Odisha News

ବୌଦ୍ଧରେ ଆନ୍ତର୍ଜାତିୟ ଶ୍ରମିକ ଦିବସ ପାଳିତ

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ,୩/୫: ମଇ ୧ ତାରିଖରେ ସାରା ବିଶ୍ୱରେ ଶ୍ରମିକ ଦିବସ ପାଳନ ଅବସରରେ ବୌଦ୍ଧ ଟାଉନହଲଠାରେ ମହାସମାରୋହରେ ଜିଲ୍ଲା ସ୍ତରୀୟ ଆର୍ନ୍ତଜାତିୟ ଶ୍ରମିକ ଦିବସ ଜିଲ୍ଲା ଶ୍ରମ ବିଭାଗ ପକ୍ଷରୁ ପାଳିତ ହୋଇଯାଇଛି । ଉତ୍ସବରେ ମୁଖ୍ୟଅତିଥି ଭାବରେ ପଞ୍ଚାୟତରାତ ଓ ପାନୀୟଜଳ, ଜଙ୍ଗଲ,ପରିବେଶ ଓ ଜଳବାୟୁ ପରିବର୍ତନ, ସୂଚନା ଓ ଲୋକସଂପର୍କ ବିଭାଗ ମନ୍ତ୍ରୀ ପ୍ରଦିପ କୁମାର ଅମାତ ଯୋଗଦେଇ ସରକାରଙ୍କ ଜନ କଲ୍ୟାଣ କାରୀ ଯୋଜନା,ଶ୍ରମିକମାନଙ୍କ ଭୂମିକା ସଂପର୍କରେ ବକ୍ତବ୍ୟ ପ୍ରଦାନ କରିବା ସହିତ ଶ୍ରମିକମାନଙ୍କୁ ଉତ୍ସାହିତ କରିଥିଲେ ।
ସମ୍ମାନିତ ଅତିଥି ଭାବରେ ଅତିରିକ୍ତ ଜିଲ୍ଲାପାଳ ଦାରିଦ୍ର‌୍ୟଭଞ୍ଜନ ମଦନ ମୋହନ ପାତ୍ର ,ଡେପୁଟି କଲେକ୍ଟର ଶାଶ୍ୱତ ପ୍ରଧାନ,ଟ୍ରେନିଙ୍ଗ ଅଫିସର ସୁମନ ରାଜା ମହାନ୍ତି ଓ ଜିଲ୍ଲା ଶ୍ରମ ଅଧିକାରୀ ସୁଶାନ୍ତ କୁମାର ପାଇକରାୟ ଯୋଗଦେଇ ଶ୍ରମିକ ଦିବସ ପାଳନର ତାତ୍ପର୍ଯ୍ୟ ଓ ସେମାନଙ୍କ ଭୂମିକା ବିଷୟରେ ଆଲୋକପାତ କରିଥିଲେ । ସହକାରୀ ଶ୍ରମ ଅଧିକାରୀ କନ୍ୟାକୁମାରୀ ସାହୁ ଶ୍ରମିକ ଓ ଅତିଥିମାନଙ୍କୁ ସ୍ୱାଗତ କରିବା ସହିତ ସଭା ପରିଚାଳନା କରିଥିଲେ ।
ଏହି ଅବସରରେ ୨୬ ଜଣ ହିତାଧିକାରୀଙ୍କୁ ଶ୍ରମ କାର୍ଡ ବଣ୍ଟନ କରାଯାଇଥିବାବେଳେ ୧୦ ଜଣଙ୍କୁ ୫୦ ହଜାର ଲେଖାଏଁ ଚେକ ପ୍ରଦାନ କରାଯାଇଥିଲା । ଜିଲ୍ଲାରେ ୬୧୯ ଜଣଙ୍କୁ ବିବାହ ସହାୟତା,୮ ଜଣକୁ ମୃତ୍ୟୁକାଳୀନ ସହାୟତା ଏବଂ ୭ ଜଣକୁ ଅନ୍ତ୍ୟେଷ୍ଟିକ୍ରିୟା ସହାୟତା ପ୍ରଦାନ ପାଇଁ ମଂଜୁର କରାଯାଇଥିଲା ।
୨୦୨୨-୨୩ ଆର୍ଥିକ ବର୍ଷ ସୁଦ୍ଧା ୫୪୪୬୪ ଶ୍ରମିକଙ୍କ ନାମ ପଂଜିକରଣ ହୋଇଥିବାବେଳେ ଗତବର୍ଷ ସୁଦ୍ଧା ୫୦୯୬୯ ଏବଂ ନୂତନ ଭାବରେ ୩୪୯୫ ଜଣ ଶ୍ରମିକ ପଂଜିକୃତ ହୋଇଛନ୍ତି ।
