Odisha News

ବୌଦ୍ଧ : ଆଉଟସୋର୍ସିଙ୍ଗ ଉଚ୍ଛେଦ ଓ ସ୍ଥାୟୀ ନିଯୁକ୍ତି ଦାବିରେ ମୁଖ୍ୟ ଶାସନ ସଚିବଙ୍କୁ ଦାବିପତ୍ର ପ୍ରଦାନ

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ,୧୯/୧୧: ଆଉଟସୋର୍ସିଙ୍ଗ ବ୍ୟବସ୍ଥା ଉଚ୍ଛେଦ ଏବଂ ସ୍ଥାୟୀ ନିଯୁକ୍ତି ଦାବିରେ ବୌଦ୍ଧଜିଲ୍ଲାରେ ବିଭିନ୍ନ କାର୍ଯ୍ୟାଲୟ ଓ ଶିକ୍ଷାନୁଷ୍ଠାନରେ କାର୍ଯ୍ୟରତ ଆଉଟସୋସିଙ୍ଗ କର୍ମଚାରୀମାନେ ଆଜି ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟ ଶାସନ ସଚିବଙ୍କୁ ଦାବିପତ୍ର ପ୍ରଦାନ କରିଥିବା ଜଣାପଡିଛି ।
ସରକାର ରାଜ୍ୟରେ ଅକ୍ଟୋବର ୧୫ ତାରିଖରେ ୫୭ ହଜାର ଠିକା କର୍ମଚାରୀଙ୍କୁ ରେଗୁଲାର କରି ସପୂର୍ଣ୍ଣ ଠିକା ବ୍ୟବସ୍ଥାକୁ ଉଚ୍ଛେଦ କରି ଏକ ଐତିହାସିକ ପଦକ୍ଷେପ ଗ୍ରହଣ କରିଥିଲେ । କିନ୍ତୁ ଓଡିଶାରେ ଥିବା ଲକ୍ଷାଧିକ ଆଉଟସୋର୍ସିଙ୍ଗ କର୍ମଚାରୀମାନେ ସରକାରଙ୍କ ସମସ୍ତ ଅଫିସ, ଶିକ୍ଷାନୁଷ୍ଠାନମାନଙ୍କରେ ଦୀର୍ଘ ଦଶ ବାର ବର୍ଷ ହେବ ମାସିକ ସ୍ୱଳ୍ପ ଦରମାରେ କାର୍ଯ୍ୟ କରିଆସୁଛନ୍ତି । ଜଣେ ରେଗୁଲାର କର୍ମଚାରୀ ସମାନ କାର୍ଯ୍ୟ ତଥା ସମୟ ଦେଇ ମାସିକ ୫୦ରୁ ୬୦ ହଜାର ଟଙ୍କା ବେତନ ପାଉଥିବା ବେଳେ ଆଉଟସୋର୍ସିଙ୍ଗ କର୍ମଚାରୀମାନେ ମାସକୁ ୭ରୁ ୮ ହଜାର ଟଙ୍କା ପାରିଶ୍ରମିକ ପାଉଛନ୍ତି । ଯାହାକି ଏକ ସମ୍ବେଦନଶୀଳ କଥା ।
ଏପରିକି ବର୍ଷ ବର୍ଷ ଧରି କାର୍ଯ୍ୟକରୁଥିବା ଏହି କର୍ମଚାରୀମାନଙ୍କୁ ଅଧିକାରୀ ଚାହିଁଲେ ଅତି ସାଧାରଣ ଭାବରେ ଚାକିରିରୁ ବହିଷ୍କାର କରିଦେଉଛନ୍ତି । ସରକାର ଯଦି ଆଉଟସୋର୍ସିଙ୍ଗ ପ୍ରଥା ସପୂର୍ଣ୍ଣ ଉଚ୍ଛେଦ, ସ୍ଥାୟୀ ନିଯୁକ୍ତି ଓ ଚାକିରିରୁ ବହିଷ୍କାର ହୋଇଥିବା କର୍ମଚାରୀମାନଙ୍କୁ ପୁନଃ ନିଯୁକ୍ତି ପ୍ରଦାନ କରିବାକୁ ସେମାନେ ଦାବିକରିଛନ୍ତି ।
ବୌଦ୍ଧ: ନାବାଳକକୁ ୧୦ ବର୍ଷ କାରାଦଣ୍ଡାଦେଶ
