Odisha News

ବୌଦ୍ଧଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ସାମ୍ବାଦିକ ସମ୍ମିଳନୀ: ଦେଶର ଗଣତନ୍ତ୍ର ଅସୁରକ୍ଷିତ

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ,୧/୪ : କଂଗ୍ରେସ ନେତା ରାହୁଳ ଗାନ୍ଧୀଙ୍କ ନେତୃତ୍ୱରେ ଭାରତ ଯୋଡ ଭଳି ସଫଳ କାର୍ଯ୍ୟକ୍ରମ ଆୟୋଜିତ ହେବା ସହିତ ଲୋକଙ୍କ ସହିତ ସିଧାସଳଖ ଆଲୋଚନା ଜରିଆରେ ଦେଶର ଅନେକ ସମସ୍ୟା ସଂପର୍କରେ ସେ ଅଭିଜ୍ଞତା ହାସଲ କରିଥିଲେ ।
ଏହି କାର୍ଯ୍ୟକ୍ରମରେ କଂଗ୍ରେସ ଦଳ ସହିତ ଦେଶର ସାଧାରଣରୁ ସାଧାରଣ ଜନତା ଯୋଡି ହୋଇଚାଲିଥିବାବେଳେ ଦଳର ନେତା ରାହୁଳ ଗାନ୍ଧୀଙ୍କ ବିରୋଧରେ କେନ୍ଦ୍ରରେ କ୍ଷମତାସୀନ ବିଜେପି ସରକାର ଷଡଯନ୍ତ୍ର କରି ଅଗଣତାନ୍ତ୍ରିକ ଉପାୟରେ ତାଙ୍କର ଲୋକସଭା ସଦସ୍ୟତା ରଦ୍ଦ କରିଥିବା ନେଇ ଜିଲା କଂଗ୍ରେସ କମିଟି ପକ୍ଷରୁ ଅଭିଯୋଗ କରାଯାଇଛି ।
ଜିଲ୍ଲା କଂଗ୍ରେସ କମିଟି ସଭାପତି ନବ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ଦେବାଶିଷ ହୋଟେଲ ସମ୍ମିଳନୀ କକ୍ଷଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଦଳର ରାଜ୍ୟ ପ୍ରବକ୍ତା ବରିଷ୍ଠ ଆଇନଜିବୀ ନିଶିକାନ୍ତ ମିଶ୍ର ଯୋଗଦେଇ ବିଜେପି ପକ୍ଷରୁ ଅଗଣତାନ୍ତ୍ରିକ ଉପାୟରେ ରାହୁଳ ଗାନ୍ଧୀଙ୍କ ଲୋକସଭା ସଦସ୍ୟତା ରଦ୍ଦ କରାଯାଇଥିବାରୁ ଏହାର ଘୋର ନିନ୍ଦା କରିବା ସହିତ ବର୍ତମାନ ଦେଶର ଗଣତନ୍ତ୍ର ଅସୁରକ୍ଷିତ ବୋଲି ପ୍ରକାଶ କରିଥିଲେ ।
ମାନ୍ୟବର ଅଦାଲତ ରାହୁଳଙ୍କୁ ତଳ କୋର୍ଟର ନିଷ୍ପତି ଉପରେ ଉଚ୍ଚ ନ୍ୟାୟାଳୟରେ ଆବେଦନ କରିବାକୁ ଏକମାସ ସମୟ ସହ ଜାମିନ ପ୍ରଦାନ କରିଥିବାବେଳେ ୨୪ ଘଣ୍ଟା ମଧ୍ୟରେ ଯେଉଁଭଳି ଭାବରେ ତାଙ୍କର ଲୋକସଭା ସଦସ୍ୟତା ରଦ୍ଦ କରାଗଲା ଏବଂ ତୁରନ୍ତ ତାଙ୍କୁ ସରକାରୀ ବଙ୍ଗଳା ଖାଲି କରିବାକୁ ନୋଟିସ ପ୍ରଦାନ କରାଗଲା ଏହା ଗଣତନ୍ତ୍ର ଶାସନରେ ବିରଳ ।
ଲୋକସଭାରେ ରାହୁଳ ଗାନ୍ଧୀଙ୍କ ଦୁଇଟି ପ୍ରଶ୍ନ, ଆଦାନୀଙ୍କ କମ୍ପାନୀରେ ବିନିଯୋଗ ହୋଇଥିବା ୨୩ ହଜାର କୋଟି ଟଙ୍କା କାହାର ଏବଂ ନରେନ୍ଦ୍ର ମୋଦୀଙ୍କ ସହିତ ଆଦାନୀଙ୍କ ସମ୍ପର୍କ କଣ ? ଏହାର ଉତ୍ତର ରଖିବାରେ ପ୍ରଧାନମନ୍ତ୍ରୀ ମୋଦୀ ବିଫଳ ହେବାପରେ ରାହୁଳଙ୍କ ବିରୋଧରେ ଷଡଯନ୍ତ୍ର କରି ତାଙ୍କରି ସଦସ୍ୟତା ରଦ୍ଦ କରାଯାଇଥିବା ଦଳ ପକ୍ଷରୁ ଅଭିଯୋଗ କରାଯାଇଛି ।
