Odisha News

ବୌଦ୍ଧଜିଲ୍ଲାରେ କ୍ଷତି ସହୁଛନ୍ତି ତରଭୂଜ ଚାଷୀ,ଗୋଟାରେ କିଣୁଛନ୍ତି କେଜିରେ ବିକୁଛନ୍ତି ବେପାରୀ

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ,୧୪/୪: ବୌଦ୍ଧ ଏକ କୃଷି ପ୍ରଧାନ ଜିଲ୍ଲା ହୋଇଥିବା ବେଳେ ଜିଲ୍ଲାର ଚାଷୀ ଧାନ ଚାଷ ସହିତ ଚାଷୀ ବିଭିନ୍ନ ଫଳ ପନିପରିବା, ଡାଲିଜାତୀୟ ଚାଷ କରିଥାନ୍ତି । ସେଥିମଧ୍ୟରୁ ତରଭୂଜ ଚାଷ ଅନ୍ୟତମ । ଜିଲ୍ଲାରେ ଚଳିତ ବର୍ଷ ଚାରିଶହ ଏକରରୁ ଉର୍ଦ୍ଧ୍ୱ ଜାଗାରେ ତରଭୂଜ ଚାଷ କରାଯାଉଥିବାର ଜଣାପଡିଛି । ହେଲେ ତରଭୁଜ ଚାଷୀ ପ୍ରକୃତ ଲାଭ ପାଇ ପାରୁନଥିବା ବେଳେ ବେପାରୀମାନେ ଚାଷୀଙ୍କ ଠାରୁ କମ ଦରରେ କିଣି ଅଧିକ ଲାଭ ବାନ ହେଉଛନ୍ତି ।
ବେପାରୀ ଚାଷୀଙ୍କ ଠାରୁ ବହୁ କମ ଦରରେ ଗୋଟାରେ କିଣି କିଲୋରେ ତରଭୂଜ ବିକ୍ରି କରି ମାଲେମାଲ ହେଉଛନ୍ତି । ଜିଲ୍ଲାରେ ତରଭୂଜ ଚାଷ ପାଇଁ ପର୍ଯ୍ୟପ୍ତ ସୁବିଧା ଥିଲେ ମଧ୍ୟ ବିକ୍ରି ପାଇଁ ଆବଶ୍ୟକ ବଜାରର ଅଭାବ ଯୋଗୁଁ ଚାଷୀ ଉଚିତ ଦରରେ ବିକ୍ରି କରି ପାରୁନାହିଁ ।
ଯାହାଫଳରେ ଆସ୍ତେ ଆସ୍ତେ ତରଭୂଜ ଚାଷୀ ତରଭୂଜ ଚାଷରୁ ବିମୁଖ ହେବାରେ ଲାଗିଲେଣି । ଚାଷୀ ତରଭୂଜ ଚାଷ କରି ଭଲ ଦି ପଇସା ରୋଜଗାର କରିବା ଆଶା କରିଥିବା ବେଳେ ପର୍ଯ୍ୟପ୍ତ ବଜାର ସୁବିଧାର ଅଭାବ ଯୋଗୁଁ ଚାଷୀ ବାଧ୍ୟ ହୋଇ କମ ଦରରେ ବେପାରୀଙ୍କୁ ବିକ୍ରି କରିବାକୁ ବାଧ୍ୟ ହୋଇଥାଏ । ଏପରିକି ଅନେକ ଚାଷୀ ତରଭୂଜ ଚାଷ ପାଇଁ ଋଣ ମଧ୍ୟ କରି ଚାଷ କରିଥାନ୍ତି ।