କାର୍ଯ୍ୟକ୍ରମ ପରିଚାଳନାରେ କାହ୍ନୁଚରଣ ମହାରଣା,ବିଚିତ୍ରା ଦିଗାଲ,ଆର.ବିଜୟ କୁମାର,ସୁଜିତ ଦାଶ,ସୌମ୍ୟରଂଜନ ସାହୁ ପ୍ରମୁଖ ସକ୍ରିୟ ସହଯୋଗ କରିଥିଲେ । ବହୁ ସଂଖ୍ୟାରେ ଶ୍ରମିକ,ଟ୍ରେଡ ୟୁନିୟନର କାର‌୍ୟ୍ୟ କର୍ତା ଏବଂ ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ରିତାକାନ୍ତି ବଳିଆର ସିଂ ଓ କର୍ମଚାରୀମାନେ ଉପସ୍ଥିତ ଥିଲେ ।
ବୌଦ୍ଧ : ଜେସିବି ରେ ବସି କନ୍ୟା ଘରକୁ ଗଲା ବର
ବୌଦ୍ଧ,୩/୫: ନିଆରା ବିବାହ । ବିବାହ ପାଇଁ ବରଯାତ୍ରୀ ସହ ଜେସିପି ରେ ବସି କନ୍ୟା ଘରକୁ ଗଲେ ବର । ସାନ ଭାଇ ର ଇଛା ପୂରଣ ପାଇଁ ଜେସିବି ରେ ବସି ବିବାହ କରିବା ପାଇଁ ଗଲେ ବର । ବୌଦ୍ଧ ଜିଲ୍ଲା ଛତରଙ୍ଗ ଗ୍ରାମର ଗଙ୍ଗାଧର ବେହେରା ନୟାଗଡ଼ ଜିଲ୍ଲାର କିଆଝର ଗ୍ରାମ କୁ ବିବାହ ଯାଇଥିଲେ ।
ବଡ଼ ଆଶ୍ଚର‌୍ୟ୍ୟ ର କଥା ଯେ ବର ଏଠି କାର କି ଘୋଡ଼ାଗାଡି ନୁହେଁ ବରଂମ ଜେସିବ ରେ ବସି କନ୍ୟାଘର କୁ ବାହାହେବା ପାଇଁ ଯାଇଥିଲେ ବର । ଏଭଳି ନିଆରା ଦୃଶ୍ୟକୁ ଏବେ ସୋସିଆଲ ମିଡିଆ ରେ ଭାଇରଲ ହେବାରେ ଲାଗିଛି । ସୂଚନା ମୁତାବକ ବୌଦ୍ଧ ଜିଲ୍ଲାର ଛତରଙ୍ଗ ଗ୍ରାମର ଗଙ୍ଗାଧର ବେହେରା ଗତ ୩୦ତାରିଖ ରେ ବିବାହ ପାଇଁ ନୟାଗଡ଼ ଜିଲ୍ଲା କିଆଝର ଗ୍ରାମ କୁ ଯାଇଥିଲେ । ସେଠାରେ ପହଁଚିବା ପରେ ଏକ ସୁସଜିତ ଜେସିବି ରେ ଗଙ୍ଗାଧର ଙ୍କୁ ବସାଇ ବିବାହ ପାଇଁ ବରଯାତ୍ରୀ ବାହାରିଥିଲା । ଆପଣମାନଙ୍କୁ ବି ଅଜବ ଲାଗୁଥିବ ଯେ ଏଭଳି ଅଜବ ଚିନ୍ତା ଧାରା ଗଙ୍ଗାଧର ଙ୍କ ମୁଣ୍ଡକୁ କିଭଳି ଆସିଲା । ସତ ଜାଣିଲେ ଆପଣ ବି ଆଶ୍ଚର‌୍ୟ୍ୟ ହୋଇଯିବେ । ଘଟଣା କିଛି ଏଭଳି ଥିଲା ଛତରଙ୍ଗ ଗ୍ରାମର ଗଙ୍ଗାଧର ଙ୍କ ସାନ ଭାଇ ଭଗବାନ ବେହେରା ସେ ଜଣେ କୁଶଳୀ ଜେସିବି ଅପରେଟର । ବାହାଘର ଠିକି ହେବାର ୬ମାସ ପୂର୍ବରୁ ସାନଭାଇ ଭଗବାନ ବଡ ଭାଇ ଗଙ୍ଗାଧରଙ୍କୁ କହିଥିଲେ ଯେ ଭାଇ ଙ୍କ ବିବାହରେ ବରଯାତ୍ରୀ ଯିବ ହେଲେ କିଛି ନିଆରା ଢଙ୍ଗରେ । ଯେହେତୁ ମୁଁ ଜେସିବି ଅପରେଟର ତେଣୁ ଘୋଡା ଗାଡି କି କାର ନୁହେଁ ମୁଁ ଭାଇଙ୍କୁ ଜେସିବି ରେ ବସାଇ ବିବାହ କରିବା ପାଇଁ ନେବି । ୬ମାସ ପରେ ଗଙ୍ଗାଧର ବାହାଘର