Odisha News

ବରିଷ୍ଠ ନାଗରିକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ପାଇଁ ପ୍ରସ୍ତୁତି ସମୀକ୍ଷା କଲେ ଜିଲ୍ଲାପାଳ

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ,୧/୧୦: ଅକ୍ଟୋବର ୧ ତରିଖ ଦିନ ବୌଦ୍ଧ ଟାଉନହଲଠାରେ ବରିଷ୍ଠ ନାଗରିକମାନଙ୍କ ପାଇଁ ଆୟୋଜିତ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ଶବିରର ପ୍ରସ୍ତୁତି କାର୍ଯ୍ୟକୁ ଜିଲ୍ଲାପାଳ ସତ୍ୟ ରଂଜନ ସାହୁ ସମୀକ୍ଷା କରିଛନ୍ତି । ଆୟୋଜିତ ସମୀକ୍ଷା ବୈଠକରେ ଅତିରିକ୍ତ ଜିଲ୍ଲାପାଳ ବବିତାରାଣୀ ଦଳବେହେରା,ଉପଜିଲ୍ଲାପାଳ ସନତ କୁମାର ନାଏକ ଓ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ସୁଧାଂଶୁ ଶେଖର ପୁଜାରୀ ପ୍ରମୁଖ ଉପସ୍ଥିତ ରହି ଶୃଙ୍ଖଳିତ ଭାବରେ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଆୟୋଜନ ପାଇଁ ବିଭିନ୍ନ ବିଭାଗ ପକ୍ଷରୁ ହୋଇଥିବା ପ୍ରସ୍ତୁତି ସଂପର୍କରେ ସମୀକ୍ଷା କରିଥିଲେ ।
ଜିଲ୍ଲାପାଳ ଶ୍ରୀ ସାହୁ ବରିଷ୍ଠ ନାଗରିକମାନେ ଏହି ସ୍ୱାସ୍ଥ୍ୟ ପରୀକ୍ଷା ଶିବିରରେ ସାମିଲ ହେଉଥିବାରୁ ସେମାନଙ୍କ ବସିବା ବ୍ୟବସ୍ଥା,ପାନୀୟଜଳ ଏବଂ ପରିଷ୍କାର ପରିଛନ୍ନତା ଆଦି ଉପରେ ଗୁରୁତ୍ୱ ଦେବାକୁ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଶୃଙ୍ଖଳିତ ଭାବରେ ଶିବିର ଆୟୋଜନ ପାଇଁ ବିଭାଗୀୟ ଅଧିକାରୀମାନଙ୍କ ମଧ୍ୟରେ ଦାୟିତ୍ୱ ବଣ୍ଟନ କରାଯାଇଥିଲା । ସହାୟତା ପାଇଁ ଆଶାକର୍ମୀମାନେ ଉପସ୍ଥିତ ରହିବାକୁ ନିର୍ଦ୍ଦେଶ ଦିଆଯାଇଥିଲା ।
ବୌଦ୍ଧ ପୁଲିସକୁ ବଡ ସଫଳତା, ଦୁଇଲକ୍ଷ ଟଙ୍କା ସହିତ ଲୁଟେରା ଗ୍ୟାଙ୍ଗର ଜଣେ ସଦସ୍ୟ ଗିରଫ
ବୌଦ୍ଧ,୧/୧୦: ବୌଦ୍ଧ ଜିଲ୍ଲାରେ ଡିକି ଭାଙ୍ଗି ଲୁଟ ଘଟଣା ବଢି ଚାଲିଥିବା ବେଳେ ଦୀର୍ଘଦିନ ପରେ ବୌଦ୍ଧ ପୁଲିସ ଟଙ୍କା ଲୁଟେରା ଗ୍ୟାଙ୍ଗର ଜଣେ ସଦସ୍ୟକୁ ଗିରଫ କରିବାରେ ସଫଳ ହୋଇପାରିଛି ।