ବୌଦ୍ଧ,୧୯/୧୧: ବୌଦ୍ଧ ଅତିରିକ୍ତ ଜିଲ୍ଲାଦୌରାଜଜ ତଥା ସ୍ପେଶାଲ ଜଜ ଗୁରୁବାର ଦିନ ଏକ ନାବାଳିକା ଅସଦାଚରଣ ମାମଲାର ବିଚାର କରି ଜଣେ ନାବାଳକକୁ ୧୦ ବର୍ଷ କାରାଦଣ୍ଡାଦେଶ ଆଦେଶ ଦେଇଛନ୍ତି ।
ମାମଲାରୁ ପ୍ରକାଶ ମନମୁଣ୍ଡା ଥାନାର ତିଲପଙ୍ଗା (ପୁରୁଣାପାଣି) ଗ୍ରାମର ଜଣେ ନାବାଳିକାକୁ ଉକ୍ତ ଥାନା ଅଞ୍ଚଳର ଚାଂଚେର ଗ୍ରାମର ଜଣେ ନାବାଳକ ଗତ ୬.୧.୨୦୧୭ ତାରିଖ ରାସ୍ତାରୁ ଅପହରଣ କରିନେଇଥିବା ନେଇ ନାବାଳିକାର ଭାଇ ଗତ ୧୩.୧.୨୦୧୭ ତାରିଖରେ ମନମୁଣ୍ଡା ଥାନାରେ ଲିଖିତ ଅଭିଯୋଗ କରିଥିଲେ ।
ଅଭିଯୋଗ ପରେ ମନମୁଣ୍ଡା ପୁଲିସ ଥାନା କେସନଂ ୧୦/୧୭ ରେ ଏକ ମାମଲାରୁଜ କରି ତଦନ୍ତ ଆରମ୍ଭ କରିଥିଲା । ପୁଲିସ ନାବାଳକକୁ ଗିରଫ କରି ଗତ ୧୭ .୧.୨୦୧୭ରେ କୋର୍ଟକୁ ଚାଲାଣ କରିଥିଲା ।
ପରବର୍ତ୍ତୀ ସମୟରେ ମାମଲାଟି ବୌଦ୍ଧ ଅତିରିକ୍ତ ଜିଲ୍ଲାଦୌରାଜଜ ତଥା ସ୍ପେଶାଲ ଜଜଙ୍କ ଅଦାଲତରେ ସ୍ପେଶାଲ କେସ ୩/୧୭ ହୋଇ ବିଚାର ହୋଇଥିଲା । ମାମଲାରେ ସରକାରଙ୍କ ପକ୍ଷରୁ ୨୧ ଜଣ ସାକ୍ଷୀଙ୍କ ବୟାନକୁ ଭିତ୍ତି କରି ପ୍ରମାଣ ଥିବା ନେଇ ମାନ୍ୟବର କୋର୍ଟ ନାବାଳକକୁ ୧୦ ବର୍ଷ କାରାଦଣ୍ଡାଦେଶ ପ୍ରଦାନ କରିଛନ୍ତି ।
ଆହୁରୀ ମଧ୍ୟ ନାବଳାଳିକୁ କ୍ଷତିପୁରଣ ବାବଦକୁ ୬ ଲକ୍ଷ ଟଙ୍କା କ୍ଷତିପୂରଣ ରାଶି ପ୍ରଦାନ କରିବାକୁ ଜିଲ୍ଲା ଆଇନ ସେବା ପ୍ରାଧିକରଣକୁ ନିର୍ଦ୍ଦେଶ ଦେଇଛନ୍ତି । । ମାମଲାକୁ ସରକାରଙ୍କ ପକ୍ଷରୁ ସରକାରୀ ଓକିଲ ଧୁରୀଣ କୁମାର ଦେହୁରୀ ପରିଚାଳନା କରୁଥିଲେ ।
କାୟାକଳ୍ପ ସମ୍ବନ୍ଧିତତାଲିମ ଶିବିର ଅନୁଷ୍ଠିତ:ବାଉଁଶୁଣୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ପୋଷ୍ୟ ସ୍ୱାସ୍ଥ୍ୟକେନ୍ଦ୍ର ଭାବେ ଘୋଷଣା କଲେ ଜିଲ୍ଲାପାଳ
ବୌଦ୍ଧ,୧୯ା୧୧: ଜିଲ୍ଲାପାଳ ସତ୍ୟ ରଞ୍ଜନ ସାହୁଙ୍କ ଅଧ୍ୟକ୍ଷତାରେ କାୟାକଳ୍ପ ସମ୍ବନ୍ଧିତ ଏକ ତାଲିମ ଶିବିର ଜାତୀୟ ସ୍ୱାସ୍ଥ୍ୟ ମିଶନ ସମ୍ମିଳନୀକକ୍ଷଠାରେ ଅନୁଷ୍ଠିତ ହୋଇଯାଇଛି ।