ଠିକି ହୋଇଥିଲା ନୟାଗଡ଼ ଜିଲ୍ଲା କିଆଝର ରେ । ଶେଷରେ ବଡ ଭାଇ ଙ୍କୁ ସାନ ଭାଇ ସୁସଜିତ ଜେସିପି ରେ ବସାଇ ବିବାହ ପାଇଁ କନ୍ୟାଘରକୁ ନେଇ ଥିଲେ । ଏଘଟଣା ଏବେ ଅଞ୍ଚଳ ରେ ଚର୍ଚ୍ଚା ର ବିଷୟ ପାଲଟିଛି । ଅନ୍ୟପଟେ ସାନ ଭାଇ ର କଥା ରଖିବା ପାଇଁ ଏଭଳି ନିଆରା ପ୍ରୟାସ ବୋଲି ଆମକୁ ଫୋନ ଯୋଗେ ସୂଚନା ଦେଇଛନ୍ତି ଗଙ୍ଗାଧର।
ସ୍ଥାୟୀ ଦୋକାନ ପ୍ରଦାନ ପାଇଁ ଏନ୍‌ଏସି କାର୍ଯ୍ୟାଳୟରେ ନଗରପାଳଙ୍କୁ ନିବେଦନ କଲା ଉଠା ପନିପରିବା ବ୍ୟବସାୟୀ ସଂଘ
ବୌଦ୍ଧ; ୩/୫: ସହରର ଉଠା ପନିପରିବା ବ୍ୟବସାୟୀମାନଙ୍କୁ ସ୍ଥାୟୀ ଦୋକାନ ପ୍ରଦାନ ପାଇଁ ନଗରପାଳଙ୍କୁ ବ୍ୟବସାୟୀ ସଂଘ ପକ୍ଷରୁ ଆଜି ନିବେଦନ କରାଯାଇଛି । ଜିଲ୍ଲା ପ୍ରଶାସନ ନିଷ୍ପତିକ୍ରମେ ନିୟନ୍ତ୍ରିତ ବଜାର କମିଟି ଦ୍ୱାରା ପରିଚାଳିତ ଆଦର୍ଶ କୃଷି ବଜାର ମଧ୍ୟକୁ ଦୈନିକ ବଜାର ସ୍ଥାନାନ୍ତର କରାଯିବା ପରେ ଏପର୍ଯ୍ୟନ୍ତ ପରିସ୍ଥିତି ସ୍ୱାଭାବିକ ହୋଇନାହିଁ ।
ପନିପରିବା ବ୍ୟବସାୟୀ ସଂଘ ପକ୍ଷରୁ ଦୋକାନ ବଜାର ବନ୍ଦ କରି ଏହାର ପ୍ରତିବାଦ କରାଯାଇଥିବା ବେଳେ ଆଜି ସଂଘର ସଭାପତି ସୁଦାମ ବେରିହାଙ୍କ ନେତୃତ୍ୱରେ ବ୍ୟବସାୟୀମାନେ ଏନ୍‌ଏସି କାର୍ଯ୍ୟାଳୟକୁ ଯାଇ ନଗରପାଳ ମୃତ୍ୟୁଞ୍ଜୟ ମିଶ୍ରଙ୍କୁ ସାକ୍ଷାତ ଆଲୋଚନା କରିଛନ୍ତି ।
ଏହା ସହ ସେମାନଙ୍କ ବ୍ୟବସାୟ ପାଇଁ ସ୍ଥାୟୀ ଦୋକାନଘର ଯୋଗାଇଦେବାକୁ ଦାବି କରିଛନ୍ତି । ତେବେ ଏନେଇ ଜିଲା ପ୍ରାଶସନ ସହ ଆଲୋଚନା କରି ସମସ୍ୟାର ସମାଧାନ ପାଇଁ ଉଦ୍ୟମ କରାଯିବ ବୋଲି ନଗରପାଳ ମୃତ୍ୟୁଞ୍ଜୟ ମିଶ୍ର ବ୍ୟବସାୟୀମାନଙ୍କୁ ପ୍ରତିଶୃତି ଦେଇଛନ୍ତି ।
ବୌଦ୍ଧ : ଅବକାରୀ ବିଭାଗ ଦ୍ୱାରା ସଦର ଥାନା ଅନ୍ତର୍ଗତ କାମାରକୁଡା ଗ୍ରାମ ନିକଟସ୍ଥ ଜଙ୍ଗଲରୁ ୫୦୨ କେଜି ଗଞ୍ଜେଇ ଜବତ
ବୌଦ୍ଧ; ୩/୫: ଅବକାରୀ ବିଭାଗ ଦ୍ୱାରା ସଦର ଥାନା ଅନ୍ତର୍ଗତ କାମାରକୁଡା ଗ୍ରାମ ନିକଟସ୍ଥ ଜଙ୍ଗଲରୁ ଆଜି ୫୦୨ କେଜି ଗଞ୍ଜେଇ ଜବତ କରାଯାଇଛି । ବିଶ୍ୱସ୍ତ ସୁତ୍ରରୁ ଖବର ପାଇ ଅବକାରୀ ବିଭାଗର ମୋବାଇଲ ଟିମ କାମାରକୁଡା ଗ୍ରାମ ନିକଟସ୍ଥ ଜଙ୍ଗଲ ରେ ଚଢ଼ଉ କରିଥିଲେ । ବାହାର ରାଜ୍ୟକୁ ଚୋରାଚାଲାଣ କରାଯିବା ପାଇଁ ବିପୁଳ ପରିମାଣର ଗଞ୍ଜେଇ ଜଙଙ୍ଗଲ ମଧ୍ୟରେ ଭାଡି କରାଯାଇ ଗଛିତ ରଖାଯାଇଥିଲା ।
