Odisha News

ବିଦ୍ୟାଳୟରୁ ନିଖୋଜ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ବିଦ୍ୟାଳୟ ସମ୍ମୁଖରେ ଧାରଣା ଦେଲେ ମୃତକଙ୍କ ପରିବାର

ନିତିଶ ଚନ୍ଦ୍ରଙ୍କ ରିପୋର୍ଟ

ନବରଙ୍ଗପୁର, ୧୦/୧୧: ଡାବୁଗାଁ ଥାନା ଅଧୀନ ଅନୁସୂଚିତ ଜାତି ଓ ଜନଜାତି ବିଭାଗ ଦ୍ବାରା ପରିଚାଳିତ ସରକାରୀ ଉଚ୍ଚ ବିଦ୍ୟାଳୟରୁ ଏକ ଦଶମ ଶ୍ରେଣୀର ଛାତ୍ର ସୋମବାର ନିଖୋଜ ହୋଇଯାଇଥିବା ଖବର ପ୍ରକାଶ ପାଇଥିଲା। ଖବର ପାଇ ଛାତ୍ରଙ୍କ ବାପା ମଙ୍ଗଳବାର ଡାବୁଗାଁ ଥାନାରେ ଅଭିଯୋଗ ଆଣିଥିଲେ। ଏହା ପରେ ବୁଧବାର ସକାଳ ସମୟରେ ଛାତ୍ରଙ୍କ ଝୁଲନ୍ତା ମୃତଦେହ ମାନଗାଁ ସ୍ଥିତ ଅଙ୍ଗିନଦି କୁଳରୁ ମିଳିଥିଲା।
ସୂଚନା ଯୋଗ୍ୟ ଡାବୁଗାଁ ଥାନା ଅଧୀନ ବାଉଁଶବେଡା ଗ୍ରାମର ଖଗପତି ହରିଜନଙ୍କ ପୁଅ ଶଙ୍କର ହରିଜନ (୧୫)ଙ୍କୁ ଅନୁସୂଚିତ ଜାତି ଓ ଜନଜାତି ବିଭାଗ ଦ୍ବାରା ପରିଚାଳିତ ସରକାରୀ ଉଚ୍ଚ ବିଦ୍ୟାଳୟରେ ଦଶମ ଶ୍ରେଣୀରେ ଅଧ୍ୟୟନ କରୁଥିଲେ। ଶଙ୍କର ବିଦ୍ୟାଳୟର ଛାତ୍ରାବାସରେ ହିଁ ରହିଆସୁଥିଲେ ।
ଗତ ସୋମବାର ଅପରାହ୍ନ ସମୟରେ ହଠାତ୍ ବିଦ୍ୟାଳୟରୁ ଶଙ୍କରଙ୍କ ବାପା ଖାଗପତିଙ୍କୁ ବିଦ୍ୟାଳୟରୁ ଫୋନ୍ ଆସିଥିଲା। ସେତେବେଳେ ସେ ଜାଣିବାକୁ ପାଇଲେ ଯେ,ତାଙ୍କ ପୁଅ ବିଦ୍ୟାଳୟ ପରିସର ଭିତରେ ନାହିଁ। ସେ ଖବର ପାଇ ବିଦ୍ୟାଳୟକୁ ବୁଝିବାକୁ ଗଲେ ଏବଂ ତାଙ୍କ ସମ୍ପର୍କୀୟଙ୍କୁ ମଧ୍ୟ ପଚାରିଥିଲେ। ଏହା ପରେ ବହୁତ ଖୋଜାଖୋଜି ପରେ ଆସି ମଙ୍ଗଳବାର ଅପରାହ୍ନ ସମୟରେ ତାଙ୍କ ପୁଅ ଶଙ୍କରଙ୍କୁ ଅପହରଣ କରାଯାଇଥିବା ନେଇ ଡାବୁଗାଁ ଥାନାରେ ଏତଲା ଦେଇଥିଲେ।
ଉକ୍ତ ଏତଲାକୁ ଭିତ୍ତିକରି ଥାନା କେସ ନଂ ୧୭୦/୨୨ ଏକ ମାମଲା ରୁଜୁ କରି ଛାନଭିନ୍ ସହ ତଦନ୍ତ ଚାଲିଥିବା ବେଳେ ଘଟଣାର ମୋଡ ବଦଳିଯାଇଥିଲା। ସମସ୍ତଙ୍କୁ ସନ୍ଦେହ ଘେରରେ ପକାଇ ଦେଇଥିଲା। ଶଙ୍କରର ଝୁଲନ୍ତା ମୃତ ଦେହ ବଗିଚାର ଏକ କାଜୁଗଛରେ ଦେଖିବାକୁ ମିଳିଥିଲା। ଏହା ପରେ ପୋଲିସ୍ କେସ ନଂ ୨୭/୨୨ ଆଧାରରେ ଏକ ଅପମୃତ୍ୟୁ ମାମଲା ରୁଜ୍ଜୁ କରିଛି।
