Odisha News

ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ, ପରବର୍ତ୍ତୀ ୪୮ ଘଣ୍ଟାରେ ଅଧିକ ଘନୀଭୂତ ହେବ

ଭୁବନେଶ୍ୱର, ୨୭/୫ : ବଙ୍ଗୋପସାଗରରେ ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଲଘୁଚାପ ଅଧିକ ଘନୀଭୂତ ହେବାର ସମ୍ଭାବନା ରହିଛି ।
ଲଘୁଚାପ କ୍ଷେତ୍ର ଧିରେ ଧିରେ ଉତ୍ତରମୁହାଁ ହେବା ସମ୍ଭାବନା ରହିଛି । ଏନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି । ରାଜ୍ୟରେ ଆସନ୍ତା ୪ ଦିନ ପର୍ଯ୍ୟନ୍ତ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।
ଆଜି ରାଜ୍ୟର ବଲାଙ୍ଗୀର, ବାଲେଶ୍ଵର, ବରଗଡ଼, ଭଦ୍ରକ, ଜଗତସିଂହପୁର, ଝାରସୁଗୁଡା, କେନ୍ଦ୍ରାପଡ଼ା, ନୂଆପଡ଼ା, ସମ୍ବଲପୁର ଏହିସବୁ ଜିଲ୍ଲାରେ ଆଗାମୀ ତିନି ଘଣ୍ଟା ମଧ୍ୟରେ ଝଡ଼ବର୍ଷା ସହ ପ୍ରବଳ ପବନ ବହିବାର ସମ୍ଭାବନା ରହିଛି । ଏନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ଲଘୁଚାପ ଜନିତ ବର୍ଷା ପାଇଁ ସ୍ୱତନ୍ତ୍ର ରିଲିଫ କମିଶନର (ଝଜଉ) ପକ୍ଷରୁ ସବୁ ଜିଲ୍ଲାର ଜିଲ୍ଲାପାଳଙ୍କୁ ସତର୍କ ସୂଚନା ଜାରି କରାଯାଇଛି । ଅରେଞ୍ଜ ଓ ୟେଲୋ ଆଲର୍ଟ ଦିଆଯାଇଥିବା ଜିଲ୍ଲାର ଜିଲ୍ଲାପାଳଙ୍କୁ ପରିସ୍ଥିତିର ମୁକାବିଲା ପାଇଁ ସଜାଗ ରହିବାକୁ କୁହାଯାଇଛି ।
ଏହାସହ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଯିବାକୁ ବାରଣ ରହିଛି । ଯଦି ବର୍ଷା, ବିଜୁଳି, ଘଡ଼ଘଡ଼ି କିମ୍ବା କୁଆପଥର ମାଡ଼ ଯୋଗୁ କ୍ଷୟକ୍ଷତି ଘଟିଲେ ତୁରନ୍ତ ରିପୋର୍ଟ ଦାଖଲ କରିବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଏସଆରସି । ରାଜ୍ୟରେ ବର୍ଷା ଫଳରେ ତାପମାତ୍ରା ହ୍ରାସ ପାଇଛି ।

Related Posts