ବୌଦ୍ଧ ଜିଲ୍ଲାପାଳ ହରଭଙ୍ଗା ବ୍ଲକରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ପରିଦର୍ଶନ ଓ ସମୀକ୍ଷା କଲେ
କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ, ୨୩/୯: ହରଭଙ୍ଗା ବ୍ଲକରେ ଆୟୋଜିତ ଯୁଗ୍ମ ଜନଶୁଣାଣି କାର୍ଯ୍ୟକ୍ରମ ପରେ ଆଜି ବୌଦ୍ଧ ଜିଲ୍ଲାପାଳ ବିଭୁତି ଭୂଷଣ ନାୟକ ବ୍ଲକ ଅଧୀନସ୍ଥ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର କ୍ଷେତ୍ର ପରିଦର୍ଶନ କରିବା ସହ ସେଗୁଡ଼ିକର ସମୀକ୍ଷା କରିଛନ୍ତି।
ଏହି ପରିଦର୍ଶନ ସମୟରେ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ପ୍ରଭାସ ଚନ୍ଦ୍ର ଦଣ୍ଡସେନା ଏବଂ ହରଭଙ୍ଗା ଗୋଷ୍ଠୀ ଉନ୍ନୟନ ଅଧିକାରୀ କର୍ଣ୍ଣ ସୁନା ପ୍ରମୁଖ ଉପସ୍ଥିତ ଥିଲେ।ସର୍ବପ୍ରଥମେ ଜିଲ୍ଲାପାଳ କରଞ୍ଜକଟା ଗ୍ରାମ ପଞ୍ଚାୟତର ଜାମୁପଦର ଗ୍ରାମରେ ‘ଏକ ପେଡ୍ ମାଁ କେ ନାମ୍’ ଅଭିଯାନ ତଥା ଭିବିଜି ରାମଜୀ ପ୍ରକଳ୍ପ ଅଧୀନରେ ଚାଲିଥିବା ବୃକ୍ଷରୋପଣ କାର୍ଯ୍ୟକ୍ରମର ଯାଞ୍ଚ କରିଥିଲେ। ପରେ ପୁରୁଣାକଟକ ଗ୍ରାମ ପଞ୍ଚାୟତର ଯାଜପୁର ଗ୍ରାମରେ ବୃକ୍ଷରୋପଣ କାର୍ଯ୍ୟ ବୁଲି ଦେଖିଥିଲେ।
ରୋପଣ କରାଯାଇଥିବା ସମସ୍ତ ବୃକ୍ଷର ଉପଯୁକ୍ତ ରକ୍ଷଣାବେକ୍ଷଣ ଓ ଯତ୍ନ ନେବା ପାଇଁ ସେ ସ୍ଥାନୀୟ ସରପଞ୍ଚ ତଥା ବିଭାଗୀୟ ଅଧିକାରୀମାନଙ୍କୁ ଦୃଢ଼ ନିର୍ଦ୍ଦେଶ ଦେଇଥିଲେ।
ଏହା ପରେ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଲୁଣିବାହାଲ ଗ୍ରାମ ପଞ୍ଚାୟତସ୍ଥିତ ସୁଖପାଲ ଭୂତେଶ୍ୱର ମନ୍ଦିର ଏବଂ ଏହାର ଆଖପାଖରେ କରାଯାଇଥିବା ବୃକ୍ଷରୋପଣ କାର୍ଯ୍ୟକ୍ରମ ପରିଦର୍ଶନ କରିଥିଲେ।
ସମ୍ପୋଚ ଗ୍ରାମର ଯୁବକମାନେ ଏକ ଖେଳପଡ଼ିଆ ନିର୍ମାଣ ପାଇଁ ଜିଲ୍ଲାପାଳଙ୍କ ନିକଟରେ ଦାବି କରିଥିବାରୁ, ମୁଖ୍ୟ ଉନ୍ନୟନ ଅଧିକାରୀ ଉକ୍ତ ପ୍ରସ୍ତାବିତ ଖେଳପଡ଼ିଆ ସ୍ଥଳ ପରିଦର୍ଶନ କରି ଖୁବ୍ ଶୀଘ୍ର କାର୍ଯ୍ୟକ୍ଷମ କରିବା ପାଇଁ ଯୁବକମାନଙ୍କୁ ଆଶ୍ୱାସନା ଦେଇଥିଲେ।
ଏଥିସହ ସାମ୍ପୋଚ ଗ୍ରାମ ପଞ୍ଚାୟତ ପୋଖରୀ ଏବଂ ଭିବିଜି ରାମଜୀ ଯୋଜନାରେ ହୋଇଥିବା ବୃକ୍ଷରୋପଣ ସ୍ଥଳିର ସ୍ଥିତି ମଧ୍ୟ ଯାଞ୍ଚ କରାଯାଇଥିଲା।
ଏହି ପରିଦର୍ଶନ କାର୍ଯ୍ୟକ୍ରମରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ବିଦ୍ୟାପତି ପଣ୍ଡା, ପୁରୁଣାକଟକ ସରପଞ୍ଚ ଅଶୋକ କୁମାର ସେଠୀଙ୍କ ସମେତ ବିଭାଗୀୟ ଅଧିକାରୀ,ବ୍ଲକ ଯନ୍ତ୍ରୀ ଏବଂ ବିଭିନ୍ନ ଲାଇନ୍ ବିଭାଗର ଅଧିକାରୀ ମାନେ ଉପସ୍ଥିତ ଥିଲେ।




