Odisha News

ବୌଦ୍ଧ:ଜିଲ୍ଲା ଜର୍ଣ୍ଣାଲିଷ୍ଟ ଫୋରମ ତରଫରୁ ଲାଇବ୍ରେରୀ ପୁସ୍ତକ ଓ ଶିକ୍ଷା ଉପକରଣ ବଣ୍ଟନ

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ,୨୧/୧: ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ ରାମକୃଷ୍ଣ ବାଳାଶ୍ରମ ବୀରନରସିଂପୁର ଠାରେ ଆଜି ଜିଲ୍ଲା ଜର୍ଣ୍ଣାଲିଷ୍ଟ ଫୋରମ ତରଫରୁ ଲାଇବ୍ରେରୀ ପାଇଁ ପୁସ୍ତକ ଓ ସ୍କୁଲ ବ୍ୟାଗ ବଣ୍ଟନ କରାଯାଇଛି ।
ଏଥିରେ ମୁଖ୍ୟଅତିଥି ଭାବେ ଜିଲ୍ଲାପାଳ ସତ୍ୟ ରଞ୍ଜନ ସାହୁ ଯୋଗ ଦେଇଥିବାବେଳେ ସମ୍ମାନୀତ ଅତିଥି ଭାବେ ଆରକ୍ଷୀ ଅଧୀକ୍ଷକ ପ୍ରହଲ୍ଲାଦ ସହାଇ ମିନା, ଅତିରିକ୍ତ ଜିଲ୍ଲାପାଳ ବବିତାରାଣୀ ଦଳବେହେରା, ଉପ ଜିଲ୍ଲାପାଳ ରବୀନ୍ଦ୍ରନାଥ କହଁର, ଜିଲ୍ଲାପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ଅଶ୍ୱିନୀ କୁମାର ମେହେର, ବୌଦ୍ଧ ତହସିଲଦାର ଦେବୀପ୍ରସାଦ ଦାସ, ହରଭଙ୍ଗା ତହସିଲଦାର ବିଜୟ ପ୍ରଧାନ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ରାହୁଲ ପ୍ରଧାନ, ସୂଚନା ଓ ଲୋକସଂପର୍କ ଅଧିକାରୀ ରୀତାକାନ୍ତି ବଳିୟାରସିଂହ ଯୋଗ ଦେଇଥିଲେ । ଜିଲ୍ଲାପାଳ ଶ୍ରୀ ସାହୁ ଜିଲ୍ଲା ଜର୍ଣ୍ଣାଲିଷ୍ଟ ଫୋରମ୍ ଦ୍ୱାରା ପ୍ରଦତ୍ଥ ବାଳାଶ୍ରମର ସମସ୍ତ ଛାତ୍ରଛାତ୍ରୀଙ୍କୁ ସ୍କୁଲ ବ୍ୟାଗ ଓ ବାଳାଶ୍ରମ ଲାଇବ୍ରେରୀ ପାଇଁ ବହି ଓ ଆଲମିରାକୁ ପ୍ରଦାନ କରିଥିଲେ ।
ଆସନ୍ତା ଫେବୃଆରୀ ୧୧ ତାରିଖରେ ଆଶ୍ରମର ସମସ୍ତ ଅନ୍ତେବାସୀ ଜିଲ୍ଲା ପ୍ରଶାସନ ସହାୟତାରେ ଗୋପାଳପୁର, ଗଞ୍ଜାମର ତାରାତାରିଣୀ ଓ ସିଦ୍ଧ ଭୈରବୀ ଇତ୍ୟାଦି ପର୍ଯ୍ୟଟନ ସ୍ଥଳ ଭ୍ରମଣରେ ଯିବେ ବୋଲି କହିଥିଲେ ଏବଂ ସମସ୍ତ ମ୍ୟାଟ୍ରିକ ଛାତ୍ରଛାତ୍ରୀଙ୍କ କୋଚିଂ ପାଇଁ ଆସନ୍ତା ମ୍ୟାଟ୍ରିକ ପରୀକ୍ଷା ପର୍ଯ୍ୟନ୍ତ ଶିକ୍ଷକ ଯୋଗାଇ ଦେବାକୁ ପ୍ରତିଶୃତି ଦେଇଥିଲେ । ଏଥିସହିତ ପିଲାମାନଙ୍କୁ ଯୋଗ ଶିଖାଇବା ପାଇଁ ୨ଜଣ ଯୋଗ ଶିକ୍ଷକଙ୍କୁ ପଠାଇବେ ବୋଲି କହିଥିଲେ ।
