Odisha News Ollywood News

ଫିଲ୍ମର ପ୍ରମୋସନ୍ ସାରି ଟିମ୍ ଫେରିଲା, ହେଲେ ଫେରିଲେନି ନାୟକ ବାବୁସାନ୍

ଭୁବନେଶ୍ୱର,୨୬/୭: ଦିନକୁ ଦିନ ପ୍ରକୃତି- ବାବୁସାନ- ତୃପ୍ତି କଳି ନୂଆ ଟ୍ୱିଷ୍ଟ ନେଉଥିବା ବେଳେ ସୋଶାଲ ମିଡିଆରେ ଚାଲିଛି ଜୋରଦାର ଲଢ଼େଇ । ୩ ଦିନ ହେଲାଣି ଏହି ଘଟଣାର ସମାଧାନ ବାଟ ଫିଟି ପାରୁ ନ ଥିବା ବେଳେ ଚେନ୍ନାଇ ପଳାଇଥିବା ବାବୁସାନ ଏ ଯାଏ ଓଡ଼ିଶା ଫେରି ନାହାନ୍ତି।
ତାଙ୍କ ଫେରିବା ବାଟକୁ ପରିବାର ସମେତ ଫ୍ୟାନ୍ସ ଅନାଇ ବସିଥିଲେ ବି ଫେରିବା ନାଁ ଧରୁ ନାହାନ୍ତି ବାବୁସାନ । ‘ଦମନ’ ଫିଲ୍ମର ପ୍ରମୋସନ ପାଇଁ ବାବୁସାନ ଚେନ୍ନାଇ ଯାଇଥିବା କହୁଥିବା ବେଳେ ସେଠାରୁ ଫେରି ଆସିଛି ଟିମ୍ ।
ହେଲେ ତାଙ୍କ ସହ ନାହାନ୍ତି ବାବୁସାନ । ପୁଲିସ୍ ନୋଟିସ୍ ସତ୍ତ୍ୱେ କାହିଁକି ବାବୁସାନ ଭୁବନେଶ୍ୱର ଫେରିବାରେ ବିଳମ୍ବ କରୁଛନ୍ତି, ତାହାର କାରଣ ସ୍ପଷ୍ଟ ହୋଇପାରିନି।
‘ଦମନ’ ଫିଲ୍ମ ନିର୍ଦ୍ଦେଶକ କହିଛନ୍ତି, ଭୁବନେଶ୍ୱରରେ ଘଟିଥିବା ଘଟଣାକୁ ନେଇ ସେଦିନ ବାବୁସାନ ବହୁତ ଡିଷ୍ଟର୍ବ ଥିଲେ । ଏପରିକି ଷ୍ଟେଜ ଉପରକୁ ଯିବା ଅବସ୍ଥାରେ ବି ନଥିଲେ ।
ତେଣୁ ତାଙ୍କୁ ଫିଲ୍ମର ପ୍ରଯୋଜକ ସୌଜନ୍ୟତା ଦୃଷ୍ଟିରୁ ମନା କରିଦେଇଥିଲେ। ଅବଶ୍ୟ ବାବୁସାନ ପ୍ରଯୋଜକ ମନା କରିବାରୁ କାର‌୍ୟ୍ୟକ୍ରମରେ ଯୋଗଦେଇ ପାରି ନ ଥିବା କଥା ଏକ ଭିଡ଼ିଓ ଜାରି କରି କହିଥିଲେ।
ନିର୍ଦ୍ଦେଶକଙ୍କ କହିବା କଥା, ଫିଲ୍ମର ପ୍ରମୋସନ ସାରି ଟିମ୍ ବାବୁସାନଙ୍କ ପାଖକୁ ଗଲାବେଳକୁ ସେ ଆଉ ହୋଟେଲ୍ରେ ନ ଥିଲେ । ରିସେପସନକୁ ଯାଇ ପଚାରିବାରୁ ସେ ଚେକ୍ଆଉଟ୍ କରି ବାହାରିଗଲେଣି ବୋଲି ହୋଟେଲ୍ କର୍ମଚାରୀ କହିଥିବା ସୂଚନା ଦେଇଛି ଟିମ୍ ।