ଅବକାରୀ ବିଭାଗର ମୋବାଇଲ ଟିମ ଚଢ଼ଉ କରି ସମୁଦାୟ ୫୦୨ କେଜି ଗଞ୍ଜେଇ ଜବତ କରିଥିଲେ । ତେବେ ଏହି ଘଟଣାରେ ସଂପୃକ୍ତ ଥିବା ବ୍ୟକ୍ତି ମାନେ ପୂର୍ବରୁ ଫେରାର ହୋଇଯାଇଥିବା ଜଣାପଡିଛି । ଏହି ଚଢ଼ଉରେ ଅବକାରୀ ବିଭାଗର ମୋବାଇଲ ଟିମ ଇନ୍‌ପେକ୍ଟର ସ୍ପନ୍ଦନ କୁମାର ମହାନ୍ତି ଙ୍କ ନେତୃତ୍ୱରେ ଅନ୍ୟ ବିଭାଗୀୟ କର୍ମଚାରୀମାେନେ ସାମିଲ ହୋଇଥିଲେ ।
ବେଆଇନଭାବେ ରାସ୍ତା କଡରେ ଖୋଲିଥିବା ଦୋକାନୀଙ୍କୁ ପ୍ରଶାସନ ପକ୍ଷରୁ ବନ୍ଦ କରାଗଲା
ବୌଦ୍ଧ,୩/୫ : ବୌଦ୍ଧ ସହରର ବିଭିନ୍ନ ଅଂଚଳରେ ରାସ୍ତା କଡରେ ବିନା ଅନୁମତିରେ ଖୋଲାଯାଇଥିବା ଆମିଷ ଦୋକାନ ସବୁକୁ ଆଜି ପ୍ରଶାସନ ପକ୍ଷରୁ ଉଠାଯାଇଅଛି । ବୌଦ୍ଧ ସହରରେ ବିକ୍ଷିପ୍ତ ଭାବେ ରାସ୍ତା କଡରେ ମାଛ, ମାଂସ ଦୋକାନ ସବୁ ଖୋଲାଯାଇଅଛି । ଅନେକ ବ୍ୟବସାୟୀ ରାସ୍ତା କଡରେ ବିଭିତ୍ସ ଭାବେ ଖୋଲାଖୋଲି ଛେଳି ମେଣ୍ଢା, କୁକୁଡା ସବୁ କାଟୁଛନ୍ତି । ଯାହାକି ପରିବେଶ ପ୍ରଦୁଷଣ କରୁଛି ଏନେଇ ବୌଦ୍ଧ ଏନ୍‌ଏସି ପକ୍ଷରୁ ପୂର୍ବରୁ ମଧ୍ୟ ସମସ୍ତ ଦୋକାନକୁ ଉଠାଯାଇ ମାଛମାଂସ ବଜାରରେ ସ୍ଥାୟୀ ଦୋକାନ ଗୃହ ପ୍ରଦାନ କରିଥିଲେ । କିଛିଦିନ ହେବ ପ୍ରଶାସନର ବାରଣ ସତ୍ୱେ ସହରରେ ବିକ୍ଷିପ୍ତ ଭାବେ ରାସ୍ତା କଡରେ ମାଛ, ମାଂସ ଦୋକାନ ସବୁ ଖୋଲି କେଜେଣ ବ୍ୟବସାୟ କରୁଛନ୍ତି । ଆଜି ବୌଦ୍ଧ ଏନ୍‌ଏସି ପକ୍ଷରୁ ଜିଲା ପ୍ରଶାସନର ସହଯୋଗ କ୍ରମେ ସହରର ବିଭିନ୍ନ ଅଂଚଳରେ ରାସ୍ତା କଡରେ ବିନା ଅନୁମତିରେ ଖୋଲାଯାଇଥିବା ଆମିଷ ଦୋକାନ ସବୁକୁ ଉଠାଯାଇଅଛି ।
ପୁଣି ଚର୍ଚ୍ଚାରେ ଖରଭୂଇଁ ପଥର କ୍ବାରି / ଅଧିକ ଖନନ ଅଭିଯୋଗ
ବୌଦ୍ଧ,୩/୫: ପୁଣି ଚର୍ଚ୍ଚାରେ ଖରଭୂଇଁ ପଥର କ୍ବାରି। ପ୍ରଥମେ ଜିଲ୍ଲା ପ୍ରଶାସନ ଦ୍ବାରା ପଥର କ୍ବାରି ବନ୍ଦ ଘୋଷଣା ଓ ପରେ ପୁନର୍ବାର କାର‌୍ୟ୍ୟକ୍ଷମ କରିବା ପାଇଁ ନିର୍ଦ୍ଦେଶ ଦେବା ବିବାଦ ସୃଷ୍ଟି କରିଥିଲା। ବୌଦ୍ଧ ଜିଲ୍ଲା ହରଭଙ୍ଗା ତହସିଲ ଖରଭୂଇଁ ଗ୍ରାମବାସୀ ୧.୧୧.୨୦୨୨ରୁ ଆନ୍ଦୋଳନ ଆରମ୍ଭ କରିଥିଲେ।
