Odisha News

ବୌଦ୍ଧ: ମହିଳା ଆତ୍ମ ସୁରକ୍ଷା ତାଲିମ ଶିବିର ଉଦଘାଟିତ

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ

ବୌଦ୍ଧ,୫/୪: ବୌଦ୍ଧ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଠାରେ ଛାତ୍ରୀମାନଙ୍କ ପାଇଁ ଆତ୍ମ ସୁରକ୍ଷା ପାଇଁ ପ୍ରଶିକ୍ଷଣ ଶିବିର ଉଦଘାଟିତ ହୋଇଯାଇଛି । ବିଦ୍ୟାଳୟର ଅଧ୍ୟକ୍ଷ ରବିନ୍ଦ୍ରନାଥ ଗୁରୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦଘାଟନୀ ସଭାରେ ମୁଖ୍ୟଅତିଥି ଭାବରେ ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟର ଓଡ଼ିଆ ବିଭାଗ ଅଧ୍ୟାପିକା ବାସନ୍ତୀ ପ୍ରଧାନ ଯୋଗଦେଇ ଆତ୍ମ ସୁରକ୍ଷା ପ୍ରଶିକ୍ଷଣର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ ।
ଅନ୍ୟତମ ଅତିଥି ଭାବରେ ପ୍ରଶିକ୍ଷିକା ସନ୍ଧ୍ୟାରାଣୀ ସାହୁ ଯୋଗଦେଇଥିଲେ । ତିନିଜଣ ପ୍ରଶିକ୍ଷିକା ଓ ୨୫୬ ଜଣ ଛାତ୍ରୀଙ୍କୁ ନେଇ ଏହି ପ୍ରଶିକ୍ଷଣ ଶିବିର ର ଉଦଘାଟନ ଉତ୍ସବରେ ପ୍ରୋଗ୍ରାମ ଅଫଇସର ଶିବଦତ୍ତ ପଟ୍ଟନାୟକ ଧନ୍ୟବାଦ ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ଅନୁଷ୍ଠାନର ସମସ୍ତ କର୍ମଚାରୀ ଓ କର୍ମକର୍ତ୍ତା ସହଯୋଗ କରିଥିଲେ ।

ବିବାହ ପରେ ପ୍ରତାରଣା, ୪ ବର୍ଷର ଶିଶୁକନ୍ୟା ସନ୍ଧାନରେ ଆସି ନିରାଶ ହୋଇ ଫେରିଲେ ଦିଲ୍ଲୀର ଝିଅ ଆରତୀ

ବୌଦ୍ଧ,୫/୪: ଜଣେ ଓଡ଼ିଆ ଯୁବକଙ୍କ ଦ୍ୱାରା ବିବାହ ପ୍ରତାରଣାର ଶୀକାର ହେବାପରେ ନିଜର ୪ବର୍ଷର ଶିଶୁକନ୍ୟା ସନ୍ଧାନରେ ବୌଦ୍ଧ ଆସି ନିରାଶ ହୋଇ ଫେରିଯାଇଛନ୍ତି ଦିଲ୍ଲୀର ଝିଅ ଆରତୀ ।
ଓଡ଼ିଶାର ଗଂଜାମ ଜିଲ୍ଲା ଭଞ୍ଜନଗର ନିକଟସ୍ଥ୍ ଏକ ଗ୍ରାମର ଯୁବକ ସୁବ୍ରତ କୁମାର ମିଶ୍ରଙ୍କ ସହିତ ଦିଲ୍ଲୀର ଝିଅ ଆରତୀଙ୍କ ଗତ ୫ ବର୍ଷ ତଳେ ଝିଅର ପରିବାରବର୍ଗଙ୍କ ଉପସ୍ଥିତିରେ ବିବାହ ହୋଇଥିଲା ।