ହେଲେ ‘ଦମନ’ ସିନେମା ଟିମ୍ ପକ୍ଷରୁ ଦିଆଯାଇଥିବା ମନ୍ତବ୍ୟକୁ ବାବୁସାନଙ୍କ ଟିମ୍ ପକ୍ଷରୁ ଖଣ୍ଡନ କରାଯାଇଛି । ବାବୁସାନଙ୍କ ଟିମ୍ ପକ୍ଷରୁ କୁହାଯାଇଛି, ‘ଦମନ’ ପକ୍ଷରୁ ଦିଆଯାଇଥିବା ମନ୍ତବ୍ୟ ସମୂର୍ଣ୍ଣ ଭୁଲ । ‘ଦମନ’ ମୁଭିର ପ୍ରମୋସନ ପାଇଁ ବାବୁସାନ ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିଲେ।
ହେଲେ ଫିଲ୍ମ ପ୍ରଯୋଜକ ତାଙ୍କୁ ଫେରିଯିବାକୁ କହିଥିଲେ । ତା’ସହ ଅଭିନେତାଙ୍କ ବ୍ୟକ୍ତିଗତ ମାମଲାରେ ପଶିବାକୁ ଚେଷ୍ଟା କରିଥିଲେ।
ଏମିତିକି ‘ଦମନ’ ଫିଲ୍ମଠାରୁ ଦୂରେଇ ରହିବା ସହ ବାବୁସାନଙ୍କ ଅନୁପସ୍ଥିତିରେ ମୁଭି ରିଲିଜ୍ ପାଇଁ କୁହାଯାଇଛି । ଯାହା ବାବୁସାନ ଏବଂ ତାଙ୍କ ଟିମ୍କୁ ଅପମାନ କରିବା ସହ ମାନସିକସ୍ତରରେ ଆଘାତ ପହଞ୍ଚାଇଛି ବୋଲି ତାଙ୍କ ଟିମ୍ ପକ୍ଷରୁ ସୂଚନା ଦିଆଯାଇଛି।
ଅପରପକ୍ଷେ, ଭୁବନେଶ୍ୱର ଖାରବେଳନଗର ପୁଲିସ୍ ପକ୍ଷରୁ ବାବୁସାନଙ୍କୁ ହାଜର ପାଇଁ ନୋଟିସ୍ ଜାରି କରିବାର ୩ ଦିନ ବିତି ଯାଇଥିବାବେଳେ କୁଆଡ଼େ ଗଲେ ବାବୁସାନ ? କେଉଁଠି ଅଛନ୍ତି ସେ ? କାହିଁକି ଭୁବନେଶ୍ୱର ଆସୁନାହାଁନ୍ତି । ତାକୁ ନେଇ ବର୍ତ୍ତମାନ ଚର୍ଚ୍ଚା ଲାଗିରହିଛି। ପୁଲିସ୍ ୨ଟି ଏତଲା ଆଧାରରେ ବାବୁସାନ ଓ ପ୍ରକୃତିଙ୍କ ପରିବାରର ୭ ଜଣଙ୍କୁ ପଚରାଉଚରା କରିସାରିଛି ।
ଏପରିକି ଗଣ୍ଡଗୋଳ ବେଳେ ଭିଡ଼ିଓ ନେଇଥିବା ତୃପ୍ତିଙ୍କ କେୟାରଟେକରଙ୍କୁ ବି ନୋଟିସ କରିଛି ଖାରବେଳନଗର ପୁଲିସ୍ । ହେଲେ ବାବୁସାନ ଓ ପ୍ରକୃତି ମିଶ୍ରଙ୍କ ଦେଖା ମିଳୁନି। ଥାନାକୁ ଆସିବା ପରେ ଉଭୟେ ପୁଲିସ୍ ଆଗରେ କି ବୟାନ ଦେବେ ତାହାକୁ ନେଇ ଲାଗି ରହିଛି ସସପେନ୍ସ ।