ଜିଲ୍ଲାର ପ୍ରସ୍ତାବିତ ସ୍ୱାସ୍ଥ୍ୟ ଆରୋଗ୍ୟ କେନ୍ଦ୍ରର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର,ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତ.ଫାର୍ମାସିଷ୍ଟ,ବିପିଏମ ମାନଙ୍କୁ ନେଇ ଏହି କାୟାକଳ୍ପ ସମ୍ବନ୍ଧିୟ ତାଲିମରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ,ଡିପିଏମ,ଏଡିଏମଓ (ପରିବାର କଲ୍ୟାଣ),ଏଡିଏମଓ(ମେଡିକାଲ),ଏଡିଏମଓ (ଜନସ୍ୱାସ୍ଥ୍ୟ) ଡା.ମଦନମୋହନ ପ୍ରଧାନ ଓ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଓ ଜାତୀୟ ସ୍ୱାସ୍ଥ୍ୟ ମିଶନର ସମସ୍ତ ପରାମର୍ଶଦାତା ଯୋଗଦେଇ ତାଲିମ ପ୍ରଦାନ କରିଥିଲେ ।
ବୈଠକରେ ହୋଇଥିବା ନିଷ୍ପତିକ୍ରମେ ସମସ୍ତ କର୍ମଚାରୀ ଆଜିଠାରୁ ଏକ ଡାଇରି କରି କାୟାକଳ୍ପ ସମ୍ବନ୍ଧିୟ କାର୍ଯ୍ୟକ୍ରମକୁ ରେକର୍ଡ କରିବେ । ପ୍ରତ୍ୟେକ ୭ ଦିନରେ କାର୍ଯ୍ୟକୁ ସମୀକ୍ଷା କରାଯିବ ଏବଂ ଆବଶ୍ୟକସ୍ଥଳେ ଆଭାସି ଜରିଆରେ କାମକୁ ତଦାରଖ କରାଯିବ ।
ସମସ୍ତ ଲାଇନ ଡିପାର୍ଟମେଣ୍ଟ୍‌ାନଙ୍କୁ ନେଇ ସ୍ୱାସ୍ଥ୍ୟ ବିଭାଗର କର୍ମଚାରୀମାନଙ୍କ ଏକ ବୈଠକ ପ୍ରତି ମାସରେ ଅନୁଷ୍ଠିତ ହେବ । ଫଳରେ ସମସ୍ତ କାର୍ଯ୍ୟ ତ୍ୱରାନ୍ୱିତ ହୋଇପାରିବ ବୋଲି ବୈଠକରେ ସୂଚନା ଦିଆଯାଇଥିଲା । ଏହାସହିତ ୫ ଟି ସ୍ୱାସ୍ଥ୍ୟ କେନ୍ଦ୍ର ତଳଗାଁ,ଜହ୍ନାପଙ୍କ,ସରସରା,ଧଳପୁର,କୁଶଙ୍ଗ ଏବଂ କଣ୍ଟାମାଳ ଡାକ୍ତରଖାନାକୁ ଏହିବର୍ଷ ନିମନ୍ତେ କାୟାକଳ୍ପ କାର୍ଯ୍ୟକ୍ରମରେ ସାମିଲ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା ।
ବାଉଁଶୁଣୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଜିଲ୍ଲାପାଳଙ୍କ ପୋଷ୍ୟ ଡାକ୍ତରଖାନା ଭାବରେ ଘୋଷଣା କରାଗଲା । ସମସ୍ତ ସ୍ୱାସ୍ତ୍ୟ କେନ୍ଦ୍ର ପରିଦର୍ଶନ ସହିତ ଦରକାର ହେଉଥିବା ନିର୍ମାଣ କାର୍ଯ୍ୟର ଅଟଳଳ ପ୍ରସ୍ତୁତ ପାଇଁ ସହକାରୀ ନିର୍ବାହୀ ଯନ୍ତ୍ରୀ ଜାତୀୟସ୍ୱାସ୍ଥ୍ୟ ମିଶନଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା ଏବଂ ଜମି ଅଧିଗ୍ରହଣ ପ୍ରକ୍ରିୟା ସହିତ ଜମି ସମ୍ବନ୍ଧିୟ କିଛି ସମସ୍ୟା ଥିଲେ ସଂପୃକ୍ତ ତହସିଲଦାରଙ୍କ ସହାୟତାରେ ତାହାକୁ ସମାଧାନ କରାଯିବାକୁ ନିର୍ଦ୍ଦେଶ ଦିଆଯାଇଥିଲା ।