ସୁବ୍ରତ ଓ ଆରତୀ ଦିଲ୍ଲୀରେ ଏକ କମ୍ପାନୀରେ କାର୍ଯ୍ୟ କରୁଥିବାବେଳେ ଉଭୟଙ୍କ ମଧ୍ୟରେ ପ୍ରେମ ସଂପର୍କ ସୃଷ୍ଟି ହୋଇଥିଲା । ବିବାହ ପରେ ଉଭୟେ ଦିଲ୍ଲୀର ଶାସ୍ତ୍ରୀ ନଗର ଅଞ୍ଚଳରେ ଘରଭଡା ନେଇ ରହିଆସୁଥିଲେ ।
ବିବାହ ପରେ ଆରତୀ ସୁବ୍ରତ କାର୍ଯ୍ୟ କରୁଥିବା କମ୍ପାନୀ ଛାଡି କେଜରୀୱାଲାଙ୍କ ସ୍ୱଛତା ମିଶନରେ ଜଣେ ସ୍ୱଛସାଥୀ ଭାବରେ କାର୍ଯ୍ୟ କରିଆସୁଥିଲେ । ବିବାହଙ୍କ ପରେ ସୁବ୍ରତ ଓ ଆରତୀଙ୍କ ଏକ କନ୍ୟା ସନ୍ତାନ ଜନ୍ମ ହୋଇଥିଲା । ସୁବ୍ରତ ପ୍ରତିଦିନ ମଦ୍ୟାପନ କରି ଘରକୁ ଆସିବା ସହିତ ଆରତୀଙ୍କୁ ଶାରିରୀକ ନିର୍ଯ୍ୟାତନା ଦେଇଆସୁଥିଲେ ।
ଏ ସଂପର୍କରେ ଆରତୀ ନିଜର ପିତାମାତାଙ୍କୁ ଜଣାଇବାପରେ ସେମାନେ ବୁଝାଇବା ସତ୍ୱେ ସୁବ୍ରତଙ୍କ କୌଣସି ପରିବର୍ତ୍ତନ ହୋଇନଥିଲା । ଗତ ଫେବୃୟାରୀ ମାସରେ ସୁବ୍ରତ ହଠାତ ନିଜର ୪ବର୍ଷର ଶିଶୁ କନ୍ୟାକୁ ସଙ୍ଗରେ ଧରି ଦିଲ୍ଲୀରୁ ଫେରାର ହୋଇଯାଇଥିଲା ।
ଆରତୀ ନିଜର ସ୍ୱାମୀ ଓ ଶିଶୁକନ୍ୟାକୁ ଅନେକ ଖୋଜାଖୋଜି କରିବାପରେ ଗତ ଫେବୃୟାରୀ ୧୭ ତାରିଖରେ ଦିଲ୍ଲୀର ଏକ ଥାନାରେ ଏନେଇ ଅଭିଯୋଗ କରିଥିଲେ ଏବଂ ତାଙ୍କର ଶିଶୁ କନ୍ୟାକୁ ଖୋଜିଆଣିବାକୁ ନିବେଦନ କରିଥିଲେ ।
ଆରତୀଙ୍କ ମାମଲା ଦିଲ୍ଲୀର ୱାନଷ୍ଟପ ସେଣ୍ଟକୁ ପଠାଯାଇଥିଲା । ସୁବ୍ରତଙ୍କ ମୋବାଇଲ ଟ୍ରାକିଂ କରାଯିବା ସହିତ ସୂଚନା ସଂଗ୍ରହ କରାଯିବାପରେ ସେ ଓଡ଼ିଶାର ବୌଦ୍ଧଜିଲ୍ଲା ଅନ୍ତର୍ଗତ ମହିସରପିଣ୍ଡାର ନିଜର ଭଉଣୀଙ୍କ ଘରେ ଥିବାର ସୂଚନା ମିଳିଥିଲା ।
ତେଣୁ ଦିଲ୍ଲୀର ୱାନଷ୍ଟପ ସେଣ୍ଟର ପକ୍ଷରୁ ବୌଦ୍ଧ ୱାନଷ୍ଟପ ସେଣ୍ଟର ସହିତ ଯୋଗାଯୋଗ କରାଯାଇ ଆରତୀଙ୍କ ଶିଶୁ କନ୍ୟାର ଉଦ୍ଧାର ପାଇଁ ସହଯୋଗ କରିବାକୁ ନିବେଦନ କରାଯାଇଥିଲା । ଫଳରେ ଆରତୀ ନିଜର ଶିଶୁ କନ୍ୟାର ଉଦ୍ଧାର ପାଇଁ ସୁଦୂର ଦିଲ୍ଲୀରୁ ଆସି ଗତ ମାର୍ଚ୍ଚ ୨୮ ତାରିଖରେ ବୌଦ୍ଧ ୱାନଷ୍ଟପ ସେଣ୍ଟରରେ ପହଞ୍ଚିଥିଲେ ।
