Odisha News

ବୌଦ୍ଧଜିଲ୍ଲାରେ ତୃତୀୟ ଲହର ଓମିକ୍ରନର ମୁକାବିଲା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ,ମାସ୍କ ନଲଗାଇଲେ ପ୍ରଥମଥର ୨ ହଜାର ଟଙ୍କା ଓ ଦ୍ୱିତିୟଥର ଧରାପଡିଲେ ୫ ହଜାର ଟଙ୍କା ଜୋରିମାନା

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ,୮/୧ : ବୌଦ୍ଧଜିଲ୍ଲାରେ ତୃତୀୟ ଲହର ଓମିକ୍ରନର ମୁକାବିଲା ପାଇଁ ପ୍ରସ୍ତୁତି ବୈଠକ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷଠାରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ତୃତୀୟ ଲହର ଓମିକ୍ରନର ସଂକ୍ରମଣକୁ ଦୃଷ୍ଟିରେ ରଖି ସ୍ୱାସ୍ଥ୍ୟ ବିଭାଗର ପ୍ରସ୍ତୁତି ନେଇ ସମୀକ୍ଷା କରାଯାଇଥିଲା । ଜିଲ୍ଲାରେ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ର ସହିତ ସମସ୍ତ ସ୍ୱାସ୍ଥ୍ୟ କେନ୍ଦ୍ରରେ ଜେନେରେଟର,ବିଦ୍ୟୁତ, ପଙ୍ଖା,ସିସିଟିଭି,ଇଣ୍ଟରକମ୍‌,ଶୌଚାଳୟ,ପାନୀୟଜଳ, ସାନିଟାଇଜର ଓ ମାସ୍କ ଆଦି ପର୍ଯ୍ୟାପ୍ତ ପରିମାଣରେ ପ୍ରସ୍ତୁତ ରଖିବାକୁ ବୈଠକରେ ଆଲୋଚନା କରାଯାଇଥିଲା ।
ଯେଉଁମାନେ ବାହାରୁ ଆସୁଛନ୍ତି ସେମାନଙ୍କୁ ୭ ଦିନ ସଙ୍ଗରୋଧରେ ରହିବାକୁ ନିର୍ଦ୍ଦେଶ ଦିଆଯିବା ସହିତ ଗ୍ରାମ କଲ୍ୟାଣ ସମିତି ଗୁଡିକ ଏଥିପାଇଁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ପ୍ରତ୍ୟେକ ଗ୍ରାମର ଆଶା କର୍ମୀ,ଅଙ୍ଗନବାଡି କର୍ମୀ ଗ୍ରାମକୁ ଫେରୁଥିବା ଲୋକଙ୍କ ସଂପର୍କରେ ତଥ୍ୟ ସଂଗ୍ରହ କରିବା ସହିତ ସେମାନଙ୍କୁ ସଙ୍ଗରୋଧରେ ରହିବାକୁ କହିବେ । ସାଧାରଣଲୋକଙ୍କ ସଚେତନତାକୁ ବ୍ୟାପକ କରାଯିବା ସହିତ ବିଭିନ୍ନ ସ୍ଥାନରେ ହୁଡିଂ ଲଗାଇବା,ମୋବାଇଲ କ୍ୟାମ୍ପ,ଆରଟିପିସିଆର ପରୀକ୍ଷା,ଆଣ୍ଟିଜେନ ପରୀକ୍ଷା ଆଦି ଅଧିକରୁ ଅଧିକ କରାଯିବାକୁ ନିଷ୍ପତି ଗ୍ରହଣ କରାଯାଇଛି । ଧର୍ମାନୁଷ୍ଠାନ ଗୁଡିକରେ ଜନଗହଳି ନକରି ଲୋକମାନେ ଘରେ ପୂଜାପାଠ କରିବାକୁ ପରାମର୍ଶ ଦିଆଯାଇଥିଲା । ହୋଟେଲ ଗୁଡିକକୁ ଆସୁଥିବା ଲୋକମାନଙ୍କ ଆଣ୍ଟିଜେନ ପରୀକ୍ଷା କରାଯିବାକୁ ନିର୍ଦ୍ଦେଶ ଦିଆଯାଇଛି ।
