Odisha News

ପୁଣି ସାମ୍ନାକୁ ଆସିଲା ଦୁଇ ମନ୍ତ୍ରୀଙ୍କ ସମ୍ପୃକ୍ତି,କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁ ହତ୍ୟାକାଣ୍ଡରେ ଅଭିଯୋଗ ଆଣିଲେ ପରିବାର ଲୋକେ

ଖୋର୍ଦ୍ଧା, ୨୨/୩: କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁ ହତ୍ୟା ମାମଲାରେ ଆସ୍ତେ ଆସ୍ତେ ଖୋଲୁଛି ପେଡ଼ି। ଏହି ହତ୍ୟାକାଣ୍ଡରେ ମନ୍ତ୍ରୀ ପ୍ରତାପ ଜେନା ଓ ଦିବ୍ୟଶଙ୍କର ମିଶ୍ରଙ୍କ ହାତ ରହିଛି ବୋଲି ମାନସଙ୍କ ପତ୍ନୀ ଯମୁନା ସ୍ୱାଇଁ ଅଭିଯୋଗ କରିଛନ୍ତି।
ଯମୁନା କହିଛନ୍ତି, ପ୍ରତାପ ଜେନା ଓ ଦିବ୍ୟଶଙ୍କର ମିଶ୍ରଙ୍କୁ ଗିରଫ କରାଯାଉ। ସେମାନେ ଏହି ହତ୍ୟାକାଣ୍ଡ ବିଷୟରେ ସବୁ ଜାଣିଛନ୍ତି। ସେମାନଙ୍କର ଫଟୋ ଆସିଛି, ତେଣୁ ସେମାନଙ୍କର ହାତ ରହିଛି। ଏହି ହତ୍ୟାକାଣ୍ଡରେ ଆହୁରି ବଡ଼ବଡ଼ ନେତାଙ୍କ ହାତ ରହିଛି। ସେମାନଙ୍କୁ ମଧ୍ୟ ଗିରଫ କରାଯାଉ।
ମନ୍ତ୍ରୀ ପ୍ରତାପ ଜେନା ଓ ଦିବ୍ୟଶଙ୍କର ମିଶ୍ରସେ ଆହୁରି କହିଛନ୍ତି, ମାନସଙ୍କ ପାଖରେ ଗୋଟିଏ ଚିପ୍ ଥିଲା। ସେହି ଚିପ୍ରେ ମ୍ୟାଡାମଙ୍କର କିଛି କଳା ଗୁପ୍ତ ଜିନିଷ ଥିଲା। ସେହି ଚିପ୍କୁ ପାଇଲେ ସବୁ ରହସ୍ୟ ଜଣାପଡ଼ିବ। ମୋ ସ୍ୱାମୀଙ୍କୁ ନ୍ୟାୟ ଦେବା ପାଇଁ ଲଢ଼ିବି, ନଚେତ ନବୀନ ସରକାରଙ୍କ ଦୁଆରେ ଆତ୍ମହତ୍ୟା କରିବି ବୋଲି ମାନସଙ୍କ ପତ୍ନୀ କହିଛନ୍ତି।
ସେହିପରି ମାନସଙ୍କ ମାଆ ଭାଇ ଓ ଅନ୍ୟ ସଦସ୍ୟ ବି ସମାନ ଅଭିଯୋଗ କରିଛନ୍ତି। ଶର୍ମିଷ୍ଠା ମୋ ପୁଅକୁ ମାରିଦେଲା ବୋଲି ମାନସଙ୍କ ମା’ କାନ୍ଦିକାନ୍ଦି କହିଛନ୍ତି। ସେ କହିଛନ୍ତି, ଚିପ୍ରେ କ’ଣ କଳା କାରନାମା ରହିଛି, ମୋ ପୁଅକୁ ବାଟରୁ ହଟାଇ ଦେଲେ। ସେ ଆହୁରି କହିଛନ୍ତି, ମୋ ପୁଅର ହତ୍ୟା ପଛରେ ବଡ଼ ବଡ଼ ନେତା ଓ ମନ୍ତ୍ରୀଙ୍କ ହାତ ରହିଛି।
