Odisha News

ଫେବୃଆରୀ ୧୮ରୁ ମାର୍ଚ୍ଚ ୨୭ ଯାଏଁ ଯୁକ୍ତ ୨ ପରୀକ୍ଷା, ୪୫ ଦିନ ପରେ ପ୍ରକାଶ ପାଇବ ରେଜଲ୍ଟ

ଭୁବନେଶ୍ୱର,୪/୨ : ରାଜ୍ୟରେ ହେବାକୁ ଥିବା ଯୁକ୍ତ ଦୁଇ ପରୀକ୍ଷା ପାଇଁ ପ୍ରସ୍ତୁତ ହୋଇଛି ୫ ଥାକିଆ ସ୍କ୍ୱାର୍ଡ ବ୍ୟବସ୍ଥା । ସମସ୍ତ ପରୀକ୍ଷା କେନ୍ଦ୍ରରେ ରହିଛି ସିସିଟିଭିର ବ୍ୟବସ୍ଥା ।
ପରୀକ୍ଷାକୁ ନେଇ କୌଣସି ବିଭ୍ରାନ୍ତିକର ବା ଗୁଜବ ସୃଷ୍ଟି କରିବାକୁ ପ୍ରୟାସ କଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନୀ ଦେଇଛନ୍ତି ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା । ଏ ନେଇ ସୂଚନା ଦେଇଛନ୍ତି ମାଧ୍ୟମିକ ଶିକ୍ଷା ପରିଷଦର କଣ୍ଟ୍ରୋଲର୍ ପ୍ରଶାନ୍ତ କୁମାର ପରିଡ଼ା । ।
ଆଭାସୀ ମାଧ୍ୟମରେ ମଙ୍ଗଳବାର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ଉଚ୍ଚ ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି ।
ଫେବୃଆରୀ ୧୮ରୁ ମାର୍ଚ୍ଚ ୧୭ ତାରିଖ ପର୍ଯ୍ୟନ୍ତ ପରୀକ୍ଷା ଚାଲିବ । ଚଳିତ ବର୍ଷ ଯୁକ୍ତରେ ୨ରେ କଳା, ବିଜ୍ଞାନ, ବାଣିଜ୍ୟ ଏବଂ ଧନ୍ଦାମୂଳକରେ ୩ ଲକ୍ଷ ୯୩ ହଜାର ୬୧୮ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେବେ । ୧୨୭୬ଟି ପରୀକ୍ଷା କେନ୍ଦ୍ରରେ ୨୨ଟି ସିଟିଂରେ ପରୀକ୍ଷା ହେବ ।
ସକାଳ ୧୦ଟାରୁ ୧ଟା ପର୍ଯ୍ୟନ୍ତ ପରୀକ୍ଷା ହେବ, କେବଳ ଶାରୀରିକ ଅକ୍ଷମ ସ୍ୱତନ୍ତ୍ର ପିଲାଙ୍କ ପାଇଁ ୧ ଘଣ୍ଟା ଅଧିକ ସମୟ ଦିଆଯିବ ଅର୍ଥାତ୍ ସେମାନେ ୨ଟା ପର୍ଯ୍ୟନ୍ତ ପରୀକ୍ଷା ଦେବେ ।
ଯେଉଁମାନେ ଲେଖିବା ପାଇଁ ଅନ୍ୟକୁ ନେଇଛନ୍ତି ସେମାନେ ନିର୍ଦ୍ଧାରିତ ୩ ଘଣ୍ଟା ମଧ୍ୟରେ ପରୀକ୍ଷା ଦେବେ । ପରୀକ୍ଷା ସରିବାର ୪୫ ଦିନ ମଧ୍ୟରେ ଫଳାଫଳ ପ୍ରକାଶ ପାଇବ । ବୈଠକ ପରେ ସୂଚନା ଦେଇଛନ୍ତି କଣ୍ଟ୍ରୋଲର୍ ପ୍ରଶାନ୍ତ କୁମାର ପରିଡ଼ା ।
