Odisha News

ପ୍ରଥମ ବାର୍ଷିକ ତ୍ରି ଶମ୍ଭୁ ଦଣ୍ଡର ମହାମିଳନ ସମାରୋହ ଉଦଯାପିତ : ଶତାଧିକ ଭକ୍ତଙ୍କ ସମାଗମ

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
ବାଲିଗୁଡା,୧୦/୪: କନ୍ଧମାଳ ଜିଲ୍ଲା ବାଲିଗୁଡା ଟାଉନ ସ୍ଥିତ ଗୁଳିମରାପଦା ସାହି ବାସିନ୍ଦାଙ୍କ ସହଯୋଗରେ ପ୍ରଥମ ବାର୍ଷିକ ତ୍ରି ଶମ୍ଭୁ ଦଣ୍ଡର ମହାମିଳନ ସମାରୋହ ବିପୁଳ ଉତ୍ସାହ ଉଦ୍ଦୀପନାର ସହ ଆୟୋଜିତ ହୋଇଯାଇଛି ।
ତ୍ରି ଶମ୍ଭୁ ଦଣ୍ଡଯାତ୍ରାର ଏହି ମହାମିଳନକୁ ଦେଖିବା ଲାଗି ବାଲିଗୁଡା ସମେତ ଆଖପାଖ ଅଞ୍ଚଳରୁ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା । ଏହି ପରିପ୍ରେକ୍ଷୀରେ ମଙ୍ଗଳବାର ସକାଳେ ସାହିର ମହାମାୟୀ ମନ୍ଦିର ନିକଟରେ ତିନି ଦଣ୍ଡ ଥଳଙ୍କୁ ବରଣ କରାଯାଇଥିଲା ।
ମଧ୍ୟାହ୍ନ ସମୟରେ ସାହିର ମୁଖ୍ୟ ରାସ୍ତାରେ ଧୂଳିଦଣ୍ଡରେ ତିନି ଦଣ୍ଡନାଚ ରୁଷିପୁତ୍ର ତଥା ଦଣ୍ଡୁଆମାନେ ନିଜ ନିଜ ସ୍ଥାନରେ ପହଁଚି ବୀଣାକାର ଢୋଲ ଓ ମହୁରୀର ତାଳେତାଳେ ଦଣ୍ଡନାଚର ସମସ୍ତ ବିଧିବିଧାନକୁ ସୁଲଳିତ ସ୍ଵରରେ ଗାନ କରିଥିଲେ। ମଧ୍ୟାହ୍ନରେ ଅନୁଷ୍ଠିତ ଧୂଳିଦଣ୍ଡରେ ଦଣ୍ଡୁଆଙ୍କ ବିଭିନ୍ନ କାଠୁରିଆ ନୃତ୍ୟ ଜଙ୍ଗଲ ସୁରକ୍ଷା ଏବଂ ଜନ୍ତୁ ସୁରକ୍ଷା ନେଇ ବାଘନାଟ ,ବୀଣାକାର, ବିଲରେ ଧାନରୁଆ ଇତ୍ୟାଦି ନାଟକ ବେଶ୍ ଆକର୍ଷିତ କରିଥିଲା।
ଅପରାହ୍ନରେ ନିକଟସ୍ଥ ପୁଷ୍କରିଣୀ ରେ ପାଣିଦଣ୍ଡ ପରେ ସନ୍ଧ୍ୟାରେ ସବୁଠାରୁ ବିଶେଷ ଆକର୍ଷଣ ମହାମାୟୀ ମନ୍ଦିର ନିକଟସ୍ଥ ପଡିଆରେ ତିନି ଦଣ୍ଡର ଏକ ମହା ମିଳନରେ ଢୋଲିଆ, ପାଟଭୁକ୍ତା, ମହୁରିଆ ଙ୍କ ମିଳନ ହୋଇଥିବା ବେଳେ ଯାହାକୁ ଶହ ଶହ ଭକ୍ତ ଓ ଦର୍ଶକ ଉପଭୋଗ କରିଥିଲେ । ଏଥିରେ ମେଲସିକିଆ ,ବାରଖମା, ଓ ପୋଖରୀବନ୍ଧ ଗ୍ରାମର ଦଣ୍ଡ ନାଚ ଦଳ ଯୋଗ ଦେଇ ନିଜ ନିଜର ନାଚ ପରିବେଷଣ କରିଥିଲେ । ରାତ୍ରରେ ଝୁଣାଦଣ୍ଡ ପଟୁଆର ସହ ବୁଧବାର ଦିନ ସକାଳେ ଯାତ୍ରା ସମାପନ ହୋଇଥିଲା ।