ଡାକ୍ତରଖାନାରେ ଉଦ୍ୟାନ ନିମନ୍ତେ ସ୍ଥାନୀୟ ଉଦ୍ୟାନବିତଙ୍କୁ ସହଯୋଗ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ଡାକ୍ତରଖାନା ପରିସରରେ ସୋଲାର ଲାଇଟ ଲଗାଯିବା ସହିତ ଡାକ୍ତରଖାନା ପରିସରକୁ ପରିଷ୍କାର ପରିଛନ୍ନ ରଖିବାକୁ ନିର୍ଦ୍ଦେଶ ଦିଆଗଲା । ଏହି ସମସ୍ତ କାର୍ଯ୍ୟକୁ ଠିକ୍ ଭାବରେ ତଦାରଖ କରିବା ପାଇଁ ୫ ଜଣ ମେନଟନଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଥିଲା ।
ଦୁଇଟି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ହରଭଙ୍ଗା ଓ ବାଉଁଶୁଣୀର ମେଡିକାଲ ଅଫିସର,ଏଡିଏମଓ ମେଡିକାଲ ଡା. ସଂଘମିତ୍ରା ପଣ୍ଡା, ସହକାରୀ ମ୍ୟାନେଜର କ୍ୱାଲିଟି ଜ୍ୟୋତିପ୍ରକାଶ ଦାଶ,ହସପିଟାଲ ମ୍ୟାନେଜର ସଚ୍ଚିଦାନନ୍ଦ ପାଢିଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଥିଲା । ମେନଟନମାନେ ପ୍ରତ୍ୟେକ ସ୍ୱାସ୍ଥ୍ୟ କେନ୍ଦ୍ର ପରିଦର୍ଶନ କରିବାପରେ ଜିଲ୍ଲା ମୁଖ୍ୟଚିକିତ୍ସାôଧିକାରୀ ଓ ଡିପିଏମଙ୍କୁ ସମସ୍ତ ତଥ୍ୟ ଅବଗତ କରାଇବେ ।
ପ୍ରତିଦିନ ଏକ ଘଣ୍ଟା କାୟାକଳ୍ପ ଓ ଏନକ୍ୱାସ ସଂପର୍କରେ ଜିଲ୍ଲାପାଳଙ୍କ ଉପସ୍ଥିତିରେ ସମୀକ୍ଷା କରାଯିବ । କାୟାକଳ୍ପ କାର୍ଯ୍ୟକ୍ରମରେ ଇ ଏବଂ ଏଫ ବର୍ଗର ୭୫ ପ୍ରତିଶତ ସଫଳତା ପାଇଥିବା ଏଚସିପିମାନଙ୍କୁ ପଞ୍ଚାୟତିରାଜ ଦିବସ ଅବସରରେ ଜିଲ୍ଲାପାଳ ନିଜ ତରଫରୁ ୨୦ ହଜାର ଟଙ୍କାର ପ୍ରୋତ୍ସାହନ ରାଶି ପୁରସ୍କୃତ କରିବାକୁ ଘୋଷଣା କରିଥିଲେ । ଏଥିସହିତ ଜିଲ୍ଲାରେ କାୟାକଳ୍ପ କାର୍ଯ୍ୟକ୍ରମକୁ ସଫଳ କରାଇବାକୁ ଜିଲ୍ଲାପାଳ ଆହ୍ୱାନ ଜରାଇବା ସହିତ ଠିକ୍ ସମୟରେ କାମ ନକଲେ ଖିଲାପକାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରକାଶ କରିଥିଲେ । ପ୍ରତ୍ୟେକ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ଉପ ସ୍ୱାସ୍ଥ୍ୟକେନ୍ଦ୍ରରେ ଡାକ୍ତର,ଫାର୍ମାସିଷ୍ଟ ଓ ସମସ୍ତ କର୍ମଚାରୀଙ୍କ ଫଟୋ ନାମ ସହିତ ଯୋଗାଯୋଗ ଫୋନ ନମ୍ବର ରହିବାକୁ ବାଧ୍ୟତାମୂଳକ କରାଯାଇଛି ।
