Odisha News

ପ୍ରୋତ୍ସାହନ ଅଭାବରୁ ହଜିବାକୁ ବସିଛି ବୌଦ୍ଧ ଚାନ୍ଦୁଆ ଶିଳ୍ପ

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ,୧୦/୪: ଶିଳ୍ପ ବିହୀନ ବୌଦ୍ଧଜିଲ୍ଲା ରାଜ୍ୟରେ ଏକ ଅନଗ୍ରସର ଓ ପଛୁଆ ଜିଲ୍ଲା ଭାବରେ ପରିଗଣିତ ହେଉଛି । ଜିଲ୍ଲାରେ ଶିଳ୍ପ କହିଲେ ତନ୍ତ ଓ ଚାନ୍ଦୁଆ କାରିଗରି ।
ପ୍ରୋତ୍ସାହନ ଅଭାବରୁ ଦିନକୁ ଦିନ ତନ୍ତ ବନ୍ଦ ହେବାକୁ ଯାଉଥିବା ବେଳେ ଚାନ୍ଦୁଆ ଶିଳ୍ପ ମଧ୍ୟ ମଉଳିବାରେ ଲାଗିଛି । ବୌଦ୍ଧର ଚାନ୍ଦୁଆ ଶିଳ୍ପ ପ୍ରଚାର ପ୍ରସାର ଅଭାବରୁ ବଣମଲ୍ଲୀ ଭଳି ଲୋକଲୋଚନର ଆଡୁଆଳରେ ରହିଯାଇଛି । କିନ୍ତୁ କାରିଗରୀ ବିଦ୍ୟା, ମାନବତ୍ତା, ଗୁଣବର୍ତ୍ତା, ଆକର୍ଷଣ ଡିଜାଇନକୁ ଦେଖିଲେ ଯେ କେହିବି ପ୍ରଶଂସା ନ କରିରହି ପାରିବ ନାହିଁ । ଏହାଲୋକ ଲୋଚନକୁ ନ ଆସିବାର ମୁଖ୍ୟ କାରଣ ହେଲା ସରକାରୀ ପ୍ରୋତ୍ସାହନର ଘୋର ଅଭାବ ।
ଏହାଛଡା ଜିଲ୍ଲା ପର୍ଯ୍ୟର୍ଟନ କ୍ଷେତ୍ରରେ ପଛୁଆ ଥିବାରୁ ପର୍ଯ୍ୟଟକଙ୍କ ଅଭାବ ଯୋଗୁଁ ଚାନ୍ଦୁଆ ଶିଳ୍ପ ମଧ୍ୟ ଅଗ୍ରଗତି କରିପାରୁନାହିଁ । ସେହିପରି ଏହି ଚାନ୍ଦୁଆ ତିଆରି ସାମଗ୍ରୀ ଗୁଡିକୁ ବିକ୍ରି କରିବା ପାଇଁ ଆବଶ୍ୟକ ବଜାରର ଅଭାବ ରହିଛି । ଯାହାଫଳରେ ଉତ୍ପାଦିତ ଜିନିଷ ଗୁଡିକୁ ବିକ୍ରି କରିବା ପାଇଁ ସେମାନଙ୍କୁ ବିଭିନ୍ନ ସମସ୍ୟା ଦେଇ ଗତିକରିବାକୁ ପଡୁଛି । ଶହଶହ ବର୍ଷ ପୂର୍ବରୁ ବୌଦ୍ଧ ଅଂଚଳରେ ଚାନ୍ଦୁଆ ଶିଳ୍ପ ଆରମ୍ଭ ହୋଇଥିବା ଜଣାଯାଏ । ଜିଲ୍ଲାରେ ମେହେର ସଂପ୍ରଦାୟର ଲୋକମାନେ ଏହି କାରିଗରୀ କାର୍ଯ୍ୟ କରିଥାନ୍ତି । ମର୍ଜାକୁଦର ଖଇରୁ ମେହେର ନାମକ ଜଣେ କାରିଗରକୁ ଚାନ୍ଦୁଆ କାରିଗରୀ ଶିକ୍ଷା ଲାଭ କରିବା ପାଇଁ ତତକାଳିନ ବୌଦ୍ଧର ମହାରାଜା ତାଙ୍କୁ କଲିକତା ପଠାଇଥିଲେ । କଲିକତାରେ ସେ ରହି କାରିଗରୀ କୈାଶଳି ଶିକ୍ଷାଲାଭ କରି ଫେରିଥିଲେ ।
