Odisha News

ବୌଦ୍ଧରେ କନ୍ଧମାଳ ସାଂସଦଙ୍କ ବିଭାଗୀୟ ସମୀକ୍ଷା

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ,୧୮/୭ : କନ୍ଧମାଳ ସାଂସଦ ସୁକାନ୍ତ କୁମାର ପାଣିଗ୍ରାହୀ ଗୁରୁବାର ଦିନ ବୌଦ୍ଧ ଜିଲାପାଳଙ୍କ କାର୍ଯ୍ୟାଳୟର ସଦଭାବନା ସଭାଗୃହଠାରେ ସମସ୍ତ ବିଭାଗୀୟ ଅଧିକାରୀଙ୍କ ସହିତ ଆଲୋଚନା କରିବା ସହିତ ବିଭାଗୀୟ କାର୍ଯ୍ୟକ୍ରମର ସମୀକ୍ଷା କରିଛନ୍ତି । ଏହି ଅବସରରେ ସାଂସଦ ଶ୍ରୀପାଣିଗ୍ରାହୀ ଜିଲ୍ଲାରେ କାର୍ଯ୍ୟରତ ସମସ୍ତ ଅଧିକାରୀଙ୍କୁ କହିଥିଲେଯେ, ଜିଲ୍ଲାର ବିକାଶ ପାଇଁ ସାମଗ୍ରୀକ ଉଦ୍ୟମର ଆବଶ୍ୟକତା ରହିଛି ।
ଆସନ୍ତା ୨୦୩୬ ରେ ଓଡ଼ିଶା ପ୍ରଦେଶ ଗଠନ ହେବାର ଶହେବର୍ଷ ପୂରଣ ହେବାକୁ ଯାଉଥିବାବେଳେ ତାହାକୁ ନେଇ ରାଜ୍ୟ ସରକାର ନିଜର କାର୍ଯ୍ୟଖସଡା ପ୍ରସ୍ତୁତ କରୁଛନ୍ତି । ରାଜ୍ୟର ଅନ୍ୟ ଜିଲ୍ଲାଗୁଡିକ ବିକାଶ ସ୍ରୋତରେ ସାମିଲ ହୋଇଥିବାବେଳେ ବୌଦ୍ଧଜିଲ୍ଲା ମଧ୍ୟ ପଛରେ ପଡିବନାହିଁ ।
ସେଥିପାଇଁ ନିଜର ପଦ ପଦବୀକୁ ନେଇ ମନରେ ଅହଙ୍କାର ନରଖି ତଳସ୍ତରରେ ରହିଥିବା ଲୋକମାନଙ୍କ ନିକଟରେ ପହଞ୍ଚି ସେମାନଙ୍କର ସମସ୍ୟା ବୁଝିବା ଏବଂ ତାହାର ସମାଧାନ କରିବାପାଇଁ ତ୍ୱରିତ ପଦକ୍ଷେପ ନେବାକୁ ଶ୍ରୀପାଣିଗ୍ରାହୀ ପରାମର୍ଶ ଦେଇଥିଲେ । ଜିଲ୍ଲାରେ କାର୍ଯ୍ୟରତ ବିଭାଗୀୟ ଅଧିକାରୀମାନେ ନିଜ ନିଜ ବିଭାଗରେ ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରାଇବା ଓ ତାହାର ସଫଳତା ନେଇ ନିଜେ ନିଜର ଆତ୍ମ ସମୀକ୍ଷା କରିବା ଉଚିତ ।
ଅଧିକାରୀମାନେ ଭୟମୁକ୍ତ ହୋଇ ନିଷ୍ଠାର ସହିତ ଲୋକଙ୍କୁ ସେବା ଯୋଗାଇବାରେ ନିଜର କାର୍ଯ୍ୟ ସଂପାଦନ କରିବାକୁ ଶ୍ରୀପାଣିଗ୍ରାହୀ ପରାମର୍ଶ ଦେଇଥିଲେ । ଏହି ଅବସରରେ ସାଂସଦଙ୍କ ଦ୍ୱାରା ବିଭିନ୍ନ ବିଭାଗର କାର୍ଯ୍ୟକ୍ରମ ସମୀକ୍ଷା କରାଯାଇଥିଲା ।
ବୌଦ୍ଧଜିଲ୍ଲା ନକ୍ସଲ ପ୍ରବଣ ଭାବରେ ଚିହ୍ନଟ ହୋଇଥିବାବେଳ ଏଠାରେ ଶହେ କ୍ଷମତା ବିଶିଷ୍ଟ ପୁଲିସ ବ୍ୟାରେକ୍ ନିର୍ମାଣ କରାଯିବ । ବନ ବିଭାଗ ପକ୍ଷରୁ ବାଉଁଶ ଚାରା ରୋପଣ ପାଇଁ ପ୍ରୋତ୍ସାହନ ଯୋଗାଇଦେବା ସହିତ କୌଳିକ ବୃତି କରୁଥିବା ବାଉଁଶ କାରୀଗରଙ୍କୁ ଦକ୍ଷତା ତାଲିମ ପ୍ରଦାନ କରାଯିବ ।
ଅଗଷ୍ଟ ୧୫ ତାରିଖ ମଧ୍ୟରେ ନୂତନ ମେଡିକାଲ କାର୍ଯ୍ୟ ସଂପୂର୍ଣ୍ଣ କରାଯାଇ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଏହାକୁ ଲୋକାର୍ପିତ କରାଯିବ । ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଗୁଡିକରେ ଡାକ୍ତର ରହୁନଥିବା କିମ୍ବା ଠିକ୍ ସମୟରେ ରୋଗୀଙ୍କୁ ସେବା ମିଳୁନଥିବା ଅଭିଯୋଗ ହେଉଥିବାବେଳେ ଜିଲ୍ଲା ମୁଖ୍ୟଚିକିତ୍ସା ଅଧିକାରୀ ଏହାର ତଦାରଖ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଂସଦ ନିର୍ଦ୍ଦେଶ ଦେଇଥିଲେ ।
ଜିଲ୍ଲା ମୁଖ୍ୟଚିକିତ୍ସାଳୟ ସମେତ ସମସ୍ତ ଜିକିତ୍ସାଳୟରେ ଖାଲିଥିବା ଡାକ୍ତର ପଦବୀ ପୂରଣ ,ରୋଗୀମାନଙ୍କୁ ବିଶୁଦ୍ଧ ପାନୀୟଜଳ,ସ୍ୱଛତା ଓ ଠିକ୍ ସମୟରେ ଚିକତ୍ସା ପ୍ରଦାନ କରାଯିବା ନେଇ ବୈଠକରେ ଗୁରୁତ୍ୱାରୋପ କରାଯାଇଥିଲା ।
ଗ୍ରାମ୍ୟ ପାନୀୟଜଳ ଯୋଗାଣ ବିଭାଗ ପକ୍ଷରୁ ପ୍ରତ୍ୟେକ ପରିବାରକୁ ପାନୀୟ ଜଳ ଯୋଗାଣ ନିଶ୍ଚିତ କରାଇବା ସହିତ ଅଙ୍ଗନବାଡି କେନ୍ଦ୍ର,ଧାନମଣ୍ଡି ଗୁଡିକରେ ମଧ୍ୟ ପାନୀୟଜଳ ଉପଲବ୍ଧ କରାଇବାକୁ ବୈଠକରେ ନିର୍ଦ୍ଦେଶ ଦିଆଯାଇଥିଲା ।
ଶିକ୍ଷିତ ବେକାର ଯୁବକ ଯୁବତୀମାନଙ୍କୁ ଚିହ୍ନଟ କରାଯାଇ ସେମାନଙ୍କୁ ଦକ୍ଷତା ତାଲିମ ପ୍ରଦାନ କରାଯିବାକୁ ଗୁରୁତ୍ୱ ଦିଆଯାଇଥିଲା । ସେହିପରି ବୌଦ୍ଧରେ ଛତୁ ଉତ୍ପାଦନ କେନ୍ଦ୍ର,ତାଲିମ କେନ୍ଦ୍ର,କଦଳୀ,ଆମ୍ଭ,ଅମୃତଭଣ୍ଡା ଓ ଲିଚି ଚାଷକୁ ପ୍ରୋତ୍ସାହନ ଯୋଗାଇଦେବାକୁ ଉଦ୍ୟାନ ବିଭାଗକୁ ପରାମର୍ଶ ଦିଆଯାଇଥିଲା ।
ପ୍ରାଣୀ ସଂପଦ ବିଭାଗ ପକ୍ଷରୁ ଦୁଗ୍ଧ ଉତ୍ପାଦନ ଓ ବଜାର ବ୍ୟବସ୍ଥା,ଛେଳି ଚାଷକୁ ପ୍ରୋତ୍ସାହନ, ମତ୍ସ୍ୟ ବିଭାଗ ପକ୍ଷରୁ ଜିଅନ୍ତା ମାଛ ବିକ୍ରୟ ବ୍ୟବସ୍ଥା,ଆକ୍ୱାରିୟମ ପାଇଁ ମାଛ ପ୍ରସ୍ତୁତି ତାଲିମ, ଜାଆଁଳା ଉତ୍ପାଦନ ବୃଦ୍ଧି,ମୃତିକା ସଂରକ୍ଷଣ ,ସେରିକଲଚର ଏବଂ ଜଳଛାୟା ମିଶନ ପକ୍ଷରୁ ଦକ୍ଷତା ବୃଦ୍ଧି ତାଲିମ ପ୍ରଦାନ ବୃବସ୍ଥା କରାଇବାକୁ ପରାମର୍ଶ ଦିଆଯାଇଥିଲା ।
