ବାଲିଗୁଡା : ମାର୍ଚ୍ଚ ୯ ରେ ରାଷ୍ଟ୍ରୀୟ ଲୋକ ଅଦାଲତ

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
ବାଲିଗୁଡା,୫/୩: କନ୍ଧମାଳ ଜିଲ୍ଲା ବାଲିଗୁଡା ଓ ତୁମୁଡିବନ୍ଧ ସ୍ଥିତ ତାଲୁକ ଆଇନ ସେବା ସମିତି ଆନୁକୂଲ୍ୟରେ ତାଲୁକ୍ ସ୍ତରୀୟ ବିଚାର ବିଭାଗୀୟ କୋର୍ଟ ପରିସରରେ ଚଳିତ ମାସ ୯ ତାରିଖ ଶନିବାର ଦିନ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହେବ ।
ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ପ୍ରାୟ ସମସ୍ତ ପ୍ରକାର ବିଚାରାଧିନ ମକଦ୍ଦମା ଯଥା ଫୌଜଦାରୀ( ସାଲିସ୍ ଯୋଗ୍ୟ), ଚେକ୍ ବାଉନ୍ସ ମାମଲା, ବ୍ୟାଙ୍କ ଋଣ ମାମଲା, ମୋଟର ଦୁର୍ଘଟଣା ଜନିତ କ୍ଷତି ପୂରଣ, ଶ୍ରମ ଓ ନିଯୁକ୍ତି ବିବାଦ, ଜଳ ଓ ଅନ୍ୟାନ୍ୟ ବିଲ୍ ଦେୟ ଜନିତ ବିବାଦ (ସାଲିସ୍ ବିହୀନ ବିବାଦକୁ ବାଦ ଦେଇ), ବୈବାହିକ ବିବାଦ (ଛାଡ଼ପତ୍ର ବ୍ୟତୀତ), ଜମି ଅଧି ଗ୍ରହଣ, ଚାକିରି ସମ୍ବନ୍ଧୀୟ (ଦରମା, ଭତ୍ତା ଓ ଅବସରକାଳୀନ ପ୍ରାପ୍ୟ) ଓ ଅନ୍ୟାନ୍ୟ ଦେୱାନୀ ମକଦ୍ଦମା ଇତ୍ୟାଦିର ଆପୋଷ ସହମତିରେ ସମାଧାନ କରାଯାଇ ପାରିବ ।
କେବଳ ବିଚାରଧିନ ମକଦ୍ଦମା ନୁହେଁ, ପ୍ରାକ୍-ମକଦ୍ଦମା ସ୍ତରୀୟ (କଚେରୀରେ ଦାୟର ହୋଇନଥିବା) ଚେକ୍ ବାଉନ୍ସ ମାମଲା, ବ୍ୟାଙ୍କ ଋଣ ବିବାଦ, ଶ୍ରମ ଓ ନିଯୁକ୍ତି ବିବାଦ, ବିଦ୍ୟୁତ୍ ଜଳ ଓ ଅନ୍ୟାନ୍ୟ ବିଲ୍ ଦେୟ ଜନିତ ବିବାଦ (ସାଲିସ୍ ବିହୀନ ବିବାଦକୁ ବାଦ ଦେଇ), ଭରଣ ପୋଷଣ ବିବାଦ, ଅନ୍ୟାନ୍ୟ ସାଲିସ୍ ଯୋଗ୍ୟ ଫୌଜଦାରୀ ଓ ଅନ୍ୟାନ୍ୟ ଦେୱାନୀ ମକଦ୍ଦମା ଇତ୍ୟାଦିର ମଧ୍ୟ ସମାଧାନ ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ହୋଇ ପାରିବ। ଲୋକ ଅଦାଲତରେ ମକଦ୍ଦମା/ ବିବାଦର ସମାଧାନ ପାଇଁ କୌଣସି ଆର୍ଥିକ ଖର୍ଚ୍ଚ ପଡ଼େ ନାହିଁ ଏବଂ ଲୋକ ଅଦାଲତଙ୍କ ରାୟ ବୈଧ, ଚୁଡ଼ାନ୍ତ ଏବଂ ଅମଳଯୋଗ୍ୟ ।
ଯଦି କୌଣସି ବିଚାରାଧିନ ମକଦ୍ଦମାର ସମାଧାନ ଲୋକ ଅଦାଲତ ମାଧ୍ୟମରେ ହୁଏ, ଆଗରୁ ପଇଠ ହୋଇଥିବା କୋର୍ଟ ଫି ଫେରସ୍ତ ହୋଇ ପାରିବ । ଦୀର୍ଘ ଦିନ ଧରି ଚାଲୁ ରହିଥିବା ମକଦ୍ଦମାର ସହଜ ସମାଧାନ ପାଇଁ ଏବଂ ଆର୍ଥିକ ଖର୍ଚ୍ଚ ଓ ସମୟ ଅପଚୟରୁ ନିସ୍ତାର ପାଇଁ ଏହି ସୁଯୋଗର ସଦୁପଯୋଗ କରନ୍ତୁ ।
