ବୌଦ୍ଧ ଜିଲ୍ଲାରେ ତୀବ୍ର ଗ୍ରୀଷ୍ମ ପ୍ରବାହ ଜାରି : ଆଜି ସର୍ବାଧିକ ତାପମାତ୍ରା ୪୪.୨ ଡିଗ୍ରୀ ସେଲସିଅସ୍
କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ, ୨୧/୫ : ଜିଲ୍ଲା ଜରୁରୀକାଳୀନ ପରିଚାଳନା କେନ୍ଦ୍ର (DEOC), ବୌଦ୍ଧ ପକ୍ଷରୁ ଆଜି ସନ୍ଧ୍ୟା ୫.୩୦ ଘଟିକା ସୁଦ୍ଧା ପ୍ରକାଶିତ ପାଣିପାଗ ବିବରଣୀ ଅନୁଯାୟୀ ଜିଲ୍ଲାରେ ତୀବ୍ର ଖରା ଓ ଉଷ୍ମ ଅବସ୍ଥା ଜାରି ରହିଛି।
ଆଜି ବୌଦ୍ଧ ଜିଲ୍ଲାର ସର୍ବାଧିକ ତାପମାତ୍ରା ୪୪.୨ ଡିଗ୍ରୀ ସେଲସିଅସ୍ ରେକର୍ଡ କରାଯାଇଥିବା ବେଳେ ସନ୍ଧ୍ୟା ୫.୩୦ ସୁଦ୍ଧା ଡ୍ରାଇ ବଲ୍ବ ତାପମାତ୍ରା ୩୯.୮ ଡିଗ୍ରୀ ସେଲସିଅସ୍ ଏବଂ ୱେଟ ବଲ୍ବ ତାପମାତ୍ରା ୩୪.୮ ଡିଗ୍ରୀ ସେଲସିଅସ୍ ରହିଥିଲା।
ସେହିପରି ଡ୍ୟୁ ପଏଣ୍ଟ ୩୩.୪ ଡିଗ୍ରୀ ସେଲସିଅସ୍ ନଓ ଆପେକ୍ଷିକ ଆର୍ଦ୍ରତା ୭୧ ପ୍ରତିଶତ ରେକର୍ଡ ହୋଇଛି। ଆଜି ଜିଲ୍ଲାରେ କୌଣସି ବର୍ଷାପାତ ହୋଇନଥିବା ବେଳେ ପାଗ ସମ୍ପୂର୍ଣ୍ଣ ଖରା ଏବଂ ରୌଦ୍ରମୟ ରହିଥିଲା।
ତୀବ୍ର ଉଷ୍ମ ପରିସ୍ଥିତିକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ସାଧାରଣ ଲୋକଙ୍କୁ ଅତ୍ୟାବଶ୍ୟକ କାମ ନଥିଲେ ଦିନ ୧୧ଟାରୁ ଅପରାହ୍ନ ୩ଟା ମଧ୍ୟରେ ଘର ବାହାରକୁ ନ ବାହାରିବାକୁ ପରାମର୍ଶ ଦିଆଯାଇଛି।
ପ୍ରଚୁର ପରିମାଣରେ ପାଣି, ଓଆରଏସ୍ ଏବଂ ହାଲୁକା ଖାଦ୍ୟ ଗ୍ରହଣ କରିବା ସହ ଶିଶୁ, ବୃଦ୍ଧ ଓ ରୋଗାକ୍ରାନ୍ତ ବ୍ୟକ୍ତିଙ୍କ ପ୍ରତି ବିଶେଷ ସତର୍କତା ଅବଲମ୍ବନ କରିବାକୁ ଅନୁରୋଧ କରାଯାଇଛି।