ଏହାବ୍ୟତୀତ ଡାକ୍ତରଖାନାର ଚିକିତ୍ସିତ ରୋଗୀମାନଙ୍କ ଫଟୋ ମଧ୍ୟ ଲଗାଯିବା ସହିତ ଏବଂ କାୟାକଳ୍ପ ସଂପର୍କରେ ଏକ ଡକୁମେନଟେସନ ପ୍ରସ୍ତୁତ କରାଯିବାକୁ ନିଷ୍ପତି ଗ୍ରହଣ କରାଯାଇଥିଲା । ଚିକିତ୍ସାଳୟ ପରିସରରେ ବୃକ୍ଷରୋପଣ ,ପରିମଳ ବ୍ୟବସ୍ଥା ସହିତ ବିଭିନ୍ନ ସାଇନଏଜ,ବେଷ୍ଟ କେପସନ,ସଚେତନତା ବାର୍ତା ପ୍ରଦାନ କରିବାକୁ ନିଷ୍ପତି ଗ୍ରହଣ କରାଯାଇଛି । କାର୍ଯ୍ୟକ୍ରମ ଶେଷରେ ଜିଲା ମୁଖ୍ୟ ଚକିତ୍ସାଧିକାରୀ ଡା. ଅଭୟ କୁମାର ଦାଶ ଧନ୍ୟବାଦ ପ୍ରଦାନ କରିଥିଲେ ।
ମହିଳାଙ୍କୁ ଥାନା ଅଧିକାରୀଙ୍କ ଦୁର୍ବ୍ୟବହାର ଏସପିଙ୍କ ଠାରେ ଅଭିଯୋଗ କଲେ ମହିଳା
ବୌଦ୍ଧ,୧୯/୧୧: ବୌଦ୍ଧଜିଲ୍ଲା ହରଭଙ୍ଗା ଥାନା ଭାବପୁର ଗ୍ରାମର ଜଣେ ମହିଳାଙ୍କୁ ହରଭଙ୍ଗା ଥାନା ଅଧିକାରୀ ମାଡ ମାରିବା ସହିତ ଦୁର୍ବ୍ୟବହାର କରିଥିବା ନେଇ ମହିଳା ଜଣକ ଆଜି ବୌଦ୍ଧ ଆରକ୍ଷୀଅଧିକ୍ଷଙ୍କ ଠାରେ ଅଭିଯୋଗ କରିଥିବା ଜଣାପଡିଛି । ସୂଚନା ମତେ, ଉକ୍ତ ମହିଳା ଓ ତାଙ୍କ ଝିଅ ଗତ ମାସ ୩୦ ତାରିଖରେ ଗାଧୋଇବାକୁ ଯାଇଥିବା ବେଳେ ଚୁମୀ ରାଉତ ସହଯୋଗରେ ସୁଶାନ୍ତ ଧଳ ସେମାନଙ୍କୁ ଅସଦାଚରଣ କରିଥିଲା ।
ଏନେଇ ମହିଳା ଜଣକ ହରଭଙ୍ଗା ଥାନାରେ ଜଣାଇବା ପରେ ହରଭଙ୍ଗା ଥାନା ଅଧିକାରୀ ସାଙ୍ଗେ ସଙ୍ଗେ ଉକ୍ତ ଗ୍ରାମକୁ ଯାଇ ସେଦୁଇ ଜଣଙ୍କୁ ଥାନାକୁ ଆଣିଥିଲେ । ଥାନାରୁ ଅଭିଯୁକ୍ତମାନଙ୍କୁ ପ୍ରାୟ ଏକଘଣ୍ଟା ପରେ ଛାଡି ଦିଆଯାଇଥିଲା ଏବଂ ମହିଳାଙ୍କୁ ରାତି ୧୦ଟା ପର୍ଯ୍ୟନ୍ତ ଅଟକ ରଖିଥିଲେ ।