ମିଳିଥିବା ସୂଚନା ମୁତାବକ ଗତ ୨୧ ତାରିଖ ଦିନ ବୌଦ୍ଧଜିଲ୍ଲା ବିଶ୍ୱନାଥପୁର ଗ୍ରାମର ବ୍ୟବସାୟୀ ଅଶୋକ କୁମାର ଅଗ୍ରୱାଲା ବୌଦ୍ଧ ପଂଜାବ ନ୍ୟାସନାଲ ବ୍ୟାଙ୍କରୁ ୪ ଲକ୍ଷ ଟଙ୍କା ଉଠାଇ ଏକ ବ୍ୟାଗରେ ରଖିବା ପରେ ପରିବାର ସହିତ କାର ଯୋଗେ ମହାନଦୀ ବ୍ରିଜଛକ ଆଡକୁ ଯାଉଥିବାବେଳେ ରାସ୍ତାରେ ଅଟକି ଜଣେ ବ୍ୟକ୍ତିଙ୍କୁ ଧରିଥିବା ଟଙ୍କାରୁ ୧ ଲକ୍ଷ ଟଙ୍କା ପ୍ରଦାନ କରିଥିଲେ ଏବଂ ୫୦ ହଜାର ଟଙ୍କା ନିଜ ପକେଟରେ ରଖି ବଳକା ୨ଲକ୍ଷ ୫୦ ହଜାର ଟଙ୍କାକୁ ବ୍ୟାଗ ଭିତରେ କାରରେ ରଖିଥିଲେ ।
ସେଠାରୁ ଗଲାବେଳେ ଏକ ବାଇକ୍ ସୋରୁମ ଆଗରେ ଗାଡି ରଖି କିଛି ସମାଗ୍ରୀ କିଣିବାକୁ ଏକ ତେଜରାତି ଦୋକାନକୁ ଯାଇଥିଲେ । ଗାଡିରେ ଟଙ୍କା ବ୍ୟାଗ ସହିତ ତାଙ୍କର ପତ୍ନୀ ଓ ପୁଅ ଝିଅ ମଧ୍ୟ ବସିଥିଲେ । ଏହି ସମୟରେ ତାଙ୍କୁ ଏକ କଳା ପଲସର ଗାଡିରେ ପିଛା କରୁଥିବା ଦୁଇଜଣ ଯୁବକ ଗାଡିଠାରୁ ଅଳ୍ପ ଦୂରରେ ଗାଡି ଅଟକାଇଥିଲେ । ବାଇକ୍ ରୁ ଜଣେ ଯୁବକ ଓହ୍ଲାଇ ହାଠାତ କାର ନିକଟକୁ ଆସିବା ସହିତ ଗେଟ ଖୋଲି ଟଙ୍କା ବ୍ୟାଗ୍‌କୁ ଟାଣି ନେଇ ଅନ୍ୟ ଯୁବକ ସହିତ ସେଠାରୁ ଫେରାର ହୋଇଯାଇଥିଲା । ପରିବାରଲୋକ ଏହି ଲୁଟ ସଂପର୍କରେ କିଛି ବୁଝିବା ପୂର୍ବରୁ ଯୁବକ ଦୁଇଜଣ ଅନ୍ତର୍ଦ୍ଧାନ ହୋଇସାରିଥିଲେ ।
ବ୍ୟବସାୟୀ ଗାଡି ନିକଟକୁ ଆସି ପରିବାରଲୋକଙ୍କ ନିକଟରୁ ଘଟଣା ସଂପର୍କରେ ଜାଣିବାପରେ କିଛିଦୂର ପର୍ଯ୍ୟନ୍ତ କାର ଦୌଡାଇଥିଲେ ମଧ୍ୟ ଲୁଟେରାଙ୍କ ସଂପର୍କରେ କୌଣସି ସୂଚନା ପାଇପାରିନଥିଲେ ।
ଏନେଇ ଶ୍ରୀଅଗ୍ରୱାଲାଙ୍କ ଅଭିଯୋଗକ୍ରମେ ବୌଦ୍ଧ ପୁଲିସ ଥାନା କେସ ନମ୍ବର ୨୬୪/୨୨ ରେ ଏକ ମୋକଦ୍ଦମା ରୁଜୁ କରିବା ସହିତ ଗୁରୁତ୍ୱ ସହ ଘଟଣାର ତଦନ୍ତ ଆରମ୍ଭ କରିଥିଲା । ଅଭିଯୋଗର ସୂଚନାକୁ ଆଧାର କରି ଲୁଟେରାମାନେ ଫେରାର ହୋଇଥିବା ରାସ୍ତାର ସିସିଟିଭି ଫୁଟେଜ୍ ପୁଲିସ ପକ୍ଷରୁ ସଂଗ୍ରହ କରାଯାଇଥିଲା । ସେଥିରୁ ଲୁଟେରାମାନଙ୍କ ଫଟୋ ପୁଲିସର ହସ୍ତଗତ ହୋଇଥିଲେ ମଧ୍ୟ ସେମାନଙ୍କ ପରିଚୟ ମିଳିପାରିନଥିଲା ।