ଯାହାକି ସେମାନଙ୍କ ପାଇଁ ମୁଣ୍ଡ ବିନ୍ଧାର କରଣ ହୋଇଛି । ଜିଲ୍ଲାରେ ମହାନଦୀ, ବାଘନଦୀ, ସାଲୁଙ୍କି, ତେଲନଦୀ ଆଦି ବୋହି ଯାଇଥିବା ବେଳେ ଏହି ନଦୀ କୂଳରେ ଚାଷୀମାନେ ଆଟ ଜମି ଗୁଡିକରେ ତରଭୂଜ ଚାଷ କରୁଛନ୍ତି । ଜଳସେଚନର ପର୍ଯ୍ୟପ୍ତ ସୁବିଧା ନ ଥିବା ଯୋଗୁଁ ଚାଷୀ କୂଅ ଓ ମଟର ସାହାର୍ଯ୍ୟରେ ପାଣି ଉଠାଇ ଚାଷ କରିଥାଏ । ଦିନ ଥିଲା ଜିଲ୍ଲା ହରଭଙ୍ଗା ବ୍ଲକର କୃଷ୍ଣମୋହନପୁର ଠାରୁ ଆରମ୍ଭ କରି ହରଭଙ୍ଗା ପର୍ଯ୍ୟନ୍ତ ତରଭୂଜ ଚାଷ କରାଯାଉଥିଲା । ଜିଲ୍ଲାରେ ଏତେ ପରିମାଣରେ ଚାଷ ହେଉଥିଲା ଯେ ଜିଲ୍ଲାର ଚାହିଦା ମେଣ୍ଟାଇ ଚାଷୀ ତରଭୂଜକୁ ଜିଲ୍ଲା ବାହାରକୁ ପଠାଇ ଭଲ ଦି ପଇସା ରୋଜଗାର କରୁଥିଲା ।
ହେଲେ ଏବେ ଜିଲ୍ଲା ବାହାରୁ ଜିଲ୍ଲା ତରଭୁଜ ଆସୁଛି । ଉଦ୍ୟନ ବିଭାଗ ପକ୍ଷରୁ ମିଳିଥିବା ସୁଚନା ଅନୁଯାଇ, ବୌଦ୍ଧ ଜିଲ୍ଲାରେ ସର୍ବାଧିକ ତରଭୂଜ ଚାଷ ହରଭଙ୍ଗା ବ୍ଲକରେ କରାଯାଇଥାଏ । ହରଭଙ୍ଗା ବ୍ଲକରେ ଦୁଇ ଶହରୁ ଅଧିକ ଜାଗାରେ ତରଭୂଜ ଚାଷ କରାଯାଉଥିବା ବେଳେ ବୌଦ୍ଧ ବ୍ଲକରେ ଶହେରୁ ଉର୍ଦ୍ଧ୍ୱ ଓ କଣ୍ଟାମାଳ ବ୍ଲକରେ ଶହେରୁ ଉର୍ଦ୍ଧ୍ୱ ଜମିରେ ତରଭୂଜ ଚାଷ କରାଯାଉଛି ।
ଏକରକୁ ପ୍ରାୟ ୨୫ ହଜାର ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ଏକ ଏକରରେ ପ୍ରାୟ ୫୦ କ୍ୱିଣ୍ଟାଲ ତରଭୂଜ ଅମଳ ହେଉଥିବାର ଜଣାପଡିଛି । ବେପାରୀ ଚାଷୀଙ୍କ ଠାରୁ ଗୋଟାଏ ତରଭୂଜକୁ ୫ରୁ୧୦ ଟଙ୍କାରେ କିଣି ବଜାରରେ କିଲୋ ୨୦ରୁ ୨୫ ଟଙ୍କା ଦରରେ ବିକ୍ରି କରୁଛନ୍ତି । ଗୋଟିଏ ତରଭୂଜ ପ୍ରାୟ ୫ କିଲୋରୁ ଉର୍ଦ୍ଧ୍ୱ ହୋଇଥାଏ । ଜିଲ୍ଲାରେ ବର୍ତ୍ତମାନ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ଏପରି ସ୍ଥଳେ ଥଣ୍ଡା ପାନୀୟ ସହିତ ତରଭୁଜର ଚାହିଦା ଅଧିକ ରହିଛି ।
