Odisha News

ବଡ଼ମ୍ବା ଟି ବ୍ରିଜରେ ଦଳାଚକଟା; ଅନେକ ଆହତ

ବଡ଼ମ୍ବା,୧୪/୧:କଟକ ଜିଲ୍ଲା ବଡ଼ମ୍ବା ଗୋପିନାଥପୁର ଟି-ବ୍ରିଜ୍ ଉପରେ ଦଳାଚକଟା। ଏହି ଘଟଣାରେ ୨୦ ଗୁରୁତର ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ଯେତେବେଳେ କି ୨ ଜଣଙ୍କ ମୃତ୍ୟୁ ଆଶଙ୍କା କରାଯାଉଛି। ଆଜି ଅପରାହ୍ନରେ ଏହି ଘଟଣା ଘଟିଛି। ୪ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ବଡମ୍ବା ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ଗୁରୁତରଙ୍କ ଭିତରେ ୪ ମହିଳା ଓ ୩ ଶିଶୁ ରହିଛନ୍ତି।
ମକର ମେଳା ପାଇଁ ଲକ୍ଷାଧିକ ଲୋକ ଏହି ବ୍ରିଜ୍ ଯୋଗ ସିଂହନାଥ ପୀଠକୁ ଦର୍ଶନ ନିମନ୍ତେ ଆସିଥିଲେ। ସିଂହନାଥ ପୀଠ ନିକଟ ମେଳା ପଡ଼ିଆରେ ମଧ୍ୟ ପ୍ରବଳ ଭିଡ଼ ହୋଇଥିଲା।
ମହାନଦୀ ଉପରେ କିଛି ମାସ ତଳେ ଏହି ବ୍ରିଜ୍ ଲୋକାର୍ପିତ ହୋଇଥିଲା। ବୈଦେଶ୍ୱର ଓ ଗୋପୀନାଥକୁ ସଂଯୋଗ କରୁଥିବା ଏହି ବ୍ରିଜ୍ ଯୋଗେ ଲୋକଙ୍କୁ ସିଂହନାଥ ପୀଠ ଏବଂ ମେଳା ପଡ଼ିଆରେ ପହଞ୍ଚିବା ସୁଗମ ହୋଇଥିବାରୁ ଆଜି ଲକ୍ଷାଧିକ ଲୋକଙ୍କ ଭିଡ଼ ଜମିଥିଲା। ବ୍ରିଜ୍ର ଗୋଟିଏ ପାର୍ଶ୍ୱରେ ପଦଚଲା ଲୋକେ ଯାଉଥିବା ବେଳେ ଅନ୍ୟପଟେ ଗାଡ଼ିମୋଟର ଯାତାୟତ କରୁଥିଲା। ହେଲେ ଆବଶ୍ୟକ ପୁଲିସ ଓ ଟ୍ରାଫିକ୍ ଶୃଙ୍ଖଳା ବ୍ୟବସ୍ଥା ନ ଥିବାରୁ ବ୍ରିଜ୍ ଉପରେ ହାଠତ୍ ଜାମ୍ ହୋଇ ଯାଇଥିଲା। ଫଳରେ ଦଳାଚକଟା ହୋଇଥିଲା। ଦଳାଚକଟାରୁ ରକ୍ଷା ପାଇଁ କିଛି ଲୋକ ପୋଲ ତଳକୁ ଡେଇଁ ପଡ଼ିଥିଲେ। ଦଳାଚକଟା ବେଳେ ବ୍ରିଜ୍ ଉପରେ ୫୦ ହଜାରରୁ ଅଧିକ ଲୋକ ଥିଲେ।
ସେପଟେ ଜଣାପଡ଼ିଛି, ବ୍ରିଜ୍ ତଳେ ପୀଠକୁ ପହଞ୍ଚିବା ନିମନ୍ତେ ଏକ ମାଟି ଚଲା ରାସ୍ତା ଥିଲେ ହେଁ ଏକାକୁ ବନ୍ଦ କରି ଦିଆଯାଇଥିଲା। ବ୍ରିଜ୍ର ଉଭୟ ପାର୍ଶ୍ୱରୁ ପ୍ରାୟ ୪ କିମି ଚଲାପଥ ରାସ୍ତା ଏହି ପୀଠକୁ ରହିଥିଲା।
ଦଳାଚକଟା ପରେ ଲୋକଙ୍କୁ ସ୍ଥାନ ଛାଡ଼ି ଚାଲିଯିବାକୁ ପୁଲିସ ପକ୍ଷରୁ ଡାକବାଜି ଯୋଗେ ପ୍ରଚାର କରି କୁହାଯାଉଛି। ବ୍ରିଜ୍ ଉପରେ ଲୋକଙ୍କୁ ଅଟକାଇ ଘରକୁ ଚାଲିଯିବାକୁ ମଧ୍ୟ କୁହାଯାଉଛି।

Related Posts

Seo wordpress plugin by www.seowizard.org.