ଲୁଟେରାମାନଙ୍କ ଫଟୋକୁ ବିଭିନ୍ନ ଥାନାକୁ ପ୍ରେରଣ କରାଯିବାପରେ ଗଂଜାମ ଜିଲ୍ଲା ଆସିକାରୁ ଲୁଟେରାଙ୍କ ଚିହ୍ନଟ କରାଯିବା ସଂପର୍କରେ ସୂଚନା ମିଳିଥିଲା । ଏସପି ଶ୍ରୀମିନାଙ୍କ ନିର୍ଦ୍ଦେଶକ୍ରମେ ବୌଦ୍ଧଥାନା ଅଧିକାରୀ ମାଧବାନନ୍ଦନ ନାଏକଙ୍କ ନେତୃତ୍ୱରେ ଏକ ଟିମ ଆସିକାରେ ପହଞ୍ଚି ସେଠାକାର ପୁଲିସ ସହାୟତାରେ ଜଣେ ଲୁଟେରାକୁ ଧରିବାରେ ସଫଳ ହେବା ସହିତ ତା ନିକଟରୁ ୨ ଲକ୍ଷ ଟଙ୍କା ଜବତ କରିଥିଲା ।
ଅନ୍ୟ ଜଣେ ଅଭିଯୁକ୍ତ ଏପର୍ଯ୍ୟନ୍ତ ଫେରାର ରହିଥିବା ଜଣାଯାଇଛି । ଅଭିଯୁକ୍ତ ସନ୍ତୋଷକୁ ଗିରଫ କରି ବୌଦ୍ଧ ଆଣିବାପରେ ପୁଲିସ ପୁଣିଥରେ ପଚରାଉଚୁରା କରିଥିଲା । ପୁଲିସ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ ଦିଆଯାଇଥିବା ସୂଚନା ମୁତାବକ ସଂପୃକ୍ତ ଅଭିଯୁକ୍ତ ଗ୍ୟାଙ୍ଗ ପୂର୍ବରୁ ବୌଦ୍ଧ ସରସରାର ବିଦ୍ୟାଳୟ ପରିସରରୁ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଶିକ୍ଷକ ବସନ୍ତ କୁମାର ସାହୁଙ୍କ ଡିକିରୁ ମଧ୍ୟ ଟଙ୍କା ଚୋରୀ କରିଥିଲେ ।
ଏସପି ଶ୍ରୀମିନାଙ୍କ ନିର୍ଦ୍ଦେଶକ୍ରମେ ଏସଡିପିଓ ଆନନ୍ଦବର୍ଦ୍ଧନ ଗୁରୁଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଏବଂ ବୌଦ୍ଧ ଥାନା ଅଧିକାରୀ ମାଧବାନନ୍ଦ ନାଏକଙ୍କ ନେତୃତ୍ୱରେ ଏହି ତଦନ୍ତ କରି ପୁଲିସ ଲୁଟେରା ଗ୍ୟାଙ୍ଗର ଜଣେ ସଦସ୍ୟକୁ ଗିରଫ କରିବାରେ ସଫଳ ହେବାସହିତ ଆଜି ଅଭିଯୁକ୍ତକୁ କୋର୍ଟ ଚାଲାଣ କରିଛି ।
ଗୋଆଧରିତ ଜୀବିକା ଉପରେ ତାଲିମ ଶିବିର ଅନୁଷ୍ଠିତ