ଏଣୁ କୋର୍ଟରେ ଆପଣଙ୍କର କୌଣସି ମକଦ୍ଦମା ବିଚାରାଧୀନ ରହିଛି କି, ବା ଆପଣଙ୍କର କାହା ସହିତ କୌଣସି ବିବାଦ ରହିଛି, ତେବେ ଆପଣ ସେ ମକଦ୍ଦମା ବିବାଦର ସହଜ ଓ ଆପୋଷ ସହମତିରେ ସମଧାନ ପାଇଁ କିମ୍ବା ସବିଶେଷ ବିବରଣୀ ନିମନ୍ତେ ବାଲିଗୁଡା କୋର୍ଟ ପରିସରରେ ଥିବା ତାଲୁକ ଆଇନ ସେବା କାର୍ଯ୍ୟାଳୟ ସହ ଯୋଗାଯୋଗ କରିବାକୁ ସମିତି ତରଫରୁ ଅନୁରୋଧ କରାଯାଇଛି ।
ବାଲିଗୁଡ଼ାରେ ବିଜୁବାବୁଙ୍କ ୧୦୮ ତମ ଜୟନ୍ତୀ ପାଳନ ଓ କର୍ମୀ ସମ୍ମିଳନୀ ଅନୁଷ୍ଠିତ : କଂଗ୍ରେସ ଓ ବିଜେପି ଛାଡ଼ି ବିଜେଡ଼ିରେ ମିଶିଲେ ଦୁଇ ହଜାରରୁ ଉର୍ଦ୍ଧ୍ଵ ନେତା ଓ କର୍ମୀ
ବାଲିଗୁଡ଼ା,୫/୩: ପ୍ରବାଦ ପୁରୁଷ ବିଜୁବାବୁଙ୍କର ୧୦୮ ତମ ଜୟନ୍ତୀ ପାଳନ ଅବସରରେ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ନିର୍ବାଚନ ମଣ୍ଡଳୀରେ ଆହୁରି ଶକ୍ତିଶାଳୀ ହେଲା ବିଜୁ ଜନତା ଦଳ । ସ୍ଥାନୀୟ ସଭାଗୃହ ଠାରେ ଆୟୋଜିତ ଏକ ବିଶାଳ କର୍ମୀ ସମ୍ମିଳନୀ ଅବସରରେ ବାଲିଗୁଡ଼ା ନିର୍ବାଚନ ମଣ୍ଡଳୀର ସଂଯୋଜକ ଟୁନା ଦାସଙ୍କ ନେତୃତ୍ୱରେ ବାଲିଗୁଡ଼ା ନିର୍ବାଚନ ମଣ୍ଡଳୀର ଚାରୋଟି ବ୍ଲକ୍ ବାଲିଗୁଡ଼ା, କ.ନୁଆଗାଁ, ତୁମୁଡ଼ିବନ୍ଧ ଓ କୋଟଗଡ଼ ବ୍ଲକର ବିଜେପି ଓ କଂଗ୍ରେସ ଦଳର ଦୁଇ ହଜାରରୁ ଉର୍ଦ୍ଧ୍ଵ ନେତା ଓ କର୍ମୀ ବିଜେଡ଼ିରେ ମିଶିଛନ୍ତି ।
ଏଥିସହିତ ଏହି କାର୍ୟ୍ୟକ୍ରମରେ କନ୍ଧମାଳ ସାଂସଦ ଡ.ଅଚ୍ୟୁତ ସାମନ୍ତ, ବାଲିଗୁଡ଼ା ବିଧାୟକ ଚକ୍ରମଣି କହଁର, ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ରୋଦନ ମଲ୍ଲିକ, ଜିଲ୍ଲା ପର୍ଯ୍ୟବେକ୍ଷକ ବିଜୟ ନାୟକ, ବାଲିଗୁଡ଼ା ନିର୍ବାଚନ ମଣ୍ଡଳୀର ପର୍ଯ୍ୟବେକ୍ଷକ ଅଜୟ ମହାରଣାଙ୍କ ସମେତ ଚାରୋଟି ବ୍ଲକର ସମସ୍ତ ବ୍ଲକ୍ ସଭାପତି ଯୋଗ ଦେଇଥିବା ବେଳେ ୧୫ ହଜାରରୁ ଉର୍ଦ୍ଧ୍ଵ ବିଜେଡ଼ି ନେତା କର୍ମୀଙ୍କ ସମାଗମ ହୋଇଥିଲା ।
ଏହି ଅବସରରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ସମସ୍ତ ଯୋଜନାକୁ ସଫଳ ରୂପାୟନ କରିବା ସହ ଷଷ୍ଠ ଥର ପାଇଁ ପୁଣି ଥରେ ମୁଖ୍ୟମନ୍ତ୍ରୀ କରାଇବା ଏବଂ ଓଡ଼ିଶାର ବିକାଶକୁ ଆହୁରି ତ୍ବରାନ୍ବିତ କରିବା ପାଇଁ ସମସ୍ତ ନେତା ଓ କର୍ମୀ ଶପଥ ଗ୍ରହଣ କରିଛନ୍ତି । ଏହି ମିଶ୍ରଣ ଫଳରେ ବାଲିଗୁଡ଼ା ନିର୍ବାଚନ ମଣ୍ଡଳୀରେ ବିଜେଡ଼ି ଆହୁରି ଶକ୍ତିଶାଳୀ ହୋଇଛି ବୋଲି କହିଛନ୍ତି ପର୍ଯ୍ୟବେକ୍ଷକ ।
ସେପଟେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ବିକାଶ ଧାରାରେ ଅନୁପ୍ରାଣିତ ହୋଇ ବିଜୁ ଜନତା ଦଳରେ ସାମିଲ ହୋଇଥିବା ବିଷୟ ମିଶ୍ରଣ ପର୍ବରେ ସାମିଲ ହୋଇଥିବା କର୍ମୀ ଓ ନେତା ପ୍ରକାଶ କରିଛନ୍ତି ।