ବିବାହ କାର୍ଯ୍ୟ ସମ୍ପର୍ଣ୍ଣ ହୋଇଥିବାବେଳେ ଗୁରୁବାର ଉଭୟ ଦେବଦମ୍ପତି ସ୍ୱମନ୍ଦିର ପ୍ରତ୍ୟାବର୍ତ୍ତନ କରିଥିଲେ । ସବୁବର୍ଷପରି ଚଳିତବର୍ଷ ମଧ୍ୟ ସହରସ୍ଥିତ ବାବା ମାତଙ୍ଗେଶ୍ୱରଙ୍କର ବିବାହକାର୍ଯ୍ୟ ଧୁମଧାମରେ କରାଯାଇଥିଲା । ଚଳିତବର୍ଷ କନ୍ୟାପିତାଭାବେ ସହରର ଯୋଗାନନ୍ଦ ବିହାରସ୍ଥିତ କଲ୍ୟାଣୀ ପାଣିଗ୍ରାହୀ ଓ ଜଗବଂଧୁ ମହାପାତ୍ର ସସ୍ତ୍ରୀକ କନ୍ୟାଘର କାର୍ଯ୍ୟ ତୁଲାଇଥିଲେ ।
ସେହିପରି ସହରର ବୁଟୁପାଲିସ୍ଥିତ କୈଳାଶନାଥ ପାଣିଗ୍ରାହୀ ଓ ଅନୂଶୟା ପାଣିଗ୍ରାହୀ ବାବା ମାତଙ୍ଗେଶ୍ୱରଙ୍କ ପିତା ମାତା ଭାବେ ବିବାହକାର୍ଯ୍ୟ ତୁଲାଇଥିଲେ । ବୁଧବାର ବରଯାତ୍ରୀଦଳ ସ୍ଥାନିୟ ମାତଙ୍ଗେଶ୍ୱର ମନ୍ଦିର ଠାରୁ ସଂଧ୍ୟାରେ ବାହାରି ବାଜା ରୋଷଣିରେ ସହର ପରିକ୍ରମା କରିଥିଲେ । ପ୍ରଭୁଙ୍କର ବରଯାତ୍ରୀ ଦଳରେ ସହରବାସୀ ସ୍ୱତପ୍ରବୃତଭାବେ ସାମିଲ ହୋଇ ଆନନ୍ଦରେ ନୃତ୍ୟକରି କନ୍ୟାପିତା ଘରେ ପହଞ୍ôଚଥିଲେ ।
ପରେ ବିବାହକାର୍ଯ୍ୟ ଆରମ୍ଭହୋଇ ମଧ୍ୟରାତ୍ରରେ ଶେଷ ହୋଇଥିଲା । ଗୁରୁବାର ସଂଧ୍ୟାରେ ପୋଲିସ ପ୍ରସାଶନର ସହଯୋଗରେ ଉଭୟ ଦେବଦମ୍ପତି ଶୋଭାଯାତ୍ରାରେ ବାହାରି ଭକ୍ତଙ୍କୁ ଦର୍ଶନ ଦେଇଥିଲେ ଓ ମହିଳା ମାନଙ୍କ ଦ୍ୱାରା ବନ୍ଦାପନା କରାଯାଇ ସ୍ୱମନ୍ଦିରରେ ପ୍ରବେଶ କରିଥିଲେ । ବରପିତାଙ୍କ ପକ୍ଷରୁ ମନ୍ଦିରରେ ସହରବାସୀଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା ।
ପଣ୍ଡିତଭାବେ ଶାନ୍ତିଭୂଷଣ ଚାନ୍ଦ, ପୂର୍ଣ୍ଣଚନ୍ଦ୍ର ମିଶ୍ର ଓ ବବୁଲୁ ପାଢୀ ଦେବାଦେବୀଙ୍କ ବିବାହ କାର୍ଯ୍ୟ ସଂପାଦନ କରିଥିବାବେଳେ, ମନ୍ଦିର ପରିଚାଳନା କମିଟି ସଭାପତି ଜୟ ନାରାୟଣ ମହାନ୍ତି, ସଂପାଦକ ତାପସ କୁମାର ପଟ୍ଟନାୟକଙ୍କ ତତ୍ୱାବଧାନରେ ଓ କମଟିି ସଦସ୍ୟଙ୍କ ସହଯୋଗରେ ପ୍ରଭୁଙ୍କ ବିବାହକାର୍ଯ୍ୟ ସୁରୁଖୁରୁରେ ସମ୍ପାଦନ ହୋଇଥିଲା । ସେହିପରି ସହରର ଅନ୍ୟତମ ଶୈବପିଠ ବାବା ଚନ୍ଦ୍ରଚୂଡ ଓ ବାବା ରାମେଶ୍ୱରଙ୍କର ମଧ୍ୟ ବିବାହ କାର୍ଯ୍ୟ ମନ୍ଦିର ପରିଚାଳନା କମିଟି ଓ ଭକ୍ତଙ୍କ ଦ୍ୱାରା ସମାପନ ହୋଇଥିଲା ।

Related Posts

Seo wordpress plugin by www.seowizard.org.