ଏହବାଦ ବିଚ ବଜାରରେ ଆଇନକୁ ହାତକୁ ନେଇ ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କୁ ଆକ୍ରମଣ ଉଦ୍ୟମ କରିଥିବା ବାବୁସାନଙ୍କ ପତ୍ନୀ ତୃପ୍ତି ଶତପଥୀଙ୍କ ବିରୋଧରେ କି କାର‌୍ୟ୍ୟାନୁଷ୍ଠାନ ନେବ ପୁଲିସ ତାହା ଉପରେ ସମସ୍ତଙ୍କ ନଜର।
ଓଲିଉଡର ଏହି ହାଇପ୍ରୋଫାଇଲ କଳି ସମାଧାନ ହେବା ନାଁ ଧରୁ ନ ଥିବା ବେଳେ ମୁହାଁମୁହିଁ ହୋଇଛନ୍ତି ବାବୁସାନ ଓ ପ୍ରକୃତିଙ୍କ ପରିବାର ।
କାହାରି ନାଁ ନନେଇ ପ୍ରକୃତି ଓ ତାଙ୍କ ବାପା, ମା’ଙ୍କୁ ଟାର୍ଗେଟ କରିଛନ୍ତି ଅପରାଜିତା । କୋଭିଡ ସମୟରେ ପ୍ରାୟ ଦେଢ଼ ବର୍ଷ ଧରି ବାବୁସାନ ଖରାପ ସଙ୍ଗତରେ ପଡ଼ିଯାଇଥିବା କହିଛନ୍ତି ଅପରାଜିତା। ଏପରିକି ବାବୁସାନଙ୍କ ସହ ସିନେମାରେ ଅଭିନୟ କରୁଥିବା ଜଣେ ଅଭିନେତ୍ରୀ ହିଁ ତାଙ୍କୁ ବ୍ଲାକମେଲିଂ କରୁଥିବା ଗଣମାଧ୍ୟମ ସମ୍ମୁଖରେ ସେ କହିଛନ୍ତି।
ଅନ୍ୟପକ୍ଷରେ ବାବୁସାନଙ୍କୁ ବ୍ଲାକମେଲିଂ ଅଭିଯୋଗ ଉପରେ ପ୍ରକୃତିଙ୍କ ମା’ ଜବାବ ରଖିବା ସହ କହିଛନ୍ତି, ଯଦି ଏତେସବୁ ଘଟୁଥିଲା, ତା’ହେଲେ କାହିଁକି ଆଇନର ଆଶ୍ରୟ ନେଲେନି । ତାହା ନ କରି ରାସ୍ତା ଉପରେ ଗୋଟିଏ ଝିଅକୁ ଏଭଳି ଆକ୍ରମଣ କରିବା କ’ଣ ଯୁକ୍ତିଯୁକ୍ତ।
ଏତେ ସବୁ ଘଟଣା ଘଟି ସାରିଥିବା ବେଳେ ଏବେ ଚେନ୍ନାଇରେ ଥିବା ବାବୁସାନଙ୍କୁ ଘରକୁ ଫେରି ଆସିବାକୁ କୋହ ଭରା କଣ୍ଠରେ ଆକୁଳ ନିବେଦନ କରିଛନ୍ତି ତାଙ୍କ ମା’ ।
ଏପରିକି ପରିବାରର ସମସ୍ତ ସଦସ୍ୟ ଓ ତାଙ୍କ ବର୍ଷକର ଛୁଆ ବି ତାଙ୍କୁ ଅପେକ୍ଷା କରିଥିବା ଭିଡିଓରେ କହିଛନ୍ତି । ହେଲେ ଏବେ କେଉଁଠି ଅଛନ୍ତି ଓ ଘରକୁ କେବେ ଫେରିବେ ସେ ନେଇ କିଛି ସ୍ପଷ୍ଟ ସୂଚନା ଦେଇ ନାହାନ୍ତି ଓଲିଉଡର ଚକୋଲେଟ ବୟ ବାବୁସାନ ।

Related Posts

Seo wordpress plugin by www.seowizard.org.