ମହିଳା ଜଣକ ସେମାନଙ୍କୁ କାହିଁକି ଛାଡିଦେଲେ ବୋଲି ପଚାରିବାରୁ ଥାନା ଅଧିକାରୀ ତାଙ୍କୁ ଟଙ୍କା ମାଗିଥିଲେ । ମହିଳା ଜଣକ ଆମ୍ଭେ ନ୍ୟାୟ ପାଇଁ ଥାନାକୁ ଆସିଛୁ । ଆପଣ ଟଙ୍କା ମାଗୁଛନ୍ତି ବୋଲି ପଚାରିବାରୁ ଥାନା ଅଧିକାରୀ ମହିଳାଙ୍କୁ ମାଡ ମାରିବା ସହିତ ଜାତି ଆଣ ଆକ୍ଷେପ କରି ଦୁର୍ବ୍ୟବହାର କରିଥିବା ମହିଳା ଜଣକ ଆରକ୍ଷୀଅଧିକ୍ଷକଙ୍କ ଠାରେ ଅଭିଯୋଗ କରିଛନ୍ତି । ଏବଂ ଥାନା ଅଧିକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହିତ ଦୁଇ ଅଭିଯୁକ୍ତମାନଙ୍କୁ ଗିରଫ କରିବାକୁ ସେ ଏସପିଙ୍କ ଠାରେ ଅଭିଯୋଗ କରିଛନ୍ତି ।
ବୌଦ୍ଧ ପଂଚାୟତ ମହାବିଦ୍ୟାଳୟରେ ଇଂରାଜୀ ପାଠ୍ୟଚକ୍ର
ବୌଦ୍ଧ,୧୯/୧୧: ବୌଦ୍ଧ ପଂଚାୟତ ମହାବିଦ୍ୟାଳୟ ରେ ଇଂରାଜୀ ବିଭାଗ ତରଫରୁ ଏକ ଇଂରାଜୀ ପାଠ୍ୟଚକ୍ର ଅନୁଷ୍ଠିତ ହୋଇଯାଇଛି । ଏଥିରେ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରକାଶ ଚନ୍ଦ୍ର ବେହେରା ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିଲେ । ପାଠ୍ୟଚକ୍ରରେ ମୁଖ୍ୟ ଆଲୋଚକ ଭାବରେ ଭୈରବୀ ଡିଗ୍ରୀ ମହାବିଦ୍ୟାଳୟର ଇଂରାଜୀ ଅଧ୍ୟାପକ ଡଃ ପ୍ରମୋଦ କୁମାର ମହାପାତ୍ର ମାସବେଥ ଉପରେ ସବୁ ଦିଗନ୍ତ ଆଲୋଚନା କରିଥିଲେ ।
ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ରବିନ୍ଦ୍ର ନାଥ ଗୁରୁ ଯୋଗଦେଇ ସେକପିଅରସଙ୍କ ଉପରେ ଆଲୋଚନା କରିଥିଲେ । ମହାବିଦ୍ୟାଳୟର ଅଧ୍ୟାପକ ଡଃ ପ୍ରକାଶ ମେହେର, ଅଧ୍ୟାପିକା କଲ୍ୟାଣୀ ଦେବୀ ସୁନାନୀ, ସୁଭଙ୍କରୀ ବଡମାଳୀ ଯୋଗଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ଏହି ଆଲୋଚନାରେ ୧୫ଟି ସନ୍ଦର୍ଭ ପାଠ କରାଯାଇଥିଲା । ଛାତ୍ରୀ ହିମାନ୍ଦ୍ରୀ ମିଶ୍ର, ସୁନିତା ମେହେର ମଂଚ ପରିଚାଳନା କରିଥିଲେ ।
ଟ୍ରାକ୍ଟର ଓ ବାଇକ୍ ମୁହାଁମୁହିଁ ଧକ୍କା: ବିଶ୍ୱାବସୁ ଆଦିବାସୀ ସଂଘ ଶାଖା ସଭାପତି ଙ୍କ ମୃତ୍ୟୁ , ଜଣେ ଗୁରୁତର