ସେହିପରି ଆରକ୍ଷୀ ଅଧିକ୍ଷକ ଶ୍ରୀ ମିନା ସମସ୍ତ ଛାତ୍ରଛାତ୍ରୀଙ୍କୁ ସ୍ପୋର୍ଟସ ଜୋତା ଏବଂ ଟ୍ରାକ ସୁଟ ପ୍ରଦାନ କରିବାକୁ ଘୋଷଣା କରିଥିଲେ । କାର୍ଯ୍ୟକ୍ରମରେ ଜିଲ୍ଲା ଜର୍ଣ୍ଣାଲିଷ୍ଟ ଫୋରମର ସଭାପତି ଦିବ୍ୟ ଶଙ୍କର ରାଉତ, ସାଧାରଣ ସଂପାଦକ ଯୁଗଳ କିଶୋର ସାମଲ, ସଦସ୍ୟ ସୁକାନ୍ତ କୁମାର ପଟ୍ଟନାୟକ, ଦିବ୍ୟ ରଂଜନ ପଟ୍ଟନାୟକ, ସତ୍ୟଜିତ୍ ପଣ୍ଡା, ସୁଜାତା ସାହୁ, ଦେବାନନ୍ଦ ସାହୁ, ସୁଧାଂଶୁ ଶେଖର ମିଶ୍ର, ବାସୁଦେବ ସାହୁ, ଭାଗବତ ମେହେର, ସଂଜିବ ମହାକୁଳ, ବବୁଲୁ ପାଢୀ, ପ୍ରୀତିରଞ୍ଜନ ଦାସ, ଅବଦୁଲ ମହସୀନ ଖାଁନ, ଦୀପକ ଅଦର, ସୁଶାନ୍ତ ବେହେରାଙ୍କ ସମେତ ସମସ୍ତ ସଦସ୍ୟ ଏବଂ ନାଗରିକ କମିଟି ସମ୍ପାଦକ ବିଶେଶ୍ୱର ପୃଷ୍ଟି, ପ୍ରେସ କ୍ଲବ ସମ୍ପାଦକ ରଘୁନାଥ ଷଡ଼ଙ୍ଗୀ ପ୍ରମୁଖ ଉପସ୍ଥିତ ଥିଲେ ।
ବୌଦ୍ଧ ଜିଲ୍ଲାରେ ୧୦ ଲକ୍ଷ ୭୯ ହଜାର ୯୯୧ କ୍ୱିଣ୍ଟାଲ ଖରିଫ ଧାନ ସଂଗ୍ରହ
ବୌଦ୍ଧ,୨୧/୧: ବୈାଦ୍ଧ ଜିଲ୍ଲାରେ ଗତ ଡିସେମ୍ବର ୬ ତାରିଖ ଠାରୁ ପ୍ରଶାସନ ପକ୍ଷରୁ ଧାନ କିଣା ଆରମ୍ଭ ହୋଇଥିବା ବେଳେ ଚଳିତ ବର୍ଷ ମଧ୍ୟ ବିଭିନ୍ନ ମଣ୍ଡିରେ ଧାନ କିଣାକୁ ନେଇ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ଠିକ ସମୟରେ ମଣ୍ଡିକୁ ଗାଡି ପହଂଚି ପାରୁ ନଥିବାରୁ ଧାନ ପରିବହନ ହୋଇପାରୁନାହିଁ । ଯାହାଫଳରେ ମଣ୍ଡିରେ ଧାନ ପଡି ରହୁଛି । ଠିକ ସେହିଭଳି ମଣ୍ଡିରେ ମଧ୍ୟ କଟନି ଛଟନି ଲାଗି ରହୁଛି ।