ଦୋକାନ ଗୁଡିକରେ ତରଭୁଜ ପାଇଁ ଲମ୍ବା ଧାଡି ମଧ୍ୟ ଦେଖିବାକୁ ମିଳୁଛି । ସେହିପରି ଜିଲ୍ଲାର ପ୍ରତ୍ୟକ ଗାଁ ଗୁଡିକରେ ଦଣ୍ଡଯାତ୍ରା ଚାଲୁ ରହିଛି । ଦଣ୍ଡୁଆମାନଙ୍କ ଠାରୁ ଆରମ୍ଭ କରି ଭକ୍ତ ମାନେ ସବୁଠି ତରଭୁଜ ଆବଶ୍ୟକତା ଦେଖାଦେଉଛି । ଏପରିସ୍ଥଳେ ଅଧିକ ଦରରେ ବେପାରୀ ଗ୍ରାହକମାନଙ୍କୁ ବିକ୍ରି କରୁଛି । କିନ୍ତୁ ଚାଷୀ ଖରାରେ ଖଟି ଖଟି ଚାଷ କରି କ୍ଷତି ସହୁଛି । ଯଦି ଜିଲ୍ଲାର ଚାଷୀଙ୍କ ପାଇଁ ପ୍ରଶାସନ ପକ୍ଷରୁ ପର୍ଯ୍ୟପ୍ତ ସୁବିଧା କରାଇଦିଆଯାନ୍ତା ତାହାହେଲେ ଚାଷୀ ଉଚିତ ଦରରେ ତରଭୂଜ ବିକ୍ରି କରିପାରନ୍ତା ଓ ଭଲ ରୋଜଗାର କରିପାରନ୍ତା ।
ବିରନରସିଂହପୁର ଗ୍ରାମରେ ହାତୀ ଉପଦ୍ରପ,ଧାନ ଓ କଦଳୀ ଫସଲ କଲେ ନଷ୍ଟ
ବୌଦ୍ଧ,୧୪/୪ : ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକର ବିରନରସିଂହପୁର ଗ୍ରାମରେ ହାତୀ ଉପଦ୍ରବ ଦେଖିବାକୁ ମିଳିଛି । ହାତୀ ଉପଦ୍ରବ ଫଳରେ ବ୍ୟାପକ ଫସଲ ନଷ୍ଟ ହୋଇଥିବାର ଅଭିଯୋଗ ହୋଇଛି । ଗତକାଲି ରାତିରେ ବିରନରସିଂହପୁର ଗ୍ରାମର ୫୭ ନମ୍ବର ଜାତୀୟ ରାଜପଥର ଠାରୁ ପ୍ରାୟ ଦୁଇଶହ ମିଟର ଦୂରରେ ହାତୀମାନେ ଏହି ଉପଦ୍ରବ କରିଛନ୍ତି । ଗ୍ରାମର ଗୋବିନ୍ଦ ପ୍ରଧାନଙ୍କ କଦଳୀ ବାଡିରେ ପସି କଦଳୀ ଗଛ ସବୁ ନଷ୍ଟ କରିଥିବା ବେଳେ ଅର୍ଜ୍ଜୁନ ପ୍ରଧାନଙ୍କ ବିଲରେ ବସି ରବିଧାନ ଫସଲ ନଷ୍ଟ କରିଥିବା ଜଣାପଡିଛି । ଗ୍ରାମ ନିକଟରେ ଥିବା ମୁଣ୍ଡେଶ୍ୱର ସଂରକ୍ଷିତ ଜଙ୍ଗଲରୁ ଆସି ହାତୀମାନେ ଫସଲ ନଷ୍ଟ କରିଛନ୍ତି ।
