Odisha News

ପୁଣି ବିମାନ ଭିତରେ ପରିସ୍ରା କଲେ ମଦୁଆ ଯାତ୍ରୀ

ନୂଆଦିଲ୍ଲୀ,୫/୧: ନ୍ୟୁୟର୍କ-ଦିଲ୍ଲୀ ଏୟାର ଇଣ୍ଡିଆ ବିମାନରେ ନଭେମ୍ବର ୨୬ରେ ଘଟିଥିବା ଲଜ୍ଜାଜନକ ଘଟଣାର ଦଶ ଦିନ ପରେ ପ୍ୟାରିସ୍-ଦିଲ୍ଲୀ ଏୟାର ଇଣ୍ଡିଆ ବିମାନରେ ଜଣେ ମହିଳା ଯାତ୍ରୀଙ୍କ କମ୍ବଳରେ ଜଣେ ମଦ୍ୟପ ପୁରୁଷ ଯାତ୍ରୀ ପରିସ୍ରା କରିଥିବା ଅଭିଯୋଗ ହୋଇଛି। ତେବେ ଅଭିଯୁକ୍ତ ଯାତ୍ରୀ ଲିଖିତ କ୍ଷମା ପ୍ରାର୍ଥନା କରିବା ପରେ ତାଙ୍କ ବିରୋଧରେ କାର‌୍ୟ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ ବୋଲି ଅଧିକାରୀମାନେ ଗୁରୁବାର ଦିନ କହିଛନ୍ତି।
ଏହି ଘଟଣା ଡିସେମ୍ବର ୬ରେ ଏୟାର ଇଣ୍ଡିଆ ବିମାନ ୧୪୨ରେ ଘଟିଥିଲା ଏବଂ ବିମାନର ପାଇଲଟ ଇନ୍ଦିରା ଗାନ୍ଧୀ ଇଣ୍ଟରନ୍ୟାସନାଲ (ଆଇଜିଆଇ) ବିମାନବନ୍ଦରର ଏୟାର ଟ୍ରାଫିକ କଣ୍ଟ୍ରୋଲ (ଏଟିସି)କୁ ଏହି ଘଟଣା ବିଷୟରେ ଜଣାଇଥିଲେ।
ଇବିମାନଟି ଦିଲ୍ଲୀରେ ସକାଳ ପ୍ରାୟ ୯:୪୦ ସମୟରେ ଅବତରଣ କରିଥିଲା ଏବଂ ବିମାନବନ୍ଦର ସୁରକ୍ଷା ବିଭାଗକୁ ସୂଚନା ଦିଆଯାଇଥିଲା ଯେ ବିମାନର ଜଣେ ପୁରୁଷ ଯାତ୍ରୀ ମଦ୍ୟପାନ କରିଥିଲେ। ସେ କ୍ୟାବିନ୍ କର୍ମଚାରୀଙ୍କ ନିର୍ଦ୍ଦେଶ ପାଳନ କରୁ ନଥିଲେ ଏବଂ ସେ ବିମାନରେ ଥିବା ଜଣେ ମହିଳା ଯାତ୍ରୀଙ୍କ କମ୍ବଳ ଉପରେ ପରିସ୍ରା କରିଥିଲେ ବୋଲି ବିମାନବନ୍ଦର ଅଧିକାରୀମାନେ କହିଛନ୍ତି। ଏହି ଘଟଣାରେ ବିମାନରୁ ଓହ୍ଲାଇବା ମାତ୍ରେ ପୁରୁଷ ଯାତ୍ରୀଙ୍କୁ କେନ୍ଦ୍ରୀୟ ଶିଳ୍ପ ସୁରକ୍ଷା ବାହିନୀ ଦ୍ୱାରା ଗିରଫ କରାଯାଇଥିଲା। କିନ୍ତୁ ପରେ ଦୁଇ ଯାତ୍ରୀଙ୍କ ମଧ୍ୟରେ ପାରସ୍ପରିକ ଆପୋଷ ବୁଝାମଣା ହେବା ପରେ ତାଙ୍କୁ ଯିବାକୁ ଅନୁମତି ଦିଆଯାଇଥିଲା ଏବଂ ଅଭିଯୁକ୍ତ ଯାତ୍ରୀ ଲିଖିତ କ୍ଷମା ପ୍ରାର୍ଥନା କରିଥିଲେ ବୋଲି ସେମାନେ କହିଛନ୍ତି।
ଏହି ଘଟଣାରେ ପ୍ରଥମେ ଏକ ଲିଖିତ ଅଭିଯୋଗ କରିଥିବା ପୀଡ଼ିତା ମହିଳା ଯାତ୍ରୀ ଘଟଣା ସଂପର୍କରେ ପୁଲିସ ମାମଲା ଦାୟର କରିବାକୁ ମନା କରିଦେଇଥିଲେ। ତେଣୁ ଯାତ୍ରୀଙ୍କୁ ଇମିଗ୍ରେସନ୍ ଏବଂ ସୀମା ଶୁଳ୍କର ଔପଚାରିକତା ଶେଷ କରିବା ପରେ ବିମାନବନ୍ଦର ସୁରକ୍ଷା ଦ୍ୱାରା ଯିବାକୁ ଅନୁମତି ଦିଆଯାଇଥିଲା ବୋଲି ସେମାନେ କହିଛନ୍ତି।
ଏହି ଘଟଣାର ୧୦ ଦିନ ପୂର୍ବରୁ ନଭେମ୍ବର ୨୬ରେ ନ୍ୟୁୟର୍କ-ଦିଲ୍ଲୀ ଏୟାର ଇଣ୍ଡିଆ ବିମାନରେ ଜଣେ ମଦ୍ୟପ ଯାତ୍ରୀ ମହିଳା ସହଯାତ୍ରୀଙ୍କ ଉପରେ ପରିସ୍ରା କରିଥିଲେ। ଏହି ଘଟଣାରେ କିନ୍ତୁ, ଏୟାର ଇଣ୍ଡିଆରେ ପୀଡିତାଙ୍କ ଅଭିଯୋଗ ଆଧାରରେ ଦିଲ୍ଲୀ ପୁଲିସ ଏଫଆଇଆର ପଞ୍ଜିକରଣ କରି ଘଟଣାର ତଦନ୍ତ ଆରମ୍ଭ କରି ଅଭିଯୁକ୍ତ ଯାତ୍ରୀଙ୍କୁ ଗିରଫ କରିବା ପାଇଁ ଉଦ୍ୟମ କରୁଛି।

Related Posts

Seo wordpress plugin by www.seowizard.org.