ବୌଦ୍ଧ ଜ଼ିଲ୍ଲାରେ ବେଆଇନ ଲିଙ୍ଗ ନିରୁପଣ ରୋକିବାକୁ ଜିଲ୍ଲା ଉଦଦେଷ୍ଟା କମିଟି ବୈଠକ ଅନୁଷ୍ଠିତ

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ, ୧/୬ : ବୌଦ୍ଧ ଜିଲ୍ଲାରେ ବେଆଇନ ଲିଙ୍ଗ ନିରୂପଣ ରୋକିବା ପାଇଁ ଜିଲ୍ଲା ଉପଦେଷ୍ଟା କମିଟି ବୈଠକ ଜିଲ୍ଲାପାଳ ସୁବ୍ରତ କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଜ଼ିଲ୍ଲାପାଳ ଙ୍କ ସମ୍ମିଳନୀ କକ୍ଷ ରେ ଅନୁଷ୍ଠିତ ହୋଇଯାଇଛି ।
ବେଆଇନ ଲିଙ୍ଗ ନିରୁପଣ ରୋକିବା ପାଇଁ କାର୍ଯ୍ୟକାରୀ ହୋଇଥିବା ଆଇନ ୧୯୯୪ ରୁ ଲାଗୁ କରାଯାଇଛି । ବୌଦ୍ଧ ଜିଲ୍ଲାରେ ସର୍ବମୋଟ ୭ ଗୋଟି ଅଲଟ୍ରାସାଉଣ୍ଡ କେନ୍ଦ୍ର ପଂଜିକୃତ ହୋଇଥିବା ବେଳେ ତନ୍ମଧ୍ୟରୁ ୩ ଗୋଟି କାର୍ଯ୍ୟ କରୁଅଛି ।
ଜିଲ୍ଲା ମୁଖ୍ୟଚିକିତ୍ସାଳୟରେ ମାଗଣାରେ ଅଲଟ୍ରାସାଉଣ୍ଡ ସେବା ଯୋଗାଇ ଦିଆଯାଉଅଛି । ସର୍ବେକ୍ଷଣ ଅନୁଯାୟୀ ବୌଦ୍ଧଜିଲାରେ ପୁଅଙ୍କ ତୁଳନାରେ ଝିଅଙ୍କ ସଂଖ୍ୟା କମିବାରେ ଲାଗିଛି ।
ବୈଠକରେ ଦିଆଯାଇଥିବା ସୂଚନା ମୁତାବକ ୨୦୨୪-୨୫ ରେ କଣ୍ଟାମାଳ ଓ ବୌଦ୍ଧ ବ୍ଲକରେ ନବ ଜନ୍ମିତ ଝିଅଙ୍କ ସଂଖ୍ୟା ପୁଅ ତୁଳନାରେ ଅଧିକ ରହିଥିବାବେଳେ ଜିଲା ମୁଖ୍ୟାଳୟ ଓ ହରଭଙ୍ଗା ବ୍ଲକରେ କମ ରହିଛି ।
ଏହାର କାରଣ ସଂପର୍କରେ ଅନୁଧ୍ୟାନ କରି ରିପୋର୍ଟ ପ୍ରଦାନ କରିବାକୁ ଜିଲା ସ୍ୱାସ୍ଥ୍ୟ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅଲଟ୍ରାସାଉଣ୍ଡ ଥିବା ସତ୍ୱେ ବେସରକାରୀ କ୍ଲିନିକ ଗୁଡିକରେ ଅଲଟ୍ରାସାଉଣ୍ଡ ସଂଖ୍ୟା ବୃଦ୍ଧି ପାଉଥିବା କାରଣରୁ ଏ ସଂପର୍କରେ ତଦନ୍ତ କରି ରିପୋର୍ଟ ପ୍ରଦାନ କରିବାକୁ ଜିଲ୍ଲା ମୁଖ୍ୟଚିକିତ୍ସାଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା ।
ବେସରକାରୀ କ୍ଲିନିକ୍ ଗୁଡିକରେ ଲିଙ୍ଗ ନିରୁପଣ ଆଇନ ଉଲଂଘନ କରାଯାଉଥିଲେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ବୈଠକରେ ନିଷ୍ପତି ଗ୍ରହଣ କରାଯାଇଛି ।
କୌଣସି ଅଲଟ୍ରାସାଉଣ୍ଡ କେନ୍ଦ୍ରରେ ବେଆଇନ ଲିଙ୍ଗ ନିରୂପଣ କରାଯାଉଥିବା ନେଇ ସୂଚନା ପ୍ରଦାନ କରାଗଲେ ସଂପୃକ୍ତ ବ୍ୟକ୍ତିବିଶେଷଙ୍କୁ ପ୍ରଶାସନ ପକ୍ଷରୁ ପ୍ରୋତ୍ସାହନ ରାଶି ଟ ୨୫୦୦୦/- ପ୍ରଦାନ କରାଯିବା ସହିତ ତାଙ୍କର ନାମ ଓ ସମସ୍ତ ତଥ୍ୟକୁ ଗୋପନ ରଖିବା ସହ ଆଇନଗତ ମାମଲାର ସମ୍ମୁଖିନ ହେବାକୁ ପଡିବନାହିଁ ବୋଲି ପ୍ରଶାସନ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।
ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଭାରପ୍ରାପ୍ତ ମୁଖ୍ୟଚିକିତ୍ସାଧିକାରୀ ଡା.ମଦନ ମୋହନ ପ୍ରଧାନ,ଏ.ଡି.ପି.ଏଚ.ଓ ଡା. ବିକେଆରସି ଦେଓ ହେମ୍ବ୍ରମ, ଏଡିଏମଓ ଡା. କିଶୋର ଚନ୍ଦ୍ର ପଟ୍ଟନାୟକ,ଶିଶୁ ରୋଗ ବିଶେଷଜ୍ଞ ଡ. ବିଜୟ କୁମାର ସାହୁ,ସ୍ତ୍ରୀ ଓ ପ୍ରସୁତୀ ରୋଗ ବିଶେଷଜ୍ଞ ଡ. ଦେବାନନ୍ଦ ସୁବୁଦ୍ଧି ଓ ଡ. ସୁଦର୍ଶନ ମେହେର , ଜିଲ୍ଳା ସୂଚନା ଓ ଲୋକସଂପର୍କ ଅଧିକାରୀ ରିତାକାନ୍ତି ବଳିୟାରସିଂହ ଙ୍କ ସମେତ ସ୍ୱାସ୍ଥ୍ୟ ବିଭାଗର କର୍ମଚାରୀମାନେ ଉପସ୍ଥିତ ଥିଲେ ।
ଏହି ବୈଠକ କୁ ଆସିଷ୍ଟାଣ୍ଟ ମ୍ୟାନେଜର, ଲିଗାଲ ଆଫେୟାର୍ସ, (ଏନ ଏଚ ଏମ )ସୌମ୍ୟ ରଞ୍ଜନ ମଲ୍ଲିକ ପାୱାର ପଏଣ୍ଟ ମାଧ୍ୟମ ରେ ପରିଚାଳନା କରିଥିଲେ ।