ଏହି ମିଳନ ଉତ୍ସବରେ ଅତିଥି ଭାବେ ଟୁନା ଦାସ, ଚକ୍ରମଣି କହଁର, ଗୋବିନ୍ଦ ଚନ୍ଦ୍ର ପ୍ରଧାନ, ପ୍ରମୋଦ କୁମାର ସାହୁ, ଜଗନ୍ନାଥ ସାହୁ, ଡ.ମଧୁସୂଦନ ମହାପାତ୍ର, ପଞ୍ଚୁଦଣ୍ଡ ପରିଚାଳନା ସମିତିର ସଭାପତି କିଶୋର ଚନ୍ଦ୍ର ପାଳ, ସମ୍ପାଦକ ମାନସ ରଞ୍ଜନ ଆଚାର‌୍ୟ୍ୟ, କୋଷାଧକ୍ଷ ବଂଶୀଧର ପଣ୍ଡା, ଅଧିକାରୀ ଶିବରାମ ପ୍ରଧାନୀ ଙ୍କ ସମେତ ବହୁ ବ୍ୟକ୍ତି ଉପସ୍ଥିତ ରହି ମିଳନ କାର‌୍ୟ୍ୟକ୍ରମକୁ ଉପଭୋଗ କରିବା ପରେ ସାହି କମିଟି ତରଫରୁ ପୁଷ୍ପ ଗୁଚ୍ଛ ଓ ଉପଢୌକନ ଦେଇ ସମ୍ମାନିତ କରିଥିଲେ ।
ସାହି କମିଟି ତରଫରୁ ସମୀର କୁମାର ପଟ୍ଟନାୟକ, ପିଣ୍ଟୁ ଦୋରା, ଗଣେଷ ସାହୁ, ଲିଟୁ ଦୋରା, ପ୍ରମୁଖଙ୍କ ସମେତ ସାହି କମିଟିର ସମସ୍ତ ସଦସ୍ୟ, ମହିଳା ସଂଘ ଯୁବକ ସଂଘ ପ୍ରମୁଖ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ ।
ସାହିର ବିଭିନ୍ନ ସ୍ଥାନରେ ବିଭିନ୍ନ ବ୍ୟକ୍ତି ବିଶେଷଙ୍କ ତରଫରୁ ଷ୍ଟଲ କରି ଦିନ ତମାମ ପଣା ସହ ପାନୀୟ ଜଳ ବଣ୍ଟନ କରିଥିଲେ । ଏହି ତିନି ଶମ୍ଭୁ ଦଣ୍ଡ ନାଚକୁ ଆଖି ଆଗରେ ରଖି ବାଲିଗୁଡା ଥାନା ଅଧିକାରୀ ସୁଶାନ୍ତ କୁମାର ସାହୁଙ୍କ ନେତୃତ୍ୱରେ ସାହିର ବିଭିନ୍ନ ସ୍ଥାନରେ ପୋଲିସ ମୁତୟନ କରାଯାଇ ଆଇନ ଶୃଙ୍ଖଳା ପରିସ୍ଥିତିକୁ ଆୟତ୍ତାଧିନ କରିଥିଲେ ।
ବିଭିନ୍ନ ସମସ୍ୟା ପାଇଁ ଉପଜିଲ୍ଲାପାଳଙ୍କ ଦ୍ଵାରସ୍ଥ ହେଲେ ଲେତିଙ୍ଗିଆ ଗ୍ରାମବାସୀ
ବାଲିଗୁଡା, ୧୦/୪ : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ବ୍ଲକ ଲେତିଙ୍ଗିଆ ପଞ୍ଚାୟତବାସୀ ବ୍ଲକ ପ୍ରଶାସନ ନିକଟରେ ଗ୍ରାମର ବିଭିନ୍ନ ସମସ୍ୟା ସମ୍ପର୍କରେ ବହୁବାର ଲିଖିତ ଅଭିଯୋଗ କରିଥିଲେ ସୁଦ୍ଧା ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଇନାହିଁ ବୋଲି ଅଭିଯୋଗ ହୋଇଛି। ଗ୍ରାମର ମୁଖ୍ୟ ସମସ୍ୟା ପଞ୍ଚାୟତ ଗୃହ ଦୀର୍ଘ ୭ ବର୍ଷ ହେବ ଅଧପନ୍ତରିଆ ହୋଇ ରହିଛି।