ବୌଦ୍ଧ, ୧/୧୦: ବୌଦ୍ଧ ଜିଲ୍ଲାପ୍ରଶାସନ ଓ ମିଶନ ଶକ୍ତି ବିଭାଗ ସହାୟତା ରେ ମଥୁରା ପଞ୍ଚାୟତ ଦନ୍ତାପଳି ସ୍ଥିତ ମାହେଶ୍ୱରୀ ଗୋଶାଳା ଓ ଜରା ଆଶ୍ରମ ଆୟୋଜନରେ, ଗ୍ରାମ୍ୟ ବିକାଶ ପରିଷଦ, ଶ୍ରୀ ଗୋବିଜ୍ଞ ଫାଉଣ୍ଡେସନ, ଓଡ଼ିଶା ଗୋସେବା ସମିତି, ଭୂମିଶ୍ରି କୃଷକ ଉତ୍ପାଦକ କମ୍ପାନୀ, ସାଲୁଙ୍କି କୃଷକ ଉତ୍ପାଦକ କମ୍ପାନୀ, ବାଣୀ ଶ୍ରୀ କୃଷକ ଉତ୍ପାଦକ କମ୍ପାନୀ ଜିଲ୍ଲାର ସାମାଜିକ ଅନୁଷ୍ଠାନ ମିଳିତ ଉଦ୍ୟମରେ ଦେବ ଲକ୍ଷଣା ଦେଶୀ ଗୋମାତା ମାନଙ୍କୁ ସୁରକ୍ଷା ସହିତ ଗୋଆଧାରିତ ଜୀବିକା ଉପରେ ତାଲିମ ଶିବିର ବୌଦ୍ଧ ଏନ ଏ ସି ବନ୍ୟା ଆଶ୍ରୟ ସ୍ଥଳୀ ଠାରେ ଅନୁଷ୍ଠିତ ହୋଇ ଯାଇଛି ।
ଏଥିରେ ମିଶନ ଶକ୍ତି ଜିଲ୍ଲା ସଂଯୋଜକ ଦେବଦତ୍ତ ମିଶ୍ର ଯୋଗଦେଇ ପ୍ରଦୀପ ପ୍ରଜ୍ଜଳନ ପୂର୍ବକ ଉଦଘାଟନ କରି ଉପସ୍ଥିତ ତାଲିମ ନେତ୍ରୀ ମାନଙ୍କୁ ବହୁମୂଲ୍ୟ ଉପଦେଶ ପ୍ରଦାନ କରିବା ସହ ଗୋ ସୁରକ୍ଷା ଓ ଗୋ ଆଧାରିତ କୁଟୀର ଶିଳ୍ପ ମାଧ୍ୟମରେ ଅର୍ଥନୀତି ଅଭିବୃଦ୍ଧି ହୋଇ
ସ୍ବାବଲମ୍ବୀ ହେଇ ପାରିବେ ବୋଲି କହିଥିଲେ ।
ଅନ୍ୟତମ ଅତିଥଭାବେ ଏନ୍ ଏ ସି ନିର୍ବାହୀ ଅଧିକାରୀ ଇ.ମନରଞ୍ଜନ ପଣ୍ଡା, ମିଶନ ଶକ୍ତି ଅଧିକାରୀ ଓ କର୍ମଚାରୀ ଏସ ରହମାନ,ସୂପର୍ଣା ମହାନ୍ତି, ପବନ କୁମାର ପଳେଇ, ମନୋରଞ୍ଜନ ପାଲ୍ ଓ ପୁଷ୍ପାଞ୍ଜଳି ଦାସ ଉପସ୍ଥିତ ରହି ଅଂଶ ଗ୍ରହଣ କରିଥିବା ମହିଳା ସ୍ଵୟଂ ସହାୟକ ଗୋଷ୍ଟି ମହିଳା ମାନଙ୍କୁ ଉତ୍ସାହିତ କରିଥିଲେ ।
କମ୍ ଦିନ ମଧ୍ୟରେ ଏନ୍ ଏ ସି ଅଞ୍ଚଳରେ ମିଶନ ଶକ୍ତି ବଜାର ଖୋଲିବା ସହିତ ମହିଳା ମାନଙ୍କ ଉତ୍ପାଦିତ ଦ୍ରବ୍ୟକୁ ବିକ୍ରିବଟା କରିବାକୁ ଉପସ୍ଥିତ ଅଧିରୀମାନେ ପ୍ରତିଶ୍ରୁତି ଦେଇଥିଲେ,ମୁଖ୍ୟ ପ୍ରସିଶିକ୍ଷା ଭାବେ ସୁନ୍ଦରଗଡ଼ ବିଶିଷ୍ଟ ଗୋ ସେବିକା ତାରାକାନ୍ତ ପଟେଲ ଯୋଗଦେଇ ଗୋବର ରୁ ଦୀପ, ଧୂପ ଫୁଲ କୁଣ୍ଡ, ଗୋମୁତ୍ରରୁ ନିମାଇଲ, ଅର୍କ, କୀଟନାଶକ ଇତ୍ୟାଦି ପ୍ରସ୍ତୁତ ପ୍ରଣାଳୀ ଉପରେ ତାଲିମ ପ୍ରଦାନ
କରିଥିଲେ ।
ଉକ୍ତ ତାଲିମ ଶିବିରରେ ଜିଲ୍ଲାର ବିଭିନ୍ନ ସ୍ଥାନରୁ ୧୦ ଜଣ ମହିଳା ଯୋଗ ଦେଇ ତାଲିମ ନେଇଥିଲେ ,ଏଥିରେ ସୁଷମା କଲତା, ପ୍ରତିମା ଦନ୍ତା, ସୁଷମା ସେଠୀ, ସୀତା ସେଠୀ, ପଦ୍ମା ସେଠୀ, ଲିଲିରାନୀ ସେଠୀ, ମାନସୀ ଦଳବେହେରା, ରୀମା ସେଠୀ, ସୈରେନ୍ଦ୍ରି