ବୌଦ୍ଧ ଏକ କୃଷିପ୍ରଧାନ ଜିଲ୍ଲା ହୋଇଥିବାବେଳେ ଜଳସେଚନ ବ୍ୟବସ୍ଥା ଦୃଢିକରଣ କରାଯିବା ଉପରେ ବୈଠକରେ ଗୁରୁତ୍ୱ ଦିଆଯାଇଥିଲା । କ୍ଷୁଦ୍ର ଜଳସେଚନ ବିଭାଗ ପକ୍ଷରୁ ଆଡିବନ୍ଧ ନିର୍ମାଣ କାର୍ଯ୍ୟ ସଂପୁର୍ଣ୍ଣ.ଉଠାଜଳସେଚନ ବିଭାଗ ପକ୍ଷରୁ କାର‌୍ୟ୍ୟକ୍ଷମ ନଥିବା ପ୍ରକଳ୍ପ ଗୁଡିକୁ ସଚଳ କରାଯିବା ନେଇ ନିର୍ଦ୍ଦେଶ ଦିଆଯାଇଥିଲା ।
ଏହାବ୍ୟତୀତ ମନମୁଣ୍ଡା ତେଲ ନଦୀ ଉପରେ ସୁଉଚ୍ଚ ସେତୁ ନିର୍ମାଣ,ମନମୁଣ୍ଡାଠାରୁ ମାଧପୁର ପର୍ଯ୍ୟନ୍ତ ରାସ୍ତାର ଉନ୍ନତିକରଣ କରାଯିବ । ବାରମ୍ବାର ବିଦ୍ୟୁତ ବିଭ୍ରାଟ ଉପରେ ଦୃଷ୍ଟି ଦିଆଯିବା ସହିତ କଣ୍ଟାମାଳବ୍ଲକରେ ନୂତନ ଗ୍ରୀଡ ନିର୍ମାଣ କରାଯିବା ଉପରେ ପଦକ୍ଷେପ ନେବାକୁ ଟାଟା ପାୱାର କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା ।
ଜିଲ୍ଲାରେ ଛାତ୍ରବୃତି,ବିଦ୍ୟାଳୟ ପୋଷାକ,ପାନୀୟଜଳ ଓ ମଧ୍ୟାହ୍ନଭୋଜନ ସଂପର୍କରେ ସମୀକ୍ଷା କରାଯିବା ସହିତ ବୌଦ୍ଧରେ ଏକ ନୂତନ ଏକଲବ୍ୟ ଆଦର୍ଶ ବିଦ୍ୟାଳୟ ବୌଦ୍ଧରେ ନିର୍ମାଣ ପାଇଁ ସାଂସଦ ଶ୍ରୀପାଣିଗ୍ରାହୀ ବୈଠକରେ ପ୍ରସ୍ତାବ ରଖିଥିଲେ ।
ମହାନଦୀ ଆଳତୀ ଘାଟକୁ ହରିଦ୍ୱାର ଓ ବାରାଣାସୀ ଭଳି ରିଭର ଫ୍ରଣ୍ଟ ପ୍ରକଳ୍ପରେ ସାମିଲ କରି ମହାନଦୀ କୂଳେ କୂଳେ ରିଂ ରୋଡ,ଚଲାପଥ,ଜିମ୍ ଆଦି ନିର୍ମାଣ କରି ପର୍ଯ୍ୟଟକମାନଙ୍କୁ କିପରି ଆକୃଷ୍ଟ କରାଯାଇପାରିବ ଯୋଜନା ପ୍ରସ୍ତୁତ କରିବାକୁ ବୈଠକରେ ଗୁରୁତ୍ୱାରୋପ କରାଯାଇଥିଲା ।
ବୈଠକରେ ୩୫ଟି ବିଭାଗର କାର୍ଯ୍ୟକ୍ରମ ସଂପର୍କରେ ସମୀକ୍ଷା କରାଯାଇଥିଲା । ଜିଲ୍ଲାପାଳ ଜେ. ସୋନାଲ,ଏସପି ରାଜ ପ୍ରସାଦ,ଉପଜିଲାପାଳ ପ୍ରଭାସ ଚନ୍ଦ୍ର ଦଣ୍ଡସେନାଙ୍କ ସମେତ ସମସ୍ତ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ । ଜିଲ୍ଲାପରିଷଦର ମୁଖ୍ୟ ଉନ୍ନୟନ କାର୍ଯ୍ୟ ନିର୍ବାହୀ ଅଧିକାରୀ ଅନିରୁଦ୍ଧ ପ୍ରଧାନ ଧନ୍ୟବାଦ ପ୍ରଦାନ କରିଥିଲେ ।

Related Posts

Seo wordpress plugin by www.seowizard.org.