ପରବର୍ତ୍ତୀ ସମୟରେ ପଥର କ୍ବାରି ଖନନ ଆରମ୍ଭ ହୋଇଥିଲା। ହେଲେ ଏବେ ମଧ୍ୟ ପାଳି କରି ଗ୍ରାମବାସୀ ଧାରଣାରେ ବସୁଛନ୍ତି। ସେପଟେ ପଥର କ୍ବାରି ଠିକାରେ ନେଇଥିବା ସଂସ୍ଥା ସରକାରୀ ନିୟମ ଉଲଂଘନ କରି ଅଧିକ ଅଞ୍ଚଳ କବ୍ଜା କରି ପଥର ଉତ୍ତୋଳନ କରୁଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ମଙ୍ଗଳବାର ଗ୍ରାମର ପୁରୁଷ ମହିଳା ଆସି ଜିଲ୍ଲାପାଳଙ୍କ ନିକଟରେ ଲିଖିତ ଅଭିଯୋଗ କରିଛନ୍ତି।
ଅଭିଯୋଗ ଅନୁସାରେ ଜଙ୍ଗଲ ଓ ପରିବେଶ ତଥା ପ୍ରଦୂଷଣ ବୋର୍ଡର ସମସ୍ତ ନୀତି ନିୟମ ଉଲଂଘନ କରି ଖରଭୂଇଁ ଜଙ୍ଗଲ-୨ ଓ ୩ରେ ଥିବା ପଥର କ୍ବାରିରୁ ବିପୁଳ ପରିମାଣର ପଥର ଉତ୍ତୋଳନ କରାଯାଉଛି।
ଯାହା ପରିବେଶର ବିବିଧତା ନଷ୍ଟ କରୁଛି। ଜିଲ୍ଲାପାଳଙ୍କ ସହ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଅତିରିକ୍ତ ନିର୍ଦ୍ଦେଶକ, ରାଜ୍ୟ ପରିବେଶ ବିଭାଗ ଅଧ୍ୟକ୍ଷ ଓ ରାଜ୍ୟ ପ୍ରଦୂଷଣ ବୋର୍ଡ ନିକଟରେ ମଧ୍ୟ ଇ-ମେଲରେ ଅଭିଯୋଗ କରିଥିବା ଗ୍ରାମବାସୀ ପ୍ରକାଶ କରିଛନ୍ତି। ଅଭିଯୋଗକାରୀମାନେ ହେଲେ ହୃଦାନନ୍ଦ ଦେହୁରୀ, ତିଲୋତ୍ତମା କହଁର, ସୁବର୍ଣ୍ଣା ବଗର୍ତ୍ତି ପ୍ରମୁଖଙ୍କ ସହ ଅନ୍ୟ ଗ୍ରାମବାସୀ ଦାବିପତ୍ର ପ୍ରଦାନ ବେଳେ ଉପସ୍ଥିତ ଥିଲେ।

ମିଳିନି ଦୁଇ ମାସର ଦରମା, ଜିଲ୍ଲାପାଳଙ୍କୁ ଫେରାଦ ହେଲା ଚୁକ୍ତି ଭିତ୍ତିକ ଶିକ୍ଷକ ସଂଘ
ବୌଦ୍ଧ,୩/୫: ଗତ ୧୬.୧୦.୨୦୨୨ରେ ମୁଖ୍ୟମନ୍ତ୍ରୀ ଚାକିରିରେ ଚୁକ୍ତି ଭିତ୍ତିକ ପ୍ରଥା ଉଚ୍ଛେଦ ଘୋଷଣା କରିଥିଲେ। ହେଲେ ସ୍କୁଲ ଓ ଗଣ ଶିକ୍ଷା ବିଭାଗକୁ ଚିଠି ଆସିଲା ନାହିଁ। ଫଳରେ ଶିକ୍ଷକଙ୍କ ଚାକିରି ନିୟମିତ ହୋଇ ପାରିଲା ନାହିଁ। ସେପଟେ ଚକ୍ତିଭିତ୍ତିକ ଅନୁଦାନ ବନ୍ଦ ହେବା ଯୋଗୁଁ ଦୁଇ ମାସ ହେଲା ଦରମା ମିଳି ନାହିଁ। ଚାକିରି ନିୟମିତ ଅନୁଦାନରୁ ଦରମା ମିଳିବ ବୋଲି ଅର୍ଥ ବିଭାଗ କହୁଛି।
ଫଳରେ ଶିକ୍ଷକଙ୍କ ଭବିଷ୍ୟତ ଦୋଛକିର ଅଟକି ରହିଛି। ବୌଦ୍ଧ ଜିଲ୍ଲାର ୨୦୯ ଜଣ ଶିକ୍ଷକ ଶିକ୍ଷୟତ୍ରୀ ଦୁର୍ଦ୍ଦିନରେ କାଳ କାଟୁଛନ୍ତି। ତେଣୁ ସେମାନଙ୍କୁ ତୁରନ୍ତ ନିୟମିତ କରିବା ସହ ଦୁଇ ମାସର ଦରମା ପ୍ରଦାନ କରିବାକୁ ଦାବି କରିଛନ୍ତି।
ଏନେଇ ଓଡ଼ିଶା ଚୁକ୍ତି ଭିତ୍ତିକ ଶିକ୍ଷକ ସଂଘର ବୌଦ୍ଧ ଜିଲ୍ଲା ଶାଖା ପକ୍ଷରୁ ଡିଇଓ ଓ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି। ସଂଘର ଜିଲ୍ଲା ସଭାପତି ରଞ୍ଜିତ ନାଏକ, ସଂପାଦକ ବିଭୁତି ଭୂଷଣ ମହାକୁଡ଼ ଓ କୋଷାଧ୍ୟକ୍ଷ ରାଧେଶ୍ୟାମ ମେହେରଙ୍କ ସହ ଅନ୍ୟ ଶିକ୍ଷକମାନେ ଦାବିପତ୍ର ପ୍ରଦାନ ବେଳେ ଉପସ୍ଥିତ ଥିଲେ ।

ବୌଦ୍ଧ ଅତିରିକ୍ତ ଜିଲ୍ଲାପାଳ, ତହସିଲଦାରଙ୍କୁ ବିଦାୟ ସମ୍ବର୍ଦ୍ଧନା
ବୌଦ୍ଧ, ୩/୫: ବୌଦ୍ଧର ଅତିରିକ୍ତ ଜିଲ୍ଲାପାଳ ବବିତାରାଣୀ ଦଳବହେରା ଓ ବୌଦ୍ଧ ତହସିଲଦାର ଓ ହରଭଙ୍ଗା ତହସିଲଦାରଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଦାୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି ।
ଜିଲ୍ଲାପାଳ ସତ୍ୟରଂଜନ ସାହୁଙ୍କ ଅଧ୍ୟକ୍ଷତାରେ ବୌଦ୍ଧ ସର୍କିଟହାଉସଠାରେ ଆୟୋଜିତ ସମ୍ବର୍ଦ୍ଧନା ସଭାରେ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ ଉପସ୍ଥିତ ରହି କଟକ ସେଟେଲମେଣ୍ଟ ଅଧିକାରୀ ଭାବରେ ବଦଳି ହୋଇଥିବା ଅତିରିକ୍ତ ଜିଲ୍ଲାପାଳ ବବିତା ରାଣୀ ଦଳବେହେରା ଓ
ହରଭଙ୍ଗା ତହସିଲଦାର ଶମ୍ଭୁଭୂଷଣ ମିଶ୍ରଙ୍କୁ ନଭୀମୁମ୍ବାଇ ଓଡ଼ିଶା ଭବନର ଏଆସି ମ୍ୟାନେଜର ଭାବରେ ବଦଳି ହୋଇଥିବା ଏବଂ ବୌଦ୍ଧ ତହସିଲଦାର ଦେବୀ ପ୍ରସାଦ ଦାଶ ସରକାରୀ ସେବାରୁ ଅବସରଗ୍ରହଣ କରିଥିବାବେଳେ ତିନି ପ୍ରଶାସନିକ ଅଧିକାରୀଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଦାୟକାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା ।