ପର୍ଯ୍ୟଟନସ୍ଥଳୀଗୁଡିକରେ ଲୋକଙ୍କ ପ୍ରବେଶ ଉପରେ କଟକଣା ଲଗାଯିବା ସହିତ ବଣଭୋଜି ପାଇଁ ମଧ୍ୟ କଟକଣା ଜାରି କରାଯାଇଛି । ଯାତ୍ରୀବାହୀ ବସଗୁଡିକରେ କୋଭିଡ ନିୟମ ପାଳନ କରାଯିବାକୁ କଡାକଡି କରାଯିବା ସହିତ ମାଜିଷ୍ଟ୍ରେଟମାନେ ଯାତ୍ରୀବାହୀ ଗାଡିଗୁଡିକୁ ଅଟକାଇ ଯାଞ୍ଚ କରିବାକୁ ଓ ନିୟମ ପାଳନ ନକଲେ ଜୋରିମାନା ପକାଇବାକୁ ନିର୍ଦ୍ଦେଶ ଦିଆଯାଇଛି । ପ୍ରତ୍ୟେକ ଥାନା ଅଞ୍ଚଳରେ କଡାକଡି ଭାବରେ ମାସ୍କ ଯାଞ୍ଚକୁ କଡାକଡି କରାଯିବା ସହିତ ଯାତ୍ରୀମାନେ ମାସ୍କ ନଲଗାଇଲେ ପ୍ରଥମଥର ୨ ହଜାର ଟଙ୍କା ଓ ଦ୍ୱିତିୟଥର ଧରାପଡିଲେ ୫ ହଜାର ଟଙ୍କା ଜୋରିମାନା ଲଗାଇବାକୁ ନିର୍ଦ୍ଦେଶ ଦିଆଯାଇଛି ।
ପ୍ରତ୍ୟେକ ବିଡିଓ ନିଜ ବ୍ଲକରେ ଥିବା ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ର ଗୁଡିକ ପ୍ରସ୍ତୁତ ରଖିବା ସହିତ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଆମ୍ବୁଲାନସ ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ସ୍ୱାସ୍ଥ୍ୟ ବିଭାଗ,ଜନସ୍ୱାସ୍ଥ୍ୟ ବିଭାଗ,ପୁର୍ତ୍ତ ବିଭାଗ,ଅଗ୍ନିଶମ ବିଭାଗ ଏବଂ ପୋଲିସ ବିଭାଗକୁ ନେଇ ଟିମ୍ ପ୍ରସ୍ତୁତ କରିବା ସହିତ ଏହି ଟିମ ବୁଲି ତୃତୀୟ ଲହର ମୁକାବିଲା ପାଇଁ ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ର ଗୁଡିକର ପ୍ରସ୍ତୁତି ଦେଖିବା ପରେ ଜଣାଇବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ । ସେହିପରି ବୌଦ୍ଧ ଏନଏସି ପକ୍ଷରୁ ଏହି ସମୟରେ ସହରର ପରିମଳ ବ୍ୟବସ୍ଥା ଠିକ୍ ରଖିବାକୁ ନିର୍ଦ୍ଦେଶ ଦିଆଯାଇଥିଲା ।
ତୃତୀୟ ଲହର ସଂକର୍ପରେ ଜନସାଧାରଣଙ୍କୁ ସଚେତନ କରିବା ପାଇଁ ଗଣମାଧ୍ୟମ ସକ୍ରିୟ ଭାବରେ କାର୍ଯ୍ୟ କରିବାକୁ ବୈଠକରେ ଅନୁରୋଧ କରାଯିବା ସହିତ ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ଏ ସଂପର୍କିତ ତଥ୍ୟ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ବୈଠକରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଜ୍ଞାନରଞ୍ଜନ ମହାନ୍ତି,ଅତରିକ୍ତ ଜିଲ୍ଲାପାଳ ବବିତାରାଣୀ ଦଳବେହେରା,ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଅଶ୍ୱନୀ କୁମାର ମେହେରା,ଉପଜିଲ୍ଲାପାଳ ସନତ କୁମାର ନାଏକ,ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ଅଭୟ କୁମାର ଦାଶ,ତହସିଲଦାର ଅବିନାଶ ପାଣ୍ଡିଆ,ଏନଏସି ନିର୍ବାହୀ ଅଧିକାରୀ ଇଂ. ମନୋରଞ୍ଜନ ପଣ୍ଡା ଓ ସମସ୍ତ ବ୍ଲକର ବିଡିଓଙ୍କ ସମେତ ସ୍ୱାସ୍ଥ୍ୟ ବିଭାଗ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ ।
ବୌଦ୍ଧଜିଲ୍ଲାର ଘଣ୍ଟାପଡା, ଶଗଡା, ବଘିଆପଡା, ଆଡଣୀଗଡ ଫାଣ୍ଡିକୁ ଥାନା କରିବା ପ୍ରସ୍ତାବକୁ ମିଳୁନି ସହମତ:୧୧ ବର୍ଷ ହେବ ସରକାରଙ୍କ ପାଖକୁ ଯାଇଛି ପ୍ରସ୍ତାବ
ବୌଦ୍ଧ,୮/୧:ବୌଦ୍ଧଜିଲ୍ଲାରେ ଆଇନଶୃଙ୍ଖଳାକୁ ଆଖି ଆଗରେ ରଖି ଜିଲ୍ଲା ପୋଲିସ ବିଭାଗ ପକ୍ଷରୁ ଜିଲ୍ଲାରେ ଥିବା ଘଣ୍ଟାପଡା, ଶଗଡା, ବଘିଆପଡା, ଆଡଣୀଗଡ ଫାଣ୍ଡିକୁ ଥାନା କରିବା ପାଇଁ ଏକ ପ୍ରସ୍ତାବ ଡିଜିଙ୍କ ମାଧ୍ୟମରେ ସରକାରଙ୍କ ପାଖକୁ ୨୦୧୧-୧୨ ମସିହାରୁ ଯାଇଥିବା ବେଳେ ସରକାରଙ୍କ ପକ୍ଷରୁ ଏପର୍ଯ୍ୟନ୍ତ ସହମତି ମିଳିନାହିଁ । ବର୍ତ୍ତମାନ ଜିଲ୍ଲାରେ ଆଉ କିଛି ଥାନାର ଆବଶ୍ୟକତା ରହିଥିବା ବେଳେ ଦୀର୍ଘ ବର୍ଷ ହେବ ଜିଲ୍ଲା ପୋଲିସ ବିଭାଗ ପକ୍ଷରୁ ଥାନା ପାଇଁ ଯାଇଥିବା ପ୍ରସ୍ତାବକୁ ସରକାର ଅଣଦେଖା କରିିଥିବାରୁ ଏହାକୁ ନେଇ ବୁଦ୍ଧିଜିବୀ ମହଲରେ ଅସନ୍ତୋଷ ଦେଖାଦେଇଛି ।
ଜିଲ୍ଲାର ବର୍ତ୍ତମାନ ଜନସଂଖ୍ୟା ପ୍ରାୟ ସାଢେ ଚାରିଲକ୍ଷ ହୋଇଥିବା ବେଳେ ଜିଲ୍ଲାରେ ଛଅଟି ଥାନା ଓ ପାଂଚଟି ଫାଣ୍ଡି କାର୍ଯ୍ୟକରୁଛି । ଜିଲ୍ଲାରେ ଅପରାଧ କାର୍ଯ୍ୟକଳାପ ମଧ୍ୟ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଏହି ଅପରାଧ କାର୍ଯ୍ୟକଳାପକୁ ରୋକିବା ପାଇଁ କଣ୍ଟାମାଳ ଥାନା, ମନମୁଣ୍ଡା ଥାନା, ବାଉଁଶୁଣୀ ଥାନା, ବୌଦ୍ଧ ଆଦର୍ଶ ଥାନା, ପୁରୁଣାକଟକ ଥାନା ଓ ହରଭଙ୍ଗା ଥାନା ରହିଛି । ସେହିପରି ଥାନାମାନଙ୍କୁ ସହାୟତା କରିବା ପାଇଁ ଘଣ୍ଟାପଡା, ଶଗଡା, ବଘିଆପଡା, ଆଡଣୀଗଡ ଓ ଜହଁ୍ନାପଙ୍କ ଫାଣ୍ଡି ରହିଛି । ହେଲେ ୨୦୧୧-୧୨ ମସିହାରୁ ଘଣ୍ଟାପଡା, ଶଗଡା, ବଘିଆପଡା, ଆଡଣୀଗଡ ଫାଣ୍ଡିକୁ ଥାନା କରିବା ପାଇଁ ପ୍ରସ୍ତାବ ଯାଇଥିବା ବେଳେ ଇତି ମଧ୍ୟରେ ଅନେକ ଏସପି ଜିଲ୍ଲାକୁ ଆସି ଚାଲିଯାଇଥିଲେ ମଧ୍ୟ ଜିଲା୍ଲରୁ ସରକାରଙ୍କ ପାଖକୁ ପଠାଯାଇଥିବା ଥାନା ବୃଦ୍ଧି ପ୍ରସ୍ତାବ ଉପରେ କାଯ୍ୟ କରିବା ପାଇଁ ଏସପିମାନେ ଗୁରୁତ୍ୱ ଦେଇନାହାନ୍ତି କିମ୍ବା କାର୍ଯ୍ୟ ବ୍ୟସ୍ତତା ଭିତରେ ସମୟ ପାଇପାରିନାହାନ୍ତି । ଯାହାଫଳରେ ରାଜ୍ୟ ସରକାରଙ୍କ ପାଖରେ ଫାଇଲ ପଡିରହିଛି ।
ଏହି ପ୍ରସ୍ତାବ ମଧ୍ୟରେ ସରକାର ଜହ୍ନାପଙ୍କ ଠାରେ ମାତ୍ର ଏକ ଫାଣ୍ଡି ସ୍ଥାପନ କରିଛନ୍ତି । ସରକାର ଇତି ମଧ୍ୟରେ ରାଜ୍ୟରେ ଅନେକ ଜିଲ୍ଲାରେ ଥାନା ବୃଦ୍ଧି କରିବା ପାଇଁ ବିଜ୍ଞପ୍ତି ପ୍ରକାଶ କରି ଥାନା ସଂଖ୍ୟା ବୃଦ୍ଧି କରିଥିଲେ ମଧ୍ୟ ଜିଲ୍ଲାରୁ ଯାଇଥିବା ଥାନା ବୃଦ୍ଧି ପ୍ରସ୍ତାବ ଲାଲି ଫିତାତଳେ ବନ୍ଧା ହୋଇପଡିଛି । ଜିଲ୍ଲାରେ ଗଂଜେଇ ଚାଷ ଓ ଚାଲାଣ, ଚୋରୀ, ରାହାଜାନୀ, ହତ୍ୟା ଆଦି ଘଟଣା ବୃଦ୍ଧି ପାଉଥିବା ବେଳେ ଅପରାଧକୁ ରୋକିବା ପାଇଁ ପୋଲିସ ଅଧିôକାଂଶ କ୍ଷେତ୍ରରେ ବିଫଳ ହେଉଥିବାର ଅଭିଯୋଗ ହେଉଛି । ଜନସାଧାରଣଙ୍କୁ ଠିକ ସମୟରେ ସେବା ଯୋଗାଇ ଦେବାରେ ବିଫଳ ହେଉଛି । ଯଦି ଥାନା ସଂଖ୍ୟା ବୃଦ୍ଧି କରାଯାଇଥାନ୍ତା ତାହାହେଲେ ଅଧିକ ସଂଖ୍ୟକ ପୋଲିସ ନିୟୋଜିତ ହେବା ସହିତ ଅପରାଧ ରୋକିବା ଓ ଜନସାଧାରଣଙ୍କୁ ପାଇଁ ସେବା ଯୋଗାଇ ଦେବାରେ ସଫଳ ହୁଅନ୍ତା । ଜିଲ୍ଲାରେ ଏକ ସାଇବର ଥାନାର ଆବଶ୍ୟକତା ରହିଛି । ହେଲେ ସରକାର ଇତି ମଧ୍ୟରେ କେତେକ ସ୍ଥାନରେ ସାଇବର ଥାନା ପାଇଁ ନିର୍ଦ୍ଦେଶ ଜାରିକରିଥିôବା ବେଳେ ବୌଦ୍ଧଜିଲ୍ଲା ସେଥିରୁ ବାଦ ପଡିଥିବା ଜଣାପଡିଛି ।
ବର୍ତ୍ତମାନ ଜିଲ୍ଲାର ଅନଲାଇନ ମାଧ୍ୟମରେ ଓ ମୋବାଇଲରେ ଠକାମିର ଶିକାର ହେଉଛନ୍ତି । ସେଥିପାଇଁ ସେମାନଙ୍କୁ ସମ୍ବଲପୁର ଯିବାକୁ ପଡୁଛି । ଏପରିକି ଅନେକ ଲୋକ ଠକାମିର ଶିକାର ହୋଇଥିଲେ ମଧ୍ୟ ସମ୍ବଲପୁର ଯିବାକୁ ରାଜି ହଉନାହାନ୍ତି । ଯଦି ଜିଲ୍ଲାରେ ସାଇବର ଥାନା ଥାନ୍ତା ତାହାହେଲେ ଠକାମିର ଶିକାର ହେଉଥିବା ଲୋକମାନେ ସୁବିଧାରେ ସେମାନଙ୍କ ଅଭିଯୋଗ କରିପାରନ୍ତେ । ଜିଲ୍ଲାଦେଇ ୫୭ ନମ୍ବର ଜାତୀୟ ରାଜପଥ ଯାଇଥିବା ବେଳେ ସବୁବେଳେ ରାସ୍ତା ଗହଳି ରହୁଛି ।
