Odisha News Ollywood News

ବାବୁସାନ୍ ତା’ ସ୍ତ୍ରୀ, ଛୁଆ ଓ ବାପାମାଆଙ୍କ ପାଖକୁ ଫେରିଆସୁ: ଅପରାଜିତା

ଭୁବନେଶ୍ୱର,୨୪/୭: କୋଭିଡ୍ ସମୟରେ ଖରାପ ସଙ୍ଗତରେ ପଡ଼ି ବାବୁଶାନଙ୍କର ସର୍ବନାଶ ହୋଇଛି ବୋଲି କହିଛନ୍ତି ତାଙ୍କ ମା’ ତଥା ଅଭିନେତ୍ରୀ ଅପରାଜିତା ମହାନ୍ତି। ଏହା ସହିତ ଗଣମାଧ୍ୟମ ଜରିଆରେ ସେ ବାବୁଶାନଙ୍କୁ ଆଶୀର୍ବାଦ କରିବାକୁ ରାଜ୍ୟବାସୀଙ୍କୁ କୋହଭରା କଣ୍ଠରେ ଅନୁରୋଧ କରିଛନ୍ତି, ଯେମିତି ସେ ଘରକୁ ଫେରି ଆସିବେ।
ଅପରାଜିତା କହିଛନ୍ତି, ବାବୁଶାନ ଗୋଟିଏ ବହୁତ ଭଲ ଛୁଆ। ବହୁତ ସ୍ନେହୀ। ବହୁତ ଗେହ୍ଲା। ସେ ବହୁତ ଭଲ ପାଇବା ଚାହେଁ। ତା’ର ମୋ ସହିତ ସବୁବେଳେ କଳି,ଝଗଡ଼ା, ଗେଲ, ଆଦର ଚାଲିଥାଏ। ତା’ ବାପା,ମା’, ସ୍ତ୍ରୀ ଓ ପିଲାକୁ ବହୁତ ଭଲ ପାଏ। ତାକୁ ସମସ୍ତେ ଭଲ ପାଆନ୍ତି।
ସେ କହିଛନ୍ତି, କାମ ତା’ ପାଇଁ ଜୀବନ। ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରୀକୁ ନେଇ ତା’ର ବହୁତ ସ୍ୱପ୍ନ ଅଛି। ତା’ କାମ ଭିତରେ ସେ ବୁଡ଼ି ରହେ। ସେ ବହୁତ ଟ୍ୟାଲେଣ୍ଟେଡ୍ ପିଲା। କିନ୍ତୁ ଏ ଦେଢ଼/ଦୁଇ ବର୍ଷ ଭିତରେ କୋଭିଡ୍ ସମୟରେ କେଉଁ ସଙ୍ଗତରେ ପଡ଼ିଲା, କ’ଣ ତା’ ସାଙ୍ଗରେ ହେଲା- ମୁଁ କିଛି ବି ଜାଣିପାରିଲିନି। ତା’ କ୍ୟାରେକ୍ଟର ପୂରା ବଦଳିଗଲା। ତା’ କଥାବାର୍ତ୍ତା ଶୈଳୀ ବଦଳିଗଲା। ବୁଝେଇଲେ ବି ବୁଝେନି। କେତେବେଳେ ଘରକୁ ଆସେ କେତେବେଳେ ଆସେନି।
ଅପରାଜିତା କହିଛନ୍ତି, କୋଭିଡ୍ ସମୟରେ କିଛି ଖରାପ ସଙ୍ଗତରେ ସେ ପଡ଼ିଗଲା। ସେଥିପାଇଁ ତା’ର ସର୍ବନାଶ ହୋଇଛି। ସେ ନିଜକୁ ବୁଝି ପାରିଲାନି। କେଉଁଟା ଠିକ୍ କେଉଁଟା ଭୁଲ୍ ବୁଝିପାରିଲାନି। ଯେଉଁମାନଙ୍କୁ ସେ ଏତେ ଭଲ ପାଏ ସେମାନଙ୍କ କଥା ତାକୁ ପସନ୍ଦ ହେଲାନି। ଗଣମାଧ୍ୟମ ଜରିଆରେ ସାରା ଓଡ଼ିଶାବାସୀଙ୍କୁ ମୁଁ ପ୍ରାର୍ଥନା କରୁଛି, ଆପଣମାନେ ଆଶୀର୍ବାଦ କରନ୍ତୁ ଯେମିତି ସେ ତା’ ବାପାମା’,ସ୍ତ୍ରୀ ଓ ପିଲା ପାଖକୁ ଫେରି ଆସିବ।
ଉଭୟ ବାବୁଶାନ ଓ ପ୍ରକୃତି ମିଶ୍ର ପରସ୍ପରର ଭଲ ବନ୍ଧୁ ବୋଲି କହୁଥିବା ବେଳେ ଆଜି ଗଣମାଧ୍ୟମ ସମ୍ମୁଖରେ ବନ୍ଧୁର ସଂଜ୍ଞା କହିଛନ୍ତି ଅପରାଜିତ ମହାନ୍ତି।
ସେ କହିଛନ୍ତି, ସିଏ ହେଉଛି ପ୍ରକୃତ ବନ୍ଧୁ, ଯିଏ ଶାରୀରିକ, ମାନସିକ, ଆର୍ଥିକ ଏବଂ ପାରିବାରିକ ଜିନିଷରେ ସାହାଯ୍ୟ କରେ। କେବେ ବି କ୍ଷତି ହେବାକୁ ଦିଏନା। କିନ୍ତୁ ବନ୍ଧୁ ଦ୍ୱାରା ଯଦି କ୍ଷତି ହେବ, ତା’ହେଲେ ସେ କ’ଣ ପ୍ରକୃତ ବନ୍ଧୁ? ସେ କେବେ ବି ପ୍ରକୃତ ବନ୍ଧୁ ନୁହେଁ।

Related Posts

Seo wordpress plugin by www.seowizard.org.