ୱାନଷ୍ଟପ ସେଣ୍ଟର ଜରିଆରେ ସେ ବୌଦ୍ଧ ଜିଲ୍ଲାପାଳ ଓ ଏସପିଙ୍କୁ ମଧ୍ୟ ସାକ୍ଷାତ କରି ତାଙ୍କର ଶିଶୁ କନ୍ୟାର ଉଦ୍ଧାର ପାଇଁ ନିବେଦନ କରିଥିଲେ । ପୋଲିସ ପକ୍ଷରୁ ମନମୁଣ୍ଡା ଥାନା ଅନ୍ତର୍ଗତ ମହିସରପିଣ୍ଢା ଗ୍ରାମରେ ଥିବା ସୁବ୍ରତଙ୍କ ଭଉଣୀଘର ଯାଞ୍ଚ କରାଯିବାପରେ ସେଠାରୁ ସୁବ୍ରତ ଫେରାର ହୋଇସାରିଥିଲେ ।
ଯେହେତୁ ସୁବ୍ରତଙ୍କ ଘର ଗଂଜାମ ଜିଲ୍ଲାରେ ତେଣୁ ଏହି ମାମଲାରେ ବୌଦ୍ଧ ପୋଲିସ କିମ୍ବା ପ୍ରଶାସନ କିଛି କରିପାରିବନାହିଁ ବୋଲି ଆରତୀଙ୍କୁ କୁହାଯାଇଥିଲା । ବୌଦ୍ଧ ୱାନଷ୍ଟପ ସେଣ୍ଟର ପକ୍ଷରୁ ଆରତୀଙ୍କୁ ବୌଦ୍ଧ ଆଶ୍ରୟ ସଂସ୍ଥାରେ ରଖାଯାଇଥିଲା ।
ପାଞ୍ଚଦିନ କାଳ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିବାପରେ ଦିଲ୍ଲୀ ପୋଲିସ ସହାୟତାରେ ନିଜର ଶିଶୁ କନ୍ୟାର ଉଦ୍ଧାର ପାଇଁ ଉଦ୍ୟମ କରିବାକୁ ତାଙ୍କୁ କିଛି ବ୍ୟକ୍ତିବିଶେଷ ପରାମର୍ଶ ଦେବା ସହିତ ଦିଲ୍ଲୀ ଫେରିଦିବାକୁ ପରାମର୍ଶ ଦେବାପରେ ଆରତୀ ଓଙ୍ଗ଼ିଶାରୁ ନିରାଶ ହୋଇ ଝାରସୁଗୁଡାରୁ ବିମାନ ଯୋଗେ ଦିଲ୍ଲୀ ଫେରିଯାଇଥିବା ଜଣାଯାଇଛି ।
ବିମାନରେ ଫେରିବାକୁ ଅର୍ଥ ନଥିବାରୁ ଆଶ୍ରୟ ସଂସ୍ଥା ପକ୍ଷରୁ ତାଙ୍କୁ ଦିଲ୍ଲୀ ଫେରିଯିବାକୁ ତାଙ୍କୁ କିଛି ଆର୍ଥିକ ସହାୟତା ଯେଗାଇ ଦିବଆଯିବା ସହିତ ଝାରସୁଗୁଡା ବିମାନ ବନ୍ଦର ପର୍ଯ୍ୟନ୍ତ ଛାଡିବାର ବ୍ୟବସ୍ଥା କରାଯାଇଥିଲା ।
ତେବେ ଦେଶର ଯେକୌଣସି ସ୍ଥାନରେ ମହିଳାମାନଙ୍କୁ ସୁରକ୍ଷା ଓ ପୁଲିସ ସହାୟତା ନେଇ ଆଇନରେ ସ୍ପଷ୍ଟ ନିର୍ଦ୍ଦେଶ ରହିଥିଲେ ମଧ୍ୟ ଦିଲ୍ଲୀର ଜଣେ ଝିଅ ବିବାହ ପ୍ରତାରଣାର ଶୀକାର ହେବାପରେ ନିଜର ଶିଶୁ କନ୍ୟାର ଉଦ୍ଧାର ପାଇଁ ଓଡ଼ିଶା ଆସି କୌଣସି ସହାୟତା ନପାଇ ନିରାଶ ହୋଇ ପୁଣିଥରେ ଦିଲ୍ଲୀ ଫେରିଯିବା ଘଟଣା ବୁଦ୍ଧଜିବୀ ମହଲରେ ଆଲୋଡନ ସୃଷ୍ଟି କରିଛି ।