ଏହି ସମୟରେ ବିଭିନ୍ନ ସମୟରେ ମଧ୍ୟ ଅଘଟଣମାନ ଘଟୁଛି । ହରଭଙ୍ଗା ବ୍ଲକର ବିରନରସିଂହପୁର, ବୌଦ୍ଧ ବ୍ଲକର ସାହାଜପାଲ, ଦହ୍ୟା, କଣ୍ଟାମାଳ ବ୍ଲକର ପୋଲସାଗୋରା ଆଦି ଅଂଚଳରେ ଜନସଂଖ୍ୟା ବୃଦ୍ଧି ପାଉଥିବାରୁ ଆଇନଶୃଙ୍ଖଳାକୁ ଆଖି ଆଗରେ ରଖି ଏହି ସବୁ ଅଂଚଳ ଗୁଡିକରେ ଫାଣ୍ଡି ପ୍ରତିଷ୍ଠାର ଆବଶ୍ୟକତା ମଧ୍ୟ ରହିଛି । ତେଣୁ ସରକାର ଜିଲ୍ଲାବାସୀଙ୍କ ଧନଜୀବନ ସୁରକ୍ଷାକୁ ଦୃଷ୍ଟିରେ ରଖି ଜିଲ୍ଲା ପୋଲିସ ବିଭାଗ ପକ୍ଷରୁ ଯାଇଥିବା ଥାନା ବୃଦ୍ଧି ପ୍ରସ୍ତାବକୁ କାର୍ଯ୍ୟକାରୀ କରିବାକୁ ଦାବି ହେଉଛି । ଜିଲ୍ଲାରୁ ଚାରି ଫାଣ୍ଡିକୁ ଥାନା କରିବା ପାଇଁ ସରକାରଙ୍କ ପାଖକୁ ଯାଇଥିବା ପ୍ରସ୍ତାବ ଉପରେ ବୌଦ୍ଧ ଏସପି ଜ୍ଞାନରଂଜନ ମହାନ୍ତିଙ୍କୁ ପଚାରିବାରୁ ଏନେଇ ସରକାରଙ୍କ ପାଖକୁ ପ୍ରସ୍ତାବ ଯାଇଛି ଖୁବ ଶୀଘ୍ର କାର୍ଯ୍ୟକାରୀ ହୋଇଯିବ ବୋଲି ପ୍ରକାଶ କରିଛନ୍ତି ।
ଓମିକ୍ରନ ପାଇଁ ନିଯୁକ୍ତି ମେଳା ସ୍ଥଗିତ
ବୌଦ୍ଧ,୮/୧ : ବୌଦ୍ଧଜିଲ୍ଲାରେ ଆସନ୍ତା ୧୧ ଓ ୧୨ ତାରିଖରେ ହେବାକୁ ଥିବା ନିଯୁକ୍ତି ମେଳାକୁ ଓମିକ୍ରନ ସଂକ୍ରମଣକୁ ଦୃଷ୍ଟିରେ ରଖି ସ୍ଥଗିତ ରଖିବାକୁ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ନିର୍ଦ୍ଦେଶ ଦେଇଛନ୍ତି । ୧୧ ତାରିଖରେ ବୌଦ୍ଧ ଟାଉନହଲ ଠାରେ ଏବଂ ୧୨ ତାରିଖରେ ପଞ୍ଚାୟତ କଲେଜ କଣ୍ଟାମାଳଠାରେ ଏହି ନିଯୁକ୍ତିମେଳା ଆୟୋଜନ କରାଯିବାକୁ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଥିଲା । କିନ୍ତୁ ରାଜ୍ୟରେ ଓମିକ୍ରନ ସଂକ୍ରମଣ ବୃଦ୍ଧି ପାଉଥିବାରୁ ସରକାରଙ୍କ ପକ୍ଷରୁ ଜାରି କରାଯାଇଥିବା କଟକଣାକୁ ଦୃଷ୍ଟିରେ ରଖି ଏହାକୁ ସ୍ଥଗିତ ରଖିବାକୁ ସମସ୍ତ ବିଡିଓ ଏବଂ ଡିପିଏମ ଜିବିକା ମିଶନଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ଜିଲ୍ଲା ନିୟୋଜନ ଅଧିକାରୀ ସୁଶାନ୍ତ କୁମାର ନାଏକ ସୂଚନା ଦେଇଛନ୍ତି ।

Related Posts

Seo wordpress plugin by www.seowizard.org.