ଏହି ହାତୀ ପଲରେ ଦୁଇ ଗୋଟି ବଡ ହାତୀ ଥିବା ବେଳେ ଗୋଟିଏ ସାନ ହାତୀ ଥିବା ଗ୍ରାମବାସୀ ପ୍ରକାଶ କରିଛନ୍ତି । ଡିପ ବୋରୱେଲ ଖୋଲାଯାଇଥିବା ବେଳେ ସେଥିରେ ସଂଯୋଗ ହୋଇଥିବା ବିଦ୍ୟୁତ ତାର ସବୁ ଓହଳି ରହିଛି । ଯାହାଫଳରେ ଏହି ବିଦ୍ୟୁତ ତାର ସ୍ପଶ୍ୱର୍ରେ ହାତୀ ଆସିବା ସମ୍ଭାବନା ମଧ୍ୟ ରହିଛି । ଜିଲ୍ଲାରେ ପ୍ରଚୁର ପରିମାଣରେ ଜଙ୍ଗଲ ସଂପଦ ଭରି ରହିଛି । ବର୍ତ୍ତମାନ ଜିଲ୍ଲାର ବିଭିନ୍ନ ଜଙ୍ଗଲରେ ନିଆଁ ଲାଗିଥିବା ଯୋଗୁଁ ବନ୍ୟ ପ୍ରାଣୀମାନେ ବର୍ତ୍ତମାନ ଗ୍ରାମ ମୁହାଁ ହୋଇଛନ୍ତି । ଯାହାଫଳରେ ବନ୍ୟଜନ୍ତୁମାନେ ଗ୍ରାମକୁ ଆସି ବ୍ୟାପକ ଫସଲ ନଷ୍ଟ କରୁଥିବାର ଅଭିଯୋଗ ହେଉଛି । ଜଙ୍ଗଲ ସଂପଦକୁ ସୁରକ୍ଷା ପାଇଁ ବନ ବିଭାଗ ପକ୍ଷରୁ ଯେତେ ମାତ୍ରରେ ଉଦ୍ୟମ କରାଯାଉଥିଲେ ମଧ୍ୟ ବନ ସଂପଦକୁ ସୁରକ୍ଷା ଦେବାରେ ବିଫଳ ହେଉଛି । ବନ ସୁରକ୍ଷା ପାଇଁ ବିଭାଗ ପକ୍ଷରୁ ଗାଁ ଗାଁରେ ବୈଠକ କରି ସଚେତନତା କରାଯାଉଥିଲେ ମଧ୍ୟ ଜଙ୍ଗଲ ପୋଡି କମି ବାରେ ନା ଧରୁନାହିଁ ।
ଜିଲ୍ଲାରେ ଚଳିତବର୍ଷ ପ୍ରବଳ ଗ୍ରୀଷ୍ମପ୍ରବାହ ଜାରି ରହିଥିବା ବେଳେ ଜଙ୍ଗଲନିଆଁ ବନ ବିଭାଗର ଚିନ୍ତା ବଢାଇଦେଲାଣି । ଗୋଟିଏ ମୁଣ୍ଡରୁ ନିଆଁ ଲିଭାଇଲେ ଆର ମୁଣ୍ଡରୁ ଜଙ୍ଗଲ ହୁ ହୁ ହୋଇ ଜଳିବାରେ ଲାଗିଛି । ଅନେକ ସ୍ଥାନରେ ବନ ସୁରକ୍ଷା ସମିତିମାନେ ଜଙ୍ଗଲ ନିଆଁ ଲିଭାଇବାକୁ ଉଦ୍ୟମ କରୁଛନ୍ତି ହେଲେ ପ୍ରତିଦିନ କେଉଁଠି ନା କେଉଁଠି ଜଙ୍ଗଲରେ ନିଆଁ ଲାଗିରହି ଥିବାର ଅଭିଯୋଗ ହେଉଛି । ନିଆଁ ଆଁରେ ହଜାର ହଜାର ମୁଲ୍ୟବାନ ଓ ଔଷଧୀୟ ଗଛ ପୋଡି ଯାଉଛି ।

Related Posts

Seo wordpress plugin by www.seowizard.org.