କୁଣ୍ଡା ବୋଝେଇ ଟ୍ରକରେ ମହାରାଷ୍ଟ୍ର ଚାଲାଣବେଳେ ୧୫୦ କିଲୋ ଗଂଜେଇ ଜବତ
ବୌଦ୍ଧ,୫/୪: ଗଂଜେଇ ମାଫିଆଙ୍କ ବିରୋଧରେ ବୌଦ୍ଧ ପୁଲିସକୁ ମିଳିଛି ଏକ ବଡ ସଫଳତା । ଆନ୍ତଃରାଜ୍ୟ ଗଂଜେଇ ଚାଲାଣ ଗ୍ୟାଙ୍ଗର ପର୍ଦାଫାସ କରିବା ସହିତ ଦୁଇଜଣ ଅଭିଯୁକ୍ତଙ୍କୁ ଗିରଫ କରିବାରେ ବୌଦ୍ଧ ପୁଲିସ ସଫଳ ହୋଇଛି । ସୂଚନା ମୁତାବକ କନ୍ଧମାଳ ଜିଲ୍ଲାରୁ ବୌଦ୍ଧ ଦେଇ ଗଂଜେଇ ଚାଲାଣ ହେଉଥିବା ବିଶ୍ୱସ୍ତ ସୁତ୍ରରୁ ସୂଚନା ପାଇ ବୌଦ୍ଧଥାନାର ସବଇନିସପେକ୍ଟର ରାମ ସୁବ୍ରମଣ୍ୟମ ପ୍ରଧାନଙ୍କ ନେତୃତ୍ୱରେ ଏକ ଟିମ ବୌଦ୍ଧ ମହାନଦୀ ବ୍ରିଜଛକଠାରେ ପେଟ୍ରୋଲିଂ କରୁଥିବାବେଳେ ଚାରିଛକ ପଟରୁ ସୁବର୍ଣ୍ଣପୁର ଆଡକୁ ଯାଉଥିବା ଏକ ଟ୍ରକକୁ ସନ୍ଦେହରେ ଅଟକାଇ ଯାଞ୍ଚ କରିଥିଲେ ।
ମହାରାଷ୍ଟ୍ର( ଏମଏଚ-ୱାଇ- ୪୦- ୪୩୧୯) ନମ୍ବର ଥିବା ଉକ୍ତ ଟ୍ରକରେ କୁଣ୍ଡା ବୋଝେଇ ହୋଇଥିବାବେଳେ ପୋଲିସ ଟ୍ରକକୁ ଅଟକାଇ ଯାଞ୍ଚ କରିବାପରେ ସେଥିମଧ୍ୟରୁ ୬ ଗୋଟି ବସ୍ତାରେ ଥିବା ୧୫୦ କିଲୋ ଗଂଜେଇ ଜବତ କରାଯାଇଥିଲା । କୁଣ୍ଡା ବୋଝେଇ ଟ୍ରକ ଭିତରେ ଗଂଜେଇ କନ୍ଧମାଳ ଜିଲ୍ଲାରୁ ମହାରାଷ୍ଟ୍ର ଚାଲାଣ କରାଯାଉଥିବା ତଦନ୍ତବେଳେ ଜଣାପଡିଥିବା ପୁଲିସ ସୁତ୍ରରୁ ସୂଚନା ମିଳିଛି ।
ତେବେ ଏକଜୁକୁଟିଭ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଗଂଜେଇ ବସ୍ତାଗୁଡିକୁ ଜବତ ଓ ଓଜନ କରାଯାଇଥିବାବେଳେ ଟ୍ରକରେ ଥିବା ମହାରାଷ୍ଟ୍ର ରାଜ୍ୟର ନାଗପୁର ଜିଲ୍ଲା ନୟାଗୋଦାମ ଆନନ୍ଦ ବୁଦ୍ଧବିହାର, କାମ୍ପଟେ ଅଞ୍ଚଳର ଶ୍ୟାମଲ ୱାସନିକ ଓ ଅବିନାଶ ଚନ୍ଦ୍ର ମିତ୍ରମଙ୍କୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି ।
ଜଳୁଛି ଜଙ୍ଗଲ, ଉଜୁଡୁଛି ବନ୍ୟ ସଂପଦ
