Odisha News

ବୌଦ୍ଧଜିଲ୍ଲାରୁ ଗତ ୨୪ ଘଣ୍ଟାରେ ୧୫ କରୋନା ଆକ୍ରାନ୍ତ ଚିହ୍ନଟ

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ,୧୪/୧:ବୌଦ୍ଧଜିଲ୍ଲାରୁ ଗୁରୁବାର ୧୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜିଲ୍ଲା ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ବୌଦ୍ଧରୁ ୩ ଜଣ, ବୌଦ୍ଧ ବ୍ଲକ ତେଲିବନ୍ଧ ପଂଚାୟତ ଡୁଡୁରବାହାଲ ଗ୍ରାମ, ତାଳସରଡା ପଂଚାୟତର ତାଳସରଡା ଗ୍ରାମ,ମୃଷୁଣ୍ଡି ପଂଚାୟତର ଟୁଟୁସିଙ୍ଗା ଗ୍ରାମରୁ ଜଣେ ଲେଖାଁଏ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ହରଭଙ୍ଗା ବ୍ଲକର ସାମ୍ପୋଚ ପଂଚାୟତ ହରେକୃଷ୍ଣପୁର ଗ୍ରାମ,କରଂଜକଟା ପଂଚାୟତର ସୋରିଷପଙ୍କଲ ଗ୍ରାମ ଜଣେ ଲେଖାଁଏ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ସେହିପରି କଣ୍ଟାମାଳ ବ୍ଲକର ବରଗାଁ ପଂଚାୟତର ଲୋଇସିଙ୍ଗା ଗ୍ରାମରୁ , ଖଟଖଟିଆ ପଂଚାୟତର ଜାଲପାଲିରୁ କଣ୍ଟାମାଳ ପଂଚାୟତର କଣ୍ଟାମାଳରୁ ଜଣେ ଲେଖାଁଏ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ବୌଦ୍ଧ ଏନଏସିର ୧୨ ନମ୍ବର ୱାର୍ଡ ବୁଟୁପାଲି, ୭ ନମ୍ବର ୱାର୍ଡର ପୋଡାପୋଡା, ୨ ନମ୍ବର ୱାର୍ଡର ବଗିଚା ସାହି ଓ ପୁରୁଣା ବ୍ଲକ ଛକ ଅଂଚଳରୁ ଜଣେ ଲେଖାଁଏ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ଯୌତୁକ ପାଇଁ ପତ୍ନୀ ହତ୍ୟା ମାମଲା:ସ୍ୱାମୀକୁ ୧୦ ବର୍ଷ କରାଦଣ୍ଡାଦେଶ ,ଶଶୁର ଓ ଶାଶୂୁ ନିର୍ଦ୍ଦୋଷରେ ଖଲାସ
ବୌଦ୍ଧ, ୧୪/୧: ବୌଦ୍ଧ ଜିଲ୍ଲ ଦୌରାଜଜ ବିକ୍ରମ କୁମାର ପ୍ରଧାନ ଗୁରୁବାର ଦିନ ଏକ ଯୌତୁକ ଜନିତ ହତ୍ୟା ମାମଲାକୁ ବିଚାର କରି ଅଭିଯୁକ୍ତ ସ୍ୱାମୀକୁ ୧୦ବର୍ଷ କାରାଦଣ୍ଡାଦେଶ ଆଦେଶ ଦେବା ସହ ମାମଲାରେ ଶଶୁର ଓ ଶାଶୂୁଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି । ମାମଲାରୁ ପ୍ରକାଶ ଯେ କଣ୍ଟମାଳ ଥାନା ମାଣିକପୁର ଗ୍ରାମର ରାଜପତି ରଣାଙ୍କ ଝିଅ ଲକ୍ଷ୍ମୀବତୀ ରଣାଙ୍କ ସହ ଉକ୍ତ ଥାନାର ଆମ୍ବଗାଁର ସାଇବ ରଣାଙ୍କ ପୁଅ ଶରତ ରଣା (୨୨) ସହ ୨୦୧୭ ମସିହାରେ ବିିବାହ ହୋଇଥିଲା । ବିବାହର ଚାରିମାସ ପରେ ସ୍ୱାମୀ ଶରତ , ଶଶୂୁର ସାଇବ ରଣା (୬୦) ଓ ଶାଶୁ ବିଜଳା ରଣା(୫୫) ଅଧିକ ଯୌତୁକ ଦାବୀ କରି ନିର୍ଯ୍ୟାତନା ଦେବାରୁ ଝିଅ ଲକ୍ଷ୍ମୀବତୀ ବାପ ଘରକୁ ପଲାଇଆସିଥିଲା । କିଛିଦିନ ବାପଘରେ ରହିବାପରେ ଭଦ୍ରଳୋକଙ୍କ ବୂୁଝାମଣା ପରେ ଲକ୍ଷ୍ମୀବତୀ ଶଶୁର ଘରକୁ ଫେରିଥିଲେ । କିନ୍ତୁ ଗତ ୧୦ .୯.୨୦୧୭ ରିଖରେ ଝିଅ ଅସୁସ୍ଥ ଥିବା ନେଇ ଝିଅର କକା ଶଶୁର ଦିଲିପ ରଣା ଉକ୍ତ ରାତିରେ ବାପଘରକୁ ଖବର ଦେଇଥିଲେ । ଖବର ପାଇ ରାଜପତି ଓ ତାଙ୍କ ପରିବାର ଝିଅ ଘରକୁ ଯାଇ ଦେଖିବାରୁ ଝିଅ ଲକ୍ଷ୍ମୀବତୀ ରଣା ମରିପଡିଥିଲା । ଏନେଇ ତାକୁ ଯୌତୁକ ପାଇଁ ହତ୍ୟା କରାଯାଇଥିବା ନେଇ ସ୍ୱାମୀ, ଶଶୁର ,ଶାଶୁ ଓ ଭେଣୋଇ ଜପ ରଣା ଓ ମାମୁ ତୀର୍ଥ ରଣା ହତ୍ୟା କରିଥିବା ନେଇ ଗତ ୧୧ .୯.୨୦୧୭ରେ ଲକ୍ଷ୍ମୀବତୀଙ୍କ ପରିବାର ପକ୍ଷରୁ କଣ୍ଟମାଳ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ପାଇବା ପରେ ପୋଲିସ ପକ୍ଷରୁ ଥାନା କେସ ନଂ ୧୦୪/୧୭ରେ ଏକ ଯୌତୁକ ଜନିତ ହତ୍ୟା ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ପୋଲିସ ଉକ୍ତ ଘଟଣାରେ ସ୍ୱାମୀ ଶରତ, ଶଶୁର ସାଇବ , ଶାଶୁ ବିଜଳା ଓ ଜପରଣା ଓ ତୀର୍ଥ ରଣା ନାମରେ ମାମାଲା ରୁଜୁ କରି ବିଚାର ପାଇଁ କୋର୍ଟକୁ ପଠାଇଥିଲା । ଉକ୍ତ ଘଟଣାରେ ଏବେମଧ୍ୟ ଦୁଇ ଅଭିଯୁକ୍ତ ଜପ ରଣା ଓ ତାର୍ଥ ରଣା ଫେରାର ଥିବାବେଳେ ମାମଲାଟି ଏସଟି କେସ ନଂ ୧/୧୮ ହୋଇ ଜିଲ୍ଲା ଦୌରାଜଜ୍‌ଙ୍କ ଅଦାଲତରେ ବିଚାର ହୋଇଥିଲା । ମାମଲାରେ ସରକାରଙ୍କ ପକ୍ଷରୁ ୧୪ ଜଣ ସାକ୍ଷୀଙ୍କ ବୟାନକୁ ଭିତ୍ତିକ ରି ଜିଲ୍ଲା ଦୌରାଜଜ ଗୁରୁବାର ଦିନ ପ୍ରମାଣ ଥିବା ନେଇ ଅଭିଯୁକ୍ତ ସ୍ୱାମୀ ଶରତ ରଣାକୁ ୧୦ ବର୍ଷ କାରାଦଣ୍ଡାଦେଶ ଆଦେଶ ଦେବାସହ ପ୍ରମାଣ ଅଭାବରୁ ଶଶୁର ସାଇବ ରଣା ଓ ଶାଶୁ ବିଜଳା ରଣାଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି । ମାମଲାଟିକୁ ସରକାରଙ୍କ ପକ୍ଷରୁ ପିପି ସବିତା କୁମାରୀ ପଣ୍ଡା ପରିଚାଳନା କରିଥିଲେ ।
ପ୍ରକାଶ ପାଇଲା ବୌଦ୍ଧ ପୌର ନିର୍ବାଚନ ପାଇଁ ସଂରକ୍ଷଣ ତାଲିକା
ବୌଦ୍ଧ, ୧୪/୧: ପଞ୍ଚାୟତ ନିର୍ବାଚନ ପାଇଁ ବିଗୁଲ ବାଜିବାପରେ ସବୁ ଦଳରେ ଆଶାୟିଙ୍କ ଭିଡ ଜମିଥିବାବେଳେ ପୌର ନିର୍ବାଚନ ନେଇ ମଧ୍ୟ ସାଧାରଣରେ ଉତ୍କଣ୍ଠା ପ୍ରକାଶ ପାଉଅଛି । ପଞ୍ଚାୟତ ନିର୍ବାଚନର ଫଳା ଫଳ କୁ ନେଇ ସରକାର ପୌର ନିର୍ବାଚନ ପାଇଁ ତୁରନ୍ତ ନିଷ୍ପତି ନେବାର ସମ୍ଭାବନା ରହିଥିବାରୁ ପ୍ରଶାସନିକସ୍ତରରେ ପଞ୍ଚାୟତ ସହିତ ପୌର ନିର୍ବାଚନ ପାଇଁ ପ୍ରସ୍ତୁତି କାର୍ଯ୍ୟ ଜାରି ରହିଛି । ପୌର ନିର୍ବାଚନ ଘୋଷଣା ପୂର୍ବରୁ ବୌଦ୍ଧକୁ ମୁନସିପାଲିଟି ମାନ୍ୟତା ମିଳିବା ନେଇ ଜିଲ୍ଲାବାସୀ ଏବେ ମଧ୍ୟ ଆଶାବାଦୀ ରହିଥିବାବେଳେ ସମସ୍ତ କଳ୍ପନାର ଅବସାନ ଘଟାଇ ଜିଲ୍ଲା ପ୍ରଶାସନ ପକ୍ଷରୁ ପୌର ନିର୍ବାଚନ ପାଇଁ ବୌଦ୍ଧ ଏନଏସିର ୧୭ ଗୋଟି ୱାର୍ଡର ଆସନ ସଂରକ୍ଷଣ ତାଲିକା ପ୍ରକାଶ କରାଯାଇଛି । ବୌଦ୍ଧ ଏନଏସିର ୧୭ ଗୋଟି ୱାର୍ଡ ମଧ୍ୟରୁ ୯ ଗୋଟି ୱାର୍ଡକୁ ବିଭିନ୍ନ ବର୍ଗର ମହିଳାମାନଙ୍କ ପାଇଁ ସଂରକ୍ଷିତ ରଖାଯାଇଛି ।
ସୂଚନା ମୁତାବକ ୧,୨,୧୩,୧୪ ନମ୍ବର ୱାର୍ଡକୁ ଅସଂରକ୍ଷିତ ରଖାଯାଇଥିବାବେଳେ ୩,୪,୫,୬ ଓ ୮ ନମ୍ବର ୱାର୍ଡ ସାଧାରଣବର୍ଗର ମହିଳା,୯ ଓ ୧୦ ନମ୍ବର ୱାର୍ଡ ଅନୁସୂଚିତ ଜାତି,୧୧,୧୨ ଓ ୧୭ ନମ୍ବର ୱାର୍ଡ ଅନୁସୂଚିତ ଜାତି ମହିଳା ଏବଂ କେବଳ ୭ ନମ୍ବର ୱାର୍ଡ ଅନୁସୂଚିତ ଜନଜାତି ମହିଳାଙ୍କ ପାଇଁ ସଂରକ୍ଷିତ ରହିଛି । ଆଗାମୀ ପୌର ନିର୍ବାଚନରେ ଏନଏସି ଅଧ୍ୟକ୍ଷ ପଦବୀ ପାଇଁ ସିଧାସଳଖ ନିର୍ବାଚନ ହେବ ବୋଲି କୁହାଯାଉଥିଲେ ମଧ୍ୟ ଏନେଇ ସଂରକ୍ଷଣ ତାଲିକା କିମ୍ବା କୌଣସି ସ୍ପଷ୍ଟ ନିର୍ଦ୍ଦେଶନାମା ପ୍ରକାଶ ପାଇନାହିଁ । ତେଣୁ ଏନେଇ ସରକାର ନିତିଗତ ନିଷ୍ପତି ନେବାପରେ ସଂରକ୍ଷଣ ତାଲିକା ପ୍ରକାଶ ପାଇବ ବୋଲି ଜଣାଯାଇଛି ।
ବୌଦ୍ଧଜିଲ୍ଲାର ପ୍ରଥମ ଜିଲ୍ଲା ଶିକ୍ଷା ଅଧିକାରୀ ସୂର୍ଯ୍ୟନାରାୟଣ ମିଶ୍ରଙ୍କ ପରଲୋକ
ବୌଦ୍ଧ, ୧୪/୧: ବୌଦ୍ଧ ନୂତନ ଜିଲ୍ଲା ଓ ଶିକ୍ଷାଜିଲା ଭାବରେ ମାନ୍ୟତା ପାଇବାପରେ ପ୍ରଥମ ଜିଲ୍ଲା ଶିକ୍ଷା ଅଧିକାରୀ ଭାବରେ ଯୋଗଦେଇଥିବା ସୂର୍ଯ୍ୟନାରାୟଣ ମିଶ୍ର ଭୁବନେଶ୍ୱରର ଏକ ଘରୋଇ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିବାବେଳେ ଗୁରୁବାର ସନ୍ଧ୍ୟାରେ ତାଙ୍କ ପରଲୋକ ହୋଇଯାଇଛି । ସେ ବର୍ତମାନ ରାଜ୍ୟ ସରକାରଙ୍କ ଶିକ୍ଷା ବିଭାଗ ଓପେପାର ଯୁଗ୍ମ ନିର୍ଦ୍ଦେଶକ ଭାବରେ କାର୍ଯ୍ୟରତ ଥିଲେ । ପୂର୍ବରୁ ସେ ହୃଦରୋଗର ଶୀକାର ହେବା ସହିତ ଅସ୍ତ୍ରପୋଚାର କରାଇଥିଲେ ।
ତାଙ୍କର ଦୁଇଜଣ ଝିଅଙ୍କ ମଧ୍ୟରୁ ଜଣଙ୍କ ବିବାହପରେ ତାଙ୍କ ପାଖରେ ରହୁଥିବାବେଳେ ସାନଝିଅ ଅଧ୍ୟୟନ କରୁଛନ୍ତି । ସ୍ୱର୍ଗତ ମିଶ୍ର ଅତ୍ୟନ୍ତ ମେଳାପି ଥିବାବେଳେ ତାଙ୍କର କାର୍ଯ୍ୟଦକ୍ଷତା ଯୋଗୁଁ ଶିକ୍ଷା ବିଭାଗରେ ତାଙ୍କର ସୁନାମ ରହିଥିଲା । ବୌଦ୍ଧଜିଲ୍ଲାରେ କାର୍ଯ୍ୟ କରିବା ସମୟରେ ସେ ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କ ମହଲରେ ନିଜର ନିଷ୍ଠାପର କାର୍ଯ୍ୟଦକ୍ଷତା ଯୋଗୁଁ ସମସ୍ତଙ୍କ ପ୍ରିୟ ଭାଜନ ହୋଇପାରିଥିଲେ । ସୂର୍ଯ୍ୟବାବୁଙ୍କ ପରଲୋକ ସୂଚନା ପାଇବା ପରେ ତାଙ୍କର ସହକର୍ମୀ,ପରିଚିତ ବନ୍ଧୁବର୍ଗ ମହଲରେ ଶୋକର ଛାୟା ଖେଳିଯାଇଛି ।

Related Posts

Seo wordpress plugin by www.seowizard.org.