ସର୍ବପ୍ରଥମେ ଶ୍ରୀ ଜଗନ୍ନାଥ ମହାପ୍ରଭୂଙ୍କ ପାଇଁ ଦୁଇଟି ପାଟଛତ୍ର ଓ ବୌଦ୍ଧଗଡର ଇଷ୍ଟଦେବୀ ମାଁ ଦୁର୍ଗାଙ୍କ ପାଇଁ ଦୁଇଟି ପାଟଛତ୍ର ତିଆରି କରି ମହାରାଜାଙ୍କ ଠାରେ ଉଚ୍ଚ ପ୍ରସଂଶିତ ହୋଇଥିଲେ । ପରବର୍ତ୍ତି ସମୟରେ ଆନ୍ଦନ, ଗୋପୀନାଥ,ହରି ଏହାକୁ କୌଳିକ ବୃତ୍ତି ଭାବରେ ଗ୍ରହଣ କରିନେଇଥିଲେ । ତାପରେ ଆଜିବି ସେମାନଙ୍କ ବଂଶଦମାନେ ବୌଦ୍ଧ ସହର ବୁଟୁପାଲି ଠାରେ ରହି ଚାନ୍ଦୁଆ ଶିଳ୍ପକୁ କୌଳିକ ବୃତ୍ତି ଭାବରେ ଆପଣାଇ ନେଇ ଗୁଜୁରାଣ ମେଣ୍ଟାଇ ଚାଲିଛନ୍ତି ।
ବୌଦ୍ଧଜିଲ୍ଲାର ଦଣ୍ଡଯାତ୍ରାର ଏକ ସ୍ୱତନ୍ତ୍ରତା ରହିଥିବା ବେଳେ ଦଣ୍ଡଯାତ୍ରାରେ ଛତ୍ର,ପରଭା,ବାନା, ଆଲଟ, ତରାସ ଆଦି ବିଭିନ୍ନ ସାମଗ୍ରୀ ଦେବୀଙ୍କ ଠାରେ ଲାଗିଥାଏ । ଦଣ୍ଡଯାତ୍ରା କମିଟି ଏହି ସବୁକୁ କିଣିଥାନ୍ତି । ସେହିପରି ଭକ୍ତମାନେ ମଧ୍ୟ ସେମାନଙ୍କ ମାନସିକ ପୂରଣ ହେବା ନେଇ ଏହି ସବୁ ଜିନିଷ ଦେବୀଙ୍କ ଠାରେ ମାନିସିକ କରିଥାନ୍ତି ।
ଏହି ସବୁ ଜିନିଷ ତିଆରି କରିବା ପାଇଁ ପରିବାରର ସମସ୍ତେ ଏକତ୍ରିତ ହୋଇ କାର୍ଯ୍ୟ କରିଥାନ୍ତି । ଜିଲ୍ଲାର ବିଭିନ୍ନ ସ୍ଥାନରେ ଚାନ୍ଦୁଆ କାରିଗରୀ କାର୍ଯ୍ୟ ହେଉଥିବା ବେଳେ ବର୍ତ୍ତମାନ ସହରର ବୁଟୁପାଲି , ମର୍ଜାକୁଦ, ବୌଦ୍ଧ ବ୍ଲକର ସିଦ୍ଧପୁର, ବାଉଁଶୁଣୀ, ଅଇଁଳାପାଲି, ବହିରା, ଗଜରାଜପୁର ଆଦି ଅଂଚଳରେ ଚାନ୍ଦୁଆ କାମ ହେଉଥିବାର ଜଣାଯାଏ । ଏହି ଚାନ୍ଦୁଆ ସାମଗ୍ରୀ ଗୁଡିକ ବାହାର ବଜାରରରେ ଚାହିଦା ଅଧିକ ରହିଥିବା ବେଳେ ସମ୍ବଳ ଅଭାବରୁ ବହୁ ପରିମାଣରେ ଉତ୍ପାଦନ ହୋଇପାରୁନାହିଁ ।