ତେବେ ରାହୁଳଙ୍କ ସଦସ୍ୟତା ରଦ୍ଦ ପ୍ରସଙ୍ଗରେ ବିଜେପି ବିରୋଧରେ ଦେଶର ସମସ୍ତ ବିରୋଧୀ ଦଳ ଏକଜୁଟ ହୋଇଥିବାବେଳେ ରାଜ୍ୟରେ ଶାସନ କରୁଥିବା ବିଜେଡିର ନିରବତାକୁ ନେଇ ମଧ୍ୟ କଂଗ୍ରେସ ପକ୍ଷରୁ ଟାର୍ଗେଟ କରାଯାଇଛି ।
ରାଜ୍ୟରେ ବିଜେପି ବିରୋଧୀ ଦଳ ଭୂମିକାରେ ରହିଥିବାବେଳେ ଅଶ୍ୱନୀ ବୈଷ୍ଣବ ଶାସକ ଦଳର ସମର୍ଥନ ପାଇ ରାଜ୍ୟସଭାକୁ ନିର୍ବାଚିତ ହେବା ବିଜେଡି ବିଜେପି କୋଳାକୋଳି ସଂପର୍କକୁ ପଦାରେ ପକାଇସାରିଛି । ରାହୁଳ ଗାନ୍ଧୀଙ୍କ ପ୍ରସଙ୍ଗରେ କେନ୍ଦ୍ରରେ ବିଜେପି ର ସ୍ୱେଛାଚାରୀତା ଏବଂ ରାଜ୍ୟରେ ବିଜେଡିର ନିରବତା ଗଣତନ୍ତ୍ର ପାଇଁ ବିପଦ ବୋଲି କଂଗ୍ରେସ ପକ୍ଷରୁ କୁହାଯାଇଛି । ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ କଂଗ୍ରେସର ଜିଲ୍ଲା ପର୍ଯ୍ୟବେକ୍ଷକ ବିସ୍ମୟ ମହାପାତ୍ର. ଜିଲା ମୁଖ୍ୟପ୍ରବକ୍ତା ଶାନ୍ତନୁ ମହାପାତ୍ର,ଗଣେଶ ପ୍ରସାଦ ଅଗ୍ରୱାଲା ଓ ଜିଲ୍ଲା ଉପସଭାପତି ସମରେଶ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।
ବୌଦ୍ଧ ରାମଲୀଳାର ଦ୍ୱିତିୟ ଦିବସ: ଶ୍ରୀରାମ ଓ ତିନି ଭାଇଙ୍କ ଜନ୍ମ ପରେ ଅଯୋଧ୍ୟାରେ ଉତ୍ସବର ମାହୋଲ ମଧ୍ୟରେ ବାଲ୍ୟଲୀଳା
ବୌଦ୍ଧ,୧/୪ : ବୌଦ୍ଧଗଡଜାତର ପ୍ରସିଦ୍ଧ ରାମଲୀଳା ଉତ୍ସବ ଦ୍ୱିତିୟ ଦିବସରେ ପହଞ୍ଚିଛି । ଉଦଘାଟନୀ ଦିବସରେ ରିତିନିତି ପାଳନ ପରେ ସନ୍ଧ୍ୟାରେ ପ୍ରତିଷ୍ଠିତ କଳାକାରମାନଙ୍କ ଦ୍ୱାରା ଭଜନ ସନ୍ଧ୍ୟା ଆୟୋଜନ କରାଯାଇଥିଲା । ପରେ ଅନୁଷ୍ଠାନର ବ୍ରତୀମାନଙ୍କ ଦ୍ୱାରା ରାମ ଜନ୍ମ କଥାବସ୍ତୁକୁ ଯାତ୍ରା ନାଟକ ଶୈଳୀରେ ପ୍ରଦର୍ଶିତ କରାଯାଇଥିଲା ।
ସୂର୍ଯ୍ୟବଂଶୀ ରାଜା ଦଶରଥଙ୍କ ତିନି ରାଣୀଙ୍କ ଗର୍ଭରୁ ମର୍ଯ୍ୟାଦା ପୁରୁଷୋତ୍ତମ ଭଗବାନ ଶ୍ରୀରାମଙ୍କ ସମେତ ତିନି ଭାଇ ଭରତ,ଲକ୍ଷ୍ମଣ ଓ ଶତ୍ରୁଘ୍ନଙ୍କ ଜନ୍ମ ପରେ ଅଯୋଧ୍ୟାରେ ଉତ୍ସବର ମାହୋଲ ସୃଷ୍ଟି ହୋଇଛି ।