ବୌଦ୍ଧ,୫/୪: ବୌଦ୍ଧଜିଲ୍ଲା ପ୍ରାକୃତିକ ସଂପଦରେ ଭରପୁର ରହିଛି । ବନ ପାହଡ ହେରା ଜିଲ୍ଲାରେ ପ୍ରଚୁର ପରିମାଣରେ ଜଙ୍ଗଲ ସଂପଦ ଭରି ରହିଛି । ଏହି ଜଙ୍ଗଲ ସଂପଦକୁ ସୁରକ୍ଷା ପାଇଁ ବନ ବିଭାଗ ପକ୍ଷରୁ ଯେତେ ମାତ୍ରରେ ଉଦ୍ୟମ କରାଯାଉଥିଲେ ମଧ୍ୟ ବନ ସଂପଦକୁ ସୁରକ୍ଷା ଦେବାରେ ବିଫଳ ହେଉଛି । ବନ ସୁରକ୍ଷା ପାଇଁ ବିଭାଗ ପକ୍ଷରୁ ଗାଁ ଗାଁରେ ବୈଠକ କରି ସଚେତନତା କରାଯାଉଥିଲେ ମଧ୍ୟ ଜଙ୍ଗଲ ପୋଡି କମି ବାରେ ନା ଧରୁନାହିଁ । ଜିଲ୍ଲାରେ ଚଳିତବର୍ଷ ପ୍ରବଳ ଗ୍ରୀଷ୍ମପ୍ରବାହ ଜାରି ରହିଥିବା ବେଳେ ଜଙ୍ଗଲନିଆଁ ବନ ବିଭାଗର ଚିନ୍ତା ବଢାଇଦେଲାଣି ।
ଗୋଟିଏ ମୁଣ୍ଡରୁ ନିଆଁ ଲିଭାଇଲେ ଆର ମୁଣ୍ଡରୁ ଜଙ୍ଗଲ ହୁ ହୁ ହୋଇ ଜଳିବାରେ ଲାଗିଛି । ଅନେକ ସ୍ଥାନରେ ବନ ସୁରକ୍ଷା ସମିତିମାନେ ଜଙ୍ଗଲ ନିଆଁ ଲିଭାଇବାକୁ ଉଦ୍ୟମ କରୁଛନ୍ତି ହେଲେ ପ୍ରତିଦିନ କେଉଁଠି ନା କେଉଁଠି ଜଙ୍ଗଲରେ ନିଆଁ ଲାଗିରହି ଥିବାର ଅଭିଯୋଗ ହେଉଛି ।
ନିଆଁରେ ହଜାର ହଜାର ମୁଲ୍ୟବାନ ଗଛ ପୋଡି ଯାଉଛି । ଜିଲ୍ଲାର ହରଭଙ୍ଗା ବ୍ଲକ ମାଧପୁର ରେଞ୍ଜ ଅନ୍ତର୍ଗତ ହାତୀଧରା ଓ ମୁଣ୍ଡେସର ଜଙ୍ଗଲରେ ଅନେକ ସ୍ଥାନରେ ନିଆଁ ଲାଗିଥିବା ବେଳେ ନିଆଁକୁ ଆୟତ୍ତ କରିବାରେ ବନ ବିଭାଗ ବିଫଳ ହୋଇଛି ।
ଜିଲ୍ଲାରେ ହାତୀଧରା ଜଙ୍ଗଲର ଅନେକ ଗୁରୁତ୍ୱ ରହିଛି । ପଦ୍ମତୋଳା ଜଙ୍ଗଲକୁ ସଂଯୋଗ କରୁଥିବା ଏହି ଜଙ୍ଗଲରେ ରାଜାଙ୍କ ସମୟରେ ପ୍ରଜାମାନେ ବେଠି ଖଟି ଏହି ଜଙ୍ଗଲରେ ଶାଗୁଆନ ଗଛ ଲଗାଇଥିବାର କୁହାଯାଏ ।
ବର୍ତମାନ ଜିଲ୍ଲାର ବଡ ଜଙ୍ଗଲ କହିଲେ ହାତୀଧରା, ମୁଣ୍ଡେଶ୍ୱର ଓ ପଦ୍ମତୋଳା, ସୁବର୍ଣ୍ଣଗିରି, ନାଗାର୍ଜ୍ଜୁନ, ବାଙ୍କିମୁଣ୍ଡି ଆଦି ଜଙ୍ଗଲକୁ ବୁଝାଯାଏ । ହାତୀଧରା ଜଙ୍ଗଲ ମଧ୍ୟରେ ରହିଛି ଘଞ୍ଚ ଜଙ୍ଗଲ ଅଞ୍ଚଳ ଦାନିଗାଡୁ,କେରେଡିଗୁଜୁ,ବାଘଦଳି । ଏହି ଜାଗାମାନଙ୍କରେ ବର୍ଷ ତମାମ ପାଣି ରହିଥାଏ ।