ଯାହାଫଳରେ ଚାଷୀ ବାଧ୍ୟ ହୋଇ ରାଜରାସ୍ତାକୁ ଓହ୍ଲାଉଛି । ସରକାର ଚାଷୀଙ୍କ ହିତ ପାଇଁ ବିଭିନ୍ନ ଯୋଜନା କରୁଛନ୍ତି । ହେଲେ ଚାଷୀଙ୍କ ପାଖରେ ଯୋଜନା ପହଂଚି ପାରୁନାହିଁ । କେବଳ ଚାଷୀ ଶୋଷଣର ଶୀକାର ହେଉଛି । ଜିଲ୍ଲାରେ ୧୬ ଲକ୍ଷ ୪୧ ହଜାର ଛଅ ଶହ କୁଇଂଟାଲ ଖରିଫ ଧାନ କ୍ରୟ କରିବା ପାଇଁ ଲକ୍ଷଧାର୍ଯ୍ୟ କରାଯାଇଥିବା ବେଳେ ୧୦ ଲକ୍ଷ ୭୯ ହଜାର ୯୯୧ କ୍ୱିଣ୍ଟାଲ ଖରିଫ ଧାନ ସଂଗ୍ରହ କରାଯାଇଥିବା ନେଇ ଜିଲ୍ଲା ଯୋଗାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ଚଳିତ ଖରିଫ ଋତୁ ପାଇଁ ଜିଲ୍ଲାରେ ୪୨୬୫୬ ଜଣ ଚାଷୀ ଧାନ ବିକ୍ରୟ କରିବା ପାଇଁ ନାମ ପଂଜିକରଣ କରିଥିବାବେଳେ ସେଟଲାଇଟ ତଥ୍ୟ ଆଧାରରେ ୧୬୯ ଜଣ ଚାଷୀଙ୍କ ନାମକୁ ତାଲିକାରୁ ବାଦ ଦିଆଯାଇଥିବା ଜଣାପଡିଛି । ଜିଲ୍ଲାରେ ୪୨୨୩୦ ଜଣ ଚାଷୀଙ୍କୁ ଧାନ ବିକ୍ରି କରିବା ପାଇଁ ଟୋକନ ପ୍ରଦାନ କରାଯାଇଛି । ଜିଲ୍ଲାରେ ୪୨ଗୋଟି ସମବାୟ ସମିତି ଓ ୨ଟି ମହିଳା ସ୍ୱଂୟ ସହାୟକ ଗୋଷ୍ଠୀ ମାଧ୍ୟମରେ ଚାଷୀଙ୍କଠାରୁ ଧାନ ସଂଗ୍ରହ କରାଯାଉଛି । ଏଫ.ଏ.କ୍ୟୁ ଧାନ କୁଇଂଟାଲ ପ୍ରତି ପୂର୍ବରୁ ୧୯୪୦ ଟଙ୍କା ଦର ଧାର୍ଯ୍ୟ ହୋଇଥିବାବେଳେ ଚଳିତବର୍ଷ ଏହା ୧୦୦ ଟଙ୍କା ବୃଦ୍ଧି ପାଇ ୨୦୪୦ ଟଙ୍କା କରାଯାଇଛି ।
୧୧ଟି ମିଲର୍ସ ଧାନ କ୍ରୟ କରୁଥିବା ବେଳେ ଧାନ ଉଠାଣ ପାଇଁ ଆବଶ୍ୟକ ସଂଖ୍ୟକ ଗାଡି ନ ଥିବାରୁ ଧାନ ଉଠାଣରେ ବିଳମ୍ବ ଦେଖାଦେଉଛି । ଗତ ବର୍ଷର ଧାନ ଚାଉଳ କୋଟା ସମସ୍ତ ମିଲର୍ସ ଦେଇସାରିଛନ୍ତି । ଯୋଗାଣ ବିଭାଗ ଚାଷୀ କିପରି ସୁବିଧାରେ ଧାନ ବିକ୍ରି କରିପାରିବେ ସେଥିପ୍ରତି ଧ୍ୟାନ ଦେଉଥିଲେ ମଧ୍ୟ ମିଲର୍ସଙ୍କ ମର୍ଜି ଆଗରେ ବିଭାଗ ମଧ୍ୟ ଅସହାୟ ହୋଇପଡୁଥିବାର ଆଲୋଚନା ହେଉଛି । ସେପଟେ ବିଭିନ୍ନ ମଣ୍ଡିରେ ଧାନ କ୍ରୟକୁ ନେଇ ଅଚଳା ଅବସ୍ଥା ଦେଖାଦେଇ ଥିବା ଯୋଗୁଁ କମ ଦରରେ ଦଲାଲଙ୍କୁ ଧାନ ବିକ୍ରି କରିବାକୁ ବାଧ୍ୟ ହେଉଛି । ଯାହାଫଳରେ ଦଲାଲ ସକ୍ରିୟ ହୋଇପଡିଛନ୍ତି ।