ଉକ୍ତ ଘରକୁ ଠିକାଦାର ଜଣଙ୍କ ଗୋଦାମ ଘର କରି ନିଜ କବ୍ଜାରେ ରଖିଛନ୍ତି। ଫଳରେ ଗ୍ରାମବାସୀ ଏକ ଟଙ୍କିଆ ଚାଉଳ ପାଇଁ ହନ୍ତସନ୍ତ ହେଉଛନ୍ତି। ଗ୍ରାମରେ ୫ଟି ସ୍କୁଲ ନିର୍ମାଣ ହୋଇଥିଲେ ସୁଦ୍ଧା ତାହା ଅତି ନିମ୍ନ ମାନର ହୋଇ ଥିବା ଯୋଗୁଁ କାନ୍ଥ ଗୁଡ଼ିକ ଫାଟିବା ଦେଖା ଗଲାଣି। ନେଟୱର୍କ ଠିକ ଭାବରେ ଚାଲୁନଥିବା ଯୋଗୁଁ ଛାତ୍ରଛାତ୍ରୀ କମ୍ପ୍ୟୁଟର ମାଧ୍ୟମରେ ଶିକ୍ଷା ଅଧ୍ୟୟନ କରିବାରେ ବଞ୍ଚିତ ରହିଛନ୍ତି।ଏହା ସହ ପଂଚାୟତରେ ଏକ ଶିଶୁଙ୍କ ନିମନ୍ତେ ନିମ୍ନ ମାନର ପାର୍କ ନିର୍ମାଣ କରାଯାଇ ଉକ୍ତ ସମସ୍ୟା ବ୍ଲକ ପ୍ରଶାସନଙ୍କୁ ଜଣାଇ ଥିଲେ ମଧ୍ୟ ସମସ୍ତ ସମସ୍ୟାକୁ ଅଣଦେଖା କରାଯାଉଥିବା ସରପଞ୍ଚ କୁନାଲ ମଲିକ ଅଭିଯୋଗ କରିଛନ୍ତ।
ଉକ୍ତ ସମସ୍ୟା ସମ୍ପର୍କରେ କ.ନୂଆଗାଁ ବିଡିଓଙ୍କୁ ଲିଖିତ ଭାବେ ଜଣାଇ ଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆ ଗଲା ନାହିଁ ।
ଫଳରେ ବାଲିଗୁଡ଼ା ଉପଜିଲ୍ଲାପାଳ ଡ଼ଃ ରୀନା ପ୍ରଧାନଙ୍କୁ ସାକ୍ଷାତ କରି ପଂଚାୟତର ସମସ୍ତ ସମସ୍ୟା ସମ୍ପର୍କରେ ଜଣାଇ ଲିଖିତ ଅଭିଯୋଗ କରିଛନ୍ତି। ନିର୍ବାଚନ ପୂର୍ବରୁ ସମସ୍ତ ଦାବି ପୂରଣ କରାନଗଲେ ଭୋଟ ବର୍ଜନ କରାଯିବ ବୋଲି ସିମାଞ୍ଚଳ ପ୍ରଧାନ, ଥମାସ ପ୍ରଧାନ, ବଳରାମ ପ୍ରଧାନ, ପ୍ରିୟ ଦର୍ଶନୀ ପ୍ରଧାନ, ପ୍ରଭାକର ବିନ୍ଧାଣି, ଇସାକ ଡିଗାଲ ହାଡ଼ିପ। ବିନ୍ଧାଣି, ତପର।ନଣି ମଲିକ,ସାରଙ୍ଗ ଧର ପ୍ରଧାନ, ସହଦେବ ମଲିକ ପ୍ରମୁଖ ପଂଚାୟତବାସୀ ଚେତାବନୀ ଦେଇଛନ୍ତି।
କେରଳରେ ପ୍ରେମିକା କୁ ହତ୍ୟା : ଅଭିଯୁକ୍ତ ପ୍ରେମିକ କନ୍ଧମାଳରୁ ଗିରଫ
ବାଲିଗୁଡା,୧୦/୪ : ଯୁବକ ଓ ଯୁବତୀ ଦୁହେଁ କନ୍ଧମାଳ ଜିଲାର । ସେମାନଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିଲା । କାମଧନ୍ଦା ପାଇଁ କେରଳ ପଳାଇ ଗଲେ । ସେଠାରେ କୌଣସି କାରଣରୁ ପ୍ରେମିକାଙ୍କୁ ହତ୍ୟା କରିଥିଲା ପ୍ରେମିକ ।
ଏହି ଘଟଣାରେ କେରଳ ପୁଲିସ ଅଭିଯୁକ୍ତ ପ୍ରେମିକ ସାମୁଏଲ ବଡମାଝୀଙ୍କୁ କନ୍ଧମାଳ ଜିଲା ଅନ୍ତର୍ଗତ କୋଟଗଡ ଥାନାର ସୁବର୍ଣ୍ଣଗିରି ପଞ୍ଚାଯତ ରାମିନିଗୁଡାରୁ ଗିରଫ କରି ନେଇଛନ୍ତି । ରୀତିକା ସାହୁଙ୍କ ଘର ରାଇକିଆ ଥାନା ଅନ୍ତର୍ଗତ ଛାଞ୍ଚେଡି ଗ୍ରାମରେ । ଦୁହେଁ କାମଧନ୍ଦା ପାଇଁ କେରଳ ଯାଇଥିଲେ ।
ସେମାନଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିବାରୁ ସେଠାରେ ଦୁହେଁ କେରଳ ରାଜ୍ୟର ଆରପୁଜା ଜିଲା ପୁଚାକାରୁ ଗ୍ରାମରେ ରହୁଥିଲେ । ରୀତିକା କାହା ସହିତ ସବୁବେଳେ ଫୋନରେ କଥାବାର୍ତ୍ତା କରୁଥିବା ନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା । ଏହାକୁ ନେଇ ଏପ୍ରିଲ ମାସ ୨ ତାରିଖରେ ସାମୁଏଲ ଏକ ଛୁରୀରେ ରୀତିକା ଉପରେ ମରାଣାତ୍ମକ ଆକ୍ରମଣ କରିଥିଲା ।
ରକ୍ତ ଜୁଡୁବୁଡ ଅବସ୍ଥାରେ ରୀତିକାଙ୍କ ଆଖପାଖଲୋକ ଉଦ୍ଧାର କରି ସ୍ଥାନୀୟ ଚିକିତ୍ସାଳୟକୁ ନେଇଥିଲେ । ଏହି ଘଟଣା ପରେ ସାମୁଏଲ ଫେରାର ହୋଇଯାଇଥିଲା । ଘଟଣା ସମ୍ପର୍କରେ ସେଠାକାର ଲୋକେ ରୀତିକାଙ୍କ ପରିବାର ଲୋକଙ୍କୁ ଫୋନ ଯୋଗେ ଘଟଣା ବିଷୟରେ କହିଥିଲେ ।
ପରେ ରୀତିକାଙ୍କ ବାପା ଶରତ ସାହୁ ଗାଁରୁ କେରଳକୁ ଯାଇଥିଲେ । ସେ ପହଞ୍ଚିବା ସମୟର ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ଝିଅର ମୃତ୍ୟୁ ହୋଇ ଯାଇଥିଲା। ଏହାକୁ ନେଇ ବାପା ଶରତ କେରଳର ପୁଚାକାରୁ ଥାନାରେ ଏକ ଲିଖିତ ଏତଲା କେଶ ନଂ.୨୬୮/୨୪ ରେ ରୁଜୁକରି ତଦନ୍ତ ଆରମ୍ଭ କରିଥିଲା କେରଳ ପୁଲିସ ।
ଅଭିଯୁକ୍ତକୁ ଖୋଜାଖୋଜି ପରେ କେରଳରେ ନପାଇବାରୁ ଅଧିକ ତନାଘନା ପାଇଁ କୋଟଗଡ ପୁଲିସର ସହାୟତା ନେଇଥିଲେ ।
କୋଟଗଡ ପୁଲିସ ସହାୟତାରେ ଅଭିଯୁକ୍ତ କୋଟଗଡ ଥାନା ଅନ୍ତର୍ଗତ ସୁବର୍ଣ୍ଣଗିରି ଫଚାୟତ ରାମନିଗୁଡାରେ ରହୁଥିବା ସୂଚନା ପାଇ ସେଠାରୁ ଗିରଫ କରିଛି କେରଳ ପୁଲିସ । ଅଭିଯୁକ୍ତର ଘର କୋଟଗଡ ଥାନା ଅନ୍ତର୍ଗତ ରାଙ୍ଗାପାଙ୍ଗା ଗ୍ରାମରେ ବୋଲି କୋଟଗଡ ଥାନା ଅଧିକାରୀ ଦୀପ୍ତି ରଂଜନ ବେହେରା ସୂଚନା ଦେଇଛନ୍ତି।
ପୋଲିସ ପାଟ୍ରୋଲିଂ ବେଳେ ଦୁଇ ଫେରାର ଅଭିଯୁକ୍ତ ଗିରଫ
ବାଲିଗୁଡା, ୧୦/୪: କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁ ଥାନା ପକ୍ଷରୁ ଅବାଧ ଓ ମୁକ୍ତ ନିର୍ବାଚନ କରିବାକୁ ପୋଲିସ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚାଲିଛି। ଥାନା ଅଞ୍ଚଳରେ ପୋଲିସର ଉପସ୍ଥିତକୁ ଲୋକଙ୍କୁ ଜଣାଇବା ଓ ଶାନ୍ତିଶୃଙ୍ଖଳା ପାଇଁ ପୋଲିସ ସବୁ ସମୟରେ ଉପସ୍ଥିତ ରହିଥିବା ଲୋକଙ୍କୁ ସଚେତନ କରି ଜଣାଉଛି।
ଏଥିପାଇଁ ପୋଲିସ ପୂର୍ବରୁ ନିୟମିତ ବ୍ରାହ୍ମଣୀଗାଁରେ ପାଟ୍ରୋଲିଂକୁ କଡାକଡି କରିବା ସହ ଗାଡିମୋଟର ଯାଞ୍ଚ କରାଯାଉଛି। ସେହିପରି ଫ୍ଲାଗମାର୍ଚ୍ଚ କରି ଲୋକଙ୍କୁ ସଚେତନ କରାଇଛି। ସେହିକ୍ରମରେ ଉକ୍ତ ଥାନା ଅଞ୍ଚଳ ଗଦାପୁରଠାରେ ଫ୍ଲାଗମାର୍ଚ୍ଚ କରାଯାଇଥିବା ଜଣାପଡିଛି।
ସେହିପରି ୨୦୧୯ରେ ଏକ ମାମଲା ରେ ଫେରାର ହୋଇଥିବା ୨ ଜଣ ଫେରାର ଅଭିଯୁକ୍ତଙ୍କୁ ବ୍ରାହ୍ମଣୀଗାଁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ସେମାନେ ହେଲେ ଉକ୍ତ ଥାନା କିରାମାହା ଗ୍ରାମର କିଷାନ ବସ୍ତରାୟ ଏବଂ ଲଷ୍ମୀକାନ୍ତ ବସ୍ତରାୟ । ସେମାନଙ୍କ ନାମରେ ପୂର୍ବରୁ ମାମଲା (୨୪/୧୯ ) ରହିଥିବା ବିଷୟ ଥାନା ଅଧିକାରୀ ଚିରଞ୍ଜୀବି ବେହେରା ସୂଚନା ଦେଇଛନ୍ତି ।

Related Posts

Seo wordpress plugin by www.seowizard.org.