ସେହିପରି ପରୀକ୍ଷାରେ କପି ରୋକିବାକୁ ଏବଂ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିବାକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି । ସମସ୍ତ ପରୀକ୍ଷା କେନ୍ଦ୍ରରେ ସିସିଟିଭି ବ୍ୟବସ୍ଥା ହୋଇଛି । ଏହାର ପରିଚାଳନା କେନ୍ଦ୍ର ସିଏଚଏସଇ ନିକଟରେ ରହିବ, ଭୁବନେଶ୍ୱରରୁ ସମସ୍ତ ସିସିଟିଭିକୁ କଣ୍ଟ୍ରୋଲ କରାଯାଇପାରିବ ।
ପୂର୍ବରୁ ଥିବା ୪ ସ୍ତରୀୟ ବଦଳରେ ପରୀକ୍ଷା ପାଇଁ ୫ ଥାକିଆ ସ୍କ୍ୱାର୍ଡ ବ୍ୟବସ୍ଥା କରାଯାଇଛି । ପ୍ରଥମ ସ୍ତରରେ କଲେଜ ସ୍କ୍ୱାର୍ଡ ରହିବ, ଦ୍ୱିତୀୟ ସ୍ତର ହବର ନୀରିକ୍ଷକ ରହିବେ, ତୃତୀୟରେ ଜିଲ୍ଲା ପ୍ରଶାସନର ସ୍କ୍ୱାର୍ଡ ରହିବେ, ଚତୁର୍ଥରେ ୪ଟି ଜୋନର ଯଥା ସେଣ୍ଟ୍ରାଲ ଜୋନ୍, ବାରିପଦା ଜୋନ୍, ସମ୍ବଲପୁର ଜୋନ୍ ଓ ବ୍ରହ୍ମପୁର ଜୋନ୍ ସ୍କ୍ୱାର୍ଡ ରହିବେ ଏବଂ ପଞ୍ଚମରେ ବଡ଼ ଜିଲ୍ଲାରୁ ଅନ୍ୟ ଜିଲ୍ଲାକୁ ସ୍କ୍ୱାର୍ଡ ପଠାଯିବ । ଅନ୍ୟ ଜିଲ୍ଲାର ସ୍କ୍ୱାର୍ଡଙ୍କୁ କେହି ଚିହ୍ନିପାରିବେ ନାହିଁ ବୋଲି ସିଏଚଏସଇ ପକ୍ଷରୁ କୁହାଯାଇଛି ।
ଅନ୍ୟପକ୍ଷରେ ଯେଉଁମାନେ ଗୁଜବ କିମ୍ବା ବିଭ୍ରାନ୍ତିକର ଖବର ପ୍ରସାରଣ କରିବେ ସେମାନଙ୍କ ବିରୋଧରେ ଏକ୍ଜାମିନେସ୍ ଆକ୍ଟ ୧୯୮୮ ଆଧାରରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସିଏଚଏସଇକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ଶାସନ ସଚିବ । ସେହିପରି କୌଣସି ଅପ୍ରଚାରକୁ ବିଶ୍ୱାସ ନ କରିବାକୁ ସିଏଚଏସଇ ପକ୍ଷରୁ ପରାମର୍ଶ ଦିଆଯାଇଛି ।
ତେବେ ଖରାକୁ ଦେଖି ମଧ୍ୟ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ କରାଯିବ । ସମସ୍ତ ପରୀକ୍ଷା କେନ୍ଦ୍ରରେ ପ୍ରଚୁର ପରିମାଣରେ ପାଣି, ଓଆରଏସ ଏବଂ ଗ୍ଲୁକୋଜ୍ ର ବ୍ୟବସ୍ଥା କରାଯିବ ।
ଆଜିର ବୈଠକରେ ସମସ୍ତ ଜିଲ୍ଲାର ଜିଲ୍ଲା ଶିକ୍ଷା ଅଧିକାରୀ, ଜିଲ୍ଲାପାଳ, ସିଏଚଏସଇର କର୍ମକର୍ତ୍ତାମାନେ ପ୍ରମୁଖ ଉପସ୍ଥିତ ଥିଲେ ।

Related Posts