ସାଧାରଣତଃ ସ୍ଥାନୀୟ ବଜାରରେ ଚୈତ୍ର,ବୈଶାଖ ଓ ଅଶ୍ୱିନ ମାସରେ ଏହାର ଚାହିଦା ଅଧିକ ହୋଇଥିବା ବେଳେ ବର୍ଷର ଅନ୍ୟ ମାସରେ ବିିକ୍ରି ଅଧିକ ସେତେଟା ହୋଇ ନଥାଏ । ବର୍ତ୍ତମାନ ଲୋକମାନେ ଘର ସାଜସଜ୍ଜା ପାଇଁ ଚାନ୍ଦୁଆ ତିଆରି ଜିନିଷ କିଣିଥାନ୍ତି । ତଥାପି ସ୍ଥାନୀୟ କାରିଗରମାନେ ଜିଲ୍ଲାର ବାହାର ଅନୁଷ୍ଠାନ ଜରିଆରେ ଦେଶ ବିଦେଶ ପର୍ଯ୍ୟନ୍ତ ଏହି ଚାନ୍ଦୁଆକୁ ପହଂଚାଇ ପାରିଛନ୍ତି । ଏପରିକି ବିଭିନ୍ନ ମେଳା, ମହୋତ୍ସବ ଜରିଆରେ ଏହି ଚାନ୍ଦୁଆ କାରିଗରୀ ଜିନିଷକୁ ବିକ୍ରି କରୁଛନ୍ତି ।
ଏହା ହିଁ ସେମାନଙ୍କ କୌଳିକ ବୃତ୍ତି ହୋଇ ଥିବାରୁ ଏଥିରୁ ଯାହା ରୋଜଗାର ହୋଇଥାଏ ସେଥିରେ ପରିବାର ଚଳିଥାଏ । ସରକାର ସମ୍ପ୍ରତି କଳକାରଖାନା ଶିଳ୍ପ ଉପରେ ଗୁରୁତ୍ୱ ଦେଇ ଆସୁଥିବା ବେଳେ ପ୍ରୋତ୍ସାହନ ଅଭାବରୁ ବୌଦ୍ଧ ଅଂଚଳର ଶହ ଶହ ପୁରୁଣା ଚାନ୍ଦୁଆ ଶିଳ୍ପ ଧିରେ ଧିରେ ମଉଳିବାରେ ଲାଗିଛି । ଚାନ୍ଦୁଆ ଶିଳ୍ପ ମାଧ୍ୟମରେ ବୌଦ୍ଧ ଅଂଚଳକୁ ପରିଚିତ କରାଉଥିବା ଚାନ୍ଦୁଆ ଶିଳ୍ପ ଉପରେ ସରକାର ଦୃଷ୍ଟି ଦେଲେ ଏହି ଶିଳ୍ପ ଲୋକାଦୃତ ହୋଇପାରିବ ।
ସାଂସଦ ଶିକ୍ଷା, ସ୍ୱାସ୍ଥ୍ୟ ନାମରେ ବ୍ୟବସାୟ କରୁଛନ୍ତି ; ସୁକାନ୍ତ ପାଣିଗ୍ରାହୀ
ବୌଦ୍ଧ,୧୦/୪ : ବୌଦ୍ଧ ଜିଲ୍ଲା ବିଜେପି ପକ୍ଷରୁ ଆଜି ଜିଲ୍ଲା କାର୍ଯ୍ୟାଳୟ ଠାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ବିଜେପି ସଭାପତି ବିପ୍ରଚରଣ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଲନୀରେ ବୌଦ୍ଧ ବିଧାନସଭା ପ୍ରାର୍ଥୀ ସରୋଜ କୂୁମାର ପ୍ରଧାନ ଓ କନ୍ଧମାଳ ଲୋକସଭା ପ୍ରାର୍ଥୀ ସୁକାନ୍ତ ପାଣିଗ୍ରାହୀ ଯୋଗ ଦେଇ କହିଥିଲେ ଯେ ବୌଦ୍ଧ ବିଧାନସଭା ମଣ୍ଡଳୀରେ ଦୀର୍ଘ ୨୪ ବର୍ଷ ହେବ ମନ୍ତ୍ରୀ ତଥା ବିଧାୟକ ପ୍ରଦୀପ ଅମାତ ପ୍ରତିନିଧିତ୍ୱ କରୁଥିବା ବେଳେ ଏହି ନିର୍ବାଚନ ମଣ୍ଡଳିରେ ଆଜିବି ବୌଦ୍ଧ ଜିଲ୍ଲା ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ, ପାନୀୟଜଳ , ବାସଗୃହ ଯୋଗାଇବାରେ ବହୁ ପଛରେ ପଡିଥିବା ଅଭିଯୋଗ କରିଥିଲେ । ବର୍ତ୍ତମାନ ଜିଲ୍ଲାର ବିକାଶ ଉପରେ ସମସ୍ତଙ୍କର ସମୀକ୍ଷା କରିବାର ଆବଶ୍ୟକତା ରହିଥିବା କହିଥିଲେ ।
ନିର୍ବାଚିତ ଜନପ୍ରତିନିଧି ଜିଲ୍ଲା ପ୍ରତି ସ୍ୱତନ୍ତ୍ର ଯୋଜାନା କରି ସରକାରଙ୍କ ଠାରୁ ଅର୍ଥ ଆଣିବାରେ ବିଫଳ , ଫଳର ଜିଲ୍ଲା ପଛରେ ପଡିଥିବା ଅଭିଯୋଗ କରିଥିଲେ । ଜିଲ୍ଲାରେ ଉଚ୍ଚ ଶିକ୍ଷା ଓ ବୈଷୟିକ ଶିକ୍ଷା ପାଇଁ କୌଣସି ଯୋଜନା ନାହିଁ । ଜିଲ୍ଲାରେ ଶିକ୍ଷା ବ୍ୟବସ୍ଥା ଏକ ପ୍ରକାର ଭୁଷୁଡି ପଡିଥିବା ବେଳେ ସରକାରୀ ମହାବିଦ୍ୟାଳୟ, ପୁରୁଣା ବିିଇଡି କଲେଜର ପୁନଃରୁଦ୍ଧାର , ମେଡିକାଲ କଲେଜ , କୃଷି ମହାବିଦ୍ୟାଳୟ ଯୋଜନା ସ୍ୱପ୍ନରେ ରହିଥିବା ଅଭିଯୋଗ କରିଥିଲେ ।
ବୌଦ୍ଧ ସହରର ମୁଖ୍ୟ ସ୍ଥଳରେ ଥିବା ଜରିଖଣ୍ଡିର ପୁନଃରୁଦ୍ଧାର ହୋଇପାରିଲାନାହିଁ । ଜିଲ୍ଲାରେ ଜମି, ଜଳ ଓ ଜଙ୍ଗଲରେ ପରିପୁର୍ଣ୍ଣ ଥିବା ବେଳେ ଯୋଜାନା ଅଭାବରୁ ଜିଲ୍ଲାର ଜନସାଧାରଣ ଆର୍ଥିକ ଭାବେ ଦୟନୀୟ ବୋଲି କହିଥିଲୋ । ଜିଲ୍ଲାରେ ବୀରନରସିଂହପୁର ଠାରେ ଜିଲ୍ଲାବାସୀଙ୍କ ପାଇଁ ଏକ ନନ୍ଦନବନର ଯୋଜନା ପ୍ର୍‌ସ୍ତୁତ ହେଲା କିଛି କାମ ମଧ୍ୟ ହୋଇଛି କିନ୍ତୁ ବର୍ତ୍ତମାନର ବିଧାୟକଙ୍କ ଆନ୍ତରିକତାର ଅଭାବ ଯୋଗୁଁ ଏହା ଏବେ ଅଧାର ପଡିରହିଛି ।