ପୁରୁଣାକଟକ, ୧୯ା୧୧: ଖୋର୍ଦ୍ଧା – ବଲାଙ୍ଗିର ଜାତୀୟ ରାଜପଥ ହରଭଙ୍ଗା ବ୍ଲକ ଲୁଣିବାହାଲ ପଞ୍ଚାୟତ ବଡବନ୍ଧ ଛକ ନିକଟରେ ଟ୍ରାକ୍ଟର ଧକ୍କାରେ ଜଣେ ବାଇକ୍ ଆରୋହୀ ଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହାତ ହୋଇ ଚିକିତ୍ସିତ ହେଉଥିବା ଜଣାଯାଇଛି । ମୃତକ ଜଣକ ହେଲେ ତିତିରକଟା ଗ୍ରାମ ର ସପ୍ତେଶ୍ୱର ମଲ୍ଲିକ (୬୫) ସେ ହରଭଙ୍ଗା ବ୍ଲକ ବିଶ୍ୱାବସୁ ସମାଜ ବଡବନ୍ଧ ଶାଖା ଆଦିବାସୀ ସଂଘର ସଭାପତି ଭାବେ କାର୍ଯ୍ୟ କରୁଥିଲେ ।
ଅନ୍ୟ ଜଣେ ଗୁରୁତର ହେଲେ ଭରତାପୁର ଗ୍ରାମର ମିହିର ମହାକୁଡ (୨୪ ) । ସୂଚନା ମତେ ସାମ୍ପୋଚ ପଞ୍ଚାୟତ ତିତିରକଟା ଗ୍ରାମର ସପ୍ତେଶ୍ୱର ଭରତାପୁର ଗ୍ରାମର ମହିର ଙ୍କ ସହ ବାଇକ୍ ଯୋଗେ ଗାଁ କୁ ଫେରୁଥିବା ସମୟରେ ବଡବନ୍ଧ ଛକ ନିକଟରେ ଏକ ଟ୍ରାକ୍ଟର ଧକ୍କା ଦେଇ ଫେରାର ହୋଇଯାଇଥିଲା ।
ରାସ୍ତା କଡରେ ଉଭୟ ବାଇକ୍ ଆରୋହୀ ଛଟପଟ ହୋଇ ମୁମୁର୍ଷ ଅବସ୍ଥାରେ ପଡିଥିବା ଦେଖି ପଥଯାତ୍ରୀ ମାନେ ପୁଲିସ କୁ ଖବର ଦେବାପରେ ଆମ୍ଭୁଲାନ୍ସ ଯୋଗେ ସେମାନଙ୍କୁ ପୁରୁଣାକଟକ ଡାକ୍ତରଖାନା କୁ ନିଆଯାଇଥିଲା ।
ତେବେ ଚିକିତ୍ସିତ ଅବସ୍ଥାରେ ସପ୍ତେଶ୍ୱର ଙ୍କ ମୃତ୍ୟୁ ହୋଇଥିବା ବେଳେ ମହିର ଙ୍କ ବାମ ଗୋଡ ଭାଙ୍ଗିଯାଇଥିବାରୁ ତାଙ୍କୁ ବୌଦ୍ଧ ସ୍ଥାନାନ୍ତର କାରାଯାଇଥିବା ଜଣାପଡିଛି । ଘଟଣା ସ୍ଥଳରେ ପୁଲିସ ପହଞ୍ôଚ ତଦନ୍ତ ଜାରି ରଖିଥିବା ଥାନା ଅଧିକାରୀ ଜୋସ୍ନା କାଉରୀ କହିଛନ୍ତି ।
ବୌଦ୍ଧ: ରାସ୍ତା କଡରୁ ଅଜଣା ମହିଳା ଙ୍କ ମୃତଦେହ ଉଦ୍ଧାର
ପୁରୁଣାକଟକ,୧୯/୧୧: ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ ଚାରିଛକ – ଫୁଲବାଣି ରାସ୍ତା କୋର୍ଟ ଛକ ନିକଟରେ ଏକ ଅଜଣା ମହିଳା ଙ୍କ ମୃତଦେହ ପଡିଥିବା ଦେଖିବାକୁ ସ୍ଥାନୀୟ ଲୋକେ ପାଇଥିଲେ । ପୁରୁଣାକଟକ ପୁଲିସ ଖବର ପାଇବା ପରେ ମୃତଦେହ କୁ ଉଦ୍ଧାର କରିଥିଲେ । ମହିଳା ଙ୍କ କୌଣସି ପରିଚୟ ମିଳିନଥିବା ଜଣାଯାଇଛି । ଶବ ବ୍ୟବଛେଦ ପାଇଁ ବୌଦ୍ଧ ପଠାଇଯାଇଥିବା ଥାନା ଏସଆଇ ପରେଶ କୁମାର ଷଡଙ୍ଗୀ କହିଛନ୍ତି ।

Related Posts

Seo wordpress plugin by www.seowizard.org.