Odisha News

ବିଂଶତମ ବୌଦ୍ଧ ପୁସ୍ତକମେଳା ଉଦଘାଟିତ : ପୁରୁଣାକଟକ ମା ଭୈରବୀଙ୍କ ପୀଠରୁ ଆସିଲା ଆଜ୍ଞାମାଳ ଓ ଦିବ୍ୟଜ୍ୟୋତି

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ,୩/୧୨ : ସ୍ଥାନୀୟ କଚେରୀ ଖେଳ ପଡିଆଠାରେ ଜିଲ୍ଲା ଜର୍ଣ୍ଣାଲିଷ୍ଟ ଫୋରମ୍ ଦ୍ୱାରା ଆୟୋଜିତ ବିଂଶତମ ବୌଦ୍ଧ ପୁସ୍ତକମେଳା ମଙ୍ଗଳବାର ସନ୍ଧ୍ୟାରେ ଉଦ୍‌ଘାଟିତ ହୋଇଯାଇଛି ।
ଏଥିରେ ମୁଖ୍ୟଅତିଥିଭାବେ ବୌଦ୍ଧ ଜିଲ୍ଲାପାଳ ଶ୍ରୀଯୁକ୍ତ ବିଭୁତି ଭୂଷଣ ନାୟକ ଓ ସମ୍ମାନୀତ ଅତିଥି ଭାବେ ଆରକ୍ଷୀ ଅଧୀକ୍ଷକ ରାହୁଲ ଗୋଏଲ ଯୋଗଦେଇ ଫିତାକାଟି ପୁସ୍ତକମେଳାକୁ ଉଦଘାଟନ କରିଥିଲେ ।
ମା’ଭୈରବୀ ଓ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ଓ ପ୍ରଦୀପ ପ୍ରଜ୍ଜ୍ୱଳନ କରି ପୁସ୍ତକମେଳା ମଞ୍ଚ ଓ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ ଓ ଏଭଳି ଏକ ପୁସ୍ତକମେଳା ଆୟୋଜନ କରାଯାଇଥିବାରୁ ଜିଲ୍ଲାପାଳ ଓ ଏସ୍ ପି ଖୁସିବ୍ୟକ୍ତ କରିଥିଲେ ।
ଏହାପରେ ଅତିଥିମାନେ ସମସ୍ତ ପୁସ୍ତକ ଷ୍ଟଲ୍ ବୁଲି ଦେଖିଥିଲେ । ଜିଲ୍ଲା ଜର୍ଣ୍ଣାଲିଷ୍ଟ ଫୋରମ ସଭାପତି ଦିବ୍ୟଶଙ୍କର ରାଉତ, ସାଧାରଣ ସଂପାଦକ ଯୁଗଳ କିଶୋର ସାମଲ, ଆବାହକ ଦିବ୍ୟରଞ୍ଜନ ପଟ୍ଟନାୟକ, ସଦସ୍ୟ ସତ୍ୟନାରାୟଣ ପାଣି, ସୁକାନ୍ତ କୁମାର ପଟ୍ଟନାୟକ, ପ୍ରୀତିରଞ୍ଜନ ଦାସଙ୍କ ସମେତ ଅନ୍ୟାନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ ।
ପୁସ୍ତକମେଳା ଉଦ୍‌ଘାଟନ ପୂର୍ବରୁ ପୁରୁଣାକଟକ ମା ଭୈରବୀଙ୍କ ପୀଠରୁ ଅଖଣ୍ଡ ଦୀପ ଅଣାଯାଇ ପୁସ୍ତକମେଳା ମଞ୍ଚରେ ସ୍ଥାପନ କରାଯାଇଥିଲା । ଏହି ମେଳାରେ ରାଜ୍ୟର ପ୍ରତିଷ୍ଠିତ ପୁସ୍ତକ ପ୍ରକାଶକ ଓ ବିକ୍ରେତା ଯୋଗ ଦେଇଥିବା ବେଳେ ୭୦ ରୁ ଉର୍ଦ୍ଧ୍ୱ ଷ୍ଟଲ କରାଯାଇଛି ।
ଉଦଘାଟନୀ ସନ୍ଧ୍ୟାରେ ବୌଦ୍ଧର ଗେହ୍ଲାମା କଳା ନିକେତନ, ଗନ୍ଧରାଡି କଳାପରିଷଦ, ନଟରାଜ କଳା ପରିଷଦ ଫୁଲବାଣୀ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ଏହି ପୁସ୍ତକମେଳା ଆସନ୍ତା ୭ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବାବେଳେ ଆଜି ପ୍ରଥମ ଦିନରେ ବହୁସଂଖ୍ୟାରେ ଦର୍ଶକ ବିଭିନ୍ନ ବହି ଷ୍ଟଲ ଗୁଡିକରେ ଭିଡ ଜମାଇ ପୁସ୍ତକ କିଣିଥିଲେ ।

Related Posts