ଫିକାପଡିବ ପାର୍ବଣ: ୩ଦିନ ପ୍ରବଳ ବର୍ଷା

ଭୁବନେଶ୍ୱର, ୩/୧୦: ରାଜ୍ୟରେ ଦୁଇ ବର୍ଷ ପରେ ଧୁମ୍ ଧାମ୍ରେ ପାଳନ ହେଉଛି ଦୁର୍ଗା ପୁଜା । ହେଲେ ଲୋକଙ୍କ ଉତ୍ସାହକୁ ଫିକା କରିପାରେ ବର୍ଷା । ଘୂର୍ଣ୍ଣିବଳୟ ପ୍ରଭାବରେ ଅଷ୍ଟମୀ, ନବମୀ ଓ ଦଶମୀରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଆଜି ରାଜ୍ୟରେ ୧୭ଟି ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।
ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ, ଆନ୍ଧ୍ର ଉପକୂଳ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଥିବା ବେଳେ ଉତ୍ତର ପୂର୍ବ ବଙ୍ଗୋପସାଗରରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ଆଜି ୧୭ଟି ଜିଲ୍ଲାରେ ପ୍ରବଳ ବର୍ଷା ହେବ। ଏଥିପାଇଁ ପାଣିପାଗ କେନ୍ଦ୍ର ପକ୍ଷରୁ ୧୭ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଏହି ଜିଲ୍ଲା ଗୁଡ଼ିକ ହେଲା ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ସୁନ୍ଦରଗଡ, କେନ୍ଦୁଝର, ମୟୂରଭଞ୍ଜ, ଦେବଗଡ, ଅନୁଗୋଳ ଓ ଢେଙ୍କାନାଳ ।