ବିଲେଇ ଉଦ୍ଧାର ପାଇଁ ଜଣେ ପରେ ଜଣେ ୩ ଜଣ କୂଅକୁ ଡେଇଁଥିଲେ; ହେଲେ ଚାଲିଗଲା ଜଣଙ୍କ ଜୀବନ

ଭୁବନେଶ୍ବର,୧୧/୧୦: ଆଜିର ଦିନରେ ସବୁ ମଣିଷ ବିଶ୍ବାସଯୋଗ୍ୟ ହୋଇପାରି ନଥିବା ବେଳେ ପଶୁମାନଙ୍କୁ ମଧ୍ୟ କିଛି ଲୋକ ଜୀବନଠାରୁ ଅଧିକ ଭଲ ପାଉଛନ୍ତି। ଭୁବନେଶ୍ୱରର ଟଙ୍କପାଣି ରୋଡ୍ରେ ଏକ ପୋଷା କୁକୁରର ମୃତ୍ୟୁ ପରେ ପରିବାର ଲୋକେ ଦୁଃଖରେ ଭାଙ୍ଗିପଡ଼ିଥିବା ବେଳେ ତା ବେକରେ ଫୁଲମାଳ ପକାଇ ତାକୁ ଏକ ଗାତ ଖୋଳି ଅନ୍ତିମ ବିଦାୟୀ ଦେଇଛନ୍ତି। ଆଉ ଏକ ଅଭାବନୀୟ ଘଟଣା ଘଟିଛି ଚନ୍ଦ୍ରଶେଖରପୁର ଥାନା ଅଧିନ ପଟିଆ ଷ୍ଟେସନ ନିକଟରେ ବିଲେଇକୁ ଉଦ୍ଧାର ପାଇଁ ଜଣେ ପରେ ଜଣେ ୩ ଜଣ କୂଅକୁ ଡେଇଁଥିଲେ। ଏମାନଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ହୋଇଛି। ମୃତକ ହେଲେ ଶିବଶଙ୍କର ସାହୁ (୫୦)। ତାଙ୍କ ଘର ଗଞ୍ଜାମ ଜିଲ୍ଲାରେ ବୋଲି ଜଣାପଡ଼ିଛି। ସେ ଆଇସ୍କ୍ରିମ୍ ବେପାର କରୁଥିଲେ।
ସୂଚନା ଅନୁସାରେ ପଟିଆ ଷ୍ଟେସନ ନିକଟରେ ଗୋଟିଏ ବିଲେଇ କୂଅ ଭିତରେ ପଡ଼ି ଯାଇଥିଲା। ଏହା ଦେଖି ଘର ମାଲିକ ବିଲେଇକୁ ବାଲ୍ଟି ଓ ରଶି ମାଧ୍ୟମରେ କୂଅରୁ ଉଦ୍ଧାର କରିବାକୁ ଉଦ୍ୟମ କରିଥିଲେ। ଠିକ୍ ସେହି ସମୟରେ ଆଇସିକ୍ରିମ୍ ବ୍ୟବସାୟ କରୁଥିବା ଗଞ୍ଜାମ ଅଞ୍ଚଳର ଶିବରାମ ସାହୁ ବିଲେଇକୁ ଉଦ୍ଧାର କରିଦେବେ ବୋଲି କହିଥିଲେ। ଏହା ପରେ ସେ ପାଇଁ କୂ ଭିତରକୁ ଡେଇଁଥିଲେ। ହେଲେ ଦୀର୍ଘ ସମୟ ଧରି ସେ କୂଅରୁ ବାହାରି ପାରିନଥିଲେ। ଏପରିକି ତାଙ୍କୁ ବିଲେଇର ମାଲିକ ଡାକିଥିଲେ ମଧ୍ୟ ସେ ଶୁଣିନଥିଲେ। ଶିବଶଙ୍କରଙ୍କୁ ଉଦ୍ଧାର କରିବା ପାଇଁ ଶଙ୍କର ଦାସ ନାମକ ଅନ୍ୟ ଜଣେ ଯୁବକ କୂଅ ଭିତରକୁ ପଶିଥିଲେ। ହେଲେ ସେ ମଧ୍ୟ ବାହାରି ପାରିନଥିଲେ। ତା’ପରେ ଶିବଶଙ୍କରଙ୍କ ବଡ଼ ଭାଇ ଭଜରାମ ସାହୁ କୂଅ ଭିତରକୁ ଯାଇଥିଲେ। ଦୀର୍ଘ ସମୟ ଧରି ପାଣି ଭିତରେ ସାନ ଭାଇକୁ ଖୋଜିଥିଲେ। ମାତ୍ର ପାଇନଥିଲେ।
କୂଅ ଭିତରୁ ଶଙ୍କରଙ୍କୁ ଧରି କୂଅରୁ ବାହାରିଥିଲେ ଭଜରାମ ସାହୁ। ସ୍ଥାନୀୟ ଲୋକେ ଏନେଇ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଅଗ୍ନିଶମ କର୍ମଚାରୀମାନେ କୂଅ ଭିତରୁ ଶିବଶଙ୍କରଙ୍କ ମୃତଦେହ ଉଦ୍ଧାର କରିଥିଲେ। ଶଙ୍କରଙ୍କୁ ଭୁବନେଶ୍ୱରରେ ଏକ ଘରୋଇ ମେଡ଼ିକାଲ୍ରେ ଭର୍ତ୍ତି କରାଯାଇଛି। ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଉଦ୍ବେଗଜନକ ରହିଛି।