Odisha News

ଫେବୃଆରୀ ୨୨ରୁ ମାର୍ଚ୍ଚ ୨ ଭୁବନେଶ୍ୱରରେ ସୁଭଦ୍ରା ଶକ୍ତି ମେଳା, ବିକ୍ରି ହେବ ହାତ ତିଆରି ଜିନିଷ

ଭୁବନେଶ୍ୱର,୨୧/୨: ମହିଳାମାନଙ୍କୁ ଆହୁରି ସଶକ୍ତ କରିବାକୁ ଆରମ୍ଭ ହେବ ସୁଭଦ୍ରା ଶକ୍ତି ମେଳା । ଆସନ୍ତାକାଲିଠାରୁ ଏହି ମେଳା ଆରମ୍ଭ ହେବ । ୨୦୪୭ରେ ବିକଶିତ ଓଡ଼ିଶା ଓ ବିକାଶ ଭାରତ ପାଇଁ ମହିଳା ସଶକ୍ତିକରଣ ହେବ ମୂଳ ପିଣ୍ଡ । ତେଣୁ ସୁଭଦ୍ରା ଶକ୍ତି ମେଳାରେ ଶକ୍ତିର ପୁଞ୍ଜ ଦେଖିବାକୁ ମିଳିବ ବୋଲି କହିଛନ୍ତି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ।
ଉପ ମୁଖ୍ୟମନ୍ତ୍ରୀ କହିଛନ୍ତି, ଆସନ୍ତାକାଲିଠୁ ଆରମ୍ଭ ହୋଇ ମାର୍ଚ୍ଚ ୨ ଯାଏଁ ନଅ ଦିନ ଧରି ଚାଲିବ । ସ୍ୱୟଂ ସହାୟିକା ଗୋଷ୍ଠୀର ଯେଉଁ ମହିଳାମାନେ ନିଜର ସାମଗ୍ରୀ ତିଆରି କରୁଛନ୍ତି ସେମାନେ ଏଥିରେ ଅଂଶ ଗ୍ରହଣ କରିବେ ।
ଏହି ମେଳାରେ ମିଶନ ଶକ୍ତି ମାଆମାନେ ଯୋଗ ଦେବେ , ବର୍ତ୍ତମାନ ସୁଦ୍ଧା ଏହି ମେଳାର ନାମ ସୁଭଦ୍ରା ଶକ୍ତି ମେଳା ରଖାଯାଇଛି । ଏହି ମେଳାରେ ମିଶନ ଶକ୍ତିର ନାମ ପରିବର୍ତ୍ତନ କରାଯାଇନି ବୋଲି ଉପ ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରିଛନ୍ତି । ଏହା ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ସ୍ଵୟଂ ସହାୟିକା ମହିଳା ଗୋଷ୍ଠୀ ଏବଂ ଉତ୍ପାଦକ ଗୋଷ୍ଠୀମାନଙ୍କ ଦ୍ଵାରା ପ୍ରଦତ୍ତ ସାମଗ୍ରୀର ପ୍ରଦର୍ଶନୀ ଓ ବିକ୍ରି ହେବ ।
ଛୋଟ ସାମଗ୍ରୀକୁ ମହିଳାମାନେ ପ୍ରଦର୍ଶନ କରିବାର ସୁଯୋଗ ପାଇବେ । ହସ୍ତଶିଳ୍ପ, ଟେରାକୋଟା, ବାଉଁଶ ଶିଳ୍ପ, ହସ୍ତତନ୍ତ ଏବଂ ଘରୋଇ ଆବଶ୍ୟକୀୟ ସାମଗ୍ରୀ ଠାରୁ ଆରମ୍ଭ କରି ଅନ୍ୟାନ୍ୟ ସାମଗ୍ରୀ ବିକ୍ରୀ ହେବ । ମିଲେଟ୍ ଭିତ୍ତିକ ଖାଦ୍ୟ ସହ ମହିଳାଙ୍କ ହାତ ତିଆରି ଖାଦ୍ୟ ପଦାର୍ଥ ଖାଇବାକୁ ମିଳିବ । ଏହା ସହ ରାଜ୍ୟବ୍ୟାପୀ ଅଂଶଗ୍ରହଣ ଓ ସମସ୍ତଙ୍କ ନିକଟରେ ପହଞ୍ଚିବା ପାଇଁ ଆଞ୍ଚଳିକ ମେଳା ଆୟୋଜନ ହେବ ।
ସୁଭଦ୍ରା ଶକ୍ତି ମେଳା ସୁଭଦ୍ରା ଯୋଜନା ଉପରେ ଆଧାରିତ ନୁହେଁ ବୋଲି ଉପ ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରିଛନ୍ତି । ଓଡ଼ିଶାର ସମସ୍ତ ମାଆ, ଭଉଣୀ, ଉଦ୍ୟୋଗପତି, ଯୁବକମାନେ ମହିଳା ସଶକ୍ତିକରଣର ଭବ୍ୟ ମେଳାକୁ ଦେଖିବାକୁ ଆସିବାକୁ ଅନୁରୋଧ କରିଛନ୍ତି ଉପ ମୁଖ୍ୟମନ୍ତ୍ରୀ । ଗାଁରେ ଗାଁରେ ଛୋଟ ଛୋଟ କଣ୍ଢେଇ ତିଆରି କରୁଥିବା ମହିଳାଙ୍କୁ ମଧ୍ୟ ଏହା ପ୍ରେରଣା ଯୋଗାଇବ ବୋଲି ଶ୍ରୀମତୀ ପରିଡ଼ା ଆଶା ପ୍ରକଟ କରିଛନ୍ତି ।

Related Posts