ଜିଲ୍ଲାପାଳ ଶ୍ରୀସାହୁ ଅଧିକାରୀମାନଙ୍କ କାର୍ଯ୍ୟଦକ୍ଷତାକୁ ପ୍ରଶଂସା କରିବା ସହିତ ସେମାନଙ୍କ ଖାଲିସ୍ଥାନକୁ ଜିଲ୍ଲା ବାସୀ ଅନୁଭବ କରିବେ ବୋଲି ପ୍ରକାଶ କରିଥିଲେ । ଜିଲ୍ଲାବାସୀଙ୍କୁ ସେବା ଯୋଗାଇ ବିଦାୟ ନେଉଥିବା ଅଧିକାରୀମାନେ ଜିଲ୍ଲାରେ ସେମାନଙ୍କର କାର୍ଯ୍ୟକ୍ଷେତ୍ରରେ ସହଯୋଗ କରିଥିବା ସମସ୍ତ କର୍ମଚାରୀ,ଅଧିକାରୀ ଓ ଜିଲ୍ଲାବାସୀଙ୍କୁ କୃତଜ୍ଞତା ଜ୍ଞାପନ କରିବା ସହିତ ବୌଦ୍ଧମାଟି ସର୍ବତା ତାଙ୍କ ପାଇଁ ସ୍ମରଣୀୟ ରହିବ ବୋଲି ପ୍ରକାଶ କରିଥିଲେ ।
ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲାପରିଷଦ ମୁଖ୍ୟ କାର‌୍ୟ୍ୟନିର୍ବାହୀ ଅଶ୍ୱିନୀ କୁମାର ମେହେର,ଉପଜିଲ୍ଲାପାଳ ରବିନ୍ଦ୍ରନାଥ କହଁରଙ୍କ ସମେତ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ । ଶେଷରେ ବୌଦ୍ଧ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅବିନାଶ ପାଣ୍ଡିଆ ଧନ୍ୟବାଦ ପ୍ରଦାନ କରିଥିଲେ ।

ବୌଦ୍ଧରେ ନୂତନ ଅତିରିକ୍ତ ଜିଲ୍ଲାପାଳଙ୍କ ଯୋଗଦାନ
ବୌଦ୍ଧ,୩/୫: ବୌଦ୍ଧର ନୂତନ ଅତିରିକ୍ତ ଜିଲ୍ଲାପାଳ ଭାବରେ ଦାରିଦ୍ର‌୍ୟଭଞ୍ଜନ ମଦନ ମୋହନ ପାତ୍ର ଦାୟିତ୍ୱ ଗ୍ରହଣ କରିଛନ୍ତି । ଶ୍ରୀ ପାତ୍ର ପୂର୍ବରୁ ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଯୁଗ୍ମଶାସନ ସଚିବ ଭାବରେ କାର‌୍ୟ୍ୟରତ ଥିଲେ ।
ଶ୍ରୀ ପାତ୍ର ଅତିରିକ୍ତ ଜିଲ୍ଲାପାଳ ଭାବରେ ଦାୟିତ୍ୱ ଗ୍ରହଣ କରିବାପରେ ଜିଲ୍ଳାର ବିକାଶ ପାଇଁ ସମସ୍ତେ ମିଳିମିଶି କାର‌୍ୟ୍ୟ କରିବାପାଇଁ ପରାମର୍ଶ ଦେବା ସହିତ ସମସ୍ତଙ୍କର ସହଯୋଗ କାମନା କରିଥିଲେ ।
ଦାୟିତ୍ୱ ଗ୍ରହଣ କରିବାପରେ ଜିଲ୍ଲାସ୍ତରୀୟ ଅଧିକାରୀ ଓ ଜିଲ୍ଲାପାଳଙ୍କ କାର‌୍ୟ୍ୟାଳୟର କର୍ମଚାରୀମାନେ ନୂତନ ଅତିରିକ୍ତ ଜିଲ୍ଲାପାଳ ଶ୍ରୀପାତ୍ରଙ୍କୁ ପୁଷ୍ପଗୁଛ ଦେଇ ଅଭିନନ୍ଦନ ଜଣାଇଛନ୍ତି ।

ବୌଦ୍ଧ ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ଆଇନ ସଚେତନତା କାର୍ଯ୍ୟକ୍ରମ
