Odisha News

ବିଜେଡ଼ି ସଂସଦୀୟ ଦଳ ନେତା ପଦ ଛାଡ଼ିଲେ ସସ୍ମିତ ପାତ୍ର

ଭୁବନେଶ୍ଵର, ୮/୪ : ଏକ ବଡ଼ ନିଷ୍ପତ୍ତି କ୍ରମେ ବିଜେଡିର ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର ବିଜେଡି ସଂସଦୀୟ ଦଳ ନେତା ପଦରୁ ଇସ୍ତଫା ଦେଇଛନ୍ତି।
ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ପାଖକୁ ସସ୍ମିତ ନିଜର ଇସ୍ତଫା ପତ୍ର ପଠାଇଛନ୍ତି। ନିକଟରେ ବିଜୁ ବାବୁଙ୍କ ପ୍ରତି ବିଜେପି ସାଂସଦ ନିଶିକାନ୍ତ ଦୁବେଙ୍କ ବିବାଦୀୟ ମନ୍ତବ୍ୟକୁ ନେଇ ସେ ସଂସଦର ଏକ କମିଟିର ସଦସ୍ୟ ପଦରୁ ଇସ୍ତଫା ଦେଇଥିଲେ। କିନ୍ତୁ ଏବେ ଦଳର ଆଭିମୁଖ୍ୟ ପ୍ରତି ଅସନ୍ତୁଷ୍ଟ ବ୍ୟକ୍ତ କରି ସେ ନିଜ ପଦରୁ ଇସ୍ତଫା ଦେଇଥିବା କୁହାଯାଉଛି।
ନିକଟରେ ରାଜ୍ୟସଭାରେ ସାଂସଦ ଭାବେ ଶପଥ ଗ୍ରହଣ କରିଥିଲେ ବିଜେଡିର ସାଂସଦ ସଂତୃପ୍ତ ମିଶ୍ର। ଏବେ ଦଳ ତାଙ୍କୁ ରାଜ୍ୟସଭାରେ ବିଜେଡିର ସଂସଦୀୟ ଦଳ ନେତା କରିବାକୁ ଯୋଜନା ଚାଲିଛି।
ଅନ୍ୟପଟେ ବିଜେଡିର ରାଜ୍ୟସଭାରେ ସଂସଦୀୟ ଦଳ ନେତା ସସ୍ମିତ ପାତ୍ରଙ୍କୁ ହଟାଇବା ପାଇଁ ଅଭିଯାନ ଆରମ୍ଭ ହୋଇଥିବା ରାଜନୀତି ମହଲରେ ଭିତିରି ଚର୍ଚ୍ଚା ଚାଲିଥିଲା। ଦଳର ଅନ୍ୟ ସାଂସଦମାନେ ଏ ସମ୍ପର୍କରେ ସଭାପତିଙ୍କୁ ଲିଖିତ ଭାବେ ଜଣାଇଥିବା ଖବର ମଧ୍ୟ ସାମ୍ନାକୁ ଆସିଥିଲା।
କିନ୍ତୁ ଏହି ପ୍ରସଙ୍ଗରେ କେହି ଗଣମାଧ୍ୟମରେ ମୁହଁ ଖୋଲି ନାହାନ୍ତି। ଉଲ୍ଲେଖନୀୟ ରାଜ୍ୟସଭାରେ ଏବେ ବିଜେଡିର ୬ ସାଂସଦ ରହିଛନ୍ତି। ସସ୍ମିତ ପାତ୍ର, ଦେବାଶିଷ ସାମନ୍ତରାୟ, ମାନସ ମଙ୍ଗରାଜ, ସୁଲତା ଦେଓ, ଶୁଭାଶିଷ ଖୁଣ୍ଟିଆ ଓ ସଂତୃପ୍ତ ମିଶ୍ର। ୨୦୨୨ ମସିହାରୁ ସସ୍ମିତ ବିଜେଡିର ସଂସଦୀୟ ଦଳ ନେତା ରହିଛନ୍ତି।
ଏପ୍ରିଲ ୬ରେ ସଂତୃପ୍ତ ରାଜ୍ୟସଭାରେ ଶପଥ ଗ୍ରହଣ କରିବା ଦିନ ହିଁ ସାଂସଦମାନେ ସସ୍ମିତଙ୍କୁ ହଟାଇବାକୁ ସଭାପତିଙ୍କୁ ପତ୍ର ଲେଖିବା ଘଟଣା ବେଶ୍ ଚର୍ଚ୍ଚାର ବିଷୟ ପାଲଟିଥିଲା। ହଠାତ୍ କେଉଁ ପରିସ୍ଥିତିରେ ସାଂସଦମାନେ ସସ୍ମିତଙ୍କ ବିରୋଧରେ ମେଳି କଲେ ତାହା ବୁଝିବା ବାହାରେ ରହଛି। କିନ୍ତୁ ସସ୍ମିତ କିମ୍ବା ଅନ୍ୟ ସାଂସଦମାନେ ଏ ସମ୍ପର୍କରେ କିଛି ପ୍ରତିକ୍ରିୟା ଦେଇ ନ ଥିଲେ।
ନିଜ ପାଇଁ ହେଉଥିବା ଏମିତି ଅପ୍ରୀତିକର ପରିସ୍ଥିତିର ସସ୍ମିତ ପାତ୍ର ବୁଧବାର ନିଜ ଆଡ଼ୁ ଇସ୍ତଫା ଦେଇଛନ୍ତି। ଏଥିରୁ ସ୍ପଷ୍ଟ ଜଣା ପଡ଼ୁଛି ଯେ, ସସ୍ମିତ ପାତ୍ର ଏବେ ଦଳରେ କୋଣଠେସା ହେବାକୁ ଯାଉଛି। ତାଙ୍କ ସ୍ଥାନରେ କର୍ପୋରେଟ୍ ଜଗତରୁ ଆସିଥିବା ସଂତୃପ୍ତ ମିଶ୍ରଙ୍କୁ ବିଜେଡି ସଂସଦୀୟ ଦଳ ନେତା କରାଯିବା ନେଇ ବିଜେଡିରେ ପଥ ପ୍ରସ୍ତୁତ ଚାଲିଛି।

Related Posts