ବିଦ୍ୟୁତ ଖୁଣ୍ଟରେ ପିଟି ହୋଇ ଓଲଟିଲା ଓଏସ୍ଆରଟିସି ବସ୍, ଗାଡିରେ ଥିଲେ ୫୦ରୁ ଅଧିକ ଯାତ୍ରୀ

ସୁନ୍ଦରଗଡ଼, ୨୨/୨: ବିଦ୍ୟୁତ ଖୁଣ୍ଟରେ ପିଟି ହୋଇଛି ଓଏସ୍ଆରଟିସି (OSRTC) ବସ୍ । ସୁନ୍ଦରଗଡ଼ ଜିଲ୍ଲା ଲହୁଣିପଡ଼ା ଥାନା ମୁଚୁରିନାଳ ନିକଟରେ ବସଟି ଦୁର୍ଘଟଣା ଗ୍ରସ୍ତ ହୋଇଛି । ଫଳରେ ୨୦ ଜଣ ଯାତ୍ରୀ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କିଛି ଲୋକଙ୍କୁ ରାଉରକେଲା ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି ।
ଗତକାଲି ବିଳମ୍ବିତ ରାତିରେ OSRTC ବସ୍ ଜଗନ୍ନାଥ ଏକ୍ସପ୍ରେସ୍ ନାମକ ବସଟି ସୁନ୍ଦରଗଡ଼ରୁ ପୁରୀ ଯାଉଥିଲା । ବସ୍ରେ ୫୦ରୁ ଅଧିକ ଯାତ୍ରୀ ଥିଲେ । ଏହି ସମୟରେ ଲହୁଣିପଡ଼ା ଥାନା ମୁଚୁରିନାଳ ନିକଟରେ ଏକ ୩୩ କେଭି ବିଦ୍ୟୁତ ତାର ଯାଇଥିବା ଖୁଣ୍ଟ ସହିତ ପିଟି ହୋଇ ଓଲଟିପଡ଼ିଥିଲା । ଫଳରେ ୨୦ ଜଣ ଯାତ୍ରୀ ଆହତ ହୋଇଥିଲେ । ଜଣେ ମହିଳାଙ୍କୁ ବିଦ୍ୟୁତ ଆଘାତ ମଧ୍ୟ ଲାଗିଥିବା ଜଣାପଡ଼ିଛି । ସେମାନଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ନିକଟସ୍ଥ ବଣାଇ ମେଡ଼ିକାଲରେ ଭର୍ତ୍ତି କରିଥିଲେ । ପ୍ରାଥମିକ ଚିକିତ୍ସା ପରେ କିଛି ଗୁରୁତର ଯାତ୍ରୀଙ୍କୁ ରାଉରକେଲା ମେଡ଼ିକାଲରୁ ସ୍ଥାନାନ୍ତର କରାଯାଇଛି ।
ଖବର ପାଇ ଲହୁଣିପଡ଼ା ପୋଲିସ ଘଟଣା ସ୍ଥଳରେ ପହଁଚି ଛାନଭିନ କରୁଛି । ଡ୍ରାଇଭରର ଆଖି ଲାଗି ଯିବାରୁ ଦୁର୍ଘଟଣା ଘଟିଥିବା ସନ୍ଦେହ କରାଯାଉଛି ।