ତେଣୁ ହାତୀ, ଭାଲୁ, ବାରହା. ସମ୍ବର, ହରିଣ, କୁଟୁରା ଆଦି ବନ୍ୟପ୍ରାଣୀ ଏହି ଅଞ୍ଚଳରେ ଦେଖାଯାଆନ୍ତି । କିନ୍ତୁ ବର୍ତମାନ ଜଙ୍ଗଲରେ ବାରମ୍ବାର ନିଆଁ ଲାଗୁଥିବା ଯୋଗୁଁ ବନ୍ୟଜନ୍ତୁ ଏବେ ଗ୍ରାମମୁହାଁ ହେଉଥିବା ନେଇ ସବୁ ସମୟରେ ଗ୍ରାମବାସୀମାନେ ଭୟରେ କାଳାତିପାତ କରୁଛନ୍ତି । ଜଙ୍ଗଲ ନିଆଁ ଯୋଗୁଁ ବହୁ ମୂଲ୍ୟବାନ ଗଛ ଓ ଔଷଧୀୟ ବୃକ୍ଷ ପୋଡି ନଷ୍ଟ ହୋଇଯାଉଥିବାରୁ ସାଧାରଣରେ ଉଦବେଗ ପ୍ରକାଶ ପାଉଅଛି ।
ତେବେ ଜଙ୍ଗଲ ନିଆଁକୁ ଆୟତ୍ତ କରିବା କେବଳଯେ ବନ ବିଭାଗର ଦାୟିତ୍ୱ ବୋଲି ନଭାବି ଗ୍ରାମବାସୀ ,ବନ ସୁରକ୍ଷା ସମିତି ସମସ୍ତେ ମିଳିମିଶି ଉଦ୍ୟମ କଲେ ଜିଲ୍ଲାରେ ଜଙ୍ଗଲ ସଂପଦ ରକ୍ଷା କରାଯାଇପାରିବ ବୋଲି ସାଧାରଣରେ ମତପ୍ରକାଶ ପାଉଅଛି ।
ଟ୍ରାନ୍ସଫରମର ପୋଡି ଯୋଗୁଁ ତିନି ଦିନ ହେବ ଅନ୍ଧାରରେ ଭରତାପୁର ଗ୍ରାମ
ବୌଦ୍ଧ,୫/୪: ବୌଦ୍ଧଜିଲ୍ଲାରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବା ବେଳେ ଜିଲ୍ଲାର ତାପମାତ୍ର ପ୍ରାୟତଃ ୪୦ ଡିଗ୍ରୀ ଉପରେ ରହୁଛି । ଗ୍ରୀଷ୍ମ ପ୍ରବାହ ଯୋଗୁଁ ଜନସାଧାରଣ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।
ଏପରିସ୍ଥଳେ ଜିଲ୍ଲାର ହରଭଙ୍ଗା ବ୍ଲକର ସାମ୍ପୋଚ ପଂଚାୟତର ଭରତାପୁର ଗ୍ରାମରେ ଗତ ତିନି ଦିନ ହେବ ଲାଇନ ନ ଥିବାରୁ ଲୋକମାନେ ଅନ୍ଧାରରେ ରହୁଥିବାର ଅଭିଯୋଗ କରିଛନ୍ତି ।
ପ୍ରବଳ ଗ୍ରୀଷ୍ମ ପ୍ରବାହ ସାଙ୍ଗକୁ ଲାଇନ ନ ଥିବା ଲୋକଙ୍କ ସମସ୍ୟାକୁ ଦିଗୁଣ କରିଦେଇଛି । ଗ୍ରାମରେ ଥିବା ଟ୍ରାନ୍ସଫରମରଟି ଗତ ତିନିତିନ ତଳେ ପୋଡି ଯାଇଥିବାରୁ ଲୋକମାନେ ବିଦ୍ୟୁତ ସୁବିଧା ପାଇବାରୁ ବଂଚିତ ହେଇଛନ୍ତି । ଏହି ନେଇ ଗ୍ରାମବାସୀ ବିଭାଗୀୟ ଅଧିକାରୀଙ୍କୁ ଜଣାଇଥିଲେ ମଧ୍ୟ କରାଯିବ ବୋଲି କହି ବିଭାଗୀୟ କତୃପକ୍ଷ ଟାଳିଚାଲିଛନ୍ତି ।