ବୌଦ୍ଧ ଏକ କୃଷି ପ୍ରଧାନ ଜିଲ୍ଲା ହୋଇଥିବା ବେଳେ ଜିଲ୍ଲାର ଅନେକ ଚାଷୀ ଆର୍ଥୀକସ୍ଥିତ ଭଲ ନାହିଁ । ଏପରିସ୍ଥଳେ ଚାଷୀ ଧାର କରଜ କରି ଚାଷ କରିଛି । ଭଲ ଫସଲ ହେଲେ ଅମଳ କରି ଦି ପଇସା ରୋଜଗାର କରି ଧାର କରଜ ସୁଝିବା ସହିତ ନିଜର ଗୁଜୁରାଣ ମେଣ୍ଟାଇବାକୁ ଆଶା ବନ୍ଦି ବସିଛି । ଯଦି ଚାଷୀ ଅଭାବି ବିକ୍ରିର ଶୀକାର ହେବ ତାହାହେଲେ ତାର ଆର୍ଥୀକସ୍ଥିତି ସୁଧାରିବା ବଦଳରେ କଙ୍ଗାଳ ହୋଇ ପଡିବ । ଶେଷରେ ବାଧ୍ୟହୋଇ ଧାନ ଚାଷ ପ୍ରତି ବି ମୁଖ ହେବ । ପ୍ରଶାସନ ଚାଷୀମାନଙ୍କ ସମସ୍ୟାକୁ ଗମ୍ଭୀରତାର ସହ ନେଇ ସେମାନଙ୍କ ସମସ୍ୟାକୁ ସମାଧାନ କରିବାକୁ ଉଦ୍ୟମ କରାଯାଉ ବୋଲି ବୁଦ୍ଧିଜିବୀ ମହଲରେ ଆଲୋଚନା ହେଉଛି ।
ବୌଦ୍ଧ: ଗାୟତ୍ରୀ ପରିବାର ପକ୍ଷରୁ ଯୁଗ ନିର୍ମାଣ କର୍ମଶାଳା
ବୌଦ୍ଧ, ୨୧/୧: ଯୁଗଋଷି ପଣ୍ଡିତ ଶ୍ରୀରାମ ଶାର୍ମା ଆଚାର୍ଯ୍ୟଙ୍କ ଦ୍ୱାରା ଆରମ୍ଭ ହୋଇଥିବା ଯୁଗ ନିର୍ମାଣ ଯୋଜନା ଅନ୍ତର୍ଗତ କାର୍ଯ୍ୟକ୍ରମ ଅନୁସାରେ ବୌଦ୍ଧ ସହରର ବିଭିନ୍ନ ଶିକ୍ଷାନୁଷ୍ଠାନ ମାନଙ୍କରେ ତିନିଦିନ ଧରି କର୍ମଶାଳା ଅନୁଷ୍ଠିତ ହୋଇଯାଇଛି ।
ବୌଦ୍ଧ ଗାୟତ୍ରୀ ଶକ୍ତପୀଠର ମୁଖ୍ୟ ଟ୍ରଷ୍ଟି ଅଧ୍ୟାପକ ପ୍ରବୀର କୁମାର ଦାସଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଏହି କାର୍ଯ୍ୟକ୍ରମରେ ସାଧନ କର୍ମୀ ଭାବରେ ଶାନ୍ତିକୁଞ୍ଜ ହରିଦ୍ୱାରର ଦେବ ସଂସ୍କୃତି ବିଶ୍ୱବିଦ୍ୟାଳୟର ତିନିଜଣ ସ୍ନାତୋକତ୍ତର ଛାତ୍ରୀ ଆଦିତି ସୋନୀ,ଗୁଞ୍ଜନ ସାଇନୀ ଓ ପ୍ରିୟାଗୁ କୁମାରୀ ବୌଦ୍ଧକୁ ଆସି ହରଭଙ୍ଗା ବ୍ଲକର କାର୍ଯ୍ୟକ୍ରମ ସାରି ବୌଦ୍ଧ ସହରର ମହିଳା ମହାବିଦ୍ୟାଳୟ,ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟ,ଚନ୍ଦ୍ରଚୂଡ ପ୍ରାଥମିକ ବିଦ୍ୟାଳୟ,ଖଲିଆବଗିଚା ପ୍ରାଥମିକ ବିଦ୍ୟାଳୟ,ବୁଟୁପାଲି ପ୍ରାଥମିକ ବିଦ୍ୟାଳୟ, ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ,ସେଣ୍ଟଜାର୍ଭିଅର,ଯୋଗୀନ୍ଦ୍ର ଦେବ ଉଚ୍ଚ ବିଦ୍ୟାଳୟ,ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ,ଜାନକୀ ଭିକାରୀ ଉଚ୍ଚ ବିଦ୍ୟାଳୟ ଓ ଟୁଟୁସିଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଯୋଗାସନ,ପ୍ରାଣାୟାମ,ଏକୁପ୍ରେସର,ସ୍ୱାସ୍ଥ୍ୟ ସୁରକ୍ଷା,ବାଳିକା ଓ ଶିଶୁ ସ୍ୱାସ୍ଥ୍ୟ ଓ ନିଶା ନିବାରଣ ଇତ୍ୟାଦି ବିଷୟରେ ସଙ୍ଗିତ ଓ ଗଳ୍ପ ମାଧ୍ୟମରେ ଆଲୋଚନା କରି ଅଭ୍ୟାସ କରାଇଥିଲେ ।
ମାନସିକ ଚାପରୁ ରକ୍ଷା ପାଇବା ପାଇଁ ଯୋଗାସନ,ପ୍ରାଣାୟାମ ଅଭ୍ୟାସ ସହ ଏକ୍ୟୁପ୍ରେସର ଚିକିତ୍ସା ଶିଖାଇଥିଲେ । ଏହି କାର୍ଯ୍ୟକ୍ରମରେ ସମସ୍ତ ବିଦ୍ୟାଳୟ ମହାବିଦ୍ୟାଳୟର ପ୍ରଧାନଶିକ୍ଷକ ଓ ଅଧ୍ୟକ୍ଷମାନେ ଯୋଗଦେଇଥିଲେ ଓ ସେମାନଙ୍କୁ ପ୍ରଶଂସାପତ୍ର ପ୍ରଦାନ କରିଥିଲେ । ଏଥିରେ ବୌଦ୍ଧ ଗାୟତ୍ରୀ ଶକ୍ତି ପୀଠର ସଦସ୍ୟ ରୁକ୍ମିଣୀ ରାଜୁ,ପିତାମ୍ବର ମେହେର,ଗୀତାଂଜଳୀ ମେହେର,ରଶ୍ମିତା ପ୍ରଧାନ ପ୍ରମୁଖ ସକ୍ରିୟ ସହଯୋଗ କରିଥିଲେ । ଶେଷରେ ଖଲିଆବଗିଚାଠାରେ ସନ୍ଧ୍ୟାକାଳୀନ ଦୀପଯଜ୍ଞ ଆୟୋଜନ କରାଯାଇଥିଲା ।
ଶିଶୁ ଯତ୍ନ ଅନୁଷ୍ଠାନର କର୍ମଚାରୀ ଙ୍କ ଦକ୍ଷତା ବିକାଶ କାର୍ଯ୍ୟକ୍ରମ
ବୌଦ୍ଧ,୨୧/୧: ଶିଶୁ ଯତ୍ନ ଅନୁଷ୍ଠାନର କର୍ମଚାରୀ ଙ୍କ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ ପକ୍ଷରୁ ପର୍ଯ୍ୟବେକ୍ଷଣ ଗୃହ, ବୈାଦ୍ଧ ଠାରେ ଜିଲ୍ଲାରେ ଥିବା ୫ ଗୋଟି ଶିଶୁଯତ୍ନ ଅନୁଷ୍ଠାନର କର୍ମଚାରୀ ଙ୍କୁ ନେଇ ଏକ ଦକ୍ଷତା ବିକାଶ କର୍ମଶାଳା ତଥା ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି ।
