Odisha News

ବଙ୍ଗୋପସାଗରରେ ଦାନା ବାନ୍ଧୁଛି ବାତ୍ୟା ! ଆସନ୍ତା ୨୪ ଘଣ୍ଟା ମଧ୍ୟରେ ନେବ ଅବପାତର ରୂପ

ଭୁବନେଶ୍ୱର,୩୦/୧୧: ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଏବଂ ସଂଲଗ୍ନ ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଥିବା ସଦୃଶ ଲଘୁଚାପ ଆଜି ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗକୁ ଗତି କରି ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ରହିଛି। ଏହା ପଶ୍ଚିମ- ଉତ୍ତର- ପଶ୍ଚିମ ଦିଗକୁ ଗତି କରି ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଆଗାମୀ ୨୪ଘଣ୍ଟା ମଧ୍ୟରେ ଏକ ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି, ପରବର୍ତ୍ତୀ ସମୟରେ ଏହା ନିଜର ଦିଗ ବଜାୟ ରଖିବା ସହ ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗର ଅଞ୍ଚଳରେ ପହଞ୍ଚି ଆହୁରି ଘନୀଭୂତ ହୋଇ ୩ ତାରିଖ ବେଳକୁ ଏକ ସାମୁଦ୍ରିକ ବାତ୍ୟାରେ ପରିଣତ ହେବାର ସମ୍ଭାବନା ରହିଛି।
ପରବର୍ତୀ ସମୟରେ ଏହା ଉତ୍ତର-ପଶ୍ଚିମ ଦିଗରେ ଗତିକରି ୪ ତାରିଖ ପାହାନ୍ତିଆ ବେଳକୁ ଉତ୍ତର ତାମିଲନାଡୁ -ଦକ୍ଷିଣ ଆନ୍ଧ୍ରପ୍ରଦେଶ ଉପକୂଳ ପାଖାପାଖି ପହଞ୍ଚିବାର ସମ୍ଭାବନା ରହିଛି ବୋଲି ଭାରତୀୟ ପାଣିପାଗ ବିଭାଗ (ଆଇଏମ୍ଡି) ପକ୍ଷରୁ ଆକଳନ କରାଯାଇଛି।
ସମ୍ଭାବ୍ୟ ସାମୁଦ୍ରିକ ବାତ୍ୟାର କୌଣସି ପ୍ରକାର ସିଧାସଳଖ ପ୍ରଭାବ ଓଡ଼ିଶା ଉପରେ ପଡ଼ିବାର ସମ୍ଭାବନା ନାହିଁ।
ତେବେ, ଏହାର ପ୍ରଭାବରେ ୫ ଓ ୬ ଡିସେମ୍ବରରେ ଦକ୍ଷିଣ ଉପକୂଳ ଓଡ଼ିଶା, ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡ଼ା, କଳାହାଣ୍ଡି, କନ୍ଧମାଳ ଏବଂ ଉତ୍ତର ଉପକୂଳ ଓଡ଼ିଶା, ନୂଆପଡ଼ା, ବଲାଙ୍ଗୀର, ବୌଦ୍ଧ ଜିଲ୍ଲାର କେତେକ ସ୍ଥାନରେ ଏବଂ ଓଡ଼ିଶାର ବାକି ଜିଲ୍ଲାଗୁଡ଼ିକର ଗୋଟିଏ ଦୁଇଟି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି।
ସେହିପରି ଡିସେମ୍ବର ୭ ତାରିଖରେ ଉପକୂଳ ଓଡ଼ିଶା, ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡ଼ା, କଳାହାଣ୍ଡି, କନ୍ଧମାଳ ଜିଲ୍ଲାର କେତେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ଓ ବଜ୍ରପାତ ହେବାର ସମ୍ଭାବନା ରହିଛି।
ଅନ୍ୟପକ୍ଷରେ ଓଡ଼ିଶା ଉପକୂଳ ପାଇଁ ମତ୍ସ୍ୟଜୀବୀଙ୍କ କୌଣସି ପ୍ରକାରର ସତର୍କ ସୂଚନା ଜାରି କରାଯାଇ ନାହିଁ। ତେବେ, ଡିସେମ୍ବର ପହିଲାରୁ ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗର ଓ ୨ ତାରିଖରୁ ପରବର୍ତ୍ତୀ ନିର୍ଦ୍ଦେଶ ପର‌୍ୟ୍ୟନ୍ତ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରକୁ ନଯିବାକୁ ମତ୍ସ୍ୟଜୀବୀଙ୍କୁ ପରାମର୍ଶ ଦିଆଯାଇଛି। ଯେଉ ମତ୍ସ୍ୟଜୀବୀମାନେ ସମୁଦ୍ର ମଧ୍ୟରେ ଅଛନ୍ତି ସେମାନେ ଡିସେମ୍ବର ପହିଲା ସୁଦ୍ଧା ଉପକୂଳକୁ ଫେରିଆସିବାକୁ ପରାମର୍ଶ ଦିଆଯାଇଛି।

Related Posts

Seo wordpress plugin by www.seowizard.org.