ଗ୍ରାମବାସୀଙ୍କ ଠାରେ ବିଦ୍ୟୁତ ଶୁକ୍ଲ ବାବଦକୁ ବକେୟା ଥିବା ଟଙ୍କାରୁ ଗ୍ରାମବାସୀମାନେ ୫୦ ପ୍ରତିଶତ ଟଙ୍କା ପ୍ରାୟ ଏକ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ଗତ ୨୯ ତାରିଖରେ ବିଭାଗରେ ଡିପୋଜିଟ କରିଛନ୍ତି ବୋଲି ଗ୍ରାମବାସୀ ପ୍ରକାଶ କରିଛନ୍ତି ।
ହେଲେ ସେମାନଙ୍କୁ ବିଦ୍ୟୁତ ସେବା ଯୋଗାଇ ଦିଆଯାଇ ପାରୁନାହିଁ । ଗ୍ରାମରେ ପ୍ରାୟ ଦୁଇଶହ ଲୋକ ବସବାସ କରୁଛନ୍ତି । ଲାଇନ ନ ଥିବା ଯୋଗୁଁ ଛଟପଟ ହେଉଛନ୍ତି । ଏପରିସ୍ଥଳେ ବିଭାଗୀୟ କତୃପକ୍ଷ ସେମାନଙ୍କୁ ତୁରନ୍ତ ବିଦ୍ୟୁତ ସେବା ଯୋଗାଇ ଦେବାକୁ ଦାବି ହେଉଛି ।
ଫ୍ୟୁଜନ କ୍ଲବ ପକ୍ଷରୁ ବ୍ୟାଡମିଣ୍ଟନ ପ୍ରତିଯୋଗୀତା ଅନୁଷ୍ଠିତ
ବୌଦ୍ଧ,୫/୪: ବୌଦ୍ଧ ସହରସ୍ଥିତ ପୁରୁଣା ଆଇଟିଆଇ ପରିସରରେ ଫ୍ୟୁଜନ କ୍ଲବ ପକ୍ଷରୁ ଏକ ବ୍ୟାଡମିଣ୍ଟନ ପ୍ରତିଯାଗୀତା ଅନୁଷ୍ଠିତ ହୋଇଥିଲା । ଏହି ପ୍ରତିଯୋଗୀତାରେ ୬ଟି ଦଳ ଅଂଶ ଗ୍ରହଣ କରିଥିଲେ ।
ଫାଇନାଲ ମ୍ୟାଚ ଡ. ବିଜୟ, ପ୍ରଦିପ ଦଳ ସହିତ ଡ. କିଶୋର, କାହ୍ନା ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଏଥିରେ ଡ. ବିଜୟ ପ୍ରଦିପ ଗୃପ ବିଜୟ ଲାଭ କରିଥିଲେ । ପୁରସ୍କାର ବିତରଣୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଶଲ୍ୟ ବିଭାଗର ବିଶେଷଜ୍ଞ ଡା.ଅରୁଣ ବିଶ୍ୱାଳ ଓ ବୌଦ୍ଧ ପଂଚାୟତ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରକାଶ ବେହେରା ଯୋଗଦେଇ ବିଜୟତା ଓ ଉପବିଜତା ଦଳକୁ ଟ୍ରଫି ପ୍ରଦାନ କରିଥିଲେ ।
ମ୍ୟାଚ ଗୁଡିକୁ ରେଫରୀ ଭାବରେ ସୁବ୍ରତ ପୁରୋହିତ ପରିଚାଳନା କରିଥିବା ବେଳେ ମ୍ୟାଚ ପରିଚାଳନାରେ ଜିତେନ୍ଦ୍ର ମିଶ୍ର, ନୀଳମଣୀ ପ୍ରଧାନ, ପଲସ୍ତି ପ୍ରଧାନ, ଜଗନ୍ନାଥ ହର, ଶରତ ପଣ୍ଡା ପ୍ରମୁଖ ସହଯୋଗ କରିଥିଲେ ।

Related Posts

Seo wordpress plugin by www.seowizard.org.