ଏହି କର୍ମଶାଳାକୁ ମୁଖ୍ୟ ଅତିଥି ଭାବରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ରାହୁଳ ପ୍ରଧାନ ଯୋଗାଦେଇ ଉଦଘାଟନ କରିବା ସହ ଶିଶୁ ସୁରକ୍ଷା କର୍ତବ୍ୟରତ ସମସ୍ତ କର୍ମଚାରୀ ମାନେ ସଚେତନ ହେଲେ ତଥା ନିଜର ଦାୟିତ୍ୱ ଓ କର୍ତବ୍ୟକୁ ସୁଚାରୁ ରୁପେ ପାଳନ କଲେ ଅନୁଷ୍ଠାନର ସୁରକ୍ଷା ତଥା ଉତମ ସୁବିଧା ଯୋଗାଇ ହେବ ବୋଲି ମତ ପ୍ରକାଶ କରିଥିଲେ । ସମ୍ମାନିତ ଅତିଥି ଭାବରେ ଶିଶୁ ମଙ୍ଗଳ ସମିତି ସଭ୍ୟ ସୀତାକାନ୍ତ ସାହୁ ଯୋଗଦେଇ କିଶୋର ନ୍ୟାୟ ଅଧିନିୟମ, ଶିଶୁ ଅଧିକାର, ଯୌନ ଅପରାଧରୁ ଶିଶୁଙ୍କୁ ସୁରକ୍ଷା ଆଇନ ର ସମାଜିକ ଦିଗ ସର୍ମ୍ପକରେ ଅଲୋଚନା କରିଥିଲେ ।
ଆନୁଷ୍ଠାନିକ ସୁରକ୍ଷା ଅଧିକାରୀ ରାଜେନ୍ଦ୍ର ମଲ୍ଲିକ ଯୋଗଦେଇ ଶିଶୁ ଯତ୍ନ ଅନୁଷ୍ଠାନର କର୍ମଚାରୀ ଙ୍କ ଭୁମିକା ଓ ଦାୟିତ୍ୱ ଏବଂ ଅନୁଷ୍ଠାନର ଯତ୍ନର ମାନ ବିଷୟରେ ପ୍ରଶିକ୍ଷଣ ଦେଇଥିଲେ । ଶିଶୁ ମାନଙ୍କର ସୁରକ୍ଷାକୁ ଦୃଷ୍ଟିରେ ରଖି ଅନୁଷ୍ଠାନରେ ଥିବା ବିଭିନ୍ନ କମିଟି ବୈଠକକୁ ପ୍ରତି ମାସରେ ସୁନିଶ୍ଚିତ କରିବା ପାଇଁ କହିଥିଲେ । ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟର ବରିଷ୍ଠ ତଥ୍ୟ ବିଶ୍ଲେଷକ ଜ୍ୟୋତିପ୍ରକାଶ ପ୍ରଧାନ ଯୋଗଦେଇ ଶିଶୁ ଅଧିକାର ଆଇନ୍ ଓ ମୋ ଶିଶୁ ପୋର୍ଟାଲ ବିଷୟରେ ପ୍ରଶିକ୍ଷଣ ଦେଇଥିଲେ । ଏହି ପ୍ରଶିକ୍ଷଣ କାଯ୍ୟକ୍ରମରେ ପର୍ଯ୍ୟବେକ୍ଷଣ ଗୃହ ଓ ସ୍ୱତନ୍ତ୍ର ଗୃହ, ଶିଶୁ ଗୃହ, ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ର ର ୩୦ ଜଣ କର୍ମଚାରୀ ପ୍ରଶିକ୍ଷଣ ନେଇଥିଲେ । ସମରସେନ୍ ସିଂ ଧନ୍ୟବାଦ ଅର୍ପଣ କରି ଥିବା ବେଳେ ଚିତ୍ରସେନ ସାହୁ , ରଂଜିତ ସାହୁ ଓ ସତ୍ୟନାରାୟଣ ନାଏକ ସହଯୋଗ କରିଥିଲେ ।

Related Posts

Seo wordpress plugin by www.seowizard.org.