Odisha News

ବୌଦ୍ଧ ଜିଲ୍ଲାପାଳଙ୍କ ହରଭଙ୍ଗା ବ୍ଲକ୍‌ର ବିଭିନ୍ନ ଗ୍ରାମ ପରିଦର୍ଶନ : ବିକାଶମୂଳକ କାର୍ଯ୍ୟର ଅଗ୍ରଗତି ସମୀକ୍ଷା ସହ ଗ୍ରାମବାସୀଙ୍କ ସହ ଆଲୋଚନା କଲେ

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ, ୧୯/୧୧: ବୌଦ୍ଧ ଜିଲ୍ଲାପାଳ ବିଭୁତି ଭୂଷଣ ନାୟକ ଆଜି ହରଭଙ୍ଗା ବ୍ଲକ୍‌ର ବାଙ୍କାପାଜୁ, କଚାପାଜୁ, କନ୍ଦରା ଏବଂ କନ୍ଦରାର ହାମଲେଟ୍ ଗ୍ରାମ ସରୁପଦର ପରିଦର୍ଶନ କରି ବିଭିନ୍ନ ଉନ୍ନୟନମୂଳକ କାର‌୍ୟ୍ୟର ଅଗ୍ରଗତି ଓ ସ୍ଥିତି ସମୀକ୍ଷା କରିଥିଲେ।
ଏହି ଅବସରରେ ଜିଲ୍ଲାପାଳ ନିର୍ମାଣାଧୀନ ରାସ୍ତା କାର୍ଯ୍ୟର ତଦାରଖ କରିବା ସହ କାର୍ଯ୍ୟର ମାନ ଓ ଅଗ୍ରଗତି ସମ୍ପର୍କରେ ଅଧିକାରୀମାନଙ୍କଠାରୁ ସବିଶେଷ ତଥ୍ୟ ନେଇଥିଲେ।
ରାସ୍ତା ନିର୍ମାଣ କାର୍ଯ୍ୟ ନିର୍ଦ୍ଧାରିତ ମାନଦଣ୍ଡ ଅନୁଯାୟୀ ସମ୍ପାଦନ କରିବା ସହ ନିର୍ଦ୍ଧାରିତ ସମୟରେ କାର୍ଯ୍ୟ ଶେଷ କରିବା ଉପରେ ସେ ଗୁରୁତ୍ୱ ଦେଇଥିଲେ।
ପରିଦର୍ଶନ ସମୟରେ ଜିଲ୍ଲାପାଳ ଗ୍ରାମବାସୀଙ୍କ ସହ ସିଧାସଳଖ ଆଲୋଚନା କରି ଗ୍ରାମୀଣ ଆବାସ ଯୋଜନାରେ ଗୃହ ନିର୍ମାଣର ସ୍ଥିତି, ଶିକ୍ଷା ଓ ସ୍ୱାସ୍ଥ୍ୟସେବା, ସାମାଜିକ ସୁରକ୍ଷା ଭତ୍ତା, ଖାଉଟି ସାମଗ୍ରୀ ବଣ୍ଟନର ସୁବିଧା ଏବଂ ଠଈ-ଏଜଇଗଏ କାର୍ଯ୍ୟକ୍ରମର କାର୍ଯ୍ୟାନ୍ୱୟନ ସମ୍ପର୍କରେ ପଚାରି ବୁଝିଥିଲେ।
ସରକାରୀ ଯୋଜନା ଓ ସେବାଗୁଡ଼ିକର ସୁଫଳ ଯେପରି ପ୍ରତ୍ୟେକ ଯୋଗ୍ୟ ହିତାଧିକାରୀଙ୍କ ନିକଟରେ ପହଞ୍ଚିବ, ସେଥିପାଇଁ ସେ ଅଧିକାରୀମାନଙ୍କୁ ଆବଶ୍ୟକ ପଦକ୍ଷେପ ନେବାକୁ ପରାମର୍ଶ ଦେଇଥିଲେ।
ଏହାପରେ ଜିଲ୍ଲାପାଳ କଚାପାଜୁ ବିଦ୍ୟାଳୟ ପରିଦର୍ଶନ କରି ଶ୍ରେଣୀଗୃହରେ ଶିକ୍ଷାଦାନର ସ୍ଥିତି ଅନୁଧ୍ୟାନ କରିବା ସହ ଛାତ୍ରଛାତ୍ରୀଙ୍କ ସହ ଭାବ ବିନିମୟ କରିଥିଲେ।
ଏଥିସହ ବିଦ୍ୟାଳୟରେ ଶିଶୁମାନଙ୍କ ପାଇଁ ପ୍ରସ୍ତୁତ ହେଉଥିବା ଖାଦ୍ୟର ମାନ ଓ ପ୍ରସ୍ତୁତି ପ୍ରକ୍ରିୟା ମଧ୍ୟ ଯାଞ୍ଚ କରିଥିଲେ।
ଏହି ପରିଦର୍ଶନ ସମୟରେ ହରଭଙ୍ଗା ବିଡିଓ ଶ୍ରୀ କର୍ଣ୍ଣ ସୁନା, ଗ୍ରାମ୍ୟ ନିର୍ମାଣ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ ଓ କନିଷ୍ଠ ଯନ୍ତ୍ରୀ, ବିପିସି ଏବଂ ଆଡେଣିଗଡ଼ ଗ୍ରାମ ପଞ୍ଚାୟତର ପିଇଓ ଉପସ୍ଥିତ ଥିଲେ।

Related Posts