କନ୍ଧମାଳ ସାଂସଦ ପ୍ରାର୍ଥୀ ଶ୍ରୀ ପାଣିଗ୍ରାହୀ କହିଥିଲେ ଗତ ଥରର ସାଂସଦ ତଥା ଏଥର ବିଜେଡି ଦଳର ପ୍ରାର୍ଥୀ ଜିଲ୍ଲାରେ ବିଭିନ୍ନ ଅନୁଷ୍ଠାନ କରି ନିଜର ବ୍ୟବସାୟ ବୃଦ୍ଧି କରିବାରେ ବ୍ୟସ୍ତ ରହୁଥିବା ଯୋଗୁଁ ଜିଲ୍ଲାର ବିକାଶରେ ବାଧକ ସାଜିଥିବା କହିଥିଲେ । ଚଳିତ ସାଧାରଣ ନିର୍ବାଚନରେ ବିଜେପି ତାର ସହଯୋଗୀ ଦଳ ମାନଙ୍କୁ ନେଇ ଲୋକସଭାରେ ୪୦୦ ପାର ଲକ୍ଷ୍ୟ ନେଇ ନିର୍ବାଚନକୁ ଓହ୍ଳାଇଥିବା ବେଳେ ରାଜ୍ୟରେ ଡବଲ ଇଂଜିନ ସରକାର ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ନେତୃବୃନ୍ଦ ସଂକଳ୍ପବଦ୍ଧ ବୋଲି କହିଥିଲେ । ଏହି ସାମ୍ବାଦିକ ସମ୍ମିଳନୀରେ ପ୍ରେମାନନ୍ଦ ମିଶ୍ର , ତାପସ ପଟନାୟକ, ମନରଂଜନ ଦାସ, ଶ୍ୟାମସୁନ୍ଦର ପୁରୋହିତ ପ୍ରମୁଖ ଉପସ୍ଥିତ ଥିଲେ ।
ସହିଦ ଆଇଆରବିଏନ ଯବାନ ପ୍ରମୋଦ କୁମାର ମାଝୀ ଙ୍କୁ ଗାର୍ଡ ଅଫ ଅନର
ବୌଦ୍ଧ,୧୦/୪: ବୌଦ୍ଧ ପଞ୍ଚମ ଆଇଆରବିଏନ ରେ କାର୍ଯ୍ୟରତ ଜବାନ ପ୍ରମୋଦ କୁମାର ମାଝୀ ଙ୍କ ଏକ ସଡ଼କ ଦୁର୍ଘଟଣାରେ ପରଲୋକ ହୋଇଯାଇଛି । ସେ ବୌଦ୍ଧ ପଞ୍ଚମ ଆଇଆରବିଏନ ରେ ୨୦୦୯ ମସିହାରେ କାର୍ଯ୍ୟରେ ଯୋଗଦେଇଥିଲେ । ସେ ଗତ ୨୮ ତାରିଖରେ ତାମିଲନାଡୁର ତିର୍ଚି କୁ ନିର୍ବାଚନ ଡ୍ୟୁଟିରେ ଯାଇଥିଲେ ।
ସେଠାରେ ଗତ ୪ ତାରିଖରେ ଏକ ସଡ଼କ ଦୁର୍ଘଟଣାରେ ଗୁରୁତର ଆହତ ହୋଇ ଥିଲେ । ସେଠାରେ ଏକ ହସ୍ପିଟାଲ ରେ ଚିକିତ୍ସିତ ହେଉଥିବା ସମୟରେ ତାଙ୍କର ଅକାଳ ବିୟୋଗ ଘଟିଥିଲା ।
ଏହି ଖବର ପ୍ରଚାରିତ ହେବା ମାତ୍ରେ ଜିଲ୍ଲାରେ ଶୋକର ଛାୟା ଖେଳଯାଇଥିଲା । ତାଙ୍କର ପାର୍ଥିବ ଶରୀରକୁ ବିମାନ ଯୋଗେ ପ୍ରଥମେ ଭୁବନେଶ୍ୱର ଅଣାଯାଇ ସେଠାରୁ ଗତକାଲି ରାତି ରେ ବୌଦ୍ଧ ସ୍ଥିତ ଆଇଆରବିଏନ ବ୍ୟାଟେଲିଏନକୁ ଅଣାଯାଇଥିଲା ।