ବିଦ୍ୟାଳୟ ସମ୍ମୁଖରେ ଧାରଣା ଦେଉଥିବା ଉତ୍ୟକ୍ତ ପରିବାର ଲୋକଙ୍କୁ ଧାରଣାରୁ ହଟାଇବା ପାଇଁ ଉପ ଜିଲ୍ଲାପାଳ ପ୍ରଶାନ୍ତ କୁମାର ରାଉତ ପହଞ୍ଚି ବହୁତ ବୁଝାସୁଝା,ପ୍ରତିଶୃତି ପରେ ପରିବାର ଲୋକେ ଧାରଣାରୁ ହଟିଥିଲେ। ଧାରଣା ଯୋଗୁଁ ଡ଼ାବୁଗାଁ ଠାରୁ ମୈଦଲପୁରକୁ ସଂଯୋଗ କରୁଥିବା ରାସ୍ତା କିଛି ଘଣ୍ଟା ପାଇଁ ଜାମ ହୋଇ ରହିଥିଲା। ଏହି ଘଟଣାର କାରଣ ବର୍ତ୍ତମାନ ପର‌୍ୟ୍ୟନ୍ତ ଅସ୍ପଷ୍ଟ ରହିଛି। ଡାବୁଗାଁ ପୋଲିସ୍, ଥାନା ଅଧିକାରୀ ପ୍ରମୋଦ କୁମାର ନାୟକ,ଉମରକୋଟ ଉପଖଣ୍ଡ ଆରକ୍ଷୀ ଅଧିକାରୀ ଶୁଭେନ୍ଦୁ ଶବରଙ୍କ ସହାୟତାରେ ଏକ ସାଇଣ୍ଟିଫିକ ଟିମ ଘଟଣା ସ୍ଥଳରେ ପହଞ୍ଚି ଏହାର ତଦନ୍ତ ଚଳାଇଛି। ଘଟଣା ସ୍ଥଳରେ ଡାବୁଗାଁ ତହସିଲଦାର କୃଷ୍ଣଚନ୍ଦ୍ର ଦାସ ଉପସ୍ଥିତ ରହିଥିଲେ। ପୋଲିସ୍ ଶବ ଜବତ କରି ବ୍ୟବଚ୍ଛେଦ ସକାଶେ ଡାବୁଗାଁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ପଠାଯାଇଥିଲା। ଶବ ବ୍ୟବଚ୍ଛେଦ ପରେ ପରିବାକୁ ହସ୍ତାନ୍ତର କରାଯିବ ବୋଲି ସୂଚନା ଦିଆଯାଇଛି। ଘଟଣା ଘଟିବା ଦିନରୁ ବିଦ୍ୟାଳୟ ପ୍ରଧାନଶିକ୍ଷକ ସାନ କିଶୋର ନାୟକଙ୍କ ମୋବାଇଲ ସୁଇଚ ଅଫ ରହିଥିଲା,ପରିବାର ଲୋକେ ତାଙ୍କୁ ମାଡମାରିଥିବା ସୂଚନା ମିଳିଛି। ଏଥିରେ ପ୍ରଧାନଶିକ୍ଷକଙ୍କ ହାତ ଭାଙ୍ଗିଥିବା ଜଣାପଡିଛି। ପରିବାର ଲୋକେ ଦୋଷୀକୁ ଗିରଫ ଦାବି କରିଛି। ଉକ୍ତ ବିଷୟକୁ ନେଇଁ ନବରଙ୍ଗପୁର ଜିଲ୍ଲା ମଙ୍ଗଳ ଅଧିକାରୀ ସ୍ମୃତିରଞ୍ଜନ ସାମନ୍ତରାୟଙ୍କୁ ପଚାରିବାରୁ ସେ ଏହି ବିଷୟରେ କିଛି କହି ନଥିଲେ। ସବୁ କଥା ଜାଣି ଚୁପ୍ ରହିବା ସନ୍ଦେହ ସୃଷ୍ଟି କରୁଛି। ଜିଲ୍ଲା ବିଭାଗୀୟ ବିଦ୍ୟାଳୟ ଗୁଡିକରେ ରହୁଥିବା ଶହ ଶହ ଛାତ୍ରଛାତ୍ରୀଙ୍କର ସୁରକ୍ଷା ପ୍ରତି ମଙ୍ଗଳ ଅଧିକାରୀ ଶ୍ରୀ ସାମନ୍ତରାୟଙ୍କ ପାଖରେ ଅଭିଯୋଗ କରୁଥିଲେ ବି ବିଭିନ୍ନ ଆଳ ଦେଖାଇ ଏଡାଇ ଆସୁଥିଲେ। ବ୍ୟକ୍ତିଗତ କାର‌୍ୟ୍ୟରେ ବ୍ୟସ୍ତତା ଦେଖାଇ ଅନେକ ସମୟରେ ବିଦ୍ୟାଳୟ ପରିଦର୍ଶନକୁ ଯାଉ ନଥିବା ସୂଚନା ମିଳିଛି। ତେବେ ଏଭଳି ଏକ ଲୋମହର୍ଷଣକାରୀ ଘଟଣାକୁ ନେଇଁ ଛାତ୍ରଛାତ୍ରୀଙ୍କର ସୁରକ୍ଷାକୁ ନେଇଁ ସନ୍ଦେହ ଘେରରେ ରହିଛି।

Related Posts

Seo wordpress plugin by www.seowizard.org.