ଖପର ପ୍ରମୁଖ ତାଲିମ ଗ୍ରହଣ କରି ଆସନ୍ତା ଦିନରେ ଜିଲ୍ଲା ମଧ୍ୟରେ ଆଗ୍ରହୀ ମହିଳା ମାନଙ୍କୁ ତାଲିମ ପ୍ରଦାନ କରିବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି ।
ଉକ୍ତ କାର୍ଯ୍ୟକ୍ରମରେ ଗ୍ରାମ୍ୟ ବିକାଶ ପରିଷଦ ତଥା ମାହେଶ୍ୱରୀ ଗୋଶାଳା ଓ ଜରା ଆଶ୍ରମ ସମ୍ପାଦକ କୃତ୍ତିବାସ ପଲିଆ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ମାହେଶ୍ୱରୀ ଗୋଶାଳା ଉପାଧକ୍ଷ କବିରାଜ ହୃଷୀକେଶ ଖେତୀ ଓ ମର୍ଜାକୁଦ ପୂର୍ବ କାଉନସିଲର ତରଣୀ ସେନ ମାଝି ଉପସ୍ଥିତ ଥିଲେ ।

ତୃତୀୟ ରାଜ୍ୟ ଯୋଗାସନ ଚମ୍ପିୟାନସିପ ପ୍ରତିଯୋଗିତାରେ ବୌଦ୍ଧଜିଲ୍ଲାର ଖେଳାଳି
ବୌଦ୍ଧ, ୧/୧୦: ଭାରତ ସରକାରଙ୍କ ଯୁବ ଓ କ୍ରୀଡା ବିଭାଗ ସହାୟତାରେ ଓଡିଶା ଯୋଗାସନ ସ୍ପୋର୍ଟ୍ସ ଆସୋସିଏସନ ଆନୁକୂଲ୍ୟରେ ପୂରୀ ଘୋଡାଗାଡି ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରପରିସରରେ ଅନୁଷ୍ଠିତ ତୃତୀୟ ରାଜ୍ୟ ଯୋଗାସନ ଚମ୍ପିୟାନସିପ ସେପ୍ଟେମ୍ବର ୩୦ ତାରିଖ
ଠାରୁ ଅକ୍ଟୋବର ୩ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ।
ଏହି ପ୍ରତିଯୋଗିତରେ ସିନିଅର ବିଭାଗରେ ସୁନିତା ଦାଶ, ଜୁନିଅର ବିଭାଗରେ ସ୍ନେହାରାଣି ମିଶ୍ର, ଶୁଚିସ୍ମିତା ବାଘ, ସବ ଜୁନିଅର ବିଭାଗରେ ଅନ୍ଵେଷା ମହାପାତ୍ର, ସଂତୃପ୍ତି ସାହୁ, ସ୍ପୋନାଶ୍ରୀ ନାଏକ, ପ୍ରିୟଙ୍କା ପ୍ରିୟଦର୍ଶିନୀ ଟ୍ରାଡିସିନାଲ ଓ ଆର୍ଟିଷ୍ଟିକ ଯୋଗ ପ୍ରତିଯୋଗିତାରେ
ଅଂଶଗ୍ରହଣ କରିବେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପକ୍ଷରୁ କୋଡିନେଟର ଦେବାଶିଷ ପୁରୋହିତ, ମ୍ୟାନେଜର ଭାବେ ମୁକ୍ତେଶ୍ଵର ସାହୁ, କୋଚ ଭାବେ ଶତ୍ରୁଜିତ ମହାପାତ୍ର ଯୋଗଦାନ କରିଛନ୍ତି ।

Related Posts

Seo wordpress plugin by www.seowizard.org.