ସେଠାରେ ବ୍ୟାଟେଲିଏନ ର କମାଣ୍ଡେଣ୍ଟ ,ଆସିଷ୍ଟାଣ୍ଟ କମାଣ୍ଡେଣ୍ଟଙ୍କ ସମେତ ସମସ୍ତ ଅଧିକାରୀ ଓ କର୍ମଚାରୀ ମାନେ ତାଙ୍କର ଅନ୍ତିମ ଦର୍ଶନ କରି ପୁଷ୍ପମାଲ୍ୟ ଦେଇ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।
ପରେ ତାଙ୍କୁ ଏଠାରେ ଗାର୍ଡ ଅଫ ଅନର ଦିଆଯାଇଥିଲା । ସେଠାରୁ ତାଙ୍କର ମର ଶରୀରକୁ ତାଙ୍କର ପୈତୃକ ଘର ନୂଆପଡ଼ା ଜିଲ୍ଲା ଧର୍ମବନ୍ଧା ଗାଁକୁ ନିଆଯାଇଛି ।
ବୌଦ୍ଧ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ରାଷ୍ଟ୍ରୀୟ ନବ ବର୍ଷ ପାଳିତ
ବୌଦ୍ଧ, ୧୦/୪: ବୌଦ୍ଧ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ରାଷ୍ଟ୍ରୀୟ ନବ ବର୍ଷ ଧୁମ୍ ଧାମ୍ ରେ ପାଳିତ ହୋଇଯାଇଛି । ଓଡ଼ିଶା ପଶ୍ଚିମ ପ୍ରାନ୍ତ ପ୍ରଚାରକ ଲକ୍ଷ୍ମଣ ନାଏକ ଙ୍କ ଉଦଘାଟନ କରିଥିଲେ।ବିଦ୍ୟାଳୟର ସମ୍ପାଦକ ସାର ପ୍ରଧାନ,ପ୍ରଧାନ ଆଚାର୍ଯ୍ୟ ଧରଣୀ ଧର ପରିଡ଼ା,ସହ-ପ୍ରଧାନ ଆଚାର୍ଯ୍ୟର‌୍ୟ୍ୟ ଅଶୋକ କୁମାର ପୁରୋହିତ ମଞ୍ଚରେ ଉପସ୍ଥିତ ଥିଲେ ।
ଚୈତ ଶୁକ୍ଳ ପ୍ରତିପଦାକୁ ରାଷ୍ଟ୍ରୀୟ ନବ ବର୍ଷ ରୂପେ ପାଳନ କରାଯାଇଥାଏ । ମୁଖ୍ୟ ଅତିଥି ଶ୍ରୀ ନାଏକ ରାଷ୍ଟ୍ରୀୟ ନବ ବର୍ଷ ର ମହତ୍ତ୍ଵ ବିଷୟରେ ବର୍ଣ୍ଣନା କରିଥିଲେ । କାର୍ଯ୍ୟକ୍ରମରେ ସମସ୍ତ ଗୁରୁଜୀ ଗୁରୁମା ତଥା ସେବକ ସେଵିକା ସହଯୋଗ କରିଥିଲେ।ଶେଷରେ ଗୁରୁଜୀ ଅଶୋକ କୁମାର ପୁରୋହିତ ଧନ୍ୟବାଦ ଅର୍ପଣ କରିଥିଲେ ।

Related Posts

Seo wordpress plugin by www.seowizard.org.