Odisha News

‘ଫୋର୍ବସ୍ ଇଣ୍ଡିଆ’ଦ୍ୱାରା ପ୍ରକାଶିତ ୨୦୨୧ ବର୍ଷରେ ଭାରତର ୧୦୦ ‘ଗ୍ରେଟ୍ ପିପୁଲ୍ ମ୍ୟାନେଜର୍ସ’ ତାଲିକାରେ ୨ଓଡ଼ିଆ

ନୂଆଦିଲ୍ଲୀ, ୨୦/୧: ‘ଫୋର୍ବସ୍ ଇଣ୍ଡିଆ’ଦ୍ବାରା ପ୍ରକାଶିତ ୨୦୨୧ ବର୍ଷରେ ଭାରତର ‘ଗ୍ରେଟ୍ ପିପୁଲ୍ ମ୍ୟାନେଜର୍’ ଭାବେ ତାଲିକାଭୁକ୍ତ ହୋଇଥିବା ୧୦୦ଜଣ ବ୍ୟକ୍ତିଙ୍କ ମଧ୍ୟରେ ଅଛନ୍ତି ଓଡ଼ିଶାର ୨ଜଣ ବିଶିଷ୍ଟ ବ୍ୟକ୍ତି। ସେ ଦୁଇଜଣ ହେଉଛନ୍ତି ଦିବ୍ୟଜ୍ୟୋତି ପଟ୍ଟନାୟକ ଏବଂ ଗୋବିନ୍ଦଚନ୍ଦ୍ର ପଟ୍ଟନାୟକ।
‘ମାଇକ୍ରୋଫାଇନାନ୍ସ୍’, ‘ମାଇକ୍ରୋ-ଏଣ୍ଟର୍ପ୍ରାଇଜ୍ ଡେଭ୍ଲପ୍ମେଣ୍ଟ୍’ ଏବଂ ‘ଡେଭ୍ଲପ୍ମେଣ୍ଟ୍ ସେକ୍ଟର୍ କନ୍ସଲ୍ଟିଙ୍ଗ୍’ରେ ଦିବ୍ୟଜ୍ୟୋତି ପଟ୍ଟନାୟକଙ୍କର ୧୬ ବର୍ଷରୁ ଅଧିକ ଅଭିଜ୍ଞତା ଅଛି। ସେ ହେଉଛନ୍ତି ‘ଅନ୍ନପୂର୍ଣ୍ଣା ଫାଇନାନ୍ସ୍ ପ୍ରାଇଭେଟ୍ ଲିମିଟେଡ୍’ର ନିର୍ଦେଶକ। ଆର୍ଥିକ ସହାୟତା ଦ୍ବାରା ଓଡ଼ିଶାରେ ଗରିବମାନଙ୍କର ସେବା ନିମନ୍ତେ ସେ ‘ଓଡ଼ିଶା ଆସୋସିଏସନ୍ ଅଫ୍ ଫାଇନାନ୍ସିଆଲ୍ ଇନ୍କ୍ଲୁସନ୍’ର ଅଧ୍ୟକ୍ଷ ଭାବେ କାର‌୍ୟ୍ୟକରୁଛନ୍ତି।
ଏହା ବ୍ୟତିରେକେ, ସେ ‘ମାଇକ୍ରୋଫାଇନାନ୍ସ୍ ଇନ୍ଷ୍ଟିଚ୍ୟୁସନ୍ସ୍ ନେଟ୍ୱାର୍କ’ର ବୋର୍ଡ ସଦସ୍ୟ ଭାବେ ମଧ୍ୟ କାର‌୍ୟ୍ୟ କରୁଛନ୍ତି। ‘ଫାଇନାନ୍ସିଆଲ୍ ଇନ୍କ୍ଲସନ୍ ସେକ୍ଟର୍’ ପ୍ରତି ମଧ୍ୟ ତାଙ୍କର ଯଥେଷ୍ଟ ଅବଦାନ ରହିଛି।
ଦୁଇ ଦଶନ୍ଧିରୁ ଅଧିକ ଅଭିଜ୍ଞତା ଥିବା ଗୋବିନ୍ଦଚନ୍ଦ୍ର ପଟ୍ଟନାୟକ ହେଉଛନ୍ତି ‘ମାଇକ୍ରୋଫାଇନାନ୍ସ୍’ କ୍ଷେତ୍ରର ଜଣେ ଆଦ୍ୟ ପ୍ରବର୍ତ୍ତକ। ବିକାଶମୂଳକ କାର୍ଯ୍ୟକଳାପ ପ୍ରବର୍ତ୍ତନ ଏବଂ ମାଇକ୍ରୋଏଣ୍ଟର୍ପ୍ରାଇଜ୍ ନିର୍ମାଣରେ ସେ ସର୍ବଦା ଅଗ୍ରଣୀ ଭୂମିକା ନିର୍ବାହ କରିଛନ୍ତି।