ବୌଦ୍ଧ, ୩/୫: ବୌଦ୍ଧ ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ସରସରା ଗ୍ରାମ ପଂଚାୟତ କାର୍ଯ୍ୟଳୟ ଠାରେ ଶ୍ରମିକ ଦିବସ ପାଳନ ଅବସରରେ ଏକ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି । ଏହି କାର‌୍ୟ୍ୟକ୍ରମରେ ଜିଲ୍ଲା ଓ ଦୌରା ଜଜ୍ ତଥା ଜିଲ୍ଲା ଆଇନସେବା ପ୍ରାଧିକରଣ, ବୌଦ୍ଧର ଅଧ୍ୟକ୍ଷ ବିକ୍ରମ କୁମାର ପ୍ରଧାନଙ୍କ ନିର୍ଦ୍ଦେଶକ୍ରମେ ଏବଂ ଜିଲ୍ଲା ଆଇନସେବା ପ୍ରାଧିକରଣ, ବୌଦ୍ଧର ସଚିବ ସାସ୍ୱତି ମିଶ୍ରଙ୍କ ତତ୍ୱାବଧାନରେ ଅନୁଷ୍ଠିତ ହୋଇଯାଇଅଛି ।
ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଆଇନସେବା ପ୍ରାଧିକରଣ, ବୌଦ୍ଧର ପ୍ୟାନେଲ ଓକିଲ ବିକାଶ ଚନ୍ଦ୍ର ବେହେରା ଏବଂ ସରସରା ଗ୍ରାମ ପଂଚାୟତର ସରପଂଚ ହରି ନାଏକ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମରେ ସରସରା ଗ୍ରାମ ପଂଚାୟତର ଗ୍ରାମବାସୀ ମାନେ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମରେ ଶ୍ରମିକ ମାନଙ୍କୁ ସେମାନଙ୍କର ଅଧିକାର ଏବଂ ସେମାନଙ୍କ ପାଇଁ ସରକାରଙ୍କ ଦ୍ୱାରା ଲାଗୁ କରାଯାଇଥିବା ବିଭିନ୍ନ ଉନ୍ନତିମୂଳକ ଯୋଜନା ଉପରେ ଆଲୋକପାତ କରାଯାଇଥିଲା ।
ଏହା ଛଡା ସେମାନଙ୍କ ସୁରକ୍ଷା ପାଈଁ ଥିବା ନିୟମମାନ ଯଥା ସର୍ବନିମ୍ନ ମଜୁରି ଅଧିନିୟମ, ୧୯୪୮, ଶିଶୁ ଶ୍ରମ (ନିଷେଧ ଏବଂ ନୀୟମାବଳୀ) ଆଇନ, ୧୯୮୬, କାରଖାନା ଅଧିନୀୟମ, ୧୯୪୮, ଶିଳ୍ପ ବିବାଦ ଆଇନ, ୧୯୪୭ ଇତ୍ୟାଦି ଆଇନ ଉପରେ ସେମାନଙ୍କୁ ବୁଝାଯାଇଥିଲା ।
ଏହା ସହ ଜିଲ୍ଲା ଆଇନସେବା ପ୍ରାଧିକରଣ, ବୌଦ୍ଧ ସଂସ୍ଥା ଦ୍ୱାରା ସେମାନଙ୍କ ପାଇଁ ଥିବା ମାଗଣା ଆଇନସେବା ଯେମିତି କୋର୍ଟରେ କେସ୍ ଲଢିବା ପାଇଁ, ବେଲ୍ ଦାଖଲ କରିବା ପାଇଁ, ଉଚ୍ଚ ନ୍ୟାୟାଳୟ କିମ୍ବା ସର୍ବୋଚ୍ଚ ନ୍ୟାୟାଳୟ ରେ ଅପିଲ୍ ଦାଖଲ କରିବା ପାଇଁ ଏବଂ ଅନ୍ୟ କୌଣସି ଆଇନଗତ ସେବା ପାଇଁ ମାଗଣାରେ ସରକାରୀ ଓକିଲ ଯୋଗାଇଦେବା ଇତ୍ୟାଦି ଉପରେ ବୁଝାଯାଇଥିଲା ।

Related Posts

Seo wordpress plugin by www.seowizard.org.