ଚାରିଭାଇଙ୍କ ବାଲ୍ୟଲୀଳାର ସମସ୍ତ ଚରିତ୍ର ଗୁଡିକୁ ଅନୁଷ୍ଠାନର ବ୍ରତୀ କଳାକାରମାନେ ନଖୁଣ ଭାବରେ ପ୍ରଦର୍ଶିତ କରିଥିଲେ । ଦ୍ୱିତିୟ ଦିବସର ନାଟକ ବାଲ୍ୟଲୀଳା ସହିତ ସୀତା ସ୍ୱୟମ୍ବର ପର୍ଯର୍୍ୟନ୍ତ ଅନୁଷ୍ଠିତ ହୋଇଛି । ତୃତୀୟ ଦିବସରେ ମୁକ୍ତ ମଞ୍ଚରେ ସହରର ବୁଟୁପାଲି ଗ୍ରାମଠାରେ ମହାଆଡମ୍ବରରେ ସୀତା ସ୍ୱୟମ୍ବର ଅନୁଷ୍ଠିତ ହେବ ।
ଆଜିର ନାଟକରେ ଶ୍ରୀରାମ ଚରିତ୍ରରେ ମାନସ ମିଶ୍ର,ଲକ୍ଷ୍ମଣ ମନୋରଞ୍ଜନ ମିଶ୍ର,ଦଶରଥ ସୁଦୀପ୍ତ ଦେଓ, କୌଶଲ୍ୟା ଜଗଦୀଶ ବାରିକ,କୈକେୟୀ ମୁକେଶ ପ୍ରଧାନ ଓ ସୁମନ୍ତ ମନ୍ତ୍ରୀ ଭୂମିକାରେ ମନୋଜ କୁମାର ସାହୁ ଅଂଶଗ୍ରହଣ କରିଥିଲେ ।
ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ବରିଷ୍ଠ ରାଜସ୍ୱ ସହାୟକଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା
ବୌଦ୍ଧ, ୧/୪ : ବୌଦ୍ଧ ଜିଲାପାଳଙ୍କ କାର୍ଯ୍ୟାଳୟର ବରିଷ୍ଠ ରାଜସ୍ୱ ସହାୟକ ରଶ୍ମି ରଞ୍ଜନ ପାଣିଗ୍ରାହୀ ସରକାରୀ ସେବାରୁ ଅବସର ଗ୍ରହଣ କରିଥିବାବେଳେ ଶୁକ୍ରବାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସଦଭାବନା ଗୃହଠାରେ ତାଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ଜିଲ୍ଲାପାଳ ସତ୍ୟରଂଜନ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବିଦାୟକାଳୀନ ସଭାରେ ଶ୍ରୀପାଣିଗ୍ରାହୀଙ୍କ କାର୍ଯ୍ୟ ଦକ୍ଷତା ଓ ମିଷ୍ଟ ବ୍ୟବହାର ନେଇ ଅଧିକାରୀ ଓ ସହକର୍ମୀମାନେ ଆଲୋଚନା କରିବା ସହିତ ତାଙ୍କର ଅବସର ଜୀବନ ନିରାମୟ ହେଉ ବୋଲି କାମନା କରିଥିଲେ ।
ଶ୍ରୀପାଣିଗ୍ରାହୀଙ୍କୁ ଭଗବାନ ବୁଦ୍ଧଙ୍କ ମୂର୍ତ୍ତି ସହିତ ପୁଷ୍ପଗୁଛ ଓ ଉପଢୌକନ ପ୍ରଦାନ କରି ତାଙ୍କର ଉତମ ସରକାରୀ ସେବା ପାଇଁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ଅବସରରେ ଅତିରିକ୍ତ ଜିଲ୍ଲାପାଳ ବବିତାରାଣୀ ଦଳବେହେରା,ଉପଜିଲ୍ଲାପାଳ ରବିନ୍ଦ୍ରନାଥ କହଁର,ତହସିଲଦାର ଦେବୀ ପ୍ରସାଦ ଦାଶ,ଅତିରକ୍ତ ଜିଲ୍ଲା ଯୋଗାଣ ଅଧିକାରୀ ବିଷ୍‌ୁ ପ୍ରସାଦ ପ୍ରଧାନ,ରାଜସ୍ୱ ଅମଲା ସଂଘର ସଭାପତି ରେଜେନ୍ଦ୍ର ମହାପାତ୍ରଙ୍କ ସମେତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସମସ୍ତ ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ଥିଲେ ।

Related Posts

Seo wordpress plugin by www.seowizard.org.