ମହିଳାମାନଙ୍କ ସ୍ଥାୟୀ ଜୀବିକା ଉପାର୍ଜନ ନିମନ୍ତେ ଉପାୟ କରିବା ଲାଗି ଅଦମ୍ୟ ଇଚ୍ଛାଶକ୍ତି ତାଙ୍କୁ ‘ଅନ୍ନପୂର୍ଣ୍ଣା ଫାଇନାନ୍ସ୍ ପ୍ରାଇଭେଟ୍ ଲିମିଟେଡ୍’ ସ୍ଥାପନ କରିବା ପାଇଁ ବାଟ କଢ଼ାଇ ନେଇଥିଲା। ସେ ଅନେକ ଜିଲ୍ଲା ପ୍ରଶାସନରେ ପରାମର୍ଶଦାତା ରହିବା ସହ କେତେକ ଗୋଷ୍ଠୀଭିତ୍ତିକ ପ୍ରତିଷ୍ଠାନ ସ୍ଥାପନ କରାଇବାରେ ମୁଖ୍ୟ ଭୂମିକା ଗ୍ରହଣ କରିଛନ୍ତି।
ଚାରିସ୍ତରୀୟ କଠିନ ଅନୁଶୀଳନ କରିବା ପରେ ସମଗ୍ର ଦେଶର ୧୦,୨୭୩ଜଣ ମ୍ୟାନେଜର୍ ଏବଂ ୪,୧୮୯ଟି ପ୍ରତିଷ୍ଠାନରୁ ‘ଗ୍ରେଟ୍ ପିପୁଲ୍ ମ୍ୟାନେଜର୍ ଷ୍ଟଡି’ ଏବଂ ‘ଗ୍ରେଟ୍ ମ୍ୟାନେଜର୍ ଇନ୍ଷ୍ଟିଚ୍ୟୁଟ୍’ ଶ୍ରେଷ୍ଠ ୧୦୦ଜଣ ଜନନେତାଙ୍କୁ ଚୟନ କରିଛନ୍ତି। ଏହା ହେଉଛି ସେମାନଙ୍କ ତୃତୀୟ ବର୍ଷର ତାଲିକା। ଏଥିରେ ବିଭିନ୍ନ ସଂସ୍ଥାନର ସଂସ୍ଥାପକ, ‘ସିଇଓ’, ବରିଷ୍ଠ ଓ କନିଷ୍ଠ ମ୍ୟାନେଜର୍ ଏବଂ ମାନବୀୟ ମୂଲ୍ୟବୋଧ ପ୍ରତି ଅନୁକମ୍ପା ଏବଂ ଅନ୍ୟମାନଙ୍କର ଭାବନାକୁ ହୃଦୟଙ୍ଗମ କରି ପ୍ରେରଣା ଦେଇଥିବା ଅବସରପ୍ରାପ୍ତ ବ୍ୟକ୍ତିବିଶେଷଙ୍କର ନାମ ମଧ୍ୟ ରହିଛି।
୨୦୨୦ ଏପ୍ରିଲ୍ରୁ ଆରମ୍ଭ ହୋଇଥିବା ଏହି ଅନୁଶୀଳନ ଓ ମୂଲ୍ୟାୟନ ପାଇଁ ପ୍ରାୟ ୧୮ ମାସ ସମୟ ଲାଗିଥିଲା। ୧୦୦ ମ୍ୟାନେଜର୍ଙ୍କ ତାଲିକାରେ ଥିବା ମହିଳାମାନେ ମଧ୍ୟ ପୁରୁଷ ମ୍ୟାନେଜର୍ଙ୍କ ତୁଳନାରେ ଯଥେଷ୍ଟ ଅଧିକ କାର୍ଯ୍ୟ ଦକ୍ଷତା ପ୍ରତିପାଦନ କରିଛନ୍ତି। ଏହି ତାଲିକାରେ ୨୦% ହେଉଛନ୍ତି ମହିଳା। ଏହି ଅନୁଶୀଳନର ଫଳାଫଳ ‘ଫୋର୍ବସ୍ ଇଣ୍ଡିଆ’ରେ ପ୍ରକାଶିତ ହୋଇଛି।

Related Posts

Seo wordpress plugin by www.seowizard.org.