Odisha News

ବାତ୍ୟା ‘ଦାନା’ର ପ୍ରଭାବ: ତୁହାକୁ ତୁହା ବର୍ଷା ସହିତ ପବନ ବେଗ ବଢ଼ିଲା, ଅଶାନ୍ତ ହେଲା ସମୁଦ୍ର, ଭୁବନେଶ୍ବରରେ ବର୍ଷା ଆରମ୍ଭ

ଓଡ଼ିଶା,୨୪/୧୦ : ଓଡ଼ିଶା ଉପକୂଳକୁ ମାଡ଼ି ଆସୁଛି ବାତ୍ୟା ‘ଦାନା’। ସମୁଦ୍ର ଭାଗରେ ଭୀଷଣ ବାତ୍ୟାର ରୂପ ନେଇସାରିଛି ‘ଦାନା’ । ଆଜି ରାତିରୁ ଆସନ୍ତାକାଲି ସକାଳ ଭିତରେ ଭିତରକନିକା ଓ ଧାମରା ମଧ୍ୟରେ ଲ୍ୟାଣ୍ଡଫଲ କରିବ।
ଏବେ ବାତ୍ୟା ‘ଦାନା’ ପାରାଦୀପଠାରୁ ୨୮୦ କିଲୋମିଟର ଏବଂ ଧାମରାରୁ ୩୧୦ କିଲୋମିଟର ଦୂରରେ ରହିଛି । ଗତ ୬ ଘଣ୍ଟା ଧରି ବାତ୍ୟା ଉତ୍ତର-ଉତ୍ତରପଶ୍ଚିମ ଦିଗକୁ ଘଣ୍ଟାପ୍ରତି ୧୫ କିଲୋମିଟର ବେଗରେ ଗତି କରୁଛି ।
ଲ୍ୟାଣ୍ଡଫଲ୍ ବେଳେ ବାଲେଶ୍ୱର, ଭଦ୍ରକ ଓ କେନ୍ଦ୍ରାପଡ଼ା ଜିଲ୍ଲାରେ ପବନର ବେଗ ଘଣ୍ଟାପ୍ରତି ୧୦୦ରୁ ୧୨୦ କିଲୋମିଟର ରହିପାରେ ବୋଲି ଆକଳନ କରାଯାଇଛି। ତା’ସହ ସମୁଦ୍ରରେ ଉଚ୍ଚ ଜୁଆର ଆସିବା ସହ ଗଛ, ବିଦ୍ୟୁତ୍ ଖୁଣ୍ଟ ଓ କଚା ଘରକୁ ବାତ୍ୟା ବିପଦ ପହଞ୍ଚାଇବାର ଆଶଙ୍କା ରହିଛି। ବାତ୍ୟା ପ୍ରଭାବରେ ଗତକାଲିଠୁ ବିଭିନ୍ନ ସ୍ଥାନରେ ବର୍ଷା ଚାଲିଛି।
ଓଗଊ ଡିଜି ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି, ୪ ଜିଲ୍ଲା ଜଗତସିଂହପୁର, କେନ୍ଦ୍ରାପଡ଼ା, ବାଲେଶ୍ୱର ଓ ଭଦ୍ରକରେ ରହିବ ସାଇକ୍ଲୋନର ଅଧିକ ପ୍ରଭାବ। ଏସବୁ ଜିଲ୍ଲାରେ ଅତି ପ୍ରବଳ ବର୍ଷା ସହ ପବନ ବହିବ। ସେମିତି ପାର୍ଶ୍ୱବର୍ତ୍ତୀ ଜିଲ୍ଲା ପୁରୀ, ଖୋର୍ଦ୍ଧା, କଟକ, ମୟୂରଭଂଜ, କେନ୍ଦୁଝର ଓ ଢେଙ୍କାନାଳରେ ବି ପ୍ରବଳ ବର୍ଷିବ।
ଆଜି ଓ ଆସନ୍ତାକାଲି ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ରହିଛି। ଏପଟେ ବାତ୍ୟା ପାଇଁ ପୁରୀ, ପାରାଦୀପ, ଗୋପାଳପୁର ଓ ଧାମରା ବନ୍ଦରରେ ବିପଦ ସଙ୍କେତ ନମ୍ବର କ୍ରମାଗତ ବଢ଼ାଯାଉଛି।

Related Posts