ମାନସ ସ୍ୱାଇଁ ହତ୍ୟା ମାମଲାରେ ଗତକାଲି ପୂର୍ବତନ ଓଆଇଏସ୍ ନିରଞ୍ଜନ ସେଠୀ ଓ ଅନ୍ୟ ଜଣେ ଅଭିଯୁକ୍ତକୁ ପୁଲିସ ଗିରଫ କରିଥିଲା। ନିରଞ୍ଜନଙ୍କ କଲ୍ ଡିଟେଲ ଲୋକେସନ ଆନାଲିସିସରୁ ରୋଚକ ତଥ୍ୟ ମିଳିଥିବା ତଦନ୍ତକାରୀ ଅଧିକାରୀ ଚାନ୍ଦବାଲି ଅତିରିକ୍ତ ଏସ୍ପି ଆଜି ସୂଚନା ଦେଇଛନ୍ତି। ସେ କହିଛନ୍ତି, ମାନସ ନିଖୋଜ ପରଠୁ ନିରଞ୍ଜନ ୨୦ରୁ ୩୦ ଥର ଶର୍ମିଷ୍ଠାଙ୍କୁ ଫୋନ୍ କରିଥିଲେ। ଏପରିକି ଦିନେ ଶର୍ମିଷ୍ଠାଙ୍କୁ ୩୦ ଥର ଫୋନ୍ କରିଥିଲେ ନିରଞ୍ଜନ। ଅପହରଣ ଦିନ ମାନସ ସାଢ଼େ ୩ ଘଣ୍ଟା ଆଶ୍ରମରେ ଥିଲେ। ନିରଞ୍ଜନ ବାରମ୍ବାର ଆଶ୍ରମକୁ ଆସୁଥିଲେ।
ମାନସ ସ୍ୱାଇଁ ହତ୍ୟା ମାମଲାରେ ପୂର୍ବରୁ ଚାନ୍ଦବାଲି ଥାନା ପୁଲିସ୍ ୩ ଜଣଙ୍କୁ ଗିରଫ କରିଥିଲା। ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ଅଛନ୍ତି ବୋଲେରୋ ଡ୍ରାଇଭର୍ ଭାଗ୍ୟଧର ନାୟକ, ରଣପୁର ଥାନା ଧମଡା ଗାଁର ବିବେକ ନାୟକ ଓ ପୁରୁଣା ଭୁବନେଶ୍ୱରର ମୋହରିର କୃଷ୍ଣଚନ୍ଦ୍ର ନାୟକ। ଏମାନଙ୍କୁ ମିଶାଇ ବର୍ତ୍ତମାନ ସୁଦ୍ଧା ୫ ଜଣଙ୍କୁ ଗିରଫ କରିଛି। ଏବେ ସୁଦ୍ଧା ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଶର୍ମିଷ୍ଠା ରାଉତ ଓ ତାଙ୍କ ସହଯୋଗୀ (ଜଣେ ମହିଳା) ଫେରାର୍ ଅଛନ୍ତି। ସେମାନଙ୍କୁ ଗିରଫ କରିବା ପାଇଁ ପୁଲିସ୍ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଛି।
ଫେବ୍ରୁଆରୀ ୬ ତାରିଖରେ ମାନସ ବାହାଘର ଭିଡିଓ ଶୁଟିଂ କରିବାକୁ ଯାଇଥିଲେ। ତା’ପର ଦିନ ଅର୍ଥାତ ୭ ତାରିଖ ସକାଳେ ଭୁବନେଶ୍ୱର ଫେରୁଥିବା ବେଳେ ଶର୍ମିଷ୍ଠା ଓ ତାଙ୍କ ସହଯୋଗୀମାନେ ମାଡ଼ ମାରି ମାନସଙ୍କୁ ଅପହରଣ କରିନେଇଥିଲେ। ତାଙ୍କୁ ଭୁବନେଶ୍ୱର ଦୟାଲ୍ ଆଶ୍ରମ ଆଣି ପ୍ରବଳ ମାଡ଼ ମାରିଥିଲେ। ମାଡ଼ ମାରୁ ମାରୁ ସେଠାରେ ମାନସଙ୍କ ମୃତ୍ୟୁ ଘଟିଥିଲା। ତା’ପରେ ମାନସଙ୍କ ମୃତଦେହକୁ ନୟାଗଡ଼ ଜିଲ୍ଲା ରାଜସୁନାଖଳା ନିକଟସ୍ଥ ବଧିପାଟଣା ପାହାଡ଼ ତଳେ ପୋତି ଦେଇଥିଲେ।

Related Posts